ଆରଡି : ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ଧନୁମୁଆଁ ଭୋଗ। ମନ୍ଦିରରେ ପ୍ରଚଳିତ ବିରଜା ପଞିକା ଅନୁଯାୟୀ ପୌଷମାସର ପ୍ରଥମଦିନ ହୋଇଥିବାରୁ ମଣିବାବାଙ୍କୁ ଏକମାସ ଧରି ପହିଲି ଅନ୍ନନୀତି ଭୋଗ ଲାଗି କରାଯିବ। ଏଥିପାଇଁ ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି ସମ୍ପନ୍ନ ହେବା ପରେ ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସେବାୟତ ଓ ଭକ୍ତଙ୍କ ପକ୍ଷରୁ ଧନୁମୁଆଁ ଭୋଗ ଲାଗି କରାଯାଇଥିଲା। ପରେ ପହିଲି ଅନ୍ନନୀତି ଭୋଗ ଲାଗି ହେବା ପରେ ସାହଣମେଲାରେ ଭକ୍ତମାନେ ଧାଡି ଦର୍ଶନ କରିଥିଲେ। ଅପରାହ୍ଣ ସୁଦ୍ଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା। ପରେ ସନ୍ଧ୍ୟାରେ ଧନୁ ନୀତି ଭୋଗ ଲାଗି ହେବା ସହ ବଡ ଆଳତୀ ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଆରଡି ଫାଣ୍ଡି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
Comments are closed.