ସଂରକ୍ଷଣ ସୁବିଧା ପାଇଁ ଧର୍ମାନ୍ତରୀକରଣ ସମ୍ବିଧାନ ପ୍ରତି ପ୍ରତାରଣା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସଂରକ୍ଷଣ ସୁବିଧା ପାଇବା ଲାଗି ଧର୍ମପରିବର୍ତ୍ତନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନିଷ୍ଠାପର ଧାର୍ମିକ ବିଶ୍ବାସ ବିନା ସଂରକ୍ଷଣ ସୁବିଧା ଉଦ୍ଦେଶ୍ୟରେ ଧର୍ମପରିବର୍ତ୍ତନ କରିବା ସମ୍ବିଧାନ ପ୍ରତି ପ୍ରତାରଣା ସଦୃଶ। ବିଚାରପତି ପଙ୍କଜ ମିତ୍ତଲ ଓ ଆର ମହାଦେବନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ପୂର୍ବକ ଉପରୋକ୍ତ ରାୟ ଦେଇଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଉଦ୍ଦେଶ୍ୟରେ ସି ସେଲଭାରନି ନାମକ ମହିଳା ଅନୁସୂଚିତ ଜାତି (ଏସ୍ସି) ପ୍ରମାଣପତ୍ର ପାଇବା ଲାଗି କରିଥିବା ଆବେଦନକୁ ଜାନୁଆରୀ ୨୪ରେ ମାଡ୍ରାସ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ସେଲଭାରନିଙ୍କ ପିତା ହିନ୍ଦୁ ଓ ମାତା ଖ୍ରୀଷ୍ଟିଆନ। ଜନ୍ମ ପରେ ସେଲଭାରନି ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ ହୋଇଥିଲେ। ମାତ୍ର ସଂରକ୍ଷଣ ସୁବିଧା ପାଇଁ ଲାଗି ପରବର୍ତ୍ତୀ ସମୟରେ ସେ ନିଜକୁ ହିନ୍ଦୁ ବୋଲି ଦାବି କରିଥିଲେ। ୨୦୧୫ରେ ସେ ପୁଡୁଚେରୀ ସରକାରଙ୍କ ଅଧୀନରେ କିରାଣି ଚାକିରି ପାଇଁ ଆବେଦନ କରିଥିଲେ। ଏହି ସମୟରେ ସେ ପିତାଙ୍କ ଜାତି ଆଧାରରେ ନିଜକୁ ଏସ୍ସି ବୋଲି ଦାବି କରିଥିଲେ। ଏଥିପାଇଁ ଜାତି ପ୍ରମାଣପତ୍ର ଲାଗି ଆବେଦନ କରିଥିଲେ। ମାତ୍ର ତାଙ୍କୁ ଜାତି ପ୍ରମାଣପତ୍ର ନ ମିଳିବାରୁ ସେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତରେ ସେଲଭାରନି ଖ୍ରୀଷ୍ଟିଆନ ବୋଲି ପ୍ରମାଣିତ ହୋଇଥିଲେ। କାରଣ ସେ ଖ୍ରୀଷ୍ଟିଆନ ଧାର୍ମିକ ବିଶ୍ବାସକୁ ଅନୁସରଣ କରିବା ସହିତ ଚର୍ଚ୍ଚ ଯାଉଥିଲେ। ହାଇକୋର୍ଟ ସେଲଭାରନିଙ୍କ ଜାତି ପ୍ରମାଣପତ୍ର ଆବେଦନକୁ ଅଗ୍ରାହ୍ୟ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେବା ପୂର୍ବକ ସେଲଭାରନିଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ମହାଦେବନ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ କୌଣସି ଧର୍ମର ନୀତି ଓ ନିୟମ ପ୍ରତି ଜଣେ ଆକୃଷ୍ଟ ହୋଇ ଧର୍ମାନ୍ତରିତ ହୋଇଥାଏ। ମାତ୍ର ଉକ୍ତ ଧାର୍ମିକ ବିଶ୍ବାସ ବିନା କେବଳ ସଂରକ୍ଷଣ ସୁବିଧା ପାଇଁ ଧର୍ମାନ୍ତରିତ ହେବାକୁ ଅନୁମତି ଦିଆଯାଇପାରିବ ନାହିଁ। ସେଲଭାରନିଙ୍କ କ୍ଷେତ୍ରରେ ହିନ୍ଦୁ ଧର୍ମକୁ ପରିବର୍ତ୍ତନ ହେବା ପଛରେ କେବଳ ସଂରକ୍ଷଣ ସୁବିଧାର ମୋହ ରହିଥିବା ଜଣାପଡିଛି। ଏପରି କ୍ଷେତ୍ରରେ ତାଙ୍କୁ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବା ସଂରକ୍ଷଣ ସୁବିଧାର ନିୟମକୁ ଉଲ୍ଲଙ୍ଘନ କରିବ। ଏପରି କାର୍ୟ୍ୟ ସମ୍ବିଧାନକୁ ଜାଲିଆତି କରିବା ଭଳି ହେବ।
Comments are closed.