ଏସ୍‌ସିବିରେ କର୍କଟ ପୀଡ଼ିତଙ୍କୁ ମିଳୁନି କେମୋ !

କଟକ :ରକ୍ତ କର୍କଟ ରୋଗୀଙ୍କୁ ମିଳୁନି କେମୋ। ୪ ଦିନ ହେବ ରୋଗୀ କେମୋ ଅପେକ୍ଷାରେ ରହିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ (ଏସସିବି) ହେମାଟୋଲୋଜି ବିଭାଗରେ ଚିକିତ୍ସିତ ରୋଗୀ ଏଭଳି ଅଭିଯୋଗ ଆଣିଛନ୍ତି। କେମୋ ଥେରାପିର ନିର୍ଦିଷ୍ଟ ସମୟ ରହିଥାଏ। ହେଲେ ବିଭାଗରେ କେମୋ ନ ଥିବାରୁ ଠିକ୍‌ ସମୟରେ କେମୋ ନେଇ ପାରିନାହାନ୍ତି ରୋଗୀ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବଗିଡିବାର ଆଶଙ୍କା ଦେଖାଦେଇଛି। ରକ୍ତ କର୍କଟ ଏକ ଗୁରୁତର ସମସ୍ୟା। ତେବେ ଠିକ୍ ସମୟରେ ରୋଗ ନିରୂପଣ, ପରୀକ୍ଷା ନିରୀକ୍ଷା ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ଜଟିଳ ବ୍ୟାଧିର ସୁସ୍ଥ ହୋଇପାରିବ। ଏଥିପାଇଁ ଏସ୍‌ସିବି ହେମାଟୋଲୋଜି ବିଭାଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହ, ଅସ୍ଥିମଜ୍ଜା ପ୍ରତିରୋପଣ ଓ କେମୋ ଥେରାପି ଭଳି ଚିକିତ୍ସା ମାଗଣାରେ ଉପଲବ୍ଧ କରାଯାଉଛି। ପ୍ରତ୍ୟେକ ଦିନ ପ୍ରାୟ ୧୦୦ରୁ ୧୨୦ ଜଣ ରୋଗୀଙ୍କୁ କେମୋ ଦିଆଯାଉଥିବା ବିଭାଗ ପକ୍ଷରୁ ସୂଚନା ମଳିଛି। ହେଲେ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଠିକ୍‌ ଚିକିତ୍ସା ମିଳୁନି ବୋଲି ଅଭିଯୋଗ ହୋଇଛି। ପୂଜା ସମୟରେ କେମୋ ନ ଥିବା କହି ରୋଗୀଙ୍କୁ ଫେରାଇ ଦେଇଛନ୍ତି ଡାକ୍ତର। ଫଳରେ ଦୀର୍ଘ ୪ ଦିନ ହେବ ଅନେକ ରୋଗୀ ଅପେକ୍ଷା କରି ରହିଥିବା ଜଣାପଡ଼ିଛି। ଏନେଇ ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ। ଯେତିକି ଆମକୁ ଯୋଗାଇ ଦିଆଯାଉଛି ସେତିକି ଆମେ ରୋଗୀଙ୍କୁ ଦେଉଛୁ।

Comments are closed.