ଲକ୍ଷ୍ମୀ ପରିବହନ କୁଇଜ୍ କାର୍ଯ୍ୟକ୍ରମ ସାର୍ବଜନୀନ ପରିବହନ ବ୍ୟବହାର ଦ୍ୱାରା ଏକ ସବୁଜ ପରିବେଶ ସମ୍ଭବ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସାର୍ବଜନୀନ ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଭୁବନେଶ୍ୱରରେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଜ୍ଞାନର ଆଦାନ ପ୍ରଦାନର ଏକ ଉତ୍ସବ। ନିରନ୍ତର ପରିବହନ ସମ୍ବନ୍ଧୀୟ ସମାଧାନ ବିଷୟରେ ବାର୍ତ୍ତାଳାପରେ ଯୁବ ପିଢ଼ିକୁ ସାମିଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯୁବପିଢ଼ିମାନଙ୍କ ମଧ୍ୟରେ ପରିବହନ ସମ୍ପର୍କିତ ସଚେତନତା ସୃଷ୍ଟି କରିବାର ଏହା ଏକ ଉତ୍ତମ ମାଧ୍ୟମ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପରିବହନ ସମ୍ପର୍କିତ ବିଷୟବସ୍ତୁ ଉପରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇବେ। ସେ ଲକ୍ଷ୍ମୀ ବସର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଓ ସାର୍ବଜନୀନ ପରିବହନ ବ୍ୟବହାର କରି ଏକ ସବୁଜ ପରିବେଶ ଗଠନ କରିବାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ବହୁ ଛାତ୍ରଛାତ୍ରୀମାନେ କୁଇଜ୍ ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଲେ ଯେ ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଏବଂ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଲକ୍ଷ୍ମୀ ବସ୍ ଯୋଜନା ସକାରାତ୍ମକ ପ୍ରଭାବ ପକାଉଛି। ପ୍ରଖ୍ୟାତ କୁଇଜ୍ ମାଷ୍ଟର ବିଭାସ ରଥ ଦକ୍ଷତାର ସହ ଏହି କୁଇଜ୍ ପରିଚାଳନା କରିଥିଲେ।
କୁଇଜ୍ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା -ପ୍ରିଲିମ୍ ଏବଂ ଫାଇନାଲ୍। କୁଇଜ ପ୍ରତିଯୋଗିତା ବ୍ୟତୀତ ଏକ ଆକର୍ଷଣୀୟ ନୁକଡ ନାଟକ ପରିବେଷିତ ହୋଇଥିଲା, ଯାହା ସାର୍ବଜନୀନ ପରିବହନ ଏବଂ ସମାଜରେ ଲକ୍ଷ୍ମୀ ବସ ଯୋଜନାର ପ୍ରଭାବକୁ ଜୀବନ୍ତ କରିଥିଲା। ଏଥିସହ ଲକ୍ଷ୍ମୀ ଯୋଜନାର ବୈପ୍ଳବିକ ଆଭିମୁଖ୍ୟ ଏବଂ ଉପକାରିତାକୁ ଦର୍ଶାଯାଇ, ଏହାର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନିରନ୍ତର ପରିବହନ କ୍ଷେତ୍ରରେ ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ଠାରୁ ଆରମ୍ଭ କରି ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।
ଶେଷରେ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରଥମେଶ୍ ଗୌରବ ଓ ସ୍ନେହାଂଶ ଦାସ୍ ପ୍ରଥମ ହୋଇଥିବାବେଳେ ଡିଏଭି ୟୁନିଟ୍ ୮ର ଦିବ୍ୟଜ୍ୟୋତି ସେନାପତି ଓ ଆୟନ୍ ସେନାପତି ଦ୍ୱିତୀୟ ହୋଇଥିଲେ।
Comments are closed.