‘ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ୱାଧୀନତା ସଂଗ୍ରାମରେ ଏକ ନୂତନ ଆଲୋକ ଉନ୍ମେଷ କରିଥିଲା’ ‘ସମ୍ପୂର୍ଣ୍ଣକ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ’

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଓ ଶହୀଦ ବାଜିରାଉତ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ବାଜି ରାଉତ ମେମୋରିଆଲ୍‌ ଫାଉଣ୍ଡେସନ୍‌ର ମଳିତ ସହଯୋଗରେ ଆନୁକୂଲ୍ୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ପବିତ୍ର ଜୟନ୍ତୀ ଓ ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବି୍ରଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ବାଜିରାଉତ ସୃଷ୍ଟି କରିଥିଲା । ତାଙ୍କର ବଳିଦାନ ସମଗ୍ର ଦେଶର ଜନମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥିଲା ଏବଂ ତତ୍‌କାଳୀନ ରାଜନୈତିକ ସାମାଜିକ ପରିବେଶରେ ସଂଗ୍ରାମର ଏକ ନୂତନ ଆଲୋକ ଉନ୍ମେଷ ହୋଇଥିଲା । ଇଂରେଜ ସରକାରଙ୍କ ସହିତ ବନ୍ଧୁତା ସ୍ଥାପନ କରି ଗଡ଼ଜାତ ଅଞ୍ଚଳର ରାଜାମାନେ ଜନସାଧାରଣଙ୍କ ଉପରେ ଯେଉଁ ଅତ୍ୟାଚାର କରୁଥିଲେ ତାହା ବିରୋଧରେ ଆରମ୍ଭ ହୋଇଥିଲା ପ୍ରଜାମେଳି ଆନ୍ଦୋଳନ । ଗୋରା ସିପାହୀମାନଙ୍କୁ ବ୍ରାହ୍ମଣୀ ନଦୀ ପାର କରିବାକୁ ମନାକରି ପୋଲିସ ଗୁଳିରେ ଶହୀଦ ହୋଇଥିଲେ ବାଜିରାଉତ । ଭାରତ ଇତିହାସରେ ବାଜି ରାଉତ କନିଷ୍ଠତମ ଶହୀଦ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ ।

ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ଥିଲେ ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ଅନ୍ୟତମ ପ୍ରବକ୍ତା, ବିଚକ୍ଷଣ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାରବଦ୍ଧ ଜନନେତା । ତାଙ୍କର ଉଚ୍ଚ ଆଦର୍ଶ ଓ ବଳିଷ୍ଠ ନେତୃତ୍ୱ ଭାରତୀୟ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ଏକ ନିର୍ଭୀକ ତଥା ଭେଦଭାବ ବିହୀନ ସମାଜ ଗଠନ କରିବା ଥିଲା ତାଙ୍କର ସ୍ୱପ୍ନ । ସମ୍ପୂର୍ଣ୍ଣକ୍ରାନ୍ତିର ମହାନାୟକ ଥିଲେ ଜୟପ୍ରକାଶ । ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବିଧାନର ସୁରକ୍ଷା ପାଇଁ ତାଙ୍କ ଅବଦାନ ଚିରସ୍ମରଣୀୟ ରହିବ ।

କାମାକ୍ଷାନଗର ବିଧାୟକ ଶ୍ରତୃଘ୍ନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆଜିର ଯୁବପିଢ଼ି ବାଜିରାଉତଙ୍କ ବୀରତ୍ୱର ଗାଥା ବିଷୟରେ ଜାଣିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରନିର୍ମାଣରେ ଭାଗୀଦାର ହେବା ଆବଶ୍ୟକ । ଦେଶର ସ୍ୱାଧୀନତା ପାଇଁ ୧୨ ବର୍ଷର ବାଳକ ବୀରତ୍ୱର ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ତାହା ଓଡ଼ିଶା ଇତିହାସରେ ଚିରଜାଜ୍ଜୁଲ୍ୟମାନ ରହିବ । ସେହିପରି ସାଧାରଣ ଜନତା ହେଉଛନ୍ତି ଦେଶର ପ୍ରକୃତ ଭାଗ୍ୟ ବିଧାତା ବୋଲି ଲୋକନାୟକ ଜୟପ୍ରକାଶ ନାରାୟଣ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ସମାଜବାଦୀ ଆଦର୍ଶ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ । ସେ ଥିଲେ ସଚ୍ଚୋଟତାର ଏକ ନୂତନ ପରିଭାଷା । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ, ରାଜନୈତିକ ଆଦର୍ଶ ଏବଂ ଏକଛତ୍ରବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ଅମର ହୋଇ ରହିବେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍‌ର ଉପଦେଷ୍ଟା ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର କହିଲେ ଯେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ଥିଲେ ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ଅନ୍ୟତମ ପ୍ରବକ୍ତା, ବିଚକ୍ଷଣ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାରବଦ୍ଧ ଜନନେତା । ସେହିପରି ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଶାସକ ଅଶୋକ ଦାସ କହିଲେ ଯେ, ଜୟପ୍ରକାଶ ନାରାୟଣ ଅଧ୍ୟାପନା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ତାଙ୍କ ଆନ୍ତରିକ ପ୍ରଚେଷ୍ଟା ଫଳରେ ଚମ୍ବଲ ଉପତ୍ୟକତାର ଡକାୟତମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିଲେ । ଆଧୁନିକ ପୃଥିବୀର ଇତିହାସରେ ଏପରି ଘଟଣା ବିରଳ । ଜୟପ୍ରକାଶ ଚାହିଁଥିଲେ ସମାଜର ତିନି ସ୍ତରରେ ଯଥା ରାଜନୈତିକ, ଅମଲାତାନ୍ତ୍ରିକ ଓ ସାମାଜିକ ସ୍ତରରେ ଊର୍ଦ୍ଧ୍ୱରୁ ନିମ୍ନସ୍ତର ପର୍ଯ୍ୟନ୍ତ ଆମୂଳଚୂଳ ପରିବର୍ତ୍ତନ ହେଉ । ସେହିପରି ଶ୍ରୀ ଦାସ ଅମର ଶହୀଦ ବାଜିରାଉତଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ସର୍ବକନିଷ୍ଠ ଶହୀଦ ବୋଲି ମତ ଦେଇଥିଲେ । ତାଙ୍କ ବୀରତ୍ୱ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ମନରେ ପ୍ରେରଣା ଓ ଜାତୀୟତାର ଭାବ ଉଦ୍ରେକ କରିଥିଲା ବୋଲି ସେ ମତ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରି ଲୋକନାୟକ ଜୟପ୍ରକାଶଙ୍କୁ ଭେଦଭାବହୀନ ସମାଜ ଗଠନ ତଥା ଭୂଦାନ ଓ ଗ୍ରାମଦାନ କାର୍ଯ୍ୟରେ ଅଗ୍ରଦୂତ ଭାବେ ବର୍ଣ୍ଣନା କରିବା ସହିତ ଭାରତବର୍ଷରେ ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜିରାଉତଙ୍କ ବଳିଦାନ ଅତୁଳନୀୟ ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥିମାନେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜି ରାଉତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ଆଇଚ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Comments are closed.