‘ସମାଜରେ ପରିବର୍ତ୍ତନ ଆଣିବାରେ ସ୍ରଷ୍ଟାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ’
‘ଗଳ୍ପ ସମ୍ପଦ’ ଓ ‘ସୋରଶ୍ରୀ’ର ଲୋକାର୍ପଣ ଉତ୍ସବ
ସୋର: ଆଗାମୀ ପିଢ଼ିଙ୍କ ପାଇଁ ସ୍ରଷ୍ଟାମାନେ ଅଧିକରୁ ଅଧିକ ଉପାଦେୟ ରଚନା ସୃଷ୍ଟି କରନ୍ତୁ। ସେମାନଙ୍କ ସୃଷ୍ଟି ସମାଜର ଶ୍ରୀବୃଦ୍ଧି ସହିତ ଏକ ନୂତନ ଦିଗ ଉନ୍ମୋଚନ କରିବ ବୋଲି ଅତିଥିମାନେ ମତ ପୋଷଣ କରିଛନ୍ତି।
ଗାଳ୍ପିକ ସୁରେନ୍ଦ୍ରନାଥ ବାରିକଙ୍କ ପଞ୍ଚମ ଗଳ୍ପଗୁଚ୍ଛ ‘ଗଳ୍ପ ସମ୍ପଦ’ ଓ ନୂଆ କରି ଆତ୍ମପ୍ରକାଶ କରିଥିବା ସାହିତ୍ୟ-ସଂସ୍କୃତି ଓ ସଂପ୍ରୀତିର ଗଙ୍ଗୋତ୍ରୀ ‘ସୋରଶ୍ରୀ’ ପତ୍ରିକାର ପାଠକାର୍ପଣ ଉତ୍ସବ ସୋର ଉତ୍ତରେଶ୍ବର ନିକଟ ଲିଙ୍ଗରାଜ ମାର୍କେଟ ସ୍ଥିତ ଅମୃତାୟନ ଭବନରେ ରବିବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସାଧକ ଡ. ରମାକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ବିଶିଷ୍ଟ ଅତିଥି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଉଦ୍ଘାଟନ କରି କହିଲେ ଯେ, ସମାଜରେ ପରିବର୍ତ୍ତନ ଆଣିବାରେ ସାରସ୍ବତ ସାଧକଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ପୁସ୍ତକ ଓ ଲେଖକଙ୍କ ପ୍ରତି ପାଠକଙ୍କ ଭଲ ପାଇବା ରହିଲେ ଓଡ଼ିଆ ସାହିତ୍ୟ ଅଧିକ ସମୃଦ୍ଧ ହୋଇପାରିବ ବୋଲି ସେ କହିଥିଲେ। ମୁଖ୍ୟଅତିଥି ବିଧାୟକ ମାଧବ ଧଡ଼ା ସୋରକୁ ବିଶ୍ବଦରବାରରେ ପହଞ୍ଚାଇବାରେ ଗାଳ୍ପିକଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ। ବରେଣ୍ୟ ଅତିଥି ଚଳଚ୍ଚିତ୍ର ହାସ୍ୟାଭିନେତା ହରିହର ମହାପାତ୍ର କହିଥିଲେ ଯେ, ସାହିତ୍ୟ ହିଁ ସମାଜକୁ ସମୃଦ୍ଧ ଓ ସଂସ୍କାରିତ କରିଥାଏ। ନୂତନ ସ୍ରଷ୍ଟାଙ୍କୁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ନାଟ୍ୟ ବ୍ୟକ୍ତିତ୍ବ ବିଜୟ କୁମାର ଦାସ କହିଥିଲେ ଯେ, ଗୋଟିଏ ଗଳ୍ପରେ କୋଟିଏ ସନ୍ଦେଶ ଥାଏ। ଗାଳ୍ପିକଙ୍କ ରଚନା ସାଧାରଣ ପାଠକଙ୍କୁ ବାନ୍ଧି ରଖିବାରେ ସମର୍ଥ, ଏଥିରେ ସନ୍ଦେହ ନାହିଁ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସୋମନାଥ ଦାସ ସ୍ରଷ୍ଟାଙ୍କର ସୃଷ୍ଟି ସମସ୍ତଙ୍କୁ ଛୁଇଁପାରିବ ବୋଲି ମତ ରଖିଥିଲେ। ଦେବେନ୍ଦ୍ର ପ୍ରଧାନ ଅତିଥି ପରିଚୟ ଓ ସ୍ବାଗତ ସୂଚନା ଦେଇଥିଲେ। ଡ. ସୁରେନ୍ଦ୍ର ବିଶ୍ବାଳ ବେଦପାଠ ଓ ଗୋପୀନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଡ. ଆଚାର୍ଯ୍ୟ, ଶ୍ରୀ ମହାପାତ୍ର, ସୁଶ୍ରୀ ପ୍ରିୟଙ୍କାଙ୍କୁ ସମ୍ବର୍ଦ୍ଧନା ସହ ଡମ୍ବରୁଧର ନାଏକଙ୍କୁ ପ୍ରଥମ ସୋରଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜାରାମ ଦାସ, ‘ସୋରଶ୍ରୀ’ର ପରିଚାଳନା ସମ୍ପାଦିକା କବିତା ଦାସ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାଜକିଶୋର ବାରିକ, ଉତ୍ତମ କୁମାର ବାରିକ, କରୁଣାକର ପତି, ସତ୍ୟାନନ୍ଦ ଦାସ, ଶମ୍ଭୁନାଥ ଧଳ, ଅକ୍ଷୟ ଜେନା, ଶ୍ରୀଧର ମହାକୁଡ, ମୁରଲୀଧର ମାହାନା, ପ୍ରଭାକର ମଲ୍ଲିକ, ସୁଧାଂଶୁ ବାରିକ, କପିଳ ବାରିକ, କୃଷ୍ଣ।ନନ୍ଦ ବାରିକ୍ ପ୍ରମୁଖ ପରିଚାଳନା କରିଥିଲେ।
Comments are closed.