ବିସ୍ଫୋରଣ ନ ହେଉ ସୁପ୍ତ ଆଗ୍ନେୟ
ଶରତ କୁମାର ମହାପାତ୍ର
ଭାରତୀୟ ସୀମା ଠାରୁ ମାତ୍ର ୪ କିମି ଦୂରରେ ପାକିସ୍ତାନରେ ଥିବା କର୍ତ୍ତାରପୁର ଗୁରୁଦ୍ବାର ଶିଖ୍ ସଂପ୍ରଦାୟର ଏକ ପବିତ୍ର ପୀଠ। ତୀର୍ଥଯାତ୍ରୀମାନେ ଏହି ପୀଠକୁ ସ୍ବଚ୍ଛନ୍ଦରେ ଯାତାୟାତ କରିବା ନିମନ୍ତେ ଉଭୟ ଦେଶ ନିଜନିଜ ସୀମାରେ (ଭାରତ ନଭେମ୍ବର ୨୬ ଓ ପାକିସ୍ତାନ ନଭେମ୍ବର ୨୮) କରିଡ଼ର ନିର୍ମାଣର ଶିଳାନ୍ୟାସ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନାରେ ଏହା ସହାୟକ ହେବବୋଲି ଆଶା କରାଯିବା ସ୍ବାଭାବିକ। ମାତ୍ର ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବାସହ ଭାରତ ବିପକ୍ଷରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଶାନ୍ତିସ୍ଥାପନ ସମ୍ଭବ ହେବ କି? ପାକିସ୍ତାନ ଏହି କରିଡ଼ର ମାଧ୍ୟମରେ ଶିଖ୍ମାନଙ୍କୁ ପ୍ରଭାବିତ କରି ବିଚ୍ଛିନ୍ନତାବାଦର ଗଦ ଶୁଙ୍ଘାଇ ପୁଣି ଆଉଥରେ ପଞ୍ଜାବରେ ଆତଙ୍କବାଦର ଲେଲିହାନ ଶିଖା ପ୍ରଜ୍ବଳନ କରିବ େବାଲି କେତେକ ରଣନୀତି ବିଶାରଦ ମତ ରଖିଛନ୍ତି।
୨୦୧୮ ନଭେମ୍ବର ୨୪ରେ ପଞ୍ଜାବର ଅମୃତସର ନିରଙ୍କାରୀ ଭବନ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଅଶୀଦଶକରେ ଘଟିଥିବା ଆତଙ୍କବାଦର ହିଂସା ଘଟାଇବାକୁ ପାକିସ୍ତାନର ଆଇଏସ୍ଆଇ ଗୁପ୍ତଚର ସଂସ୍ଥା ଚଳାଇଥିବା ଷଡ଼ଯନ୍ତ୍ର ପଦାକୁ ଆସିଛି। ଏହି ଆକ୍ରମଣ ପଛରେ ଥିବା ଖାଲିସ୍ତାନୀ ଲିବରେସନ ଫ୍ରଣ୍ଟ୍ (କେ.ଏଲ.ଏଫ) ଆଇଏସଆଇ ପ୍ରୋତ୍ସାହନରେ ଖାଲିସ୍ତାନ ଆନ୍ଦୋଳନର ପୁନରୁତ୍ଥାପନ ପାଇଁ ଉଦ୍ୟମ ଚଳାଇଥିବାର ସ୍ପଷ୍ଟ ସୂଚନା ମିଳେ। ଅଶୀ ଦଶକରେ ନିରଙ୍କାରୀ ସମୁଦାୟର ସନ୍ଥଙ୍କୁ ହତ୍ୟା କରି ଆଇଏସ୍ଆଇ ପଞ୍ଜାବରେ ଖାଲିସ୍ତାନୀ ଆନ୍ଦୋଳନର ସୂତ୍ରପାତ କରିଥିଲା। ଏବେ ସେହି ଉଦ୍ଦେଶ୍ୟରେ ନିରଙ୍କାରୀ ଅନୁଗାମୀମାନଙ୍କୁ ଟାର୍ଗେଟ୍ କରାଯାଇଥିବାର ଆଶଙ୍କା କରାଯାଏ। ଅମୃତସରସ୍ଥିତ ସନ୍ଥ ନିରଙ୍କାରୀ ସତ୍ସଙ୍ଗ ଭବନରେ ଭକ୍ତ ସମାବେଶ ଉପରକୁ ଅବତାର ସିଂହ େଗ୍ରନେଡ ଦ୍ବାରା ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୩ଜଣ ନିହତ ଓ ୨୦ଜଣ ଆହତ ହୋଇଥିଲେ। ବାଇକ୍ ଆରୋହୀ ବିକ୍ରମଜିତ୍ ସିଂହ ଏହି ଆକ୍ରମଣରେ ଅବତାର ସିଂହକୁ ସହାୟତା ପ୍ରଦାନ କରିଥିଲା। ଅବତାରକୁ ଅମୃତସର ନିକଟସ୍ଥ ଅଜନାଲାରୁ ଗିରଫ କରାଯିବାସହ ଆମେରିକା ନିର୍ମିତ ପଏଣ୍ଟ-୩୨ ବୋର୍ ଦୁଇଟି ପିସ୍ତଲ, ୪ଟି ମେଗାଜିନ ଓ ୨୫ରାଉଣ୍ଡ ଗୁଳି ଜବତ କରାଯାଇଛି। ଅଭିଯୁକ୍ତ ବିକ୍ରମଜିତ୍ ମଧ୍ୟ ପୁଲିସ ଦ୍ବାରା ଗିରଫ ହୋଇଛି। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ନାଗରିକ ଜାଭେଦ ପ୍ରୋତ୍ସାହିତ କରିଥିବାର ସୂଚନା ମିଳେ।
୨୦୧୮ ନଭେମ୍ବର ୨୪ରେ ପଞ୍ଜାବର ପଠାନକୋଟଠାରେ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଥିବା ସମ୍ବନ୍ଧରେ ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଅଞ୍ଚଳର ସୈଦିପୁର ଗ୍ରାମଠାରୁ ୨୫ କିମି ଦୂରରେ ଏକ ପରିତ୍ୟକ୍ତ କାର୍ ଉଦ୍ଧାର କରାଯିବା ପରେ ଜାରି ହୋଇଥିଲା ହାଇଆଲର୍ଟ। ଏହାର କିଛିଦିନ ପୂର୍ବେ ଭାରତୀୟ ଗୁଇନ୍ଦା ସଂସ୍ଥା, ଆତଙ୍କବାଦୀ ସଂଗଠନ ଅଲକାଏଦାର ଏକ ଗ୍ରୁପ୍ ଜାମ୍ମୁ-କାଶ୍ମୀରର ‘ଅନସାର ଘଜୱାତ୍-ଉଲ-ହିନ୍ଦ୍’ର ମୁଖ୍ୟ ଜାକିର ମୁସା ଜୈସ୍-ଇ-ମହମ୍ମଦର ୫/୬ ଜଣ ଦୁର୍ଦାନ୍ତ ଆତଙ୍କବାଦୀଙ୍କ ସହ ପଞ୍ଜାବରେ ପ୍ରବେଶ କରିଥିବାର ସୂଚନା ଦେବା ପରେ ଆଶଙ୍କା ସୃଷ୍ଟି ହୋଇଥିଲା। ସେଥିପାଇଁ ରେଡ଼୍ ଆଲର୍ଟ ଜାରି କରାଯାଇଥିଲା।
ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଗ୍ରବାଦୀ ସଂଗଠନ ‘ଖାଲିସ୍ତାନ ଲିବରେସନ ଫୋର୍ସ’ (କେଏଲଏଫ) ୧୯୮୦ ମସିହାରୁ ସକ୍ରିୟ ଥିଲେ ମଧ୍ୟ ପରିସ୍ଥିତି ଚାପରେ ସୁପ୍ତ ରହିଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ୨୦୦୯ ମସିହାରେ ଏହାକୁ ମାଲେସିଆରେ ପୁନର୍ଜୀବନ ଦେଇଥିଲା। ୨୦୧୬-୨୦୧୭ ମସିହାରେ ପଞ୍ଜାବରେ ଜଣେ ଧର୍ମଗୁରୁ ଓ ଆରଏସଏସ କର୍ମୀଙ୍କ ସହ ମୋଟ ୮ଟି ହତ୍ୟାକାଣ୍ଡର ତଥା ହତ୍ୟା ଉଦ୍ୟମ ପଛରେ କେଏଲଏଫ ସଂଗଠନର ହାତ ଥିଲାବେଳେ ଏନଆଇଏ ସୂତ୍ରରୁ ପ୍ରତିପାଦିତ। ସାମ୍ପ୍ରଦାୟିକତା ଆଧାରରେ ଖାଲିସ୍ତାନ ଆନ୍ଦୋଳନକୁ ପୁନର୍ଜୀବନ ଦେବାକୁ ଉଦ୍ୟମ ଜାରି ରହିଛି। ଖାଲିସ୍ତାନ ଆନ୍ଦୋଳନର ମୁଖ୍ୟ ଜର୍ଣ୍ଣଲ ସିଂହ ଭିନ୍ଦ୍ରନୱାଲେର ଚିନ୍ତାଧାରାକୁ ଯଦିଓ ଏବେକାର ସଂଗଠନ ସଂପୂର୍ଣ୍ଣଭାବେ ଗ୍ରହଣ କରୁନାହିଁ; ତଥାପି ଶିଖ୍ ବିରୋଧୀ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି ଓ ଶକ୍ତିଙ୍କୁ ଏହା ନିଶାଣ କରୁଛି। ଏହାକୁ ଆଧାରକରି ପଞ୍ଜାବରେ ପୁନର୍ବାର ଅଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନର ଆଇଏସଆଇ ଗତ କିଛିବର୍ଷ ଧରି କେଏଲଏଫକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାରେ ତତ୍ପର।
ପାକିସ୍ତାନର ଗୁଇନ୍ଦାସଂସ୍ଥା ଆଇଏସଆଇ ଇମ୍ରାନ ଖାନ୍ଙ୍କ ପ୍ରଧାନମନ୍ତ୍ରିତ୍ବ ଗ୍ରହଣର ଅବ୍ୟବହିତ ପୂର୍ବରୁ କର୍ତ୍ତାରପୁର କରିଡରର ସ୍ଥାପନା ଦ୍ବାରା ପଞ୍ଜାବରେ ପୁଣି କିଭଳି ଭାରତବିରୋଧୀ ଆତଙ୍କବାଦ ମୁଣ୍ଡ ଟେକିବ ସେ ସମ୍ବନ୍ଧରେ ଯୋଜନା ପ୍ରସ୍ତୁତ କରି ସାରିଥିଲା। ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ବାଜୱା ଆଇଏସଆଇ ପ୍ରସ୍ତୁତ ରୋଡ଼ମ୍ୟାପକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ଖୁବ୍ ଉତ୍ସାହିତ ଥିଲେ। ଏପରିକି କରିଡର ଶୁଭାରମ୍ଭ ଉତ୍ସବରେ ନିଜେ ଉପସ୍ଥିତ ରହିଥିଲେ। ଏଥିରୁ ତାଙ୍କ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହୁଏ। କର୍ତ୍ତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଭାରତ ସହ ଶାନ୍ତିସ୍ଥାପନ କଥା କହୁଥିଲାବେଳେ ପାକ୍ ସେନାମୁଖ୍ୟ ବାଜୱା ଖାଲିସ୍ତାନୀ ନେତା ଗୋପାଳସିଂହ ଚାୱଲାଙ୍କୁ କୋଳାଗ୍ରତ ପୂର୍ବକ ଖୁସିରେ ଆଳାପ କରିବା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ପୁୁନର୍ବାର ସ୍ପଷ୍ଟ କରିଛି। ଗୋପାଳ ସିଂହ କୁଖ୍ୟାତ ଲସ୍କର-ଇ-ତୋଇବାର ଦୁର୍ଦାନ୍ତ ଆତଙ୍କବାଦୀ ହାଫିଜ ସୟିଦ୍ ଓ ଆଇଏସଆଇ ସହିତ ଉତ୍ତମ ସମ୍ପର୍କ ରହିଛି। ଉକ୍ତ ଉତ୍ସବରେ ଭାରତୀୟ ଉଚ୍ଚ ପ୍ରତିନିଧି ଦଳଙ୍କ ଉପସ୍ଥିତିରେ ଗୋପାଳ ସିଂହ ଓ ପାକସେନା ମୁଖ୍ୟ ବାଜୱାଙ୍କ ଖୁସିଗପର ଫଟୋ ପ୍ରକାଶପାଇ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଅମୃତସରଠାରେ େଗ୍ରନେଡ ମାଡ଼ ଘଟଣାରେ ଖାଲିସ୍ତାନୀଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଥିଲାବେଳେ ପାକ୍ ସେନାଧ୍ୟକ୍ଷ ବାଜୱା ଏହି ସଂଗଠନର ନେତାଙ୍କ ସହ ଆଳାପ କରୁଥିବା ଘଟଣା ପାକିସ୍ତାନ ପ୍ରାୟୋଜିତ ଖାଲିସ୍ତାନ ଆତଙ୍କବାଦକୁ ପ୍ରମାଣିତ କରିଛି। ଗୋପାଳ ସିଂହ ଓ ହାଫିଜ ସୟିଦ୍ ମଧ୍ୟରେ ଆତଙ୍କବାଦୀ ସଂଗଠନ ଜମାତ୍-ଉଦ୍-ଦାୱାର ନାନ୍କାନାସ୍ଥିତ କାର୍ଯ୍ୟାଳୟ ନିକଟରେ ସାକ୍ଷାତ ଆଲୋଚନା ହୋଇଥିବା ଭାରତୀୟ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିସାରିଛି। ଚାଓଲା ସମ୍ପ୍ରତି ପାକିସ୍ତାନ ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ସାଧାରଣ ସଂପାଦକ ପଦରେ ରହି ଶିଖ୍ମାନଙ୍କୁ ଭାରତ ବିରୋଧୀ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ଯେତେବେଳେ ପାକିସ୍ତାନ କର୍ତ୍ତାରପୁରଠାରେ ଅନୁଷ୍ଠିତ ଉତ୍ସବରେ ଭାରତୀୟ ପ୍ରତିନିଧିଦଳଙ୍କୁ ସ୍ବାଗତ କରାଯାଉଥିଲା, ସେହି ସ୍ଥାନରେ ଶିଖ୍ ବିଚ୍ଛିନ୍ନତାବାଦୀଙ୍କ ପୋଷ୍ଟର ଶୋଭା ପାଉଥିଲା। ଏହାର ଉଦ୍ଦେଶ୍ୟ କ’ଣ ହୋଇପାରେ? ୨୦୧୮ ନଭେମ୍ବର ୨୧ ଓ ୨୨ରେ ପାକିସ୍ତାନସ୍ଥିତ ଭାରତୀୟ କନସୁଲାର ଅଫିସରଙ୍କୁ ପାକିସ୍ତାନରେ ଥିବା ଦୁଇଟି ଗୁରୁଦ୍ବାର ମଧ୍ୟକୁ ପ୍ରବେଶ କରାଇ ନଦେବା ଓ ହଇରାଣ କରିବା ନିଶ୍ଚିତ ନିନ୍ଦନୀୟ। ଭାରତୀୟ ସୁରକ୍ଷାବାହିନୀ ଦ୍ବାରା ଜାମ୍ମୁକାଶ୍ମୀରର ଦୁର୍ଦାନ୍ତ ଆତଙ୍କବାଦୀ ବୁରହାନ ୱାନି ନିହତ ହୋଇଥିଲା। ମାତ୍ର ତା’ର ସମ୍ମାନାର୍ଥେ ପାକିସ୍ତାନ ଡାକଟିକଟ ଜାରି କରିବା ପାକିସ୍ତାନର ଅନ୍ତର୍ନିହିତ ମନ୍ଦ ଉଦ୍ଦେଶ୍ୟର ପରିପ୍ରକାଶ ମାତ୍ର।
ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତ- ପାକିସ୍ତାନ ମଧ୍ୟରେ ଗତ କିଛିବର୍ଷ ଧରି ଦ୍ବିପାକ୍ଷିକ ଆଲୋଚନା ବନ୍ଦ ରହିଛି। ଇମ୍ରାନ ପ୍ରଧାନମନ୍ତ୍ରୀ ହେବା ପରେ ସେଥିରେ କିଛି ଉନ୍ନତି ପରିଲକ୍ଷିତ ହେବବୋଲି ଆଶା କରାଯାଉଥିଲା। ମାତ୍ର ସେ ତାଙ୍କ ପୂର୍ବସୂରୀମାନଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହନ୍ତି ବୋଲି ନିଜକୁ ପ୍ରମାଣସିଦ୍ଧ କରିଛନ୍ତି। ହିଂସାକୁ ଅସ୍ତ୍ରକରି ଆତଙ୍କବାଦକୁ ଅଣ୍ଟିରେ ଲୁଚାଇବା ଓ ସେନାର ସଖୀ କଣ୍ଢେଇ ସାଜିବା ତାଙ୍କ ବ୍ୟକ୍ତିତ୍ବକୁ ପ୍ରଭାବହୀନ କରି ଦେଇଛି। ନିକଟରେ ଚୀନ୍ ବାଣିଜ୍ୟ ଦୂତାବାସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ କଠୋର ଶବ୍ଦରେ ଇମ୍ରାନ କହିଥିଲାବେଳେ ୨୬ା୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ଅବା ପଠାନକୋଟ, କଠୁଆ, ଉରି ସେନାଶିବିର ଓ ଅମୃତସର ଆକ୍ରମଣର ସୂତ୍ରଧରମାନେ ପାକିସ୍ତାନ ରାଜରାସ୍ତାରେ ଛାତିଫୁଲାଇ ବୁଲୁଛନ୍ତି। ୨୬/୧୧ ଆକ୍ରମଣକୁ ୧୦ବର୍ଷ ପୂରିଯାଇଥିଲେ ମଧ୍ୟ ଭାରତ ସମେତ ବିଶ୍ବର ୧୫ଟି ଦେଶର ନାଗରିକଙ୍କ ପରିବାର ଏବେବି ନ୍ୟାୟ ପାଇବାରୁ ବଞ୍ଚିତ। ଆତଙ୍କବାଦର ବାରୁଦଗଦା ଉପରେ ବସି ସେମାନଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ସମୀଚୀନ କି?
ଅଶୀଦଶକରେ ପଞ୍ଜାବରେ ଆତଙ୍କବାଦର ଦାବାନଳ ପ୍ରଜ୍ବଳିତ ହୋଇ ୧୯୮୪ରେ ଏହା ଚରମସୀମାରେ ପହଞ୍ଚିଥିଲା। ୧୯୮୪ ଗଣତନ୍ତ୍ର ଦିବସରେ ଜେର୍ଣ୍ଣଲ ସିଂହ ଭିନ୍ଦରନୱାଲେ ସ୍ବର୍ଣ୍ଣମନ୍ଦିର ପରିସରରେ ଉଡ଼ାଇଥିଲା ଖାଲିସ୍ତାନୀ ପତାକା ଓ ଖାଲିସ୍ତାନୀ ରାଜ୍ୟ ଘୋଷଣା କରିବାକୁ ନିଆଯାଇଥିଲା ସଂକଳ୍ପ। ଲୁଣ୍ଠନ, ଗଣହତ୍ୟା, ଅରାଜକତାର ପ୍ରଖର ବହ୍ନିରେ ପରିସ୍ଥିତି ହୋଇ ଉଠିଥିଲା ସଙ୍ଗିନ। ଦେଶର ସାର୍ବଭୌମତ୍ବକୁ ରକ୍ଷା କରିବାପାଇଁ ସମସ୍ତ ପ୍ରଚେଷ୍ଟା ବିଫଳ ହେବା ପରେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସେନାବାହିନୀ ଦ୍ବାରା ସ୍ବର୍ଣ୍ଣମନ୍ଦିର ପରିସରକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ ପାଇଁ ନେଇଥିଲେ ସିଦ୍ଧାନ୍ତ ସଂପୂର୍ଣ୍ଣ ବାଧ୍ୟବାଧକତାରେ। ୧୯୮୪ ଜୁନ୍ ୫ରେ ‘ଅପରେସନ ବ୍ଳୁ-ଷ୍ଟାର’ରେ ଏହି ଲେଖକ ପ୍ରତ୍ୟକ୍ଷ ଭାଗ ନେଇ ଆତଙ୍କବାଦର ବିଭୀଷିକାକୁ ଖୁବ୍ ନିକଟରୁ ଦେଖିଛି। ଅନେକବର୍ଷ ଧରି ପଞ୍ଜାବରେ ଚାଲିଥିବାର ଆତଙ୍କବାଦର ଶିଖାକୁ ଲିଭାଇବାକୁ ବହୁ କଷ୍ଟ ସହିବାକୁ ପଡ଼ିଛି। ଦେଶ ହରାଇଛି ଅମାପ ଧନ, ବହୁ ଜୀବନ। ଶିଖ୍ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଆମେ ହରାଇଛୁ ଆମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ। ତ୍ୟାଗ, ବଳିଦାନ କାରଣରୁ ଦୀର୍ଘଦିନ ଧରି ଅଶାନ୍ତ ପଞ୍ଜାବରେ ସୃଷ୍ଟି ହୋଇଥିଲା ଶାନ୍ତି ଓ ସୌହାର୍ଦ୍ୟ। ମାତ୍ର ଆତଙ୍କବାଦର ଲେଲିହାନ ଅଗ୍ନିଶିଖା ପୁଣି ପ୍ରଜ୍ବଳିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସରକାର, ରାଜନୈତିକ ନେତୃବୃନ୍ଦ ସମୟ ଥାଉଥାଉ ଆତଙ୍କବାଦ ଯେପରି ପୁନର୍ଜୀବିତ ନହେବ, ସେ ଦିଗରେ ପ୍ରଚେଷ୍ଟା ଜାରି ରଖନ୍ତୁ। ଦେଶର ସାର୍ବଭୌମତ୍ବ ବଜାୟ ରଖିବାକୁ ଦୃଢ଼ ପଦକ୍ଷେପ ନିଆଯାଉ।