ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା

ଡ.ପ୍ରଭାସ ଆଚାର୍ଯ୍ୟ

ବହୁ କଷ୍ଟରେ ଅର୍ଥ ସଞ୍ଚୟ କରି ଭଦ୍ରବ୍ୟକ୍ତି ଜଣକ ଭୁବନେଶ୍ବରରେ ଫ୍ଲାଟ୍‌ଟିଏ କିଣିବାକୁ ମନ କଲେ। ଖବରକାଗଜରେ ପ୍ରକାଶିତ ବିଜ୍ଞାପନରେ ପ୍ରଲୁବ୍ଧ ହୋଇ ଗୋଟିଏ ଫ୍ଲାଟ୍‌ ନେବାକୁ ଡାଉନ୍‌ପେମେଣ୍ଟ ଦେଲେ। ତା’ପରେ ନିୟମିତ ଭାବରେ କିସ୍ତି ମଧ୍ୟ ଦେଇଚାଲିଲେ। ଦୁଇବର୍ଷ ଭିତରେ ଘର ହସ୍ତାନ୍ତର ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଲଡର। କିନ୍ତୁ ତିନିବର୍ଷ ପୂରିବା ପରେ ନା ଗୃହ ନିର୍ମାଣ ସମାପ୍ତ ହେଲା ନା ପଞ୍ଜୀକରଣ ହେଲା। ଘର ହସ୍ତାନ୍ତର ହେବା ତ ଦୂରର କଥା। ବିଭିନ୍ନ ବାହାନା ଦେଖାଇ ବିଲଡର ବିଳମ୍ବ କରି ଚାଲିଲେ। ଥାନାରେ ଏହି ଅନ୍ୟାୟ ପାଇଁ ଭଦ୍ରବ୍ୟକ୍ତି ଏତାଲା ଦେବାକୁ ଗଲେ। ଥାନାବାଲାଙ୍କ ସହ ବିଲଡରଙ୍କ ମଧୁର ସମ୍ପର୍କ। ତେଣୁ ସେଠି ମଧ୍ୟ ହତାଶ ହୋଇ ବାରଦ୍ବାର ଓ ବହୁ ପିଣ୍ଡା ବୁଲିଲେ ଭଦ୍ରବ୍ୟକ୍ତି। ଚତୁର୍ଥ ବର୍ଷରେ ଯେଉଁ ଫ୍ଲାଟ୍‌ ମିଳିଲା ସେଥିରେ ଆବଶ୍ୟକ ସରଞ୍ଜାମ ମଧ୍ୟ ନ ଥିଲା। ରଙ୍ଗ ଓ ଚଟାଣ କାମର ଗୁଣବତ୍ତା ଅତି ଦୟନୀୟ। ତାଙ୍କ ସହିତ ଆଉ କେତେଜଣ କ୍ରେତାଙ୍କ ମଧ୍ୟ ସମଦଶା ହେଲା। ଦଖଲ ନେଇଥିବା ଜଣେ ଫ୍ଲାଟ୍‌ ମାଲିକ ବାବୁଙ୍କୁ ବୁଝେଇ ଦେଲେ- ‘କାନ୍ଦୁଥା, ଯାହା ପାଉଛୁ ବାନ୍ଧୁଥା।’ ବାଧ୍ୟ ହୋଇ ଭଦ୍ରଲୋକ ଅସନ୍ତୋଷ ଭିତରେ ମଧ୍ୟ ସେହି ଫ୍ଲାଟ୍‌କୁ ପଞ୍ଜିକୃତ କଲେ। ମାତ୍ର ଥରେ ଦୁଇଥର ୧୫/୨୦ଦିନ ବିଳମ୍ବରେ କିସ୍ତି ଦେଇଥିବାରୁ ସେଥିପାଇଁ ତଣ୍ଡ ମଧ୍ୟ ଗଣିଲେ ଭଦ୍ରବ୍ୟକ୍ତି। କୋଠାର ପରିସରରେ ଥିବା ସର୍ବସାଧାରଣ ସ୍ଥାନ (କମନ୍‌ସ୍ପେସ୍‌) ମଧ୍ୟ ଠିକ୍‌ ଭାବେ ସୁବୁଜୀକରଣ କଲା ନାହିଁ ବିକ୍ରେତା। ରାସ୍ତା ଓ ନଳାର ଅବସ୍ଥା ମଧ୍ୟ ତଦ୍ରୂପ। କିଛିଦିନ ପରେ ଦେଖାଗଲା ଯେ ବିଲଡର ସାଧାରଣ ସ୍ଥାନରେ ପୁଣି ଆରମ୍ଭ କଲାଣି ନିର୍ମାଣ। ବହୁ କଷ୍ଟରେ ନିଆଯାଇଥିବା ଆପାର୍ଟମେଣ୍ଟର ଅଧିବାସୀଙ୍କ ଭିତରେ ମଧ୍ୟ ଛୋଟ ଛୋଟ କଥାକୁ ନେଇ ଚାଲିଲା କଳି ତକରାଳ। ସାର୍ବଜନୀନ ସ୍ଥାନର ନିଜିକରଣ ପାଇଁ ପରସ୍ପର ଭିତରେ କାଦୁଅ ଛଟା ହେଲାବେଳେ ଆପାର୍ଟମେଣ୍ଟ ମାଲିକ ଆସୋସିଏସନ୍‌ର ନୀରବତା ତୀବ୍ର କଲା ମତଭେଦ, ମନଭେଦ ଓ ତା’ ପରେ ଥାନା, ପୁଲିସ।

ଓଡ଼ିଶାର ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ବର, ପୁରୀ, ସମ୍ବଲପୁର ସମେତ ଅଧିକାଂଶ ସହରରେ ସୌଧ ନିର୍ମାତାମାନେ ବିକ୍ରି କରୁଥିବା ଫ୍ଲାଟ୍‌ ବିକ୍ରିରେ ଏହିଭଳି ଠକେଇ ସବୁ ଘଟି ଚାଲିଛି। ସ‌େର୍ବକ୍ଷଣ କଲେ ୮୦ ରୁ ୯୦ ପ୍ରତିଶତ ଫ୍ଲାଟ୍‌ ମାଲିକମାନେ କୌଣସି ନା କୌଣସି ପ୍ରକାରେ ବିଲଡରମାନଙ୍କ ଠକେଇର ଶିକାର ହେଉଛନ୍ତି। ତେବେ ନିଜ ପାଖରେ ସମୟ ଓ ସାହସର ଅଭାବରୁ ଆପାର୍ଟମେଣ୍ଟ କ୍ରେତା ଏହା ବିରୋଧରେ ସ୍ବର ଉତ୍ତୋଳନ କରିପାରୁନାହାନ୍ତି। ଅନେକ କ୍ଷେତ୍ରରେ ପୁଲିସ ପଦକ୍ଷେପ ନେଇ ଏଭଳି ଠକେଇରେ ସମ୍ପୃକ୍ତ ଅସାଧୁ ବିଲଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି। ତେବେ ଏହି ବ୍ୟବସାୟରେ ଲିପ୍ତ ନିର୍ମାତାମାନେ ଅର୍ଥ ଓ କ୍ଷମତାରେ ବେଶ ସଶକ୍ତ ଥିବାରୁ ବାହୁବଳୀଙ୍କ ସହ ଟକ୍କର ଦେବାକୁ ସମସ୍ତେ ସାହସ ଜୁଟାଇ ନ ପାରିବା ଅସ୍ବାଭାବିକ ନୁହେଁ। ବଡ଼ କଥା ହେଲା ଯେନତେନ ପ୍ରକାରେଣ ଘର ମିଳିଲା ପରେ ମଧ୍ୟ ନିଜ ନିଜ ଭିତରେ ମତଭେଦରୁ ପାରିବାରିକ ଶାନ୍ତି ବ୍ୟାହତ ହେଲା।

prayash

ଏହି କ୍ଷେତ୍ରକୁ ସୁନିୟନ୍ତ୍ରିତ କରିବା ପାଇଁ ସ୍ବତନ୍ତ୍ର ଆଇନ ରହିଥିଲେ ହେଁ ଆଇନର ଫାଙ୍କ ଦେଇ ବିଲଡରମାନେ ଖସି ଯାଉଥିବାବେଳେ ମାଲିକଙ୍କ ଭିତରେ ଅନ୍ତଃକନ୍ଦଳ ରୋକିବା ପାଇଁ ନିକଟ ଅତୀତରେ ଓଡ଼ିଶା ସରକାର ‘ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍‌ ୨୦୨୩’ ପାସ୍‌ କରି ଆଇନରେ ପରିଣତ କରିଛନ୍ତି। ଏହି ସଂକ୍ରାନ୍ତରେ ପୂର୍ବରୁ ଥିବା ଅଧିନିୟମରେ ପରିଚାଳନାଗତ ସ୍ବଳ୍ପତା ବା ଅଭାବ ଥିବାରୁ ଆପାର୍ଟମେଣ୍ଟ ମାଲିକମାନଙ୍କ ସମ୍ପୂର୍ଣ୍ଣ ସ୍ବାର୍ଥ ସୁରକ୍ଷା ସମ୍ଭବ ହେଉନଥିବାରୁ ଏହି ବିଲ୍‌ ଆସିଥିବା କୁହାଯାଉଛି। ବିଦ୍ୟମାନ ଥିବା ଅଧିନିୟମରେ ପରିବର୍ତ୍ତନ ନ ଆଣି ଏହାକୁ ନୂଆ ଆଇନ ଭାବେ ପ୍ରଣୟନ କରାଗଲା। ପୂର୍ବରୁ ୧୯୮୨ ମସିହାରେ ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ’ ଜାରି ହୋଇଥିଲା। ଏହି ଅଧିନିୟମ ସହ ମେଳ ନ ଥିବା ଧାରାକୁ ଛାଡି ‘ଟ୍ରାନ୍ସଫର ଅଫ୍‌ ପ୍ରୋପର୍ଟି ଆକ୍ଟ ୧୮୮୨’ ମଧ୍ୟ ଏ କ୍ଷେତ୍ରରେ ଲାଗୁ ହେବ ବୋଲି ଉଲ୍ଲେଖ ଥିଲା। ଏହି ଆପାର୍ଟମେଣ୍ଟ ବିଲ୍‌ରେ ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ସଂଘ ପାଣ୍ଠି ସୃଷ୍ଟି ନିମିତ୍ତ ବ୍ୟବସ୍ଥା ରଖାଯାଇଛି। ଆବଣ୍ଟନଗ୍ରାହୀଙ୍କ ସଂଘ ସୃଷ୍ଟି ନିମନ୍ତେ ନିୟମ, ଲକ୍ଷ୍ୟ ଓ ପରିଚାଳନା ସମ୍ପର୍କରେ ଏହି ଆଇନରେ ସୁବିସ୍ତୃତ ମାର୍ଗଦର୍ଶିକା ରହିଛି। ଫ୍ଲାଟ୍‌ ମାଲିକମାନଙ୍କ ମଧ୍ୟରେ ମନଭେଦର ମୁଖ୍ୟ କାରଣ ହୋଇଥାଏ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନେଇ। ଗାଡି ପାର୍କିଂ, ଘାସ ଗାଲିଚା, ଲବି ଓ ଶିଡି ପାର୍ଶ୍ବ ଖାଲି ସ୍ଥାନରେ ସାଇକେଲ, ବାଇକ୍‌ ବା ଜୋତା ଷ୍ଟାଣ୍ଡ ନେଇ ମଧ୍ୟ ଝଗଡ଼ା ହୋଇଥାଏ। ଏହି ନୂତନ ବିଲରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ପର୍କୀୟ ବ୍ୟବସ୍ଥା ରହିଥିବାବେଳେ ଏହି ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ ପାଇଁ ନି‌େର୍ଦଶ ଅଛି। ଅନ୍ୟୂନ ୭ଜଣ ମାଲିକ ଗୃହ ହସ୍ତାନ୍ତର ହେଲା ପରେ ସେମାନେ ପଞ୍ଜୀକରଣ ପାଇଁ ଆବେଦନ କରିବାର ଅନୁମତି ଅଛି ଓ ବିଲଡର ହସ୍ତାନ୍ତରର ଏକମାସ ଭିତରେ ନିର୍ଦିଷ୍ଟ ଫର୍ମରେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ନି‌େର୍ଦଶ ଅଛି। ସଂଘ ପଞ୍ଜୀକରଣ ପରେ କିପରି ପରିଚାଳନା ହେବ ସେ ସଂକ୍ରାନ୍ତରେ ସର୍ତ୍ତାବଳୀ ସହ ଉପ-ବିଧି ସଙ୍କଳିତ ଏକକ ବ୍ୟବସ୍ଥା କରାଯାଇଛି। ଏଥିରେ ପୃଷ୍ଠପୋଷକମାନଙ୍କ ଦାୟିତ୍ବକୁ ସ୍ପଷ୍ଟ କରାଯାଇଥିବା ବେଳେ ଆପାର୍ଟମେଣ୍ଟ ମାଲିକଙ୍କ ସଂଘ ସହ ସମ୍ପର୍କ, ଅଧିକାର ଓ ଦାୟିତ୍ବ ମଧ୍ୟ ନିର୍ଦ୍ଧାରିତ ହୋଇଛି। ସାର୍ବଜନୀନ ସ୍ଥାନର ବ୍ୟବହାର ସମ୍ପର୍କରେ ଏଥିରେ ସୁବିସ୍ତୃତ ବର୍ଣ୍ଣନା ଥିବାରୁ ବିଲଡରମାନେ ଗୃହ ହସ୍ତାନ୍ତର ପରେ ମଧ୍ୟ ସେସବୁ ସ୍ଥାନକୁ ଯେପରି ଜବରଦଖଲ କରି ରଖୁଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଆଶା କରାଯାଉଛି। ଏଣିକି ସାର୍ବଜନୀନ ସ୍ଥାନର ପରିଚାଳନାର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ଭାବେ ସଂଘ ପାଖରେ ରହିବ। ହସ୍ତାନ୍ତର ପ୍ରମାଣପତ୍ର ପାଇବାର ୩୦ ଦିନ ଭିତରେ ପ୍ରମୋଟର ପ୍ରୋଜେକ୍ଟର ସମସ୍ତ ମୂଳ ଦସ୍ତାବିଜ ମାଲିକ ସଂଘକୁ ଦେବାକୁ ବାଧ୍ୟ। ଅନୁମୋଦିତ ନକ୍‌ସା, ସମାପ୍ତି ପ୍ରମାଣପତ୍ର, ବୀମା ପ୍ରମାଣପତ୍ର ଆଦି ଏହି ଦସ୍ତାବିଜର ଅନ୍ତର୍ଗତ। ଏଥି ସହ ସିକ୍ୟୁରିଟି ଡିପୋଜିଟ୍‌, ଅନାଦାୟ ଅର୍ଥ, କୋର୍ପାସ ଫଣ୍ଡ ବା ଅଗ୍ରିମ ଅର୍ଥ ମଧ୍ୟ ପ୍ରମୋଟର ଦଖଲ ପ୍ରମାଣପତ୍ର ମିଳିବାର ୩୦ ଦିନ ଭିତରେ ମାଲିକ ସଂଘକୁ ଦେବାକୁ ନି‌େର୍ଦଶ ରହିଛି। ଗୃହ ହସ୍ତାନ୍ତରର ୫ ବର୍ଷ ମଧ୍ୟରେ ନିର୍ମାଣ ଜନିତ ତ୍ରୁଟି ସୁଧାରିବାକୁ ବାଧ୍ୟ ରହିବେ ବିଲଡର। ତା’ ଛଡ଼ା ଆପାର୍ଟମେଣ୍ଟ ମାଲିକ ସଂଘ ଗଠନ ହେବା ପର୍ଯ୍ୟନ୍ତ ନିର୍ମାତା ସାର୍ବଜନୀନ ସ୍ଥାନ ରକ୍ଷଣାବେକ୍ଷଣର ଦାୟିତ୍ବ ନେବେ। ଅବଶ୍ୟ ଏଥି ନିମନ୍ତେ ସେ କିଛି ଅର୍ଥ ରହୁଥିବା ମାଲିକମାନଙ୍କଠାରୁ ନେଇପାରିବେ। ୧୯୮୨ର ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ ଧାରା ୭-(୧) ରୁ (୬)ରେ ମାଲିକ ସଂଘର ଗଠନ, ଅଧିକାର ଓ ଦାୟିତ୍ବ ସମ୍ପର୍କରେ ଯାହା ଉଲ୍ଲେଖ ଥିଲା ସେଥିରେ ମଧ୍ୟ ଅନେକ ବିସଙ୍ଗତିକୁ ଦୂର କରାଯାଇ ପାରିଥାନ୍ତା। କିନ୍ତୁ ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ଦୁର୍ବଳତା କାରଣରୁ ଆପାର୍ଟମେଣ୍ଟ ମାଲିକମାନେ ଏହି ନିୟମରୁ ଆଶାନୁରୂପ ଉପକୃତ ହୋଇପାରିଲେ ନାହିଁ। ତେଣୁ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ ୨୦୨୩ କେତେଦୂର କାର୍ଯ୍ୟକାରୀ ହୋଇପାରିବ ତାହା ସମୟ କହିବ।

ଭୂସମ୍ପତ୍ତି ବ୍ୟବସାୟ କେବଳ ଆପର୍ଟମେଣ୍ଟରେ ସୀମିତ ନୁହେଁ। ତେଣୁ ଏହି ବିଲ୍‌ ଭୂସମ୍ପତ୍ତି ବ୍ୟବସାୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରୟୋଗଯୋଗ୍ୟ ଅଧିନିୟମ ନୁହେଁ। ଆପାର୍ଟମେଣ୍ଟ ବ୍ୟତୀତ ଗ୍ରୁପ୍‌ ହାଉସିଂ ସ୍କିମ୍‌, ଫ୍ଲାଟ୍‌ ସ୍କିମ୍‌ ଆଦି କ୍ଷେତ୍ରରେ ଏହା ଆଦୌ ପ୍ରୟୋଗ ହୋଇପାରିବ ନାହିଁ। ଦଶନ୍ଧି ଦଶନ୍ଧି ଧରି କ୍ରେତାମାନେ ଜମି ବା ଘର କ୍ରୟ କରି ବିଭିନ୍ନ ଅସୁବିଧାରେ ଧନ୍ଦି ହେଉଥିବାବେଳେ ଏହି ନୂତନ ବିଲ୍‌ର ସର୍ବବ୍ୟାପକତା ଉପରେ ମାଲିକମାନଙ୍କ ଅପେକ୍ଷା ଥିଲା। ସମାପ୍ତି ପ୍ରମାଣପତ୍ର ବା ଦଖଲ ପ୍ରମାଣପତ୍ର ପରେ ହିଁ ପ୍ରମୋଟରଙ୍କ ଉପରେ ଅଙ୍କୁଶ ଲାଗିବାର ପ୍ରାବଧାନ ଥିବାରୁ ସେମାନେ ସମାପ୍ତି ପ୍ରମାଣପତ୍ର ପାଇଁ ଦରଖାସ୍ତରେ ବିଳମ୍ବ କରି କ୍ରେତାଙ୍କୁ ହଇରାଣ କରିବା ସହ ସଂଘ ଗଠନ ବିଳମ୍ବିତ କରିବା ନିମିତ୍ତ ମସୁଧା କରିପାରିବେ। ତେଣୁ ‘ରେଭା’ ଆଇନ ଭଳି ଏହାକୁ ବ୍ୟାପକ କରାଯାଇଥିଲେ ହୁଏତ ଏହି ଆଇନର ଛତା ତଳେ ସବୁ ପ୍ରକାର ଭୂସମ୍ପତ୍ତି କ୍ରେତାମାନେ ଆଶ୍ରୟ ନେଇ ପାରିଥାନ୍ତେ।

ଏହି ଅଧିନିୟମରେ ୭ଜଣ ମାଲିକ ବା ୫୦% ମାଲିକ (ଯାହା ସର୍ବନିମ୍ନ) ମିଶି ସଂଘ ଗଠନର କଥା କୁହାଯାଇଛି। ଯେଉଁ କଲୋନୀରେ ୫୦୦ ବା ୧୦୦୦ ଫ୍ଲାଟ୍‌ ନିର୍ମିତ ହେଉଛି ସେଠାରେ ୭ ସଂଖ୍ୟା ଅତି ନ୍ୟୂନ। ସେ କ୍ଷେତ୍ରରେ ଗଣତାନ୍ତ୍ରିକ ଦୃଷ୍ଟିରୁ ଏହା ଅଯୌକ୍ତିକ ବୋଲି ମଧ୍ୟ ଧରାଯାଉଛି। ଓଡ଼ିଶା ସରକାର ଏହି ସବୁ ଦୁର୍ବଳ ଦିଗ ପ୍ରତି ସତର୍କ ହେଲେ ହିଁ ଏହି ଅଧିନିୟମର ଉଦ୍ଦେଶ୍ୟ ସଫଳ ହେବ।

kalyan agarbati

Comments are closed.