ପୁଣି ବାଜିରେ ଲାଗିଲା ଯାତ୍ରୀଙ୍କ ଜୀବନ ; ବାଟ ହୁଡ଼ିଲା ସୁରତ-ପୁରୀ ଏକ୍ସପ୍ରେସ
ସମ୍ବଲପୁର : ପୁଣି ବାଜିରେ ଲାଗିଲା ରେଳଯାତ୍ରୀଙ୍କ ଜୀବନ। ସୁରଟ-ପୁରୀ ଏକ୍ସପ୍ରେସ (୨୨୮୨୮) ସମୟ ସକାଳ ୯.୩୦ରେ ସମ୍ବଲପୁର ପହଞ୍ଚିବାର ଥିଲା। କିନ୍ତୁ ଏହା ନିର୍ଦ୍ଧାରିତ ସମୟରୁ ୪ ଘଣ୍ଟା ୧୫ ମିନିଟ ବିଳମ୍ବରେ ଏଠାରେ ପହଞ୍ଚିଥିଲା। ସମ୍ବଲପୁର ଷ୍ଟେସନରେ ରହଣି ପରେ ଦିନ ପ୍ରାୟ ୨ଟା ସମୟରେ ଏହି ଟ୍ରେନ ସମ୍ବଲପୁର ଷ୍ଟେସନରୁ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରିଥିଲା। କିନ୍ତୁ ଗୁରୁତର ପରିଚାଳନାଗତ ତ୍ରୁଟି ଯୋଗୁ ଏହି ଟ୍ରେନ ଅନୁଗୁଳ ଲାଇନରେ ଯିବା ପରିବର୍ତ୍ତେ ଝାରସୁଗୁଡ଼ା ଲାଇନରେ ଚାଲି ଯାଇଥିଲା। ଶାସନ ଷ୍ଟେସନ ଅତିକ୍ରମ କଲା ପରେ ମଧ୍ୟ ଟ୍ରେନ ଚାଳକ ଏହା ଜାଣି ପାରିନଥିଲେ। ତେବେ ଶାସନ ଷ୍ଟେସନର କେହି ଜଣେ ଏହା ଦେଖି ରେଳ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଟ୍ରେନକୁ ଶାସନ ଓ ରେଙ୍ଗାଲି ଷ୍ଟେସନ
ମଝିରେ ଅଟକା ଯାଇଥିଲା। ଏହି ଅଘଟଣ ସଂପର୍କରେ ଜଣାପଡ଼ିଲା ପରେ ପୁଣି ଆଲୋଡନ ସୃଷ୍ଟି ହୋଇଛି। ପ୍ରାୟ ଅଧାଘଣ୍ଟା ମଧ୍ୟରେ ଇଞ୍ଜିନକୁ ବଦଳାଇ ଟ୍ରେନକୁ ପୁଣି ସମ୍ବଲପୁର ପଟକୁ ଫେରାଇ ଅଣାଯାଇଥିଲା। ଏହା ପରେ ଟ୍ରେନ ତାର ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳକୁ ଯାତ୍ରାରମ୍ଭ କରିଥିଲା। ଏହି ପରିଚାଳନାଗତ ତ୍ରୁଟି ଯୋଗୁ ହଜାର ହଜାର ରେଳ ଯାତ୍ରୀଙ୍କ ଜୀବନ ବିପଦାପନ୍ନ ହୋଇ ପଡ଼ିଥିଲା। ତଥାପି କିଛି ଅଘଟଣ ଘଟିବା ଆଗରୁ ଘଟଣା ସଂପର୍କରେ ଜଣା ପଡ଼ିଯିବାରୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି।
ଏହି ଘଟଣା ସମ୍ପର୍କରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତାଙ୍କୁ ପଚାରିବାରେ ସେ ଟ୍ରେନ ଅନ୍ୟ ଦିଗରେ ପଳାଇବା ଘଟଣାକୁ ଅସ୍ୱୀକାର କରି କହିଛନ୍ତି ଯେ ଏହି ଟ୍ରେନର ଦୁଇ ମୁଣ୍ଡରେ ଥିବା ଏସଏଲଆର ବଗି ମଧ୍ୟରୁ ପଛ ପଟର ବଗି ବମ୍ବେ ଡିଭିଜନରେ ହଟ୍- ଏକ୍ସେଲ ହୋଇଯିବାରୁ ତାକୁ ସେଠାରେ ଖୋଲି ଦିଆଯାଇଥିଲା। ଏଣୁ ପୁଣି ଥରେ ଏସଏଲଆର ବଗିକୁ ପଛକୁ ନେବା ପାଇଁ ଟ୍ରେନକୁ ରେଙ୍ଗାଲି ଷ୍ଟେସନ ପାଖ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ଇଞ୍ଜିନ ବଦଳାଇ ପୁଣି ସମ୍ବଲପୁରକୁ ଫେରାଇ ଅଣା ଯାଇଥିଲା ଓ ଏଠାରୁ ତାକୁ ପୁଣି ପୁରୀ ଯିବାକୁ ଦିଆଯାଇଥିଲା ବୋଲି ମଣ୍ଡଳ ପ୍ରବନ୍ଧକ ଡ. ଗୁପ୍ତା କହିଛନ୍ତି।
ଯଦି ଏଭଳି କିଛି ସମସ୍ୟା ହୋଇଥିଲା ତାହା ହେଲେ ପ୍ରଶ୍ନ ଉଠୁଛି ଯେ ରେଳ ଯାତ୍ରୀଙ୍କୁ ଏ ସଂପର୍କରେ ସୂଚନା ଦିଆ ଯାଇନଥିଲା କାହିଁକି। ଏ ପ୍ରକାର ପରିଚାଳନାଗତ ତ୍ରୁଟି ଓ ତ୍ରୁଟି ସଂଶୋଧନ ଯୋଗୁ ଯାତ୍ରୀମାନେ ଅହେତୁକ ବିଳମ୍ବ ଓ ମାନସିକ ଯନ୍ତ୍ରଣା ଭୋଗ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଏହି ଟ୍ରେନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଲଳିତ ମିଶ୍ର କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ ଗତବର୍ଷ ଏପ୍ରିଲ ୭ ତାରିଖ ଦିନ ଅହମଦାବାଦ – ପୁରୀ ଏକ୍ସପ୍ରେସ ଟ୍ରେନ ବିନା ଇଂଜିନରେ ଟିଟିଲାଗଡ଼ରୁ କେସିଙ୍ଗା ଲାଇନରେ ପ୍ରାୟ ୧୦ କିଲୋମିଟର ଯାଏ ଗଡ଼ି ଯାଇଥିଲା। ସୌଭାଗ୍ୟବଶତଃ ଦୁଇଟି ଯାକ ଘଟଣାରେ କିଛି ଦୁର୍ଘର୍ଟଣା ଘଟି ନଥିଲେ ମଧ୍ୟ ରେଳଯାତ୍ରୀଙ୍କ ଅସୁରକ୍ଷା ଓ ପରିଚାଳନାଗତ ଅବ୍ୟବସ୍ଥାକୁ ପୁଣି ପ୍ରମାଣିତ କରିଛି।