କ୍ଷୁଦ୍ରଶିଳ୍ପ ଓ ଜିଏସ୍‌ଟି

0

ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥା ପ୍ରଚଳନ ଲକ୍ଷ୍ୟରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ଏବେ ମଧ୍ୟ ତାହାର ପ୍ରୟୋଗାତ୍ମକ ପର୍ଯ୍ୟାୟ ମଧ୍ୟଦେଇ ଚାଲିଛି। ଏଥିପାଇଁ ସରକାର ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି ଏବଂ ଜିଏସ୍‌ଟି ପରିଷଦ ବୈଠକରେ ଏହାର ସମୀକ୍ଷା କରି ପ୍ରତିକାର ବ୍ୟବସ୍ଥା କରୁଛନ୍ତି। ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଥ​‌ିଲେ ଯେ ସାମଗ୍ରୀର ସର୍ବୋଚ୍ଚ ଟିକସହାରକୁ ଅତ୍ୟଧିକ ନରଖି ଅଧିକାଂଶକୁ ୧୫ରୁ ୧୮ ଶତାଂଶ ଟିକସ ହାର ମଧ୍ୟରେ ସୀମିତ ରଖିବାକୁ ଉଦ୍ୟମ କରାଯାଉଛି। ଏବେ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ସୁପାରିସ କରିଛି ଯେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗଗୁଡ଼ିକୁ ଜିଏସ୍‌ଟିର ପ୍ରତିକୂଳ ପ୍ରଭାବରୁ ସୁରକ୍ଷିତ ରଖାଯିବା ଉଚିତ। ଏହା ସହିତ ବିପର୍ଯ୍ୟୟକାଳୀନ ସେସ୍‌ ବା ଉପକର ଲାଗୁ ପାଇଁ ରାଜ୍ୟମାନଙ୍କୁ ଅନୁମତି ଦେବାକୁ ମଧ୍ୟ ଏହି ଗୋଷ୍ଠୀ ସୁପାରିସ କରିଛି।
ଏହି ଦୁଇଟିଯାକ ସୁପାରିସ ବାସ୍ତବବାଦୀ ଏବଂ ସରକାର ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଜିଏସ୍‌ଟି ଲାଗୁ ହେବାପରେ କ୍ଷୁଦ୍ର ଶିଳ୍ପୋଦ୍ୟୋଗଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସମଗ୍ର ଦେଶରେ ୫୭.୭ ନିୟୁତ କ୍ଷୁଦ୍ର, ଅତିକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରହିଛି ଏବଂ ଏଥିରେ ୧୨ କୋଟିରୁ ଅଧିକ ଲୋକ ନିଯୁକ୍ତ। ଭାରତର ଜିଡିପିକୁ ଏହି ଉଦ୍ୟୋଗର ଅବଦାନ ୩୨%। ବିଡ଼ମ୍ବନାର ବିଷୟ ହେଉଛି ଏହି ଉଦ୍ୟୋଗଟି ବିଶେଷ ଅବହେଳିତ ଏବଂ ଏସବୁ କ୍ଷେତ୍ରକୁ ବିଭିନ୍ନ ବ୍ୟାଙ୍କ ସମୂହଙ୍କ ଋଣ ଯୋଗାଣ ମୋଟ ଋଣର ମାତ୍ର ୧୭.୪%। ଅପର ପକ୍ଷରେ ଦେଶର ବୃହତ୍‌ଶିଳ୍ପକୁ ୮୨.୬%ଋଣ ପ୍ରଦାନ କରାଯାଉଥିବାବେଳେ ଏହି ଉଦ୍ୟୋଗରେ ମୋଟ ନିଯୁକ୍ତି ସଂଖ୍ୟା ଏକକୋଟି ୨୫ ଲକ୍ଷ ମାତ୍ର। ଜିଏସ୍‌ଟିର ପ୍ରଭାବ ଓ ମାନ୍ଦାବସ୍ଥା ଯୋଗୁଁ କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗର ନିଯୁକ୍ତି ସୁଯୋଗ ସଂକୁଚିତ ହୋଇଛି। ଦେଶରେ ଗତବର୍ଷ ଏକକୋଟି ନିଯୁକ୍ତି କମିଛି ବୋଲି ଯାହା କୁହାଯାଉଛି ଏହା ତାହାର ପ୍ରଭାବ ହୋଇପାରେ।
ନିଯୁକ୍ତି ସୃଷ୍ଟି ଓ ରୋଜଗାର ଯୋଗାଣରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସବୁଠୁ ଆଗରେ ଥିବାବେଳେ ଏହି କ୍ଷେତ୍ରର ଗୁରୁତ୍ବ ନିର୍ବାଚନ ବର୍ଷରେ ଅଧିକ ଅନୁଭୂତ ହେବା ସ୍ବାଭାବିକ। ତେବେ ବାସ୍ତବତା ହେଲା ଏହି ଉଦ୍ୟୋଗର ସ୍ଥିତି ଏବେ ଭଲ ନାହିଁ, ବରଂ ଜିଏସ୍‌ଟି ପ୍ରବର୍ତ୍ତନ ଫଳରେ ଏମାନଙ୍କ ଆର୍ଥିକ ସ୍ଥିତି ଅଧିକ ବିଗିଡ଼ିଯାଇଛି। ଏଭଳି ଅନେକ ଉଦ୍ୟୋଗ, ଯେଉଁମାନେ ବି ପୂର୍ବରୁ ଟିକସ ବ୍ୟବସ୍ଥାର ବାହାରେ ଥିଲେ ଏବେ ବାଧ୍ୟତାମୂଳକ ଭାବେ ତାହାର ଅନ୍ତର୍ଭୁକ୍ତ ହୋଇ ଟିକସ ଗଣୁଛନ୍ତି ସତ, ସେମାନଙ୍କ ସ୍ଥିତିରେ ଉନ୍ନତି ଆସୁନାହିଁ। ମନ୍ତ୍ରିସ୍ତରୀୟ ଗୋଷ୍ଠୀର ସୁପାରିସକୁ ସରକାର ଲାଗୁ କଲେ ଏହି ଉଦ୍ୟୋଗର ଟିକସବୋଝ ଓ ସମସ୍ୟା ଯଥେଷ୍ଟ ହ୍ରାସ ପାଇବ। ଏହାଫଳରେ ଏହି ଉଦ୍ୟୋଗର ଆର୍ଥିକସ୍ଥିତିରେ ନିଶ୍ଚିତ ଉନ୍ନତି ଆସିବ। ସେଇଭଳି ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତିର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସ୍ବତନ୍ତ୍ର ଉପକର ଲାଗୁ କରିବାର ସୁଯୋଗ ମିଳିଲେ ସଂପୃକ୍ତ ରାଜ୍ୟ ସରକାର ଅତିରିକ୍ତ ସମ୍ବଳ ସଂଗ୍ରହ କରିବାକୁ ସକ୍ଷମ ହେବେ। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଦେଶର ଆର୍ଥିକ ବିକାଶର ଇଞ୍ଜିନ ସାଜିଛି। ଏହି କ୍ଷେତ୍ରର ସମସ୍ୟାବଳୀକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ସମୟର ଆବଶ୍ୟକତା।

kalyan agarbati
Leave A Reply