ଡେସ୍କ: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ, ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ସଫଳତାର ସହ ପାଳନ ଲାଗି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂଚନା ମୁତାବକ, ପ୍ରବାସୀ ଭାରତୀୟ ଦିବସ ପାଳନ ଲାଗି ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବା ବେଳେ ବୁଲା ଗାଈଗୋରୁଙ୍କୁ ଗୋଶାଳା ଗୁଡିକରେ ରଖିବା ଲାଗି ବ୍ୟବସ୍ଥା କରାଯାଉଛି।
ଚଳିତ ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ଦିବସ ଆୟୋଜନ ହେବ। ପ୍ରଥମ ଦିବସ ଅର୍ଥାତ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଯୁବ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କରିବେ। ସେହିଦିନ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ପୂର୍ବାହ୍ନ ୯ଟାରେ ସମସ୍ତ ଅତିଥି ଆସନ ଗ୍ରହଣ କରିବା ପରେ ୯.୩୦ରୁ ୧୦.୩୦ ମିନିଟ ପର୍ଯ୍ୟନ୍ତ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ ହେବ। ୧୦.୩୦ରୁ ୧୨ଟା ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ, ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ, ୨ଟାରୁ ୩.୩୦ ଏବଂ ୩.୪୫ରୁ ୫.୧୫ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିବେଶନ ଆୟୋଜନ ହେବାକୁ ଥିବା ବେଳେ ସନ୍ଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ସେହିପରି ଜାନୁଆରୀ ୯ ତାରିଖ ବୁଧବାର ଦିନ ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟାଦଶ ପ୍ରବାସୀ ଭାରତୀୟ କାର୍ଯ୍ୟକମକୁ ଉଦଘାଟନ କରିବେ। ପୂର୍ବାହ୍ନ ୯ଟା ୩୦ ମିନିଟରେ ସମସ୍ତ ଅତିଥି ଆସନ ଗ୍ରହଣ କରିବା ପରେ ୧୦ରୁ ୧୧.୩୦ ମିନିଟ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ ହେବ। ଅପରାହ୍ନ ୨.୩୦ରୁ ୪ଟା ଓ ୪.୧୫ରୁ ୫.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରୁ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଜାନୁଆରୀ ୧୦ ତାରିଖ ଦିନ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ପ୍ରବାସୀ ଭାରତୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯିବ। ସକାଳ ୯.୩୦ରୁ ୧୧ଟା ଓ ୧୧.୧୫ରୁ ୧୨.୪୫ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରୁ ୪.୪୦ ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହେବ।
୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ୨୦୨୫ରେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ପାଞ୍ଚଟି ପୂର୍ଣ୍ଣାଙ୍ଗ ଅଧିବେଶନ ରହିଛି।
ଅଧିବେଶନ ୧ର ବିଷୟ: ଏକ ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ
ଅଧିବେଶନ ୨ର ବିଷୟ: ଯୋଗାଯୋଗ ସ୍ଥାପନ କରିବା, ପ୍ରତିବନ୍ଧକ ଦୂର କରିବା: ପ୍ରବାସୀ ଦକ୍ଷତାର କାହାଣୀ
ଅଧିବେଶନ ୩ର ବିଷୟ: ସବୁଜ ସଂଯୋଗ: ନିରନ୍ତର ବିକାଶରେ ପ୍ରବାସୀଙ୍କ ଅବଦାନ
ଅଧିବେଶନ ୪ର ବିଷୟ: ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଓ ପ୍ରଭାବ ପାଳନ – ନାରୀ ଶକ୍ତି
ଅଧିବେଶନ ୫ର ବିଷୟ: ପ୍ରବାସୀ ଆଲୋଚନା: ସଂସ୍କୃତି, ସଂଯୋଗ ଏବଂ ସମ୍ପୃକ୍ତିର କାହାଣୀ



