ଦିଲ୍ଲୀ ଦେଖିଲା ଓଡ଼ିଆ ନୃତ୍ୟ ଓ ସଙ୍ଗୀତର ଝଲକ, ବିମୋହିତ ହେଲେ ଦର୍ଶକ

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ରାଜ୍ୟ ଦିବସ ପାଳିତ

ନୂଆଦିଲ୍ଲୀ: ଆଜି ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ବହୁବିଧ ସାଂସ୍କୃତିକ କାର୍ୟ୍ୟକ୍ରମ। ଏଥିସହିତ ଓଡ଼ିଶା ସରକାରଙ୍କ ମାସିକ ମୁଖପତ୍ର ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ବତନ୍ତ୍ର ସଂସ୍କରଣ ଉନ୍ମୋଚିତ ହୋଇଥିଲା।
ଓଡିଶା ଦିବସ ପାଳନ ଅବସରରେ ଓଡ଼ିଆ ସାଂସ୍କୃତିକ କାର୍ୟ୍ୟକ୍ରମରେ ବିମୋହିତ ହେଲା ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନ। ପ୍ରଗତି ମୈଦାନର ଆମ୍ଫିଥିଏଟରରେ ହଜାର ହଜାର ଦର୍ଶକ ଅତ୍ୟନ୍ତ ଉତ୍ସାହର ସହ ଦେଖିଥିଲେ ଡାଲଖାଇ, ସମ୍ବଲପୁରୀ ଓ ଆଦିବାସୀ ବିର୍ଲି ନୃତ୍ୟ । ହର ହର ଶମ୍ଭୁ ଗୀତ ଗାନ କରି ଓଡ଼ିଶା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଅଭିଲିପ୍‌ସା ପଣ୍ଡାଙ୍କ ସଙ୍ଗୀତ ପ୍ରଗତି ମୈଦାନରେ ଶିହରଣ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଟିଡିସି ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ଆବାସିକ ଆୟୁକ୍ତ ରବିକାନ୍ତ, ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦକ କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ ସାମଲ, ଏସ୍‌ସିଏସ୍‌ଟି ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତିଙ୍କ ସମେତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରଗତି ମଇଦାନଠାରେ ନଭେମ୍ବର ୧୪ରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’। ଏହି ବିଶାଳ ମେଳାରେ ଅନ୍ୟତମ ଆକର୍ଷଣ ହେଉଛି ‘ଓଡ଼ିଶା ପାଭିଲିୟନ’, ଯେଉଁଠି ପ୍ରତିଫଳିତ ହେଉଛି ରାଜ୍ୟର କଳା,ସଂସ୍କୃତି, ଆଦିବାସୀ ଜୀବନ, କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି।
ପ୍ରଗତି ମଇଦାନର ହଲ୍ ନମ୍ବର-୨ରେ ସ୍ଥାନ ପାଇଛି ‘ଓଡ଼ିଶା ପାଭିଲିୟନ’। ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ୟ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି।

prayash

ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ୍ ବାଇ ଟ୍ରେଡ୍‌’ ବା ‘ବାଣିଜ୍ୟ ମାଧ୍ୟମରେ ଏକତା’। ଏହି ଥିମ୍ ଓଡ଼ିଶା ପାଭିଲିୟନରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି। ପାଭିଲିୟନର ମଧ୍ୟଭାଗରେ ସୁସଜ୍ଜିତ ବୋଇତ ଉପରେ ପାରମ୍ପରିକ ହସ୍ତତନ୍ତ ଓ ହସ୍ତକଳାର ପ୍ରଦର୍ଶନ, ବିକ୍ରି ଓ ଲାଇଭ୍ ଡେମନଷ୍ଟ୍ରେସନ୍ ପର୍ୟ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇପାରିଛି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ୮ଟି ବିଭାଗ ଏବଂ ବିଭିନ୍ନ ସହଯୋଗୀ ସଂସ୍ଥା ଅଧୀନରେ ମୋଟ ୨୪ଟି ଷ୍ଟଲ୍ ସ୍ଥାନ ପାଇଛି। ଏହା ମଧ୍ୟରେ ରହିଛି ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା, ସାଜସଜ୍ଜା ଓ ଖାଦ୍ୟପଦାର୍ଥ ଏବଂ ମିଲେଟ୍‌ସ ମିଶନ ଅଧୀନରେ ଓଡ଼ିଶାର ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଇତ୍ୟାଦି।
ସେହିପରି ଓଡ଼ିଶାର ଆଦିବାସୀ ଜୀବନ, କଳା ଓ ସଂସ୍କୃତି ସହିତ ଏମ୍‌ଏସ୍‌ଏମ୍‌ଇ ଏବଂ ଓଡ଼ିଶା ପର୍ୟ୍ୟଟନର ଆକର୍ଷଣ ଓଡ଼ିଶା ପାଭିଲିୟନକୁ ସମୃଦ୍ଧ କରିଛି।

ରାଜ୍ୟର କଳା, ସଂସ୍କୃତି ଓ ବିଭିନ୍ନ ଉତ୍ପାଦ ସହିତ ହସ୍ତତନ୍ତ ଓ ହସ୍ତକଳା ତଥା ଆଦିବାସୀ କଳାର ଲାଇଭ୍ ଡେମନଷ୍ଟ୍ରେସନ୍ ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ପ୍ରମାଣିତ କରୁଛି। ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ପାଭିଲିୟନକୁ ଆସୁଥିବା ପର୍ୟ୍ୟଟକମାନଙ୍କ ପାଇଁ ମଧ୍ୟ ଅନ୍ୟତମ ଆକର୍ଷଣ ହୋଇଛି।

Comments are closed.