ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ଡେସ୍କ: ଓଡ଼ିଶାର ବରପୁତ୍ର ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ମହାରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଚଳିତ ଜାନୁଆରୀ ୧୩ ତାରିଖରେ, ଜୟଦେବ ଭବନରେ ଅନୁଷ୍ଠିତ ହେବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୧୩ ତାରିଖ ସକାଳ ୮.୩୦ ମିନିଟ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ଏଜି ଛକ ସ୍ଥିତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଅପରାହ୍ନ ୩ଟାରେ ଜୟଦେବ ଭବନରେ ପୂଜ୍ୟପୂଜା ସାହିତ୍ୟ ସଂସଦ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୀବନୀ ଓ ଅବଦାନ ଉପରେ ଆଧାରିତ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।
ସେହିଦିନ ସନ୍ଧ୍ୟା ୫.୩୦ ମିନିଟ ସମୟରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Comments are closed.