ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ଆଜି ନିବେଶକ ସମ୍ମିଳନୀରେ ହେବେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ : ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଧିକରୁ ଅଧିକ ଶିଳ୍ପ କାରଖାନା ସ୍ଥାପନ କରିବା ସକାଶେ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବୁଧବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ନିବେଶକଙ୍କ ସହିତ ସେ ବ୍ୟକ୍ତିଗତଭାବେ ଆଲୋଚନା କରିବେ ବୋଲି ଜଣାପଡିଛି। ୨୦୨୫ ଜାନୁଆରୀ ୨୮ ଓ ୨୯ତାରିଖ ୨ଦିନ ଧରି ରାଜ୍ୟ ସରକାର ‘ଉତ୍କର୍ଷ ଓଡ଼ିଶା, ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫’ ଆୟୋଜନ ହେବ। ଏଥିପାଇଁ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଜି ହେବାକୁ ଥିବା ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିସନ, କନସୁଲ ଜେନେରାଲ, ଶିଳ୍ପପତିଙ୍କ ସହ ସେ ଆଲୋଚନା କରିବେ ବୋଲି ଦିଲ୍ଲୀ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନତମାମ ପୁଞ୍ଜିନିବେଶକାରୀଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମାଝୀ ବୁଧବାର ରାତିରେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ୨୦୨୫ ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ପ୍ରସ୍ତାବିତ ଉତ୍କର୍ଷ ଓଡ଼ିଶା ଏବଂ ମେକ ଇନ ଓଡ଼ିଶା କନକ୍ଲେଭକୁ ସଫଳ କରିବା ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ରହିଛି। ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପେଟ୍ରୋରସାୟନ, ଆଇଟି ଭଳି କ୍ଷେତ୍ରର ଅଗ୍ରଣୀ ନିବେଶକ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇ ଉଠିଛି। ଚାଣକ୍ୟପୁରୀସ୍ଥିତ ଓଡ଼ିଶା ଭବନକୁ ବିପଦସଙ୍କୁଳ ଘୋଷଣା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ମାଝୀ, ରାଜ୍ୟ ଶିଳ୍ପମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ସ୍ଥାନୀୟ ଅଶୋକା ହୋଟେଲ ଠାରେ ରହଣି କରିବେ। ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି। ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପ୍ରାଥମିକତାର ସହ ପୁଞ୍ଜିନିବେଶକାରୀଙ୍କ ସହିତ ସେ ଆଲୋଚନା କରିବେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀମାନେ ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାରେ ଶିଳ୍ପ କାରଖାନା ପ୍ରତିଷ୍ଠା କଲେ, ସେମାନଙ୍କ ପାଇଁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ସହଜ ଓ ସରଳୀକରଣ କରାଯାଇଛି। ଏ ସମ୍ପର୍କରେ ଶିଳ୍ପପତିଙ୍କୁ ଅବଗତ କରାଯିବ। ଓଡ଼ିଶାରେ ପୁଞ୍ଜି ନିବେଶ କଲେ ନିବେଶକ କିଭଳି ଲାଭବାନ ହେବେ ଓ କ’ଣ ସୁବିଧା ରାଜ୍ୟ ସରକାର ଯୋଗାଇ ଦେବେ ସେ ନେଇ ଅବଗତ କରାଯିବ। ପୂର୍ବ ତୁଳନାରେ ମେକ ଇନ ଓଡ଼ିଶା ଭଲ ହେବା ସହ ବଡ଼ ବଡ଼ ନିବେଶକ ଓଡିଶା ଆସିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି।

Comments are closed.