କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ସଫଳତାର ମୂଳ ମନ୍ତ୍ର-୫ଟି ଅଧ୍ୟକ୍ଷ
କେନ୍ଦୁଝରରେ ନୂଆ-ଓ ଉତ୍ସବ
କେନ୍ଦୁଝରଗଡ: ଜୀବନରେ ସଫଳତା ହାସଲ କରିବାକୁ ହେଲେ ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ୫ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ୫ବର୍ଷ ମଧ୍ୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ କଠିନ ଅଧ୍ୟବସାୟ ଓ ଦୃଢ଼ ଆତ୍ମବିଶ୍ୱାସର ସହ ଶିକ୍ଷା ଲାଭ କରିବାକୁ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଏହା କହିଛନ୍ତି। ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ଖେଳ ପଡିଆରେ ରବିବାର ଆୟୋଜିତ ଜିଲାସ୍ତରୀୟ ନୂଆ-ଓ ଉତ୍ସବରେ ଶ୍ରୀ ପାଣ୍ଡିଆନ ଯୋଗଦେଇ ଜୀବନରେ ସଫଳତା ହାସଲ କରିବାକୁ ହେଲେ କଠିନ ଅଧ୍ୟବସାୟ, ଦୃଢ଼ ଆତ୍ମବିଶ୍ୱାସ, ସାମାଜିକ ଗଣମାଧ୍ୟମରୁ ନିଜକୁ ୧ଘଣ୍ଟା ମଧ୍ୟରେ ସୀମିତ ରଖିବା, ନିଜକୁ ଫିଟ୍ ରଖିବା, ଦୈନିକ ଅତିକମରେ ୧୫ମିନିଟ୍ ଧ୍ୟାନମଗ୍ନ ହେବା, ପିତା-ମାତା, ଗୁରୁ ଓ ଗୁରୁଜନ ମାନଙ୍କୁ ସମ୍ମାନ ପ୍ରର୍ଶନ କରିବା ଆଦି ୬ସୂତ୍ରୀ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।
କେନ୍ଦୁଝର ଜିଲାର ସୁଯୋଗ୍ୟ ସନ୍ତାନ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆ ଓ ଜାତୀୟସ୍ତରର କ୍ରିକେଟ ଖେଳାଳୀ ଶୁଭ୍ରାଂଶୁ ସେନାପତିଙ୍କ ଉଦାହାରଣ ଦେଇ କିଭଳି କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ବଳରେ ଜିଲାର ଏହି ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜି ପାରିଛନ୍ତି ତାହା ଉଦାହରଣଛଳରେ କହିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନେଇ ଯେଭଳି ଭାବେ ଏହାର ଭିତ୍ତିଭୂମି ବିକାଶ ସହ ଶିକ୍ଷାଦାନ ଏବଂ ଛାତ୍ରଛାତ୍ରୀଙ୍କ ଅର୍ନ୍ତନିହିତ ଗୁଣାବଳୀର ବିକାଶ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଅର୍ନ୍ତନିହିତ ଗୁଣାବଳୀର ବିକାଶ ହୋଇପାରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉନ୍ମାଦନା ଆଣି ଦେଇଥିବା ବେଳେ ଏହାକୁ ପ୍ରତିବର୍ଷ ଜାରି ରଖାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଜିଲାର କୋଣ ଅନୁକୋଣରୁ ୧୦ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଜିଲା ପ୍ରଶାସନର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।
ଆଜକୁ ୭ମାସ ତଳେ କେନ୍ଦୁଝର ଜିଲା ଗସ୍ତରେ ଆସି ଗ୍ରହଣ କରିଥିବା ଅଭିଯୋଗ ମଧ୍ୟରୁ ୯୦ପ୍ରତିଶତ ଅଭିଯୋଗର ସମାଧାନ ସହ କେନ୍ଦୁଝର ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୭୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ଘଟଗାଁସ୍ଥିତ ମା’ ତାରିଣୀ ପୀଠର ବିକାଶ ପାଇଁ ୫୦କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ସିତାବିଞ୍ଜ, ଗୁଣ୍ଡିଚାଘାଗୀ, ଗୋନାସିକା ଆଦି ପର୍ଯ୍ୟଟନକେନ୍ଦ୍ରର ବିକାଶ ପାଇଁ ମଧ୍ୟ ଅର୍ଥ ମଞ୍ଜୁର ହୋଇସାରିଛି। ସଦର ବ୍ଲକ ସିଲିସୁଆଁ ପଡିଆ ଠାରେ ରବିବାର ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗଦେଇ ଉପରୋକ୍ତ ସୂଚନା ପ୍ରଦାନ ସହ ରାଜ୍ୟ ସରକାର ଲୋକଙ୍କ ସରକାର। ଲୋକ ମାନେ ଯାହା ଚାହିଁବେ ସେୟା କରିବେ ବୋଲି କହିବା ସହ ଆଜି ତାଙ୍କର ହସ୍ତଗତ ହୋଇଥିବା ବିଭିନ୍ନ ଅଭିଯୋଗ ଓ ଦାବି ଆସନ୍ତା ୧୦ଦିନ ମଧ୍ୟରେ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ୍, କାମରେ ଅଧିକ କରି ଦେଖାଇଥାନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିବା ସହ କେନ୍ଦୁଝର ଜିଲାର ବିକାଶ ପାଇଁ ୧୩୩୧୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ବୋଲି କହିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତ୍ୟେକ ବକ୍ତି ଯେଭଳି ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ନହୁଏ ତାହାକୁ ଆଖି ଅଗରେ ରଖି ବିଏସ୍କେୱାଇ ନବୀନ କାର୍ଡ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ହୋଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। କେନ୍ଦୁଝର ଜିଲାର ପ୍ରତି ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଯାତାୟାତ ସୁବିଧା ନିମନ୍ତେ ଆସନ୍ତା ମାସକ ମଧ୍ୟରେ ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏଥିରେ ଯାତ୍ରା କରୁଥିବା ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମାତ୍ର ୫ଟଙ୍କା ଭଡା ଦେବାକୁ ପଡିବ ବୋଲି କହିଥିଲେ। ସେହିଭଳି ଗ୍ରାମାଞ୍ଚଳ ଲୋକଙ୍କୁ ହାତପାହାନ୍ତାରେ ଆର୍ଥୀକ କାରକାର ଲକ୍ଷ୍ୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ଏଥିରେ ମିଶନ ଶକ୍ତିର ମା’ମାନେ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି କହିଥିଲେ। ମଧୁବାବୁ ପେନସନ ଯୋଜନାରେ ବିଭିନ୍ନବର୍ଗର ହିତାଧିକାରୀଙ୍କୁ ମିଳୁଥିବା ଭତ୍ତାର ପରିମାଣ ମଧ୍ୟ ଖୁବ୍ ଶିଘ୍ର ରାଜ୍ୟ ସରକାର ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
Comments are closed.