ଶିକ୍ଷା ସହିତ କଳାକୁ ସମ୍ମାନିତ ଓ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ
ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଉଦଘାଟିତ
ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା ଯୋଗଦେଇ ଆୟୋଜିତ କଳା ଉତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କେନ୍ଦ୍ର ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ତଥା ଏନସିଇଆରଟି, ନୂଆଦିଲ୍ଲୀଙ୍କ ନିର୍ଦେଶନାମା ଅନୁଯାୟୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବରଗଡ, ବାଲେଶ୍ବର, ବଲାଙ୍ଗୀର, କୋରାପୁଟ, ଖୋର୍ଦ୍ଧା ଓ କଟକ ଆଦି ୬ଗୋଟି ଜୋନରୁ ମନୋନୀତ ହୋଇ ଆସିଥିବା ପାଖାପାଖି ୧୨୦ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି।
ଏହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ, ନୃତ୍ୟ, ଟୁ-ଡି, ଥ୍ରି-ଡି କଳା ପାରମ୍ପରିକ ଖେଳନା ପ୍ରସ୍ତୁତି, ଏକକ ଅଭିନୟ ଆଦି ଅନ୍ତର୍ଭୁକ୍ତ।
ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ବିତୀୟ ତଥା ତୃତୀୟ ସ୍ଥାନ ଅଧିକାର କରିବେ, ସେମାନଙ୍କୁ ରାଜ୍ୟ ସ୍ତରରେ ମାନପତ୍ର ତଥା ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଯେଉଁ ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ତରଫରୁ ଭାଗ ନେବେ। ଶିକ୍ଷା ସହିତ କଳାକୁ ସମ୍ମାନିତ କରିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ବିଭିନ୍ନ କଳାର ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ। ତା-୧୪-୧୧-୨୩ରୁ ତା-୧୫-୧୧-୨୩, ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । କାର୍ଯ୍ୟକ୍ରମ ଶେଷରେ ଓସେପାର ଅତିରିକ୍ତ ନିର୍ଦେଶକ ଭଗବାନ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.