‘ସାରସ୍ୱତ ପୂର୍ବଜଙ୍କ ତ୍ୟାଗ ଓ ପରିକ୍ରମାରୁ ଓଡ଼ିଆ ଭାଷା ପରିବର୍ଦ୍ଧିତ ହୋଇଛି ’

ବଡ଼ମ୍ବା: ରାଜ୍ୟରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସାରସ୍ୱତ ସମାରୋହ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରମେଶ କୁମାର ଜେନାଙ୍କ  ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ମୁଖ୍ୟ ଅତିଥି ବିଧାୟକ ଦେବୀପ୍ରସାଦ ମିଶ୍ର ଉଦ୍ଘାଟନ କରିଥିଲେ। ବିଧାୟକ ଶ୍ରୀ ମିଶ୍ର ଏହି ଅବସରରେ ଭାଷା ଆନ୍ଦୋଳନ ଜରିଆରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ କରାଇଥିବା ଯଶସ୍ୱୀ ସାଧକଙ୍କ ସ୍ମୃତିଚାରଣ କରିଥିଲେ। ସେହିଭଳି ଅନେକ ସାରସ୍ୱତ ପୂର୍ବଜଙ୍କ ତ୍ୟାଗପୂତ ସାଧନା ଓ ନୌବାଣିଜ୍ୟ ଜରିଆରେ ଦେଶବିଦେଶ ପରିକ୍ରମା ଜରିଆରେ ଓଡ଼ିଆ ଭାଷା ପରିବର୍ଦ୍ଧିତ ହୋଇପାରିଛି ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ।

prayash

ଉତ୍ସବରେ ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ,ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା,ଜିଲାପରିଷଦ ରବିନ୍ଦ୍ର କୁମାର ସାହୁଙ୍କ ସମେତ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ କବି ଦୁର୍ଯ୍ୟୋଧନ ବରାଳ,ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି,ଜଗନ୍ନାଥ ବାରିକ, ଶାରଦାନନ୍ଦ ଦାଶ,ସିଡିପିଓ ନମିତା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି କାର୍ଯ୍ୟକ୍ରମ ଅବସରରେ ‘ଗତିଶୀଳ ସାହିତ୍ୟରେ ଓଡ଼ିଆ ଭାଷାର ପ୍ରଭାବ’ ଶୀର୍ଷକ ଆଲୋଚନା ଚକ୍ର ସହିତ କବିତା ପାଠ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ଯୋଗଦେଇ ଓଡ଼ିଆ ଅଧ୍ୟାପିକା ସରିତା ସାହୁ କବିତା ପାଠ ଓ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପିକା ଡ.ସୁବାଷିନୀ ସାହୁ ଶିର୍ଷକ ଆଲୋଚନା ଉପରେ ବିଶ୍ଳେଷଣ କରିଥିଲେ। ସେହିଭଳି ଶିକ୍ଷାବିତ୍ ବ୍ରଜବନ୍ଧୁ ସାହୁ,ଶ୍ରୀନିବାସ ପ୍ରଧାନ,କୃଷ୍ଣଚରଣ ରାଉତ,ମନମୋହନ ରାଉତ,ସରୋଜକାନ୍ତ ବଳିଆରସିଂହ,ସୁଦାମ ସୋଲେମନ ଗୋଛି ପ୍ରମୁଖ ଓଡ଼ିଆ ଭାଷାର ଉତ୍ପତି ଓ ବିକାଶ ଉପରେ ଆଲୋକପାତ କରିଥିବା ବେଳେ ଶିକ୍ଷୟତ୍ରୀ ଅନୀମା ମହାପତ୍ରଙ୍କ ସମେତ ଶ୍ରୀନିବାସ ଶତପଥୀ,ସୁଶୀଲ କୁମାର ଜେନା, ସଞ୍ଜୟ ସାହୁ,ସ୍ୱର୍ଣ୍ଣଲତା ଲେଙ୍କା, ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ।

ସମସ୍ତ ଅତିଥି ,ବକ୍ତା ଓ କବୟତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ପଣ୍ଡିତ ସୂର୍ଯନାରାୟଣ ମିଶ୍ରଙ୍କୁ ମରଣୋତ୍ତର ପୁରଷ୍କାରରେ ସମ୍ମାନିତ କରାଯାଇଥିଲା। ସର୍ଗତ ମିଶ୍ରଙ୍କ ପୁତ୍ର ସାମ୍ବାଦିକ ଗିରିଜା ପ୍ରସାଦ ମିଶ୍ର ଏହାକୁ ଗ୍ରହଣ କରିଥିଲେ। ଶେଷରେ ଆଞ୍ଚଳିକ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ବ୍ଲକ ମିଶନଶକ୍ତିର କାର୍ଯ୍ୟକ୍ରମ ପରିଚାଳିକା ମୋନାଲିସା ତ୍ରିପାଠୀ ଏବଂ ମିଶନ ଶକ୍ତିର ସଂଯୋଜକ ଅଧିକାରୀ ରାକେଶ ରାଉତ ଏହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.