ଇସ୍କନକୁ ମୌଳବାଦୀ ସଂଗଠନ କହି ନିଷିଦ୍ଧ ଦାବି କଲା ବାଂଲାଦେଶ
ଢାକା: ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିଅସ୍ନେସ୍ (ଇସ୍କନ) ଏକ ଧାର୍ମିକ ମୌଳବାଦୀ ସଂଗଠନ। ଏପରି ସଂଗଠନକୁ ଦେଶରେ ନିଷିଦ୍ଧ କରାଯାଉ ବୋଲି ବାଂଲାଦେଶ ସରକାର ଅଦାଲତରେ କହିଛନ୍ତି। ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର କରାଯାଇଥିବା ରିଟ୍ ପିଟିସନ୍ରେ ଇସ୍କନକୁ ଦେଶରେ ନିଷିଦ୍ଧ କରାଯିବା ପୂର୍ବକ ଏହାର କାର୍ୟ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରାଯାଇଛି। ଆଟର୍ଣ୍ଣି ଜେନେରାଲ ମହମ୍ମଦ ଅସାଦଜୁମାନ କହିଛନ୍ତି ଯେ ଇସ୍କନ ଏକ ରାଜନୈତିକ ଦଳ ନୁହେଁ। ଏହା ଏକ ଧାର୍ମିକ ମୌଳବାଦୀ ସଂଗଠନ। ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ବାଂଲାଦେଶରେ ଗିରଫ କରାଯିବା ପରେ ସରକାର ଏପରି ମନୋଭାବ ପୋଷଣ କରିଛନ୍ତି। ଚିନ୍ମୟ ଦାସଙ୍କ ଗିରଫ ପ୍ରତିବାଦରେ ବାଂଲାଦେଶରେ ହିନ୍ଦୁମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ସରକାର ବଳ ପ୍ରୟୋଗ କରି ଏହାକୁ ଦମନ କରିଛନ୍ତି। ବିକ୍ଷୋଭ ସମୟରେ ପୁଲିସ ଗୁଳିରେ ଜଣେ ଓକିଲ ପ୍ରାଣ ହରାଇଛନ୍ତି। ମୃତ ଓକିଲ ହେଉଛନ୍ତି ସୈଫୁଲ ଇସଲାମ୍। ସୈଫୁଲ ଅତିିରିକ୍ତ ସରକାରୀ ଓକିଲ ଭାବେ କାର୍ୟ୍ୟ କରୁଥିଲେ। ଆଟର୍ଣ୍ଣି ଜେନେରାଲଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଇସ୍କନକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ବାବଦରେ ସରକାରଙ୍କ ମନୋଭାବ ଜାଣିବାକୁ ଚାହିଁଥିଲେ। ଏହା ସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ଲାଗି ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ବାଂଲାଦେଶର ୯୦ଧ ନାଗରିକ ମୁସଲମାନ। ତେଣୁ ଦେଶର ସମ୍ବିଧାନରୁ ଧର୍ମନିରପେକ୍ଷ ଶବ୍ଦକୁ ହଟାଯାଉ।
ବାଂଲାଦେଶରେ ଇସ୍କନ ସାଧୁଙ୍କୁ ଗିରଫ କରାଯିବା ଓ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣାରେ ହସ୍ତକ୍ଷେପ କରିବାକୁ ଇସ୍କନର ଉପ ସଭାପତି ରାଧାରମଣ ଦାସ ବିଶ୍ବନେତାଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବାଂଲାଦେଶରେ ପରିସ୍ଥିତିର ଉନ୍ନତି ଘଟିବ। ଗତ ସୋମବାର ଚିନ୍ମୟ ଦାସଙ୍କୁ ଢାକାର ବିମାନବନ୍ଦରରୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ରୁଜୁ ଦେଶଦ୍ରୋହ ମାମଲା ଆଧାରରେ ଗିରଫ କରାଯାଇଛି। ଗିରଫ ପରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ମଙ୍ଗଳବାର ତାଙ୍କୁ ଜେଲ୍କୁ ପଠାଇଦିଆଯାଇଛି। ଚିନ୍ମୟଙ୍କ ଜାମିନ ନାମଞ୍ଜୁର ହେବା ପରେ ହିନ୍ଦୁମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗତ ଅକ୍ଟୋବର ୨୫ରେ ଚିନ୍ମୟ ଦାସଙ୍କ ନେତୃତ୍ବରେ ହିନ୍ଦୁ ସମ୍ପ୍ରଦାୟଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ସମୟରେ ବାଂଲାଦେଶ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ଚିନ୍ମୟ ଦାସ ଓ ଅନ୍ୟ ୧୮ଜଣ ହିନ୍ଦୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।
Comments are closed.