କେନ୍ଦ୍ରୀୟ ସଂଚାର ବ୍ୟୁରୋ କେନ୍ଦୁଝର କ୍ଷେତ୍ର କାର୍ଯ୍ୟାଳୟର ସଚେତନତା କାର୍ଯ୍ୟକ୍ରମ

ଡେସ୍କ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ସଦର ବ୍ଲକର ମଇଦାନକେଲ ଗ୍ରାମ ପଂଚାୟତ ଠାରେ ଏକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ପୋଷଣ ମାସ ଶୀର୍ଷକ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସ୍ଥାନୀୟ ସରପଞ୍ଚ ଭାଗିରଥି ସିଂ, ନାଏବ ସରପଞ୍ଚ କଳ୍ପନା ମହନ୍ତ, ଡାକ୍ତର ଜ୍ୟୋତି ଦାସ, ସମାଜସେବୀ ସ୍ମିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୯ ବର୍ଷରେ ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ସେହିଭଳି ଉଦଯାପନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ବିରଜା ମିଶ୍ର ଏବଂ ଇଞ୍ଜିନିଅର ଅଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନ ହିତାକାଂକ୍ଷୀ ଯୋଜନା ସମ୍ପର୍କରେ ବିଶେଷ ତଥ୍ୟ ରଖିଥିଲେ। ତେବେ କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ କେନ୍ଦୁଝର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ପରିଚାଳନା କରିଥିଲେ। ସୁନ୍ଦଗଡର ଜିଲ୍ଲା ଲୋକ କଳା ଅନୁସନ୍ଧାନ କେନ୍ଦ୍ରର କଳାକାର ମାନେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ମଇଦାନକେଲ ଗ୍ରାମପଞ୍ଚାୟତର ଜନସାଧାରଣ ପୁର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ।

Comments are closed.