ନୂଆଦିଲ୍ଲୀରେ ଜାତୀୟ ରବି ଫସଲ କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜାତୀୟ ରବି ଫସଲ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟରେ କୃଷି ସମ୍ବନ୍ଧୀୟ ବିଭିନ୍ନ ରବି କାର୍ଯ୍ୟକ୍ରମ ସମ୍ପର୍କରେ ମତ ପୋଷଣ କରିଥିଲେ । ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡ଼ାଲି ଓ ତୈଳବୀଜ ଫସଲ ଚାଷକୁ ୨.୫ ଲକ୍ଷ ହେକଫର ଜମିରେ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରସ୍ତାବ ରଖିଥିଲେ। ଏଥିସହ ସୂର୍ଯ୍ୟମୁଖୀ, ଚିନାବାଦାମ ଚାଷ ସହ ମହୁମାଛି ପାଳନ ନିମନ୍ତେ ହେକଫର ପ୍ରତି କ୍ଷେତ୍ର ପ୍ରଦର୍ଶନ ଖର୍ଚ୍ଚକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ଦାବି ଉପସ୍ଥାପନା କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

ରାଷ୍ଟ୍ରୀୟ ବିକାଶ ଯୋଜନା ଅନ୍ତର୍ଗତ କୃଷି ବନୀକରଣ କାର୍ଯ୍ୟକ୍ରମରେ ରାଜ୍ୟରୁ ପ୍ରଦାନ କରାଯାଇଥିବା ୮.୩୪ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟକ୍ରମ ଯୋଜନାକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ରାଜ୍ୟର ପ୍ରାକୃତିକ ଦୁର୍ବିପାକ ପ୍ରବଣତାକୁ ଆଖି ଆଗରେ ରଖି ଉପକୂଳ ଓଡ଼ିଶାରେ ଖାଲୁଆ ଅଞ୍ଚଳ କୃଷି ଗବେଷଣା କେନ୍ଦ୍ର ଏବଂ ପଶ୍ଚିମ ଓଡ଼ିଶାରେ କୃଷି ଯାନ୍ତ୍ରିକୀକରଣ ବ୍ୟାପକିକରଣକୁ ନୂଆ ରୂପଦେବା ପାଇଁ ଏକ କୃଷି ଯନ୍ତ୍ରପାତି ବିକଶିତ, ତାଲିମ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନା ପାଇଁ ପ୍ରସ୍ତାବ ରଖିଛନ୍ତି। ଏହି ସମ୍ମିଳନୀରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିଖିଲ ପୱନ କଲ୍ୟାଣ ଏବଂ ନିର୍ଦ୍ଦେଶକ ଇମେଜ ଡ଼ଃ ରାଜେଶ ଦାସ ଯୋଗଦାନ କରିଥିଲେ।

Comments are closed.