www.samajalive.in
Thursday, December 11, 2025
23.1 C
Bhubaneswar

ଅସାଧାରଣ କୃତଜ୍ଞତା

ଗ୍ରୀଷ୍ମଦିନ; ମଧ୍ୟାହ୍ନ ସମୟ। ପ୍ରଖର ସୂର୍ଯ୍ୟକିରଣ ପତ୍ରର ଫାଙ୍କଦେଇ ଠାଏଠାଏ ତଳେ ପଡ଼ିଥାଏ। ଶିକାରୀଟି ଘଞ୍ଚ ଜଙ୍ଗଲରେ ଶିକାର ଅନ୍ବେଷଣରେ ବୁଲୁବୁଲୁ ଦେଖିବାକୁ ପାଇଲା ଏକ ବିରାଟ ବୃକ୍ଷଶାଖାରେ ଦଳେ ପକ୍ଷୀ ବସିଛନ୍ତି। ଶିକାରି ବହୁତ ଖୁସି ହୋଇଗଲା। ତୂଣୀରରୁ ଶର ବାହାର କଲା। ସେଥିରେ ବିଷ ବୋଳି ଲକ୍ଷ୍ୟଭେଦ ଉଦ୍ଦେଶ୍ୟରେ ନିକ୍ଷେପ କଲା। ହେଲେ ଦୁର୍ଭାଗ୍ୟବଶତଃ ତୀରଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଗଛକୁ ବିଦ୍ଧ କରିଥିଲା। ବିଷବୋଳା ଶର ପ୍ରଭାବରେ ଗଛଟି ଆସ୍ତେଆସ୍ତେ ଝାଉଁଳିବାକୁ ଲାଗିଲା। ଦିନ କେଇଟା ଭିତରେ ଫଳ, ଫୁଲ, ପତ୍ର ସବୁ ଝଡ଼ିଯାଇ ଗଛଟି ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଗଲା। ଗଛ ଥୁଣ୍ଟା ହୋଇଯିବା ଦେଖି କେଉଁକାଳରୁ ସେଥିରେ ବସାବାନ୍ଧି ରହିଥିବା ପକ୍ଷୀସବୁ ଯିଏ ଯୁଆଡ଼େ ଚାଲିଗଲେ। ହେଲେ ​‌େସଇ ବୃକ୍ଷକୁ ଆଶ୍ରା କରି ରହିଥିବା ଶୁକପକ୍ଷୀଟି ଅନେକ ଦିନର ସୁଖଦୁଃଖର ସାଥୀ ସେଇ ଗଛକୁ ଛାଡ଼ି ନଯିବାକୁ ନିଶ୍ଚୟ କଲା। ବୃକ୍ଷ ପ୍ରତି ପକ୍ଷୀଟିର ଅହେତୁକ ମମତା ଥିଲା। ବୃକ୍ଷର ଏଭଳି ଦୁର୍ଦଶାରେ ଶୁକପକ୍ଷୀଟି ଅନେକ ସମୟରେ ଦୁଃଖରେ ଖାଦ୍ୟସଂଗ୍ରହ କରିବାକୁ ନଯାଇ ନିରାହାର ରହିବାରୁ ତା’ର ଶରୀର ମଧ୍ୟ କ୍ରମଶଃ କ୍ଷୀଣ ହୋଇ ଆସିଲା।
ଦେବରାଜ ଇନ୍ଦ୍ର ଶୁକପକ୍ଷୀର ଏଭଳି କଠୋର ନିଷ୍ଠା ଲକ୍ଷ୍ୟକଲେ। ଆସନ୍ନ ମୃତ୍ୟୁରୁ ତାକୁ ବଞ୍ଚାଇବା ନିମିତ୍ତ ବ୍ରାହ୍ମଣ ବେଶଧରି ସେହି ପକ୍ଷୀ ନିକଟକୁ ଆସି କହିଲେ- ‘ଶୁକ! ତୁମେ କାହିଁକି ନିର୍ଜୀବ, ଥୁଣ୍ଟା ବୃକ୍ଷଟିିକୁ ଆଶ୍ରାକରି ପଡ଼ିରହିଛ? ଯାହାକୁ ଆଶ୍ରାକରି ପଡ଼ି ରହିଛ ସେହି ବୃକ୍ଷରେ ନା ଅଛି ଛାୟାପ୍ରଦାନ ନିମନ୍ତେ ପତ୍ର ନା ଖାଦ୍ୟ ଉଦ୍ଦେଶ୍ୟରେ ଫଳ। ଏଇ ବୃକ୍ଷକୁ ତୁମ ସହ ଆଶ୍ରା କରିଥିବା ଅନ୍ୟ ପକ୍ଷୀସବୁ କାହିଁ କେଉଁଦିନରୁ ଅନ୍ୟତ୍ର ଚାଲିଗଲେଣି। ତୁମେ ସେମାନଙ୍କଭଳି ଏହି ବିଶାଳ ବନପ୍ରଦେଶରେ କାହିଁକି ଅନ୍ୟକୌଣସି ଫଳଛାୟାଦାନକାରୀ ମହାତରୁର ଆଶ୍ରୟ ନେଉନାହଁ? ନିଜ ବୁଦ୍ଧିରେ ହାନିଲାଭ ବିଚାର କରି ଏହି ସାମର୍ଥ୍ୟହୀନ ବୃକ୍ଷକୁ ତ୍ୟାଗ କର।’
ଶୁକପକ୍ଷୀ ଦୀର୍ଘଶ୍ବାସ ପକାଇ କହିଲା- ‘​‌ହେ ବ୍ରାହ୍ମଣ! ଅନେକ ଦିନର ପୁରୁଣା ବନ୍ଧନକୁ ତୁଟାଇ ଦେବା ଏତେ ସହଜ ନୁହେଁ। ମୁଁ ଏହି ବୃକ୍ଷରେ ଜନ୍ମ ହୋଇଛି ଓ ବଢ଼ିଛି। ସାମର୍ଥ୍ୟଥିବା ପର୍ଯ୍ୟନ୍ତ ଏହି ବୃକ୍ଷ ଉଦାର ହୃଦୟରେ ମୋତେ ଆଶ୍ରୟ ଦେଇଥିଲା। ଗ୍ରୀଷ୍ମରେ ଛାୟାପ୍ରଦାନ ସହ ତା’ର ସୁମିଷ୍ଟ ଫଳ ଖାଇ ମୁଁ ପୁଷ୍ଟ ହୋଇଥିଲି। ଯାହାକିଛି ତାହା ନିକଟରେ ଥିଲା ସେ ମୋତେ ଅକାତରରେ ପ୍ରଦାନ କରିଥିଲା। ସାରାଜୀବନ ସେ ମୋତେ ଦେଇ ଚାଲିଥିଲା, କିନ୍ତୁ ମୋଠାରୁ କିଛି ପ୍ରତ୍ୟାଶା କରିନଥିଲା। ତା ନିକଟରେ ମୁଁ ସବୁଦିନ ପାଇଁ ଋଣୀ। ଜିଇଥିଲାବେଳେ ଏହି ବୃକ୍ଷର ଉଦାରତା ମୋତେ ବାଧ୍ୟ କରିଛି ତା’ର ଦୁଃସ୍ଥିତିରେ ତା ସହିତ ରହିବାପାଇଁ, ତା ବିନା ଜିଇ ରହିବା ଅପେକ୍ଷା ଆଶ୍ରୟଦାତା ସହ ଶୁଖିଶୁଖି ମରିଯିବା ଭଲ। ଏହାଦ୍ବାରା ମୋତେ ଶାନ୍ତି ମିଳିବ। ମୁଁ କେବେବି ଆଶ୍ରୟଦାତାଙ୍କୁ ତ୍ୟାଗ କରିବି ନାହିଁ।’
ଦେବରାଜ ଇନ୍ଦ୍ର ପକ୍ଷୀଠାରେ ଏଭଳିି ଅସାଧାରଣ କୃତଜ୍ଞତା ଦେଖି ସ୍ତବ୍ଧ ହୋଇଯାଇଥିଲେ। ସ୍ବରୂପ ଧାରଣକରି କହିଥିଲେ- ‘ମୁଁ ତୁମର ଏଭଳି ଅଦ୍ଭୁତ ତ୍ୟାଗ ଦେଖି ଅତି ପ୍ରସନ୍ନ। ବର ପ୍ରାର୍ଥନା କରିପାର।’ ପକ୍ଷୀଟି ନିବେଦନ କରି କହିଥିଲା- ‘ଯଦି ବର ଯାଚଜ୍ଞା କରୁଛନ୍ତି ତେବେ ମୋର ଆଶ୍ରୟଦାତା ବୃକ୍ଷର ପୂର୍ବାବସ୍ଥା ଫେରାଇ ଦିଅନ୍ତୁ।’ ଦେବରାଜ ‘ତଥାସ୍ତୁ’ କହି ଅନ୍ତର୍ହିତ ହୋଇଯାଇଥିଲେ। ବୃକ୍ଷଟି ପୁନର୍ବାର ପତ୍ର, ପୁଷ୍ପ, ଫଳ ବିମଣ୍ଡିତ ହୋଇଉଠିଥିଲା।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories