ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମରେ ବେଦ, ଉପନିଷଦ, ପୁରାଣ ସମେତ ସମସ୍ତ ଧାର୍ମିକ ଶାସ୍ତ୍ରରେ ଗୋ ମାତାଙ୍କୁ ଗୌରବାନ୍ବିତ କରାଯାଇଛି। ଗାଈକୁ ପଶୁ ନୁହେଁ ବରଂ ମାତାର ମାନ୍ୟତା ଦିଆଯାଇଛି। ଏହା ହେଉଛି ସନାତନ ଧର୍ମୀ ହିନ୍ଦୁମାନଙ୍କ ପବିତ୍ର ଭାବନା ଏବଂ ଆତ୍ମା ଏହି ଧାର୍ମିକ ଆସ୍ଥା ହେତୁ ସମ୍ବିଧାନ ଓ ନ୍ୟାୟରେ ଗାଈକୁ ରାଜ୍ୟସୂଚୀରୁ ହଟାଇ କେନ୍ଦ୍ରସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଗୋମାତାକୁ ରାଷ୍ଟ୍ରମାତାର ସମ୍ମାନ ଦେବାପାଇଁ ତଥା ଗୋ ହତ୍ୟା ମୁକ୍ତ ଭାରତ ପାଇଁ ଆସନ୍ତା ୨୨ ତାରିଖରୁ ଗୋ ପ୍ରତିଷ୍ଠା ଆନ୍ଦୋଳନ ଆରମ୍ଭ ହେଉଛି। ଏହି ଅବସରରେ ଗୋ ପତାକା ସ୍ଥାପନ ଭାରତ ଯାତ୍ରା ଆୟୋଜନ କରାଯାଉଛି, ଯାହା ଆସନ୍ତା ଅକ୍ଟୋବର ୬ରେ ଓଡ଼ିଶାରେ ପହଞ୍ଚିବ।
ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଜ୍ୟୋତି ମଠର ପ୍ରତିନିଧି ବ୍ରହ୍ମଚାରୀ ମୁକୁନ୍ଦାନନ୍ଦ ଜୀ କହିଲେ ଯେ, ପୂଜ୍ୟ ସ୍ୱାମୀଜୀ ଗୋହତ୍ୟା ବିରୁଦ୍ଧରେ ଧର୍ମକ୍ଷେତ୍ର ବୃନ୍ଦାବନରୁ ଦିଲ୍ଲୀ ଫର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଜନସାଧାରଣଙ୍କ ମନରେ ଗୋମାତା ପ୍ରତି ଶ୍ରଦ୍ଧା ସ୍ନେହ ଜାଗ୍ରତ ପାଇଁ କାର୍ଯ୍ୟ କରିଥିଲେ। ସ୍ଵାମିଜୀ ସମଗ୍ର ଦେଶରେ ସଚେତନାତା ସୃଷ୍ଟି କରିବା ପାଇଁ ଆସନ୍ତା ଅକ୍ଟୋବର ୬ ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପହଂଚିବେ। ରେଲଓ୍ବେ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଧର୍ମସଭାରେ ଆର୍ଶୀବଚନ ଦେବେ । ଏହି ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ସ୍ବାଗତ କମିଟି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଉପାଧ୍ୟକ୍ଷ ଭାବେ ପୂର୍ବତନ ଆଇଟି ଅରୁଣ କୁମାର ଉପାଧ୍ୟାୟ ଓ ଉପଦେଷ୍ଟା ଭାବେ ରୋଟାରିଆନ୍ ଅଜୟ ଅଗ୍ରୱାଲ ଓ ମିଡିଆ ସଂଯୋଜକ ଭାବେ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ରହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜ୍ୟୋତିପୀଠ ତରଫରୁ ମିଡିଆ ସଂଯୋଜକ ଶୈଳେନ୍ଦ୍ର ଯୋଗୀରାଜ ସରକାର ଉପସ୍ଥିତ ଥିଲେ।



