ପର୍ବତ ଆରୋହୀ ମଧୁସ୍ମିତା ପାତ୍ରଙ୍କୁ ମିଳିବ ଆର୍ଥିକ ସହାୟତା, ପ୍ରତିଶ୍ରୁତି ଦେଲେ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ

ଗୋପାଳପୁର: ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଜ ନିର୍ବାଚନମଣ୍ଡଳୀ ଗସ୍ତ ଅବସରରେ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଗୃହ ଠାରେ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି କ୍ରମରେ ନିଜ ନିର୍ବାଚନମଣ୍ଡଳୀର ଅନେକ ଲୋକ ଏଠାରେ ପହଞ୍ଚି ନିଜ ନିଜର ସମସ୍ୟା ନେଇ ମନ୍ତ୍ରୀ ଙ୍କୁ ଅବଗତ କରାଇବା ସହ ସାହାଯ୍ୟ ଓ ସମାଧାନ ଚାହିଁଥିଲେ। ମନ୍ତ୍ରୀଙ୍କ ପକ୍ଷରୁ ସମସ୍ତ ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହଣ କରାଯିବା ସହ କେତକ ଅଭିଯୋଗର ତୁରନ୍ତ ସମାଧାନ କରିଥିବା ବେଳେ ଆଉ କେତେକକୁ ବ୍ଲକ ସମେତ ଅନ୍ୟାନ୍ୟ ବିଭାଗକୁ ପଠାଇ ତତ୍କାଳ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ।
ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମହସାୟୀପେଣ୍ଠ ଗ୍ରାମର ପ୍ରତିଭା ସମ୍ପନ୍ନ ତଥା ପର୍ବାଣୀ ଆରୋହୀ ସୁଶ୍ରୀ ମଧୁସ୍ମିତା ପାତ୍ର ମପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ପର୍ବତାରୋହଣର ଅଭିଜ୍ଞତା ବଖାଣିବା ସହ ଆଗାମୀ ପଦକ୍ଷେପ ନେଇ ଆଲୋଚନା କରିଥିଲେ। ଏନେଇ ଯଥା ଶୀଘ୍ର ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିଶ୍ରୁତି ଦେଇଥିଲେ। ବ୍ରହ୍ମପୁର ଝିଅ ମଧୁସ୍ମିତା ପାତ୍ରଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ଭବିଷ୍ୟତକୁ ଦୃଷ୍ଟିରେ ରଖି ଝିଅଟି କିପରି ସଫଳତା ହାସଲ କରିପାରିବ ଏବଂ ଦେଶ,ରାଜ୍ୟ ତଥା ଆମ ଅଞ୍ଚଳର ଗୈାରବ ବଢାଇବ ସେଥିପ୍ରତି ଆମ ବିଭାଗ ସଜାଗ ରହିଛି ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ସୁଶ୍ରୀ ମଧୁସ୍ମିତା ପାତ୍ର ଗତ ୨୦୨୩ ମସିହାରେ ପର୍ବତାରୋହଣରେ ସଫଳତା ହାସଲ କରିଥିଲେ । ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌ର ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡ଼ାଇବାରେ ସଫଳ ହୋଇଥିଲେ। ଏହି ଅଭିଯାନ ତାଙ୍କ ପାଇଁ ବେଶ୍ ଆହ୍ବାନ ଭରା ଥିବା ମଧୁସ୍ମିତା ପ୍ରକାଶ କରିଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି କରି ଗତ ବର୍ଷ ଅଗଷ୍ଟ ୧୦ତାରିଖରେ  ଦିଲ୍ଲୀରୁ ରୁଷିଆ ଅଭିମୁଖେ ଯାତ୍ରା କରିଥିଲେ। ୧୧ତାରିଖରେ ମାଉଣ୍ଟ ଏଲବ୍ରସ୍ ଅଭିମୁଖେ ବାହାରି ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ଦେଶ ବିଦେଶରୁ ପ୍ରାୟ୧୫ଜଣ ପର୍ବତାରୋହୀ ଥିଲେ। ଉକ୍ତ ବେସ କ୍ୟାମ୍ପରେ ଦିନବେଳା ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ଏବଂ ରାତିରେ ବିଯୁକ୍ତ ୫ରୁ ୬ ଡିଗ୍ରି ସେଲସିୟସ୍ ରହୁଥିଲା।  ବେସ୍‌ କ୍ୟାମ୍ପରୁ ଆରମ୍ଭ କରି ପର୍ବତ ଶିଖର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବରଫ ଚାଦରରେ ଆଚ୍ଛାଦିତ ଥିଲା । ପରିବେଶ ଓ ସ୍ଥିତିକୁ ଅନୁଧ୍ୟାନ କରି ଅଗଷ୍ଟ ୧୭ତାରିଖ ମଧ୍ୟରାତ୍ରୀରେ ସାଥୀ ପର୍ବତାରୋହୀ ଏବଂ ଗାଇଡ୍‌ଙ୍କ ସହ ମଧୁସ୍ମିତା ଏଲବ୍ରସ ଅଭିଯାନ ଆରମ୍ଭ କରିଥିଲେ।  ଚଢ଼ିବା ଆରମ୍ଭରୁ ହିଁ ତାଙ୍କୁ ଏକ ବରଫ ଝଡ଼ର ସାମ୍ନା କରିବାକୁ ପଡ଼ିଥିଲା।  ଶିଖରରେ ପହଞ୍ଚିବାକୁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା । ଦିନ ୧୧ଟା ୦୫ରେ ଏଲବ୍ରସ୍ ଶିଖରରେ ମଧୁସ୍ମିତା ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅଭିଯାନ ଶେଷ କରି ପୁଣି ଦକ୍ଷିଣ ଆମେରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଆକନକାଗୁଆ ଆରୋହଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ନିବେଦନ କରିଛନ୍ତି।
ମଧୁସ୍ମିତାଙ୍କ ଘର ବ୍ରହ୍ମପୁର ଗୋସାଇଁ ନୂଆଗାଁ ହୋଇଥିବା ବେଳେ ତାଙ୍କ ପୈତୃକ ଘର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମହସାୟୀପେଣ୍ଠ ଗ୍ରାମରେ ଏବଂ ତାଙ୍କ ବାପା ପ୍ରେମାନନ୍ଦ ପାତ୍ର ଜଣେ ପୂର୍ବତନ ବାୟୁସେନା ଅଧିକାରୀ। ମଧୁସ୍ମିତା ଉଚ୍ଚଶିକ୍ଷା ଲାଭ କରି ଏବେ ଚେନ୍ନାଇ ସ୍ଥିତ ଟିସିଏସ୍ କମ୍ପାନିରେ କମ୍ପ୍ୟୁଟର୍ ଇଂଜିନିୟର୍ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ପର୍ବତାରୋହଣ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ତେଣୁ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ହିମାଳୟ ପର୍ବତାରୋହଣ ସଂସ୍ଥା ‘ଏଚ୍ଏମ୍‌ଆଇ ଶିକ୍ଷାନୁଷ୍ଠାନରୁ ସେ ୨୦୨୨ରେ ପ୍ରଶିକ୍ଷଣ ଲାଭ କରିଥିଲେ। ଗତ ବର୍ଷ ଫେବ୍ରୁଆରି୧୩ ତାରିଖରେ ରେ ସେ ଆଫ୍ରିକାର ଉଚ୍ଚତମ ଶୃଙ୍ଗ କିଲମାଞ୍ଜାରୋ ସଫଳାର ସହ ଆରୋହଣ କରିଥିଲେ। ଏହାପୂର୍ବରୁ ସେ ମାଉଣ୍ଟ ରେନକ, ଚାଦର, କେଦାରକଣ୍ଟ ଆଦି ଚଢ଼ିସାରିଛନ୍ତି। ଏହି ବର୍ଷ ଡିସେମ୍ବରରେ ସେ ଦକ୍ଷିଣ ଆମେରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଆକୋନ୍‌କାଗୁଆ ଆରୋହଣ କରିବାକୁ ଲକ୍ଷ୍ୟ ରଖିଥିବା ନେଇ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀଜେନା ଝିଅଟିର ଦୃଢ଼ ମନୋବଳ ଦେଖି  ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ।

Comments are closed.