ସଂକଟରେ ମଣିଷପଣିଆ
ପରିସ୍ଥିତି, ପରିବେଶ ଓ କର୍ମ ପ୍ରବାହକୁ ବିଶୃଙ୍ଖଳା, ବିଫଳତା ବିମୁକ୍ତ କରିବାକୁ, ନୀତି ନିୟମ ବା ଆଇନର ଅର୍ଗଳମାନ ଉଦ୍ଦିଷ୍ଟ। ଏ ନୀତି ନିୟମ ବା ଆଇନ ବେଳେବେଳେ ଢେର୍ କଟୁ ଲାଗେ; ମାତ୍ର କଟୁତା କାରଣରୁ ତାକୁ ଏଡ଼ି ଦେଲେ, ତେଢ଼ି ଦେଲେ ଆଇନ ଦୁର୍ବଳ, ନକନକିଆ ହୋଇଯାଏ। ଆଇନ ବା ଅର୍ଗଳ ନକନକିଆ କି ଦୁର୍ବଳ ହୋଇଗଲେ ସେ କୁ କାମକୁ ପାଇବ? ତେବେ ଆଇନ, ଅର୍ଗଳ ଓ ପ୍ରଶାସନ ବି ମଣିଷ ପଣିଆ ବିବର୍ଜିତ ଆଦୌ ନୁହଁ। ‘ସାଇଲକ’, ‘ଆଣ୍ଟୋନିଓ’ କଥା ମନେ ପଡ଼େ। ସାଇଲକ ଆଣ୍ଟୋନିଓକୁ ଏଇ ସର୍ତ୍ତରେ ଟଙ୍କା ଉଧାର ଦେଇଥିଲା ଯେ ଯଦି ନିର୍ଦ୍ଧାରିତ ସମୟରେ ଟଙ୍କା ଶୁଝି ନ ପାରିବ ତା’ ବଦଳରେ ତା’ ଦେହରୁ ଦଶକିଲୋ ମାଂସ ଦେବ। ଆଣ୍ଟୋନିଓ ଭାବିଲା ଏଇଟା ଥଟ୍ଟା, ମଜା କଥାଟେ। ସେ ସୁଧ ନ ନେବା ପାଇଁ ଏମିତି ମଜା କରୁଛି। ମାତ୍ର ଧୂର୍ତ୍ତ ଓ ଈର୍ଷାପରାୟଣ ସାଇଲକ, ଅଦାଲତରେ ଚୁକ୍ତି ମୁତାବକ ଦଶକିଲୋ ମାଂସ ନେବାକୁ ଜିଦ୍ ଧରିଲା। ବିଚାରପତି କହିଲେ ଚୁକ୍ତି ତ ହୋଇଚି, ଦଶ କିଲୋ ମାଂସ ତା’ ଦେହରୁ ଦେବାକୁ ବାଧ୍ୟ। ତେବେ ‘ଆଣ୍ଟୋନିଓ’ର ଓକିଲ ଢେର୍ ବୁଦ୍ଧିଆ ଥିଲେ। ସେ କହିଲେ, ‘‘ଆମେ ଦଶକିଲୋ ମାଂସ ଦେବୁ, ତମେ କାଟି ନେଇ ଯା’, ମାତ୍ର ସାବଧାନ ଟୋପେ ରକ୍ତ ଯେମିତି ନ ପଡ଼େ।’’ ଆରେ ମାଂସ କାଟିଲେ ତ ରକ୍ତ ପଡ଼େ। ମାତ୍ର ଚୁକ୍ତିରେ ଏ କଥା କାଇଁ? ଧୂର୍ତ୍ତ, ମନ୍ଦ ବୁଦ୍ଧିର ମହାଜନ ପରାସ୍ତ ହେଲା। ଏଠି ଭାବ ବା ହୃଦୟର ଜିତାପଟ ହେଲା।
ଶ୍ରୀରାମଙ୍କ ରାଜ୍ୟଶାସନର ଶେଷ ପର୍ଯ୍ୟାୟରେ ଦେବଲୋକରୁ ତାଙ୍କ ସହ ଦେବତାମାନଙ୍କର ପ୍ରତ୍ୟହ କିଛି ବାର୍ତ୍ତାଳାପର ଅନୁରୋଧ ଆସିଲା, ମାତ୍ର ତାଙ୍କ ବ୍ୟତୀତ ଆଉ କେହି ଏ ବାର୍ତ୍ତାଳାପ, ଶୁଣିବେନି କି ଦେଖିବେନି। ଯେ ଦେଖିଦେବ ସେ ମୃତ୍ୟୁଦଣ୍ଡ ପାଇବ। ଶ୍ରୀରାମ ଏଥିରେ ରାଜି ହେଲେ। କେହି କାଳେ ପଶି ଆସିବ ଓ ଅକାରଣ ମୃତ୍ୟୁଦଣ୍ଡ ପାଇବ, ଏ ଦୁର୍ଦଶାରୁ ରକ୍ଷା ପାଇଁ ଲକ୍ଷ୍ମଣଙ୍କୁ ଦ୍ବାରପାଳ ନିଯୁକ୍ତି ଦିଆଗଲା। ମାତ୍ର ଦିନେ ହଠାତ୍ ଦୁର୍ବାସା ମହର୍ଷି ପହଞ୍ଚି ତୁରନ୍ତ ରାମଙ୍କ ସହ ସାକ୍ଷାତ ଚାହିଁଲେ। ଲକ୍ଷ୍ମଣଙ୍କ ବାରଣ ମାନିଲେ ନାହିଁ। କ୍ରୋଧାନ୍ଧ ଋଷି ମୁହୂର୍ତ୍ତକରେ ଅଯୋଧ୍ୟା ଧ୍ବଂସ କରିଦେବାର ଧମକ ଦେଲେ। ସାରା ଅଯୋଧ୍ୟାକୁ ଧ୍ବଂସରୁ ରକ୍ଷା ପାଇଁ ଲକ୍ଷ୍ମଣ ନିଜେ ଆଲୋଚନା କକ୍ଷକୁ ପଶିଗଲେ। ଦୁର୍ବାସା ସାକ୍ଷାତ ଆଲୋଚନା ପରେ ସନ୍ତୁଷ୍ଟ ହୋଇ ଫେରିଗଲେ। ଏବେ ମୃତ୍ୟୁଦଣ୍ଡାଦେଶ କଥା ଉଠିଲା। ସତ୍ୟନିଷ୍ଠ ଶ୍ରୀରାମ ଜୀବନରେ ଏଇ ପ୍ରଥମ ଓ ଶେଷ ଥର ପାଇଁ ଏ ସତ୍ୟ ରକ୍ଷା କରି ପାରିବେନି ବୋଲି କହି ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ। ପିତୃସତ୍ୟ ପାଳିବାକୁ ରାଜଗାଦି, ଐଶ୍ବର୍ଯ୍ୟ ତ୍ୟାଗ କରି ବନବାସୀ ହୋଇଥିବା ସତ୍ୟନିଷ୍ଠ ରାମ ଯେ ଏତେ ଦୁର୍ବଳ ହୋଇପଡ଼ିବେ, କିଏ ଜାଣିଥିଲା? ସତରେ, ପ୍ରାଣାଧିକ ଭାଇକୁ ସେ ଖଣ୍ଡାରେ ହତ୍ୟା ପାଇଁ କେମିତି ନିର୍ଦେଶ ଦେଇ ପାରିବେ! ପଣ୍ଡିତ ସଭା ବସିଲା। ମୁହଁ ନ ଚାହିଁ ଘରୁ ବିତାଡ଼ିତ କରିଦେବା ହିଁ ମୃତ୍ୟୁଦଣ୍ଡ ସମତୁଲ ବୋଲି ମତହେଲା। ତା’ ହିଁ ହେଲା। ଲକ୍ଷ୍ମଣ ପ୍ରାଣାଧିକ ଭାଇଙ୍କ ଶେଷ ଦର୍ଶନ ନ ପାଇ ପ୍ରାସାଦରୁ ବାହାରି ସିଧା ପବିତ୍ର ‘ସରଯୂ’ ନଦୀକୁ ମୁହାଁଇଲେ ଓ ସେଇଠି ପ୍ରାଣ ବିସର୍ଜନ ଦେଲେ।
ରାମଙ୍କ ବିନା ଆଉ ଗୋଟିଏ ଓଳି ବି ସେ ବଞ୍ଚିଲେନି। ଉତ୍କଟ ନୀତି ନିୟମ କୋହଳ ହେଲେ ଏତିକି ବି ହୋଇପାରେ। ନୀତି ନିୟମକୁ କେଉଁଠି ବି ପ୍ରତ୍ୟାଖ୍ୟାନ କରାଯାଇନି, ତା’ ଉଦ୍ଦେଶ୍ୟ ଭ୍ରଷ୍ଟ କରା ନ ଯାଇ ବରଂ କିଛିଟା ସରଳୀକରଣ କରାଯାଇଛି। ମୂଲ୍ୟବୋଧ ଥିବା ରାଜତନ୍ତ୍ରରେ ଏ କଥା ସବୁ ଘଟୁଥିଲା। ମାତ୍ର ଏବେ ତା’ ଆଉ କାଇଁ? ସର୍ବାଧୁନିକ ‘ତନ୍ତ୍ର’ ହେଲା ଗଣତନ୍ତ୍ର। ଏଠି ଧୁଆମୂଳା ଅଧୁଆ ମୂଳା ସମାନ। ବିଶି ଆଙ୍ଗୁଠି ଓ କାଣି ଆଙ୍ଗୁଠି ସହ ସବୁ ଆଙ୍ଗୁଠି ସମାନ। ଜ୍ଞାନୀ ଓ ଅଜ୍ଞାନ ସମାନ। ସମସ୍ତଙ୍କର ଗୋଟିଏ ଭୋଟ। ଗୁରୁ-ଶିଷ୍ୟ ସମାନ ହେଲେ, ଗୁରୁଜ୍ଞାନ ତ ନିରୁଦ୍ଦିଷ୍ଟ। ଏବେ ସେଇଆ ତ ନିତି ଘଟୁଛି। ‘‘ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର।’’ ରାଜଗାଦି ପାଇଁ ମୂଲଚାଲ, ହଣାକଟା! ଏଥିରେ ‘‘ଯୋ ଜିତା ୱହି ସିକନ୍ଦର’’, ‘‘Survival is the fittest”। ନୀତି ନୈତିକତା ‘ଢୋ’। ଏ ଦେଶର ସମ୍ବିଧାନ ‘ଘଡ଼ିକେ ଘୋଡ଼ା ଛୁଟିବା ଅବସ୍ଥା’। କେତେ ସଂଶୋଧନ ଏଥିରେ ହେଲାଣି ଲୋ ବୋପା! ପରିବାର ମୁଖ୍ୟର କଛାକୁ ପରିବାର ଲୋକେ ଯେବେ ଦିନକୁ ତିନିଥର ଫିଟାଇବେ, ତେବେ ଶାସନ କ’ଣ ଚାଲିବ? ‘‘ଘରର ମୁଖିଆ ହେଲେ ଆପୁଆ, ସହଜେ ସେ ଘର ନୁହେଁ ଉଠିଆ।’’ ମୋଗଲ ଶାସନ ଓ ତା’ ପରେ ଫିରିଙ୍ଗି ଶାସନରେ ପ୍ରାୟ ପାଞ୍ଚଶହ ବର୍ଷ ଧରି ଏ ଦେଶର ଜନତା, ସଂସ୍କୃତି ଓ ସଂସ୍କାର କେତେ ଉତ୍ପୀଡ଼ିତ ନ ହୋଇଛି! କେତେ ପରୀକ୍ଷାର ସମ୍ମୁଖୀନ ଏ ଦେଶ ନ ହୋଇଛି! ମାତ୍ର ଏହାର ମୌଳିକତା ଅବ୍ୟାହତ ରହିଛି। ରହିବ ମଧ୍ୟ। ମଝିରେ ମଝିରେ କିଛିଟା ମଳି ଧରିବ ହିଁ ଧରିବ। ତାକୁ ସଫା ପାଇଁ ଖଡ଼ିକା ରୂପକ ‘ଅବତାର’ ଏ ଦେଶରେ ସୃଷ୍ଟି ହୋଇ ଆସିଛନ୍ତି। ଦେଶ, କାଳ ବିଚାରାନୁଗତ ଏ ଅବତାର, କେତେବେଳେ ରାମାବତାର ତ କେତେବେଳେ ନୃସିଂହ ଅବତାର ଇତ୍ୟାଦି।
ଏବେ କୁହାଯାଉଛି ‘କଳ୍କୀ’ ଅବତାର ହେବେ। ଏଠି ଆଉ ଦି’ ଦଳିଆ କେହି ରହିବେନି। ନୀତି ନିୟମ, ନୈତିକତା ମାନୁ ନ ଥିବା, ଅନାଚାରୀ, କଦାଚାରୀ ନାମକ ମ୍ଳେଚ୍ଛଙ୍କୁ ସେ କୁଆଡ଼େ ସଂହାରିବେ। ଛାଡ଼ନ୍ତୁ ସେ ‘‘ବାରହାତ ଖଣ୍ଡାର କଳ୍କୀ’’ଙ୍କ କଥା। ଆରେ ବୋମା, ଷ୍ଟେନ୍ଗନ୍ ଯୁଗରେ ସେ ଖଣ୍ଡା ଓ ଘୋଡ଼ାରେ କିଆଁ ବୁଲିବେ କେଜାଣି!! ଏବେ ଏ ଗଣତନ୍ତ୍ରରେ ଜନତା ତ ସର୍ବଶକ୍ତିମାନ, ରାଜା ତିଆରି ଲୋକ, କିଙ୍ଗ ମେକର। ସେମାନେ ଏତେ ବେଛାପରିଆ କାହିଁକି ହଉଚନ୍ତି କେଜାଣି! ଆରେ ସରକାର ତ ତମେ ବନେଇଚ। ପୁଣି ପାଞ୍ଚବର୍ଷ ପାଇଁ। ଛାଡ଼ ତାଙ୍କୁ ପାଞ୍ଚବର୍ଷ। ଏ ପାଞ୍ଚବର୍ଷରେ ସେମାନେ କ’ଣ ଏ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଗାଦି କି ସଂସଦକୁ ଆଫ୍ରିକା ଜଙ୍ଗଲକୁ ଉଠେଇ ନେବେ? ନିକାଲିବ ତାଙ୍କୁ ସେତେବେଳେ। କଂଗ୍ରେସ ଦଳ ସମଗ୍ର ଦେଶକୁ ସ୍ବାଧୀନତା ପରଠାରୁ ଯେମିତି ଦୀର୍ଘ ଦଶନ୍ଧି ଧରି ଶାସନ କରି ଆସିଲା, ଜବାହରଲାଲ ଦୀର୍ଘ ଅଠର ବର୍ଷ କାଳ ଯେମିତି ଶାସନ କରି ଆସିଲେ, କିଏ ଜାଣିଥିଲା, ଏତେ ବଡ଼ ଜାତୀୟ ଦଳ ଦିନେ ଏମିତି କଣଠେସା ହୋଇଯିବ ବୋଲି!! ‘‘କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ।’’ ଗଣତନ୍ତ୍ରରେ ବାଦ ପ୍ରତିବାଦ ରହିବ ହିଁ ରହିବ। ସଂସଦରେ ବିରୋଧୀ ଦଳ ଅଛି। ବିରୋଧୀ ଦଳ ନେତାଙ୍କୁ ସାମ୍ବିଧାନିକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଶାସକ ଦଳ ଯେଉଁଠି ନୀତି ନିୟମ ତେଢ଼ା ହେଲେ, ତାଙ୍କୁ ଚେତେଇ ଦେବା ହିଁ ବିରୋଧୀ ଦଳର ନୈତିକ ତଥା ସାମ୍ବିଧାନିକ କର୍ତ୍ତବ୍ୟ ଏବଂ ଦାୟିତ୍ବ। ଏ ପ୍ରତିବାଦର ସ୍ବର, ଢଙ୍ଗ ମଧ୍ୟ ନିର୍ଦ୍ଧାରିତ। ଶାଳୀନତା, ଶିଷ୍ଟାଚାର ବିନା ଆଦାନ ପ୍ରଦାନ ତ ସଂଘର୍ଷକୁ ବଣା ହୋଇଯାଏ।
ଏବେ ଏ ଦେଶରେ ତା’ ଘଟୁଛି। ସାରା ଦେଶରେ ନିର୍ବାଚିତ ପ୍ରତିନିଧି ବିଧାନସଭା ଓ ସଂସଦ ପାଇଁ ଛାଇ ହୋଇ ରହିଛନ୍ତି। ସରକାରଙ୍କ ସହ ଜନତାର ଏମାନେ ସେତୁ। ମାତ୍ର ସେ ସେତୁ କାଇଁ? ଅସନ୍ତୁଷ୍ଟ ଜନତା ଆଉ ସଂସଦକୁ ମାନୁ ନାହାନ୍ତି। ସିଧା ସେମାନେ ରାଜଦାଣ୍ଡରେ। ନାଁ, ଧର୍ମଘଟ। ମାତ୍ର ସବୁ ଅଧର୍ମ ଅନ୍ୟାୟ ପନ୍ଥାର ଘଟ ବନି ଯାଇଛନ୍ତି। ଏବେ କେତେଦିନ ହେବ କୃଷକ ଆନ୍ଦୋଳନ ଦିଲ୍ଲୀରେ ଅଚଳାବସ୍ଥା ସୃଷ୍ଟି କଲାଣି। ଗାଡ଼ିେମାଟର ବନ୍ଦଠୁ ଆରମ୍ଭ କରି ନାନା ହିଂସାତ୍ମକ କାର୍ଯ୍ୟ, ସାଧାରଣ ଜନତାର ଦୈନନ୍ଦିନ ଜୀବନ ଓ ଜୀବିକାକୁ ବ୍ୟାହତ କଲାଣି। ଆରେ ୟେ କି ପ୍ରତିବାଦ? ଆଉ ଦିନ କେତେଟାରେ ନିର୍ବାଚନ ହେବ। ଶାନ୍ତ ଓ ଶିଷ୍ଟାଚାର ଭାବେ ଜନତାକୁ ଏ ସରକାରର ବିଫଳତା ବା ଅପାରଗତା ବିଷୟରେ କୁହାଯାଉ। ମାତ୍ର ସେପରି ନ କରି ରାସ୍ତାଘାଟ ବନ୍ଦ ଆଦି କାର୍ଯ୍ୟ କୁ ଗଣତାନ୍ତ୍ରିକ, କୁ ସାମ୍ବିଧାନିକ? ପୂର୍ବରୁ କୃଷକ ଆନ୍ଦୋଳନ ହୋଇଥିଲା। ସରକାରଙ୍କ ସହ ଚୁକ୍ତି ପରେ ଏ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ପୁଣି ଏବେ ଉଠିଛି। ସେମାନଙ୍କ ଦାବି ହେଲା ପୂର୍ବରୁ ସ୍ବାମୀନାଥନ୍ କମିସନ ଯେଉଁ ଚୁକ୍ତି କରିଥିଲେ, କାଇଁ ତା’ ତ ଏ ସରକାର ପୂରଣ କଲେନି!! ‘ବାୟୁ ଗଲେ ବଡ଼ ଉଶ୍ବାସ’ ହେଲା ସରକାରୀ ନୀତି। ତେଣୁ ଏ ପରିସ୍ଥିତି ଉଦ୍ଭବ ହେଉଛି। ବାଣିଜ୍ୟ ପରେ କୃଷିର ମର୍ଯ୍ୟାଦା ରହିଛି। ମାତ୍ର ଶିଳ୍ପାୟନ ନାରାରେ କୃଷି ପ୍ରତି ଆଭିମୁଖ୍ୟ ଗୁରୁତ୍ବ ପାଇଲା ନାହିଁ? ସ୍ବର୍ଗତ ଶାସ୍ତ୍ରୀଜୀ ‘‘ଜୟ ଯବାନ ଜୟ କିଷାନ’’ ନାରା ଏ ଦେଶରେ ସୃଷ୍ଟି କଲେ, ମାତ୍ର କାଇଁ ତା’ କୁ ଫଳପ୍ରଦ ହେଲା? କୃଷକ ଓ ଶ୍ରମିକ, ଶୋଷଣର ଶିକାର ବୋଲି ଅଭିଯୋଗ ହୋଇ ଆସୁଛି। ବାରମ୍ବାର ସେମାନଙ୍କ ଦ୍ବାରା ଧର୍ମଘଟ, ଧାରଣା ଓ ପ୍ରତିବାଦ ହୋଇ ଆସୁଛି। କାଇଁ ଆଇ.ଏ.ଏସ୍. ଆଇ.ପି.ଏସ୍ମାନଙ୍କ ଧାରଣା ତ ନାହିଁ!! ଦେଶର ଦରମା ଓ ସୁବିଧା ବ୍ୟବସ୍ଥାରେ ଆଦୌ ସନ୍ତୁଳନ ନ ଥିବା ଏଥିରୁ ସ୍ପଷ୍ଟ। ସରକାର ଏକୁ ଗୁରୁତ୍ବ ନ ଦେଲେ ତାଙ୍କ ସମୟତକ ସିନା ମାଡ଼ିମକଚି ଚଳିଯିବେ, ମାତ୍ର ସବୁଦିନକୁ କୋଉ ଆତେଇବେ? ‘‘ଭାବିଛ କି ଏହି ଦୀପ ନ ଲିଭିବ, ବିସ୍ମୃତି ଅନ୍ଧାରେ ସଦା ଜଳୁଥିବ?’’ ‘‘ଯେ ପଖାଳ ଖାଇଛି ସେ ତବତ ଖାଉ, ଯେ କିଛି ନ ଖାଇଛି ଓପାସ ଶୋଉ?’’ ୟେ କ’ଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ଭେଇବ? ଆଦୌ ନୁହଁ। ସମୟ ବଡ଼ ବଳବାନ। ଜୟ ଜଗନ୍ନାଥ।
Comments are closed.