ବିଶ୍ଵ ଐତିହ୍ୟ ମାନ୍ୟତାରୁ ବଞ୍ଚିତ ଭିତରକନିକା
୧୫ ବର୍ଷ ପୂର୍ବେ ହୋଇଥିଲା ପ୍ରୟାସ
ଭୁବନେଶ୍ୱର: ବଉଳା କୁମ୍ଭୀର, ଅଲିଭ୍ ରିଡଲେ କଇଁଛ ଏବଂ ଜାତିଜାତିକା ବିହଙ୍ଗଙ୍କ ଆବାସସ୍ଥଳୀ ପାଇଁ ଖ୍ୟାତି ଅର୍ଜନ କରିଛି ଭିତରକନିକା ଜାତୀୟ ଉଦ୍ୟାନ । କିନ୍ତୁ ଏହି ଉଦ୍ୟାନକୁ ବିଶ୍ଵ ଐତିହ୍ୟସ୍ଥଳୀ (ୱାଲ୍ଡ ହେରିଟେଜ ସାଇଟ) ମାନ୍ୟତା ପାଇଁ ବନବିଭାଗର ତତ୍ପରତା କାଗଜ କଲମରେ ସୀମିତ ରହିଛି। ୨୦୦୯ ରୁ ରାଜ୍ୟ ସରକାର ଏହି ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ୨୦୧୬ରେ (ଆଇୟୁସିଏନ୍) ର ପ୍ରତିନିଧ ଦଳ ଭିତରକନିକା ସର୍ବେକ୍ଷଣ କରିଥିଲେ। ପ୍ରତିନିଧି ଦଳଙ୍କ ସୁପାରିସ ଆଧାରରେ ମାନ୍ୟତା ମିଳିଥାନ୍ତା, ହେଲେ ୟୁନେସ୍କୋ ସର୍ବେକ୍ଷଣକୁ ଇତିମଧ୍ଯରେ ୯ ବର୍ଷ ବିତିଲାଣି। ମାତ୍ର ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ବନ ବିଭାଗର ଉଦାସୀନତାକୁ ପରିବେଶବିତ୍ ନାପସନ୍ଦ କରିଛନ୍ତି।
ମହାନଦୀ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ତ୍ରିକୋଣଭୂମିରେ ରହିଛି ଭିତରକନିକାର ପ୍ରାକୃତିକ ପରିବେଶ। ବଉଳା କୁମ୍ଭୀର, ୫ ପ୍ରଜାତିର ଡଲଫିନ୍, ବିରଳ ଅଲିଭ ରିଡଲେ କଇଁଛ, ୬୩ ପ୍ରକାରର ଲୁଣା ଜଙ୍ଗଲ ଏବଂ ୧୬୬ ପ୍ରକାରର ପକ୍ଷୀଙ୍କର ଏହା ପ୍ରାକୃତିକ ଆବାସସ୍ଥଳ। ଏଠାରେ ଥିବା ‘ବଗଗହଣ’ ଭିତରକନିକାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି । ଧଳା କୁମ୍ଭୀର ଗୋରୀ ଓ ମ୍ୟୁଜିୟମ୍ (ଇଣ୍ଟରପ୍ରିଟେସନ୍ ସେଣ୍ଟର୍) ଏକକୁଳା, ହବାଲିଖଟି, କାଳିଭଞ୍ଜଡ଼ିଆଁ ଦ୍ବୀପ, ଗହୀରମଥା ଭଳି ସମୁଦ୍ରକୂଳର ପ୍ରାକୃତିକ ପରିବେଶ ବିଶ୍ଵରେ ବିରଳ। ୪ ଅକ୍ଟୋବର ୧୯୬୧ ମସିହାରେ ଭିତର କନିକାକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରିଥିଲେ ରାଜ୍ୟ ସରକାର । ୧୯୭୫ ଅକ୍ଟୋବର ୨୨ରେ ଭିତରକନିକାର ୬୭୨ ବର୍ଗ କି.ମି. ଅଞ୍ଚଳ ଅଭୟାରଣ୍ୟ, ୧୯୮୮ରେ ଜାତୀୟ ଉଦ୍ୟାନ, ୧୯୯୭ରେ ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ମାନ୍ୟତା ମିଳିଛି। ଏଥିସହ ୨୦୦୨ରେ ଭିତର କନିକାକୁ ଅନ୍ତର୍ଜାତୀୟ ‘ରାମସର୍ ସାଇଟ୍’ର ମାନ୍ୟତା ମିଳିଛି। ୨୦୧୬ରେ ଆସିଥିବା ସର୍ବେକ୍ଷଣ ଦଳ ଭିତର କନିକାର ଜୈବ ବିବିଧତା ସଂରକ୍ଷଣ ଓ ସୁରକ୍ଷା, ଲୁଣା ଜଙ୍ଗଲ, ସେଗୁଡ଼ିକୁ ସାମୁଦ୍ରିକ ଝଡ଼ରୁ ରକ୍ଷା କରିବାର ବ୍ୟବସ୍ଥା, ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟ, ଦେଶ ଓ ବିଶ୍ୱ ପ୍ରତି ଭିତରକନିକାର ଅବଦାନ ସମ୍ପର୍କରେ ତର୍ଜମା ଓ ଅନୁଧ୍ୟାନ କରିଥିଲେ।
କାଳିଭଞ୍ଜଡ଼ିଆଁ ଦ୍ବୀପ ଓ ଭିତରକନିକାର ଜୈବ ବିବିଧତାକୁ ପରଖୁଥିଲେ। ତେବେ ଭିତରକନିକାକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ପୁଣି ପ୍ରସ୍ତୁତି ଆରମ୍ଭ ହୋଇଥିବା ରାଜନଗର ଡିଏଫ୍ଓ ଯାଦବ ସୁଦର୍ଶନ ଗୋପୀନାଥ କହିଛନ୍ତି। ପୂର୍ବ ବିଶେଷଜ୍ଞ ରିପୋର୍ଟରେ ଥିବା ତ୍ରୁଟି ସୁଧାରିବାକୁ ଉଦ୍ୟମ ହୋଇଛି। ଆଇୟୁସିଏନ୍ର ସଦସ୍ୟ ଡ. ସୁଧାକର କର କହିଛନ୍ତି ଯେ, ଭିତରକନିକା ବିଶ୍ୱ ଐତିହ୍ୟ ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ରଖୁଛି। ହେଲେ ୱାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ସଠିକ୍ ତଦାରଖ କରାଯାଇନାହିଁ । ଏହି ମାନ୍ୟତା ମିଳିଲେ, ବିଶ୍ଵ ସଙ୍ଗଠନ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଅନୁଦାନ ମିଳିଥାନ୍ତା। ଆଶା ରହିଛି, ସରକାର ଏଦିଗରେ ପ୍ରଯତ୍ନଶୀଳ ହେବେ। ପ୍ରକାଶଥାଉକି, ୧୯୮୪ରେ କୋଣାର୍କ ମନ୍ଦିରକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ମିଳିଥିଲା । ଦୀର୍ଘ ୨୨ ବର୍ଷ ପରେ ୨୦୦୬ରେ ଭିତର କନିକାକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ଏକ ‘ଡକୁମେଣ୍ଟାରୀ’ ପ୍ରସ୍ତାବ ୟୁନେସ୍କୋକୁ ପଠାଇଥିଲେ ।
Comments are closed.