ମନ ଓ ଶରୀର ଉପରେ ସଙ୍ଗୀତର ପ୍ରଭାବ

ଅମ୍ବିକା ପ୍ରସାଦ କାନୁନ୍‌ଗୋ

ମନ ସହିତ ସଙ୍ଗୀତର ନିବିଡ଼ ସମ୍ପର୍କ ରହିଛି। ସଙ୍ଗୀତର ମୂର୍ଚ୍ଛନା ବ୍ୟକ୍ତିର ହୃଦୟତନ୍ତ୍ରୀକୁ ସ୍ପର୍ଶ କରିବା ସହିତ ମନକୁ ଗଭୀରଭାବେ ପ୍ରଭାବିତ କରିଥାଏ ଏବଂ ସ୍ବରରେ ଥିବା ମନଛୁଆଁ ଆକର୍ଷଣ ବ୍ୟକ୍ତିକୁ ବେଳେବେଳେ ଭାବବିହ୍ବଳିତ କରିଦିଏ। ପ୍ରତିଦିନ ସନ୍ଧ୍ୟାରେ ଗାଁ ମନ୍ଦିର, ଗ୍ରାମ ଦେବତୀ ଓ ଭାଗବତ ଘରେ ବାଜୁଥିବା ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ବନିର ତରଙ୍ଗ କାନରେ ବାଜିଲେ ଦିନଯାକର କ୍ଳାନ୍ତ କେବଳ ମେଣ୍ଟିଯାଏ ନାହିଁ, ଭାରାକ୍ରନ୍ତ ମନକୁ ମଧ୍ୟ ହାଲୁକା କରିଦିଏ।
ସହରୀ ଜୀବନରେ ଆମେ, ଏବେ ସେହି ପରମ୍ପରାକୁ ପାସୋରି ଦେଇଛୁ। ମାତ୍ର କେତେକ ଗାଁରେ ଏହି ପରମ୍ପରା ଏବେ ବି ଚାଲିଛି। ସାଧାରଣତଃ ସହରୀ ଜୀବନରେ କ୍ଳାନ୍ତହୋଇ ଅଫିସରୁ ଫେରିବା ପରେ ଟିଭି ଖୋଲି ଆମେ ବସିଯାଉଛୁ। ଟିଭିର କାର୍ଯ୍ୟକ୍ରମ ମନକୁ ଟିକେ ଚହଲେଇ ଦିଏ ସିନା, ଶରୀର ପାଇଁ ଆଦୌ ଲାଭଦାୟକ ନୁହେଁ।

ସଙ୍ଗୀତର ସାତ ସୁରେ ଜୀବନ ବନ୍ଧା :
ସଙ୍ଗୀତର ସାତ ସୁରେ (ସା ରେ ଗା ମା ପା ଧା ନି) ବନ୍ଧା ଏ ଜୀବନ । ଗବେଷକମାନଙ୍କ ମତରେ ପ୍ରତି ସୁରର ସୁପ୍ରଭାବ ମଣିଷର ମନ ଓ ସ୍ନାୟୁ ଉପରେ ରହିଛି। ପାଶ୍ଚାତ୍ୟ ମନୋବ୍ୟାଧି ଚିକିତ୍ସା ବିଶେଷଜ୍ଞ ତଥା ଗବେଷକ, ମାଇକେଲ ହେଡ଼ରିକଙ୍କ ମତରେ ନିୟମିତ ନିଜ ପସନ୍ଦର ଗୀତ ଶୁଣିଲେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସନ୍ତୁଳିତ ହୋଇ ରହିବା ସହିତ ସ୍ମରଣଶକ୍ତି ସ୍ଥିତିକୁ ଠିକ୍ ରଖିଥାଏ। ସଙ୍ଗୀତର ତରଙ୍ଗ ବୟସ୍କ ବ୍ୟକ୍ତି,ବାର୍ଦ୍ଧକ୍ୟ ଜନିତ ମସ୍ତି‌ସ୍କ ରୋଗ (ଆଲଜିମର), ଉଚ୍ଚ ରକ୍ତଚାପ, ଆବେଗ ଓ ଉଦବେଗ ଜନିତ ଚାପ ଆଦି ରୋଗରୁ ସୁସ୍ଥ ଅବସ୍ଥାକୁ ଫେରାଇ ଆଣିବାର ସହାୟତା କରିଥାଏ। ଶାସ୍ତ୍ରୀୟ ସଙ୍ଗୀତ ନିୟମିତ ଶୁଣିବା ଦ୍ବାରା ବ୍ୟକ୍ତିର ଧୀଶକ୍ତି ପ୍ରଖର ହୋଇଥାଏ ।

ଆପଣମାନଙ୍କ ଅନୁଭବ:
ସକାଳୁ ବିଛଣା ଛାଡ଼ିଲାବେଳକୁ ଜଣାଣ, ଭଜନ, ଓ ଗାୟତ୍ରୀ ମନ୍ତ୍ର ଆଦି ଶୁଣିଲେ ମନ ଭିତରେ ଏକ ଆଧ୍ୟାତ୍ମିକ ଚେତନା ସୃଷ୍ଟିକରିଥାଏ ଏବଂ ସେହି ଦିନଟି ଭଲରେ କଟିଥିବା ନେଇ ଅନେକଙ୍କ ମତ ଦିଅନ୍ତି।

ମସ୍ତିଷ୍କ ସ୍ନାୟୁକୋଷ ସହ ଶରୀର ଶିରା-ପ୍ରଶିରା ସଂଲଗ୍ନ:
ସାଧାରଣତଃ ମଣିଷ ଶରୀର‌ରେ ଯେତେ ଶିରା ପ୍ରଶିରା ରହିଛି ତାହା ମସ୍ତିଷ୍କରେ ଥିବା ସ୍ନାୟୁକୋଷ ସହ ସଂଲଗ୍ନ ହୋଇଥାଏ। ବାର୍ଦ୍ଧକ୍ୟଜନିତ ହେଉ କିମ୍ବା ଅନ୍ୟ କେଉଁ କାରଣରୁ ହେଉ ସ୍ନାୟୁକୋଷ ନିଷ୍କ୍ରିୟ କିମ୍ବା ଦୁର୍ବଳ ହୋଇପଡ଼େ ସେତେବେଳେ ସେହି ସ୍ନାୟୁକୋଷ ସହ ସଂଲଗ୍ନ ଶିରା ପ୍ରଶିରାରେ ରକ୍ତପ୍ରବାହ ଧିମେଇ ଯାଏ। ଫଳରେ ଶରୀରରେ କେତେକ ସମସ୍ୟା ସୃଷ୍ଟିହୁଏ ଏବଂ ଚିକିତ୍ସା ଆବଶ୍ୟକ ହୋଇପଡ଼େ।

ଶବ୍ଦତରଙ୍ଗ କିପରି କାମ କରେ:
ଗୀତଟିଏ ଟିଭି, ରେଡ଼ିଓ କିମ୍ବା କେହି ବୋଲେ ‌ ତା’ର ଶବ୍ଦ ବାୟୁମଣ୍ଡଳ ବା ଇଥରରେ ଏକ ତରଙ୍ଗ ସୃଷ୍ଟିକରେ। ଏହି ଶବ୍ଦ ବାୟୁମଣ୍ଡଳରେ ବୃତ୍ତକାର ଆକାରରେ ତରଙ୍ଗ ସୃଷ୍ଟିକରି କ୍ରମେ ସମ୍ପ୍ରସାରିତ ହୋଇଚାଲେ। ଏହି ଶବ୍ଦତରଙ୍ଗ ଯେତେବେଳେ ବ୍ୟକ୍ତିର ଶ୍ରବଣେନ୍ଦ୍ରିୟକୁ ସ୍ପର୍ଶକରେ ସେତେବେଳେ ଶ୍ରବଣେନ୍ଦ୍ରିୟ (କାନର ଗହ୍ବରରେ ଥିବା ଗିର) ସୂକ୍ଷ୍ମ ପରଦାର ବିଭିନ୍ନ ଭାଗରେ ଏହା କମ୍ପନ ବା ଶବ୍ଦଘାତ ସୃଷ୍ଟି କରେ ଏବଂ ସେଥିରୁ ସୃଷ୍ଟିହେଉଥିବା ଶବ୍ଦତରଙ୍ଗ ମସ୍ତିଷ୍କରେ ଥିବା ବିଭିନ୍ନ ସ୍ନାୟୁକୋଷରେ ସୂକ୍ଷ୍ମ ଆଘାତ କରିଥାଏ। ସେହି ଆଘାତ ଫଳରେ ସମ୍ପୃକ୍ତ ସ୍ନାୟୁକୋଷଗୁଡ଼ିକ ସକ୍ରିୟ ହୋଇଯାଏ ଏବଂ ସ୍ନାୟୁକୋଷ ସହିତ ଯୋଡ଼ିହୋଇଥିବା ଶିରା ପ୍ରଶିରା କ୍ରିୟାଶୀଳ ହୋଇ ପୂର୍ବଭଳି କାର୍ଯ୍ୟକରିବା ଆରମ୍ଭ କରିଦିଏ, ଫଳରେ ସ୍ନାୟୁ ନିଷ୍କ୍ରିୟତା ଯୋଗୁଁ ଶରୀରରେ ସୃଷ୍ଟି ହୋଇଥିବା କେ​‌େ​‌ତକ ରୋଗରୁ ବ୍ୟକ୍ତିକୁ ଉପଶମ ମିଳିଥାଏ।

prayash

ସଙ୍ଗୀତର ପ୍ରକାର ଭେଦ:
ସାଧାରଣତଃ ସଙ୍ଗୀତର ପ୍ରକାର ଭେଦ ଅନେକ ରହିଛି। ସଙ୍ଗୀତର ପ୍ରତ୍ୟେକ ଧାରା, ଶବ୍ଦର ତରଙ୍ଗ ଓ ଗତି ଭିନ୍ନ ଭିନ୍ନ। ସ୍ବର ସ୍ନାୟୁକୋଷରେ ନାନାପ୍ରକାର ତରଙ୍ଗ ସୃଷ୍ଟିକରେ। ଅନୁଭବୀମାନେ କହନ୍ତି ଯେ,ଭକ୍ତିସଙ୍ଗୀତର ସୁର, ମନରେ ତନ୍ମୟତା ଓ ତଲ୍ଲୀନତା ଭାବ ସୃଷ୍ଟିକରିବା ବେଳେ ଦେଶାତ୍ମବୋଧକ ସଙ୍ଗୀତ ମନରେ ବୀରତ୍ବ ଓ ଦେଶପ୍ରେମର ଭାବ ଜାଗ୍ରତ କରିଥାଏ। ଦୁଃଖ ବା ଦରଦୀ ଭାବର ସଙ୍ଗୀତ ହୃଦୟର ସମସ୍ତ ପ୍ରକାର ଉତ୍ସାହ ଓ ଉଦ୍ଦୀପନାକୁ ନିୟନ୍ତ୍ରଣକରି ମଣିଷକୁ ଭିନ୍ନ ଏକ ଭାବନା ଜଗତକୁ ନେଇଯାଏ। ସେହିପରି ପ୍ରେମ ଓ ପ୍ରଣୟର ସଙ୍ଗୀତ ମନରେ ଏକ କାଳ୍ପନିକ ରେମାଞ୍ଚକର ଭାବ ସୃଷ୍ଟିକରିଥିବା ବେଳେ ମନପସନ୍ଦର ଚଳଚ୍ଚିତ୍ର ଗୀତଟିଏ ଶୁଣିଲେ ମନ ଖୁସିହୋଇଯାଏ। ପାଶ୍ଚାତ୍ୟ ପପ୍ ସଙ୍ଗୀତ ଓ ଯାଜ୍ ସଙ୍ଗୀତର ଶବ୍ଦ ତରଙ୍ଗ ଯୁବଗୋଷ୍ଠୀଙ୍କ ମନରେ ଉଦ୍ଦାମତା ଭରିଦିଏ। ଶରୀରର ଶିରା ପ୍ରଶିରାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ। ‌ ମନକୁ ଉତଫୁଲ୍ଲିତ କରିଥାଏ।

ଗବେଷକଙ୍କ ମତ:
ବିଶିଷ୍ଟ ପାଶ୍ଚାତ୍ୟ ଗବେଷକ ଏଲିନା ମାନେସଙ୍କ ଅନୁଯାୟୀ ସଙ୍ଗୀତର ପ୍ରଭାବ ମନ ଉପରେ ଅଧିକ । କେବଳ ସଙ୍ଗୀତର ସ୍ବର ନୁହେଁ, ସଙ୍ଗୀତ ସହ ବ୍ୟବହୃତ ବାଦ୍ୟଯନ୍ତ୍ର ଯଥା ବଂଶି, ଗିଟାର, ପିଆନୋ, ହାରମୋନିୟମ ଓ ଭାଓଲିନ୍ ଆଦିରୁ ଯେଉଁ ଶବ୍ଦତରଙ୍ଗ ସୃଷ୍ଟି ହୁଏ, ତାହା ନିୟମିତ ଭାବେ ଶୁଣିଲେ ବ୍ୟକ୍ତିର ବୌଦ୍ଧିକ ଶକ୍ତିକୁ ଅଧିକ ପ୍ରଖର କରିବାରେ ସହାୟକ ହୋଇଥାଏ। ସେ ଦର୍ଶାଇଛନ୍ତି ଯେ ହୃଦଘାତ ଫଳରେ ଜଣେ ବ୍ୟକ୍ତିଙ୍କର ମସ୍ତିଷ୍କରେ କିଛି ସ୍ନାୟୁକୋଷ ଅଚଳ ହୋଇଯିବା ଯୋଗୁଁ ସେ ବାକ୍ ଶକ୍ତି ହରାଇଥିଲେ ମାତ୍ର କିଛିଦିନ ଧରି ନିୟମିତ ପାଶ୍ଚତ୍ୟ ଶାସ୍ତ୍ରୀୟ ସଙ୍ଗୀତର ତରଙ୍ଗ କାନରେ ବାଜିବାରୁ କ୍ରିୟାଶୂନ୍ୟ ହୋଇପଡ଼ିଥିବା ମସ୍ତିଷ୍କକର କିଛି ସ୍ନାୟୁକୋଷ କ୍ରମଶଃ ସକ୍ରିୟ ହୋଇଥିଲା, ସେ କଥା କହିବାର ଶକ୍ତି ଫେରିପାଇଥିଲେ।

ସଙ୍ଗୀତରେ ରହିଛି ବିମୋହନ ଶକ୍ତି:
ସଙ୍ଗୀତର ଶିଶୁ, ପଶୁ, ମଣିଷ ଏପରି କି ବିଷଧର ସର୍ପକୁ କିଛି ସମୟ ପାଇଁ ବିମୋହିତ କରି ରଖିବାର କ୍ଷମତା ରହିଛି। ଗାଁ ଗହଳିରେ ‘ମା’ ମାନେ ଅଝଟ ଛୋଟ ପିଲାଙ୍କୁ “ଧୋରେ ବାୟା ଧୋ” ଗୀତ ଶୁଣାଇ ଶୋଇ ଦେଉଥିଲେ। ଇତିହାସ ଦେଖିଲେ ଜଣାଯାଏ ଯେ, ଆକବରଙ୍କ ଦରବାରରେ ପ୍ରସିଦ୍ଧ ସଙ୍ଗୀତଜ୍ଞ ‘ତାନସେନ’ଙ୍କ ସଙ୍ଗୀତ ‘ମେଘମହ୍ଲାର’ ସୃଷ୍ଟିକରିପାରୁଥିଲା, ଫଳରେ ମେଘ ଧରାକୁ ଛୁଇଁପାରୁଥିଲା।

ଗବେଷକ ପ୍ରଫେସର ଡାନିଆଲ ମୋନାର୍ଡ଼ଙ୍କ ଗବେଷଣାର ତଥ୍ୟ ଅନୁଯାୟୀ ସଙ୍ଗୀତର ତରଙ୍ଗ ଶରୀରର ଉତ୍ତେଜିତ ସ୍ନାୟୁର ପ୍ରଭାବ, ଶରୀର ଓ ରୋଗ ଉପରେ ଅନେକ ରହିଛି। ମଧୁରସ୍ବର ସ୍ନାୟୁରେ ଆହ୍ଲାଦ ସୃଷ୍ଟିକରିବା ସହିତ ମନକୁ ଉତ୍‌ଫୁଲ୍ଲିତ କରିଥାଏ, ପ୍ରଭାବରେ ମଣିଷ ଦୁଃଖ ଓ ସନ୍ତାପ ଭୁଲିବାକୁ ସକ୍ଷମ ହୁଏ।

ଅନେକ ପରୀକ୍ଷା ନିରୀକ୍ଷା ପରେ ଏବେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସଙ୍ଗୀତର ପ୍ରୟୋଗ ଦ୍ବାରା ଅନେକ ସୁଫଳ ମିଳିଛି। ମାନସିକ ଏବଂ ବିଭିନ୍ନ ରୋଗର ଚିକିତ୍ସାରେ ସଙ୍ଗୀତକୁ ଉପଯୋଗ କରାଯାଇ ରୋଗୀର ମୁହଁରେ ହସ ଫୁଟାଯାଇ ପାରୁଛି। ଏବେ ବଡ଼ ବଡ଼ ବେସରକାରୀ ସଂସ୍ଥା, ବ୍ୟାଙ୍କ, ଆଇ ଟି କାର୍ଯ୍ୟାଳୟ, ବିମାନ ଆଦିରେ କର୍ମଚାରୀ ଓ ଗ୍ରାହକଙ୍କ ମନକୁ ଖୁସ୍ ରଖିବା ପାଇଁ, କ୍ଷୀଣ ସ୍ବରରେ ମନମତାଣିଆ ଗୀତ ବଜାଯାଉଛି।

ମନସ୍ତତ୍ତ୍ବବିତ୍ ଏଲିନ୍ ମାନେସ ମତରେ ଜଣେ ବ୍ୟକ୍ତି ପସନ୍ଦର ସଙ୍ଗୀତ ବାରମ୍ବାର ଶୁଣିବାଦ୍ବାରା ମନର ସ୍ଥିତିରେ ତାର ପରିବର୍ତ୍ତନ ଆସେ, ସେ ଉତଫୁଲ୍ଲିତ ହୁଏ। ମନ ଖୁସ୍ ରହିଲେ ମନବଳ ଦୃଢ ହୋଇଯାଏ ଓ ଏହାର ସୁପ୍ରଭାବ ଶରୀର ଉପରେ ପଡ଼େ। ରୋଗୀ ଆରୋଗ୍ୟ ଲାଭକରେ। ।

kalyan agarbati

Comments are closed.