www.samajalive.in
Monday, December 15, 2025
24.1 C
Bhubaneswar

କାହାକୁ ପସନ୍ଦ କରିବେ ଓଡିଆ ଭୋଟର?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଲାଗି ଫେବୃଆରୀ ୫ ତାରିଖରେ ମତଦାନ ହେବ। ସମୁଦାୟ ୭୦ଟି ଆସନ ଲାଗି ଆସନ୍ତା ୮ ତାରିଖ ଭୋଟ୍ ଗଣତି କରାଯିବ। ଦିଲ୍ଲୀକୁ ଏକ ମିନି ଭାରତ ବୋଲି ସବୁବେଳେ କୁହାଯାଇଥାଏ। କାରଣ ସେଠାରେ ପ୍ରାୟ ପ୍ରତ୍ୟେକ ରାଜ୍ୟର ଲୋକମାନେ ବସବାସ କରନ୍ତି।  ଅନୁରୂପ ଭାବରେ ସେମାନେ ସେଠାକାର ଭୋଟର ମଧ୍ୟ ପାଲଟିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ , ଦିଲ୍ଲୀରେ ଓଡ଼ିଆଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ପ୍ରାୟ ୫ ଲକ୍ଷ ଓଡ଼ିଆ ସେଠାରେ ବସବାସ କରୁଛନ୍ତି । ଏଥର ନିର୍ବାଚନ ସମୟରେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ କାହା ସପକ୍ଷରେ ମତ ଦେବେ, ସେନେଇ ଏବେ ଠାରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଅନ୍ୟ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଏବଂ ପଶ୍ଚିମ ଦିଲ୍ଲୀରେ ଓଡ଼ିଆ ମାନଙ୍କ ସଂଖ୍ୟା ଟିକିଏ ଅଧିକ। ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗର, ମାଲବ୍ୟ ନଗର, ଆରକେ ପୁରମ୍, ମେହେରୁଲୀ, ଛତରପୁର ଏବଂ ସଙ୍ଗମ ବିହାର ବିଧାନସଭା କ୍ଷେତ୍ର ଗୁଡ଼ିକରେ ହଜାର ହଜାର ଓଡ଼ିଆ ଭୋଟର ରହିଛନ୍ତି। ସେହିପରି ପଶ୍ଚିମ ଦିଲ୍ଲୀର ମୋତି ନଗର ବିଧାନସଭା ଆସନରେ ମଧ୍ୟ ଓଡ଼ିଆ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ନଗଣ୍ୟ ନୁହେଁ। ଏହାବାଦ ଦିଲ୍ଲୀ ଏବଂ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର(ଏନସିଆର)ରେ ପ୍ରାୟ ୫୦ଟି ଓଡ଼ିଆ ସାମାଜିକ ଏବଂ ସାଂସୃତିକ ସଙ୍ଗଠନ କାର୍ଯ୍ୟ କରୁଛନ୍ତି। ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ଦିଗରେ ଏମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ଏହିସବୁ ଅଞ୍ଚଳରେ ୧୭ରୁ ଅଧିକ ଜଗନ୍ନାଥ ମନ୍ଦିର କେବଳ ଓଡ଼ିଆ ଲୋକମାନେ ନିର୍ମାଣ କରିଛନ୍ତି। ଦିଲ୍ଲୀରେ ଥିବା ଜଗନ୍ନାଥ ମନ୍ଦିର ଗୁଡ଼ିକ ଓଡ଼ିଆ ଲୋକ ମାନଙ୍କ ଲାଗି ପ୍ରମୁଖ ସାମାଜିକ ଏବଂ ସାଂସ୍କୃତିକ କେନ୍ଦ୍ର କହିଲେ କିଛି ଭୁଲ ହେବ ନାହିଁ। ହୌଜଖାସ୍, ତ୍ୟାଗରାଜ ନଗର, କରୋଲବାଗ୍, ଦ୍ୱାରକା, ବସନ୍ତକୁଞ୍ଜ ଏବଂ ରୋହିଣୀ ସେକ୍ଟର-୨୪ରେ ଥିବା ଜଗନ୍ନାଥ ମନ୍ଦିର ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର। ଏହି ସବୁ ସଂସ୍ଥା ମଧ୍ୟ ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ରଖନ୍ତି। ସେଥିଲାଗି ଦିଲ୍ଲୀରେ ଲଢୁଥିବା ତିନି ପ୍ରମୁଖ ରାଜନୈତିକ ଦଳ ଆପ୍, କଂଗ୍ରେସ ଏବଂ ବିଜେପି ଓଡ଼ିଆ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ଲାଗି ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛନ୍ତି। ଦିଲ୍ଲୀରେ ଖାସ କରି ବିଜେପି ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ପଣ୍ଡିତ ମତ ଦେଉଛନ୍ତି। ଓଡ଼ିଆ ଭୋଟରଙ୍କୁ ନେଇ ବିଜେପି ପାଖରେ କିନ୍ତୁ ଏକ ପ୍ଲସ୍ ପଏଣ୍ଟ ରହିଛି। ଦିଲ୍ଲୀ ବିଜେପିର ପ୍ରଭାରୀ ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେହି ଦୃଷ୍ଟିରୁ ଅଧିକରୁ ଅଧିକ ସଂଖ୍ୟକ ଓଡ଼ିଆ ଭୋଟରଙ୍କୁ ନିଜ ଦଳ ସପକ୍ଷରେ ଟାଣିବା ପାଇଁ ସେ ବରାବର ଉଦ୍ୟମ କରୁଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟ କିଛି ଓଡ଼ିଆ ନେତାଙ୍କ ସହାୟତାରେ ଏହି ବର୍ଗର ଭୋଟ୍ ନିଜନିଜ ସପକ୍ଷରେ ହାସଲ କରିବା ଲାଗି ଚେଷ୍ଟା ଚଳାଇଛନ୍ତି। ଏସବୁ ମଧ୍ୟରେ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିଲ୍ଲୀରେ ରହୁଥିବା ପ୍ରାୟ ୮୦ ପ୍ରତିଶତ ଓଡ଼ିଆ ଲୋକଙ୍କ ପାଖରେ ସ୍ଥାନୀୟ ଭୋଟର କାର୍ଡ ନାହିଁ। ଭୋଟର କାର୍ଡ ସହିତ ଆଧାର ଲିଙ୍କ ବାଧ୍ୟତାମୂଳକ ହେବା ପରେ ଅନେକ ଦିଲ୍ଲୀ ବଦଳରେ ଓଡ଼ିଶାରେ ଭୋଟ୍ କୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ଯେତିକିବି ଓଡ଼ିଆ ଭୋଟର ସେଠାରେ ରହୁଛନ୍ତି, ଏବେ ଦେଖିବାର କଥା କାହା ସପକ୍ଷରେ ଏମାନେ ମତଦାନ କରୁଛନ୍ତି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories