୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ
ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ବିଧାନସଭା ପରିସରସ୍ଥ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆଜି ପୂର୍ବାହ୍ଣ ସାଢେ଼ ୧୦ରେ ଏହି ବୈଠକ ହେବ। ବୈଠକରେ ଯୋଗଦେବା ପୂର୍ବରୁ ଉଭୟ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବିଧାୟକ ଦଳ ବୈଠକ ପୂର୍ବରୁ ରବିବାର ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବଙ୍କ ବାସଭବନରେ ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ହୋଇଥିଲା । ଏଥିରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅରୁଣ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଆସନ୍ତା ଅଧିବେଶନରେ ଦଳ କେଉଁ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବ ସେନେଇ ଆଲୋଚନା ହୋଇଛି। ବିଜେଡି ବିଧାୟକ ଶ୍ରୀ ସାହୁ କହିଛନ୍ତି, ଆସନ୍ତା ଅଧିବେଶନରେ ଦଳର ଭୂମିକା କ’ଣ ରହିବ ସେନେଇ ପ୍ରାଥମିକ ଆଲୋଚନା ହୋଇଛି। ଏ ସମସ୍ତ କଥାକୁ ଦଳର ସଭାପତିଙ୍କୁ ଅବଗତ କରାଯିବ। ଜନସାଧାରଣ ବିଜେଡିକୁ ଏକ ଶକ୍ତିଶାଳୀ ବିରୋଧୀ ଦଳ ପାଇଁ ଗତ ନିର୍ବାଚନରେ ଜନାଦେଶ ଦେଇଛନ୍ତି। ପ୍ରଭାବୀ ଢଙ୍ଗରେ ବିଜେଡି ବିରୋଧୀ ଦଳ ଭୂମିକା ନିଭାଉଥିବା ଶ୍ରୀ ସାହୁ କହିଛନ୍ତି। ସେପଟେ ଆସନ୍ତା ୨୬ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ୨୬ରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଅଡୁଆରେ ପକାଇବା ସମ୍ଭାବନା ରହିଛି। ବିରୋଧୀଙ୍କୁ ଶାସକ ଦଳ କିପରି ମୁକାବିଲା କରୁଛି, ତାହା ଅଧିବେଶନ ଅବଧି ସମୟରେ ସ୍ପଷ୍ଟ ହେବ।
Comments are closed.