www.samajalive.in
Thursday, December 11, 2025
15.1 C
Bhubaneswar

୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉଦ୍‌ଘାଟିତ

ଭୁବନେଶ୍ୱର : ଦେଶର ବିକାଶ ପାଇଁ ବିଜ୍ଞାନରେ ବିକାଶ ଆସିବା ଜରୁରୀ ।  ଆମ ଜୀବନଶୈଳୀର ମାନ ପରିବର୍ତ୍ତନ କରିବା ଦିଗରେ ଜ୍ଞାନକୌଶଳ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବିଜ୍ଞାନରେ ପ୍ରଗତି ଆସିବା ଦ୍ବାରା ପ୍ରତ୍ୟେକ କ୍ଷେତ୍ର ବିଶେଷକରି ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ। ତେଣୁ ପିଲାମାନଙ୍କୁ ଗବେଷଣା ପାଇଁ ଉତ୍ସାହିତ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜିଠାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ୍‌କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶ ଗଠନରେ ଉନ୍ନତ ଜ୍ଞାନକୌଶଳ ଉପଯୋଗ ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜ୍ଞାନ ଓ ବୈଷୟିକ ଯୋଗାଯୋଗ ଜାତୀୟ ପରିଷଦ (ଏନ୍‌ସିଏସ୍‌ଟିସି) ପକ୍ଷରୁ ୨୦୦୫ ପରେ ଦ୍ବିତୀୟବାର ଓଡ଼ିଶାରେ ଆୟୋଜିତ ହେଉଥିବା ୫ ଦିନିଆ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ୍ ପିଲାମାନଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ଉତ୍ସାହ ସୃଷ୍ଟି କରିବା ଦିଗରେ ବେଶ୍ ସହାୟକ ହେଉଛି। ଆମର ଯୁବ ପ୍ରତିଭାଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଆମ ସମସ୍ତଙ୍କ ଦାୟିତ୍ବ। ବିଭିନ୍ନ ସ୍ତରରେ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ ଜରିଆରେ ରାଜ୍ୟ ସରକାର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ନିପୁଣତା ଉଜାଗର କରିବା ଦିଗରେ କାମ କରୁଛନ୍ତି। ସେହିପରି ଜିଲା ସ୍ତରରେ ପ୍ଳାନେଟାରିୟମ୍ ଏବଂ ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯାଉଛି। ଆଇଆଇଟି, ଏମ୍‌ସ୍, ନାଇଜର୍, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଜୀବ ବିଜ୍ଞାନ ପ୍ରତିଷ୍ଠାନ ଭଳି ଗବେଷଣା ଶିକ୍ଷାନୁଷ୍ଠାନଙ୍କ ଉପସ୍ଥିତିରେ ଭୁବନେଶ୍ବର ପୂର୍ବ ଭାରତର ଜ୍ଞାନପୁଞ୍ଜରେ ପରିଣତ ହୋଇଛି ଯେଉଁଠାରେ ବିଶ୍ବସ୍ତରୀୟ ଶିକ୍ଷାଦାନ ସମ୍ଭବ ହୋଇଛି। ଜ୍ଞାନକୌଶଳ ହିଁ ଦେଶକୁ ବିକାଶ ପଥରେ ଆଗେଇ ନେବ। ପରିବେଶ ସୁରକ୍ଷା ଓ ସୁସ୍ଥ ଦେଶ ଗଠନ ପ୍ରସଙ୍ଗ ଏବେ ଚିନ୍ତାର ବିଷୟ ହୋଇଥିବା ବେଳେ ଚଳିତ ବର୍ଷ ଏହି ଥିମ୍‌କୁ ନେଇ ବିଜ୍ଞାନ କଂଗ୍ରେସ୍ ଆୟୋଜିତ ହେବ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଥିଲେ ଯେ ବିଜ୍ଞାନକୁ ଭଲ ପାଉଥିବା ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ବେଶ୍ ଖୁସିର କଥା। ସେମାନଙ୍କ ମଧ୍ୟରେ ଲୁକ୍କାୟିତ ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନ ନିମନ୍ତେ ଏହା ଶ୍ରେଷ୍ଠ ମଞ୍ଚ। ବିଜ୍ଞାନ ଓ ଜ୍ଞାନକୌଶଳ ଉପଯୋଗ ଦ୍ବାରା ଜୀବନର ମାନ ବୃଦ୍ଧି ଘଟିଥାଏ। ଭାରତୀୟ ବୈଜ୍ଞାନିକମାନେ ଆଜି ମଙ୍ଗଳ ଗ୍ରହରେ ପହଞ୍ଚିଲେଣି। ଏହା ପିଲାମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ସେ କହିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ ଦେଶ ଗଠନ ଦିଗରେ ବିଜ୍ଞାନ ପ୍ରକୃଷ୍ଟ ମାଧ୍ୟମ। ବର୍ତ୍ତମାନ ଆମେ ବିଭିନ୍ନ ପ୍ରକାର ଆହ୍ବାନର ସମ୍ମୁଖୀନ ହେଉଥିବା ବେଳେ ଉଚ୍ଚତର ଗବେଷଣା ଜାରି ରହିବା ଆବଶ୍ୟକ। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଜାତୀୟ କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ସୁଜିତ୍ ବାନାର୍ଜୀ କହିଥିଲେ ବିଜ୍ଞାନର ଉତ୍ସବ ପାଳନ ନିମନ୍ତେ ଏହି କଂଗ୍ରେସ୍ ଉପଯୁକ୍ତ ମଞ୍ଚ। ଚଳିତ ବର୍ଷ ଏଥିରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରେ ୫୬% ବାଳିକା ହୋଇଥିବା ବେଳେ ୪୦% ପିଲା ଗ୍ରାମାଞ୍ଚଳରୁ ଆସିଛନ୍ତି। ରାଜ୍ୟ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଉଦ୍‌ବୋଧନ ଦେଇଥିଲେ। ସୋଆ ଡିମ୍‌ଡ୍ ଟୁ ବି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ନିର୍ଦେଶକ (ଆଡମିଶନ) ପ୍ରଫେସର ମାନସ ମଲିକ୍ ଏବଂ ଡ଼ାକ ସେବା ନିର୍ଦେଶକ ଜି ଗୁରୁନାଥନ୍ ଉପସ୍ଥିତ ଥିଲେ। ଏନ୍‌ସିଏସ୍‌ଟିସିର ଅଧ୍ୟକ୍ଷ ପ୍ରଫେସର ଟି.ପି ରଘୁନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଜ୍ଞାନ କଂଗ୍ରେସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଡ଼ାକ ଟିକଟ ଏବଂ ସ୍ମରଣିକା ଉନ୍ମୋଚନ କରିଥିଲେ। ଭାରତର ବିଭିନ୍ନ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୮ଟି ଏସିଆନ୍ ଏବଂ ଉପସାଗରୀୟ ରାଷ୍ଟ୍ରରୁ ୮୦୦ ଶିଶୁ ବୈଜ୍ଞାନିକ, ୪୦୦ ବୈଜ୍ଞାନିକ, ମୂଲ୍ୟାୟନକାରୀ, ଅଭିଭାବକ ଯୋଗ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories