ହତ୍ୟାକାରୀକୁ ଆଜୀବନ ଜେଲ

କେନ୍ଦୁଝରଗଡ଼: ଏକ ହତ୍ୟାକାଣ୍ଡ ମାମଲାର ଚୂଡାନ୍ତ ଶୁଣାଣୀ କରି ଅତିରିକ୍ତ ଜିଲା ଜଜ୍‍ କେନ୍ଦୁଝର ଅଭିଯୁକ୍ତ ଦନାର ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପାଟଣା ଥାନା ଖମୁଆ ଜାମପୋଷି ଗ୍ରାମର ରାମାଇ ମୁଣ୍ଡା ଓ ଚମ୍ପା ମୁଣ୍ଡାଙ୍କ ବିବାହିତ ଝିଅକୁ ପଡୋଶୀ ଦନାର ମୁଣ୍ଡା (୩୪) ଆଣି ନିଜ ପାଖରେ ରଖିଥିଲା। କିଛିଦିନ ପରେ ଦନାର ସମ୍ପୃକ୍ତ ମହିଳାଙ୍କୁ ବାପ ଘରକୁ ଚାଲିଯିବାକୁ କହିବାରୁ ରାମାଇ ଓ ତାଙ୍କ ସ୍ତ୍ରୀ ଚମ୍ପା ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ଦନାର ୭ ସେପ୍ଟେମ୍ବର ୨୦୧୯ ରାତିରେ ରାମାଇଙ୍କ ଘରେ ପଶି ହାମାର ସାହାର୍ଯ୍ୟରେ ରାମାଇ ଓ ଚମ୍ପାକୁ ଅମାନୁଷିକ ଭାବେ ହତ୍ୟା କରିଥିଲା।

prayash

ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ତହିଁ ପରଦିନ ଅଭିଯୋଗ ହେବାପରେ ପୁଲିସ ଅଭିଯୁକ୍ତ ଦନାରକୁ ୧୨ ସେପ୍ଟେମ୍ବରରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ମୋଟ ୧୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଜଜ୍‍ କେନ୍ଦୁଝର ମମିତା ଦାସ ଅଭିଯୁକ୍ତ ଦନାରକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି. ପ୍ରଫୁଲ୍ଲ କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Comments are closed.