ସାମାଜିକ ବ୍ୟବସ୍ଥା ଉପରେ ଆକ୍ରମଣ

0

ଅରୁଣ କୁମାର ପଣ୍ଡା

prayash

ବର୍ଷବର୍ଷ ଧରି ବିଭିନ୍ନ ପରୀକ୍ଷାନିରୀକ୍ଷା, ଉଠାପକା, ଦ୍ବନ୍ଦ, ସଂଘର୍ଷ, ତର୍କବିତର୍କ, ବାଦବିବାଦ ଦ୍ବାରା ଆମର ସାମାଜିକ ବ୍ୟବସ୍ଥାରେ ପରିମାର୍ଜିତ ତଥା ଶାଣିତ ହୋଇ ଅନ୍ତର୍ଭୁକ୍ତ ହୋଇଥିବା ଭାରତୀୟ ସଂସ୍କୃତି, ପରମ୍ପରାକୁ ଆଧାର କରି ଭାରତୀୟ ସଭ୍ୟତା ବିଶ୍ବ ପୃଷ୍ଠଭୂମିରେ ଏକ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ପ୍ରତିଷ୍ଠା କରିବାରେ ସମର୍ଥ ହୋଇଛି। ଆମର ସମାଜ ସଂରଚନାର ମୂଳ ସିଦ୍ଧାନ୍ତ ନୈତିକତା ଉପରେ ପ୍ରତିଷ୍ଠିତ। ନୀତି ଓ ଆଦର୍ଶ ପରିପନ୍ଥୀ କୌଣସି କାର୍ଯ୍ୟକୁ ଆମେ ଅନୈତିକ କହି ତା’ର ଦୃଢ଼ବିରୋଧ କରି ଆସିଛୁ। ଆଦିକାଳରୁ ଭାରତର ମୁନିଋଷି, ମନ୍ତ୍ରଦ୍ରଷ୍ଟା, ବିଦ୍ବାନ, କର୍ମଯୋଗୀ, ସମାଜସଂସ୍କାରକ, ମାନବବାଦୀ ସାମାଜିକ କର୍ମୀ ଏବଂ ରାଷ୍ଟ୍ରନାୟକମାନେ ନୈତିକତାର ମୂଳଭିତ୍ତି ଉପରେ ଏହି ମହାନ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ସହିତ ଆମ ଅନନ୍ୟନୀତି ଓ ଆଦର୍ଶକୁ ଅକ୍ଷୁଣ୍ଣ ରଖିବାପାଇଁ ସତତ ପ୍ରୟାସ କରିଆସିଛନ୍ତି।
କ’ଣ ଏଭଳି ନ ହୋଇପାରେ କି ଜଣେ ବ୍ୟକ୍ତିର ଆଚରଣ ଆଇନର ପରିସୀମା ଭିତରେ ଆସୁଛି, କିନ୍ତୁ ନୈତିକତାର ପରିସୀମା ଭିତରେ ନୁହେଁ। କହିବାର ତାତ୍ପର୍ଯ୍ୟ ହେଲା ଯେ ନିକଟ ଅତୀତରେ ସୁପ୍ରିମକୋର୍ଟଙ୍କ କିଛି ଆଦେଶ ଏଭଳି ଚିନ୍ତା କରିବାପାଇଁ ବିବଶ କରିଛି। ଅନ୍ୟ ସ୍ତ୍ରୀ ବା ପୁରୁଷ ସହିତ ଅବାଧ ଓ ମୁକ୍ତ ସମ୍ପର୍କ ଯାହାକୁ ଏ ପର୍ଯ୍ୟନ୍ତ ଅନୈତିକ ଏବଂ ବ୍ୟଭିଚାର ବୋଲି ବିଚାର କରାଯାଉଥିଲା ତଥା ଧାରା ୪୯୭ରେ ସେଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା ଥିଲା, ତାହାକୁ ସର୍ବୋଚ୍ଚ ଅଦାଲତ ଏକପ୍ରକାର ଉଚ୍ଛେଦ କରିଦେଇଛନ୍ତି। ଅଦାଲତଙ୍କ ରାୟ ଅନୁସାରେ ବ୍ୟଭିଚାର ଏବେ ଅପରାଧ ନୁହେଁ।
ପରସ୍ତ୍ରୀଗମନ ଯାହାକୁ ଆମ ସମାଜ ସର୍ବଦା ବ୍ୟଭିଚାରର ନାଁ ଦେଇ ଆସିଥିଲା, ଯାହାକୁ ଦୁରାଚାର, ଚରିତ୍ରହୀନତା, ଦୁଷ୍ଟଆଚରଣ ଓ ଅନୈତିକ ବୋଲି କହିଆସିଥିଲା ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟପରେ ଆଉ ଏହା ବେଆଇନ ନୁହେଁ। କାହିଁକିନା ନ୍ୟାୟାଳୟଙ୍କ ମତରେ ସ୍ତ୍ରୀ ସ୍ବାମୀର ସମ୍ପତ୍ତି ନୁହେଁ। ବିବାହ ପରେ ମହିଳାଙ୍କ ଯୌନପସନ୍ଦକୁ ରୋକାଯାଇପାରିବ ନାହିଁ। ଏ ଦୃଷ୍ଟିରୁ ଏ ପ୍ରକାର ଯୌନାଚାରକୁ ଦଣ୍ଡିତ କରିବାପାଇଁ ଆଇନର ୪୯୭ ଧାରାରେ ଯେଉଁ ବ୍ୟବସ୍ଥା ରହିଛି ତାହା ସମ୍ପୂର୍ଣ୍ଣ ଭାବେ ଆସାମ୍ବିଧାନିକ। ତେଣୁ ୧୫୦ ବର୍ଷ ପୁରୁଣା ଔପନିବେଶିକ କାନୁନ୍‌ର କୌଣସି ଆବଶ୍ୟକତା ନାହିଁ।
ସୁପ୍ରିମ କୋର୍ଟଙ୍କ ଏହି ନିର୍ଣ୍ଣୟ ଅନୁସାରେ ବିବାହନାମକ ସମ୍ପର୍କ ବାହାରେ ଦୁଇଜଣ ବୟସ୍କଙ୍କ ସମ୍ମତିରେ ସମ୍ବନ୍ଧ ଏବେ ଅପରାଧ ନୁହେଁ, କିନ୍ତୁ ଛାଡ଼ପତ୍ର ବା ତଲାକର ଆଧାର ଏବେ ବି ରହିଛି। ଆଧୁନିକତାର ପରିପ୍ରେକ୍ଷୀରେ ଅଦାଲତ ଦ୍ବାରା ଦିଆଯାଇଥିବା ଏହି ଆଦେଶ ଭାରତ ପରି ଏକ ରକ୍ଷଣଶୀଳ ଦେଶରେ ଅତି ବିଚିତ୍ର ସ୍ଥିତି ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ପାଶ୍ଚାତ୍ୟ ସଭ୍ୟତା ପରି ଭାରତରେ ବିବାହ ଜୀବନରେ ଘଟିତ ହେଉଥିବା ଏକ ଘଟଣାମାତ୍ର ନୁହେଁ; ଏହା ସ୍ତ୍ରୀ ଓ ପୁରୁଷ ମଧ୍ୟରେ ନିଜନିଜର ଶାରୀରିକ ଆବଶ୍ୟକତା ପୂରଣର କେବଳ ସାଧନ ମାତ୍ର ନୁହେଁ। ସନାତନ ପରମ୍ପରା ଅନୁସାରେ ବିବାହ ଏକ ପବିତ୍ର ବନ୍ଧନରେ ସଂସ୍କାର। ଜୀବନର ଚାରିଟି ପୁରୁଷାର୍ଥକୁ ହାସଲ କରିବା ପାଇଁଁ ଏହା ଏକ ଆଧ୍ୟାତ୍ମିକ ସାଧନା, ଯାହାକୁ ପତିପତ୍ନୀ ଏକାଠି ହୋଇ ପାଳନ କରନ୍ତି। ଜୀବନରେ ଚାରିଟି ଆଶ୍ରମ- ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ଏଗୁଡ଼ିକ ମଧ୍ୟରୁ ମହତ୍ତ୍ବପୂର୍ଣ୍ଣ ଆଶ୍ରମ ​‌େହଉଛି ଗୃହସ୍ଥ। ଅନ୍ୟ ତିନିଟି ଆଶ୍ରମର ସାଧକଙ୍କ ପ୍ରତି ନିଜର କର୍ତ୍ତବ୍ୟ ନିର୍ବାହ ପାଇଁ ଗୃହସ୍ଥଙ୍କୁ ସୁଯୋଗ ମିଳିଥାଏ ଏବଂ ସନ୍ତାନ ଉତ୍ପତ୍ତି ଦ୍ବାରା ନୂତନ ପିଢ଼ି ନିର୍ମାଣ ସହିିତ ପିତୃଋଣ ପରିଶୋଧ କରିବା। ଧର୍ମ, ଅର୍ଥ, କାମ, ମୋକ୍ଷ ହେଉଛି ଆମର ଚତୁଃବିଧ ପୁରୁଷାର୍ଥ। ଏଠାରେ ଧର୍ମର ଅର୍ଥ ହେଉଛି ‘ଧାରଣ’ କରିବା (ଧାରଣାତ୍‌ ଧର୍ମଃ ମିତ୍ୟାହୁ); ଅର୍ଥାତ୍‌ ଧାରଣ କରିବା ଯୋଗ୍ୟ ଆଚରଣ ବା ବ୍ୟବହାର। ଧର୍ମ ହେଉଛି ଏହି ସବୁ ପୁରୁଷାର୍ଥର ମୂଳ ଆଧାର। ତେଣୁ ମୋକ୍ଷପ୍ରାପ୍ତି ପାଇଁ ସବୁକ୍ଷେତ୍ରରେ ଧର୍ମାଚରଣ ବା କର୍ତ୍ତବ୍ୟପାଳନ ସର୍ବୋପରି। ଅର୍ଥ ଏବଂ କାମ ମଧ୍ୟ ଧର୍ମଯୁକ୍ତ ହେବା ଆବଶ୍ୟକ। ବିବାହ ଏଭଳି ଏକ ବନ୍ଧନ ଯାହାର ଅଭିପ୍ରାୟ ହେଲା ସ୍ବାମୀ-ସ୍ତ୍ରୀ ମିଳିତ ଭାବରେ ସୃଷ୍ଟି ପ୍ରତି ଥିବା ନିଜର ବିଶେଷ ଦାୟିତ୍ବ ଧର୍ମଯୁକ୍ତ ମାର୍ଗରେ ନିର୍ବାହ କରିବା। ସନ୍ତାନ ଉତ୍ପତ୍ତି ତନ୍ମଧ୍ୟରୁ ଅନ୍ୟତମ; କାମବାସନା ଗୌଣ।
ଦୁଇଜଣ ବୟସ୍କ ସମ୍ମତିରେ ବିବାହ ପରି ପବିତ୍ର ବନ୍ଧନ ପ୍ରତି ଥିବା ନିଜ କର୍ତ୍ତବ୍ୟକୁ ଗୌଣ କରି କାମବାସନା ଚରିତାର୍ଥ କରିବାପାଇଁ ଏକାଠି ହେବାଭଳି ଅନୈତିକତାକୁ କୌଣସି ସଭ୍ୟ ରାଷ୍ଟ୍ର ଗ୍ରହଣ କରିନାହିଁ। କୋର୍ଟଙ୍କ ଦୃଷ୍ଟିରେ ଏହା ଅବୈଧ ହୋଇନପାରେ କିମ୍ବା ଆଇନସମ୍ମତ ହୋଇପାରେ, ପରନ୍ତୁ ଭାରତପରି ସଭ୍ୟରାଷ୍ଟ୍ରର ସଂଖ୍ୟାଧିକ ବ୍ୟକ୍ତି ଏନେଇ ଭ୍ରୂକୁଞ୍ଚନ କରୁଛନ୍ତି। ଏଭଳି ଅନୈତିକ ଆଚରଣକୁ ଆମ ଦେଶରେ ଅପରାଧ କୁହାଯାଇଛି ଏବଂ ଏଥିପାଇଁ ଦଣ୍ଡ ଓ ପ୍ରାୟଶ୍ଚିତ୍ତ ଆଦିର ବ୍ୟବସ୍ଥା ରହିଛି। ଆମର ପୁରାଣ କଥା ଅନୁସାରେ ନିଜର ଅନୈତିକ ଆଚରଣ ପାଇଁ ଦେବରାଜ ଇନ୍ଦ୍ରଙ୍କୁ ଗୌତମ ଋଷିଙ୍କଦ୍ବାରା ଶାପଗ୍ରସ୍ତ ହେବାକୁ ପଡ଼ିଥିଲା। ଭଗବାନ ବିଷ୍ଣୁଙ୍କୁ ପଥର ହେବାକୁ ପଡ଼ିଥିଲା ଏବଂ ଜଗତର ସୃଷ୍ଟିକର୍ତ୍ତା ହେବା ସତ୍ତ୍ବେ ଏହି ଅପରାଧ ପାଇଁ ବ୍ରହ୍ମାଙ୍କ ପୂଜାକୁ ନିଷେଧ କରାଯାଇଛି। ଏହି କଥାଗୁଡ଼ିକର ସ୍ପଷ୍ଟ ନିର୍ଦେଶ ହେଲା ଯେ ସର୍ବଶକ୍ତିମାନ ମଧ୍ୟ କିଛି ନିୟମ ଭିତରେ ବନ୍ଧା ଏବଂ ନୈତିକତାର ପାଳନ ତାଙ୍କୁ ବି କରିବାକୁ ହେବ, ନଚେତ ସେ ମଧ୍ୟ ଦଣ୍ଡ ପାଇବା ନିଶ୍ଚିତ। ୧୭୦୭ରେ ବ୍ରିଟେନର ପ୍ରଧାନ ନ୍ୟାୟାଧୀଶ ଜନ୍‌ ହାଲ୍‌ଟ ବ୍ୟଭିଚାରକୁ ହତ୍ୟାପରେ ସବୁଠୁ ବଡ଼ ଅପରାଧ ବୋଲି କହିଥିଲେ।
ପୁରୁଷ ହେଉ ବା ସ୍ତ୍ରୀ, ପରକୀୟା ପ୍ରୀତିରେ ଯେଉଁମାନେ ସମ୍ପୃକ୍ତ ସେମାନେ ଅପରାଧୀ, କାରଣ ଏ ଅପରାଧର ପ୍ରଭାବରେ କେବଳ ଦୁଇ ବ୍ୟକ୍ତିଙ୍କର ଜୀବନ ନୁହେଁ, ସମଗ୍ର ପରିବାର ତଥା ଜ୍ଞାତିପରିଜନଙ୍କ ସ୍ଥାୟିତ୍ବ, ସମ୍ମାନ ସଂକଟଗ୍ରସ୍ତ ହୋଇଥାଏ। ଏହାର ସବୁଠାରୁ ଅଧିକ ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ। ସେହିଭଳି ସମଲିଙ୍ଗୀ ସମ୍ପର୍କ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ନିର୍ଣ୍ଣୟ ମଧ୍ୟ ସଂଖ୍ୟାଧିକ ଭାରତୀୟଙ୍କୁ ପସନ୍ଦ ଆସୁନାହିଁ। ସଚେତନ ନାଗରିକ ଏବଂ ଗଣ ଏହି ନିଷ୍ପତ୍ତିର ଜୋର୍‌ଦାର ବିରୋଧ କରିଛନ୍ତି। ସାମ୍ବିଧାନିକ ଅଧିକାର ଏବଂ ସଭିଙ୍କୁ ସମାନ ନ୍ୟାୟର ଆଳ ଦେଖାଇ ଆମ ଦେଶରେ ପାଶ୍ଚାତ୍ୟ ସଂସ୍କୃତିକୁ ଲଦି ଦିଆଯାଇଛି ଏବଂ ଭାରତୀୟ ଅସ୍ମିତା ଉପରେ କୁଠାରାଘାତ କରାଯାଉଛି ବୋଲି କେତେକ ଧର୍ମାଚାର୍ଯ୍ୟଙ୍କ ସମେତ ଦେଶର ବହୁ ବୁଦ୍ଧିଜୀବୀ କହିଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା-୩୭୭ ଅନୁସା​‌େ​‌ର ଯଦି କୌଣସି ବ୍ୟକ୍ତି ଅପ୍ରାକୃତିକ ରୂପରେ ଯୌନସମ୍ବନ୍ଧ ସ୍ଥାପନ କରେ ତାକୁ ଆଜୀବନ କାରାଦଣ୍ଡ କିମ୍ବା ଜୋରିମାନା ସହିତ ଦର୍ଶବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦିଆଯାଇପାରିବ। ପରନ୍ତୁ ସୁପ୍ରିମ କୋର୍ଟଙ୍କ ଏହି ଆଦେଶପରେ ଧାରା-୩୭୭ ଏକପ୍ରକାର ଅକାମୀ ହୋଇଯାଇଛି। ଏହି ଧାରା ୧୫୦ ବର୍ଷ ପୁରୁଣା ଏବଂ ଏହି ଧାରାକୁ ଉଚ୍ଛେଦ କରିବାପାଇଁ ସର୍ବୋଚ୍ଚ ଅଦାଲତରେ ଅଲଗାଅଲଗା ଯାଚିକା ଦାଏର କରାଯାଇଥିଲା। ୨୦୦୯ରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟଙ୍କ ଧାରା-୩୭୭କୁ ଅପରାଧ ସୀମା ଭିତରୁ ହଟେଇ ଦେଲେ। ପରନ୍ତୁ ୨୦୧୩ରେ ସର୍ବୋଚ୍ଚ ନ୍ୟାୟାଳୟ ୩୭୭କୁ ପୁଣିଥରେ ଅପରାଧ ବୋଲି ଘୋଷଣା କଲେ। ୨୦୧୬ରୁ ଏପର୍ଯ୍ୟନ୍ତ ୩୭୭ ଧାରା ବିରୋଧରେ ସମୁଦାୟ ୩୦ରୁ ଅଧିକ ପିଟିସନ ଦାଏର ହୋଇଥିଲା। ୨୦୧୭ରେ ସୁପ୍ରିମକୋର୍ଟ ଯୌନାଚାରକୁ ନିଜସ୍ବ ଅଧିକାର ବୋଲି ଘୋଷଣା କଲେ ଏବଂ ୨୦୧୮ରେ ନ୍ୟାୟାଳୟ ଏହାକୁ ଅପରାଧ ପରିସୀମାରୁ ମୁକ୍ତ କଲେ।
ବିଶେଷ ପ୍ରଣିଧାନଯୋଗ୍ୟ ଯେ ୨୦୧୭ ଡିସେମ୍ବର ୧୧ରେ ସୁରେଶ କୁମାର କୌଶଳ ବନାମ ନାଜ ଫାଉଣ୍ଡେସନ ମାମଲାରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ନିର୍ଣ୍ଣୟକୁ ଖାରଜକରି ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଘୋଷଣା କରିଥିଲେ। ୨୦୦୯, ଜୁଲାଇ ୨ରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଧାରା-୩୭୭କୁ ଅସାମ୍ବିଧାନିକ ଘୋଷଣା କରି ଏହାର ପୁନଃବିଚାର ଯାଚିକାକୁ ଖାରଜ କରିଦେଇଥିଲେ। ଏବେ ପାଞ୍ଚବର୍ଷପରେ ସର୍ବୋଚ୍ଚ ଅଦାଲତ ପାଞ୍ଚଜଣ ଦାଏର କରିଥିବା ଯାଚିକାର ବିଚାର କରି ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଖଣ୍ଡପୀଠ ୧୦ଜୁଲାଇ ୨୦୧୮ରେ ଶୁଣାଣି ଆରମ୍ଭ କରି ୪ଦିନ ପର୍ଯ୍ୟନ୍ତ ଚାଲୁ ରଖିବାପରେ ରାୟ ସୁରକ୍ଷିତ ରଖିଥିଲେ। ଆମେରିକା, ୟୁରୋପ ସମେତ ଦୁନିଆର ଅନେକ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ନ୍ୟାୟିକ ମାନ୍ୟତା ମିଳିସାରିଛି ଏବଂ କେତେକ ଦେଶ ସମଲିଙ୍ଗୀ ବିବାହକୁ ମଧ୍ୟ ବୈଧାନିକ ସ୍ବୀକୃତି ଦେଇସାରିଛନ୍ତି ବୋଲି ମନ୍ତବ୍ୟ ଦେଇ ପିଟିସନରମାନେ ଏହି ସମ୍ବନ୍ଧକୁ ପ୍ରାକୃତିକ କହି ଏହାକୁ ଆଇନସିଦ୍ଧ କରିବାପାଇଁ ଦାବି କରିଥିଲେ।
ପ୍ରକୃତି ଅନାଦିଅନନ୍ତ କାଳରୁ ନିଶ୍ଚିତ ନିୟମଗୁଡ଼ିକ ଭିତରେ ଅନୁଶାସିତ ହୋଇ ଚଳିଆସୁଛି। ସେହିପରି ନିୟମ ଓ ଲକ୍ଷ୍ମଣରେଖାକୁ ଲଙ୍ଘିବାର ସାହସ ଏ ସଭ୍ୟତାପାଇଁ ଅନୁକୂଳ ନୁହେଁ।

kalyan agarbati
Leave A Reply