ବିରାଟଙ୍କ କ୍ରିକେଟ ଯାତ୍ରା…

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ବିରାଟ କୋହଲି। ରେକର୍ଡ ବ୍ରେକର ଭାବେ ପରିଚିତ କୋହଲି ପଡ଼ିଆରେ ସର୍ବଦା ସକ୍ରିୟ ଭୂମିକା ଗ୍ରହଣ କରିଥାଆନ୍ତି। ଏକାଧିକ ରେକର୍ଡର ଅଧିକାରୀ ବିରାଟ ଅଗଷ୍ଟ ୧୮ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି।

୨୦୦୮ ମସିହା ଅଗଷ୍ଟ ୧୮ରେ କୋହଲି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ଖେଳି ୧୯ ବର୍ଷ ବୟସରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ବର୍ଷ ସେ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳର ନେତୃତ୍ଵ ନେଇ ଭାରତକୁ ବିଶ୍ଵକପ୍‌ ବିଜୟୀ କରିବାରେ ବଡ଼ ଭୂମିକା ନିର୍ବାହ କରିଥିଲେ। ଏହି ସଫଳତା ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ଦେବାକୁ ବେଶ୍‌ ସହାୟକ ହୋଇଥିଲା। ପ୍ରଥମ ଦିନିକିଆରେ ସେ ମାତ୍ର ୧୨ ରନ୍‌ କରିଥିଲେ। ଯଦିଓ ଆରମ୍ଭରୁ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ, ପରବର୍ତ୍ତୀ ସମୟରେ ତାଙ୍କର ଚମତ୍କାର ପ୍ରଦର୍ଶନ କ୍ରିକେଟପ୍ରେମୀଙ୍କ ମନରେ ଅଲିଭା ଛାପ ସୃଷ୍ଟି କରିଛି। ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେ ତାଙ୍କ ଫିଟ୍‌ନେସ ଏବଂ ନିରବଚ୍ଛିନ୍ନ ଭାବେ ଉତ୍ତମ ପ୍ରଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି।

ବିଶ୍ଵର କମ୍‌ ଇନିଂସରେ ସର୍ବାଧିକ ରନ୍‌ ସଂଗ୍ରହ କରିବା ରେକର୍ଡ ମଧ୍ୟ କୋହଲିଙ୍କ ନାମରେ ରହିଛି। ଦିନିକିଆର ଦ୍ରୁତତମ ୮ ହଜାର, ୯ ହଜାର, ୧୦ ହଜାର, ୧୧ ହଜାର ଏବଂ ୧୨ ହଜାର ରନ୍‌ ସଂଗ୍ରହ କରିବାରେ କୋହଲି ପ୍ରଥମ ଭାରତୀୟ।

ସେହିପରି ୨୦୧୦ରେ ଅନ୍ତର୍ଜାତୀୟ ଟି-୨୦ରେ ସେ ପଦାର୍ପଣ କରିଥିଲେ। ଜିମ୍ବାଓ୍ବେ ବିରୋଧରେ ସେ ପ୍ରଥମ ଟି-୨୦ ଖେଳିଥିଲେ। ଏହାବ୍ୟତୀତ ସେ ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ଅଧିନାୟକ ଭାବେ ଦାୟିତ୍ଵ ନିର୍ବାହ କରିଛନ୍ତି। ଟେଷ୍ଟ କ୍ରିକେଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କୋହଲି ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ସେ ସର୍ବାଧିକ ୭ଟି ଦ୍ଵିଶତକ ହାସଲ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ନାମରେ ୮୦ଟି ଶତକ ରହିଛି। ସଚିନ ତେନ୍ଦୁଲକର ୧୦୦ ଶତକ ସହିତ ପ୍ରଥମ ସ୍ଥାନରେ ଥିବାବେଳେ କୋହଲି ୨ୟ ସ୍ଥାନରେ ରହିଛନ୍ତି। ତେବେ ଦିନିକିଆରେ ୫୦ ଶତକ ହାସଲ କରିବାରେ କୋହଲ ହେଉଛନ୍ତି ବିଶ୍ଵର ପ୍ରଥମ ଖେଳାଳି।

Comments are closed.