ବ୍ରାହ୍ମଣଗାଁ ପ୍ରାଥମିକ ବିଦ୍ୟାଳୟ: ସମସ୍ୟା ସମାଧାନ ପାଇଁ ମୁଖ୍ୟଫାଟକରେ ତାଲା ପକାଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କେନ୍ଦୁଝରଗଡ: କେନ୍ଦୁଝରଗଡ ପୌରପାଳିକା ୨୧ନଂ ୱାର୍ଡ ଅଧିନ ବ୍ରାହ୍ମଣଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜମିକୁ ଜାଲ ପ୍ରମାଣପତ୍ର ଜରିଆରେ ଜନୈକ ବ୍ୟକ୍ତି ନିଜ ଦଖଲକୁ ନେବା ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଛାତ୍ରୀନିବାସ ଓ ଘରୋଇ ଚିକିତ୍ସାଳୟରୁ ନିର୍ଗତ ବର୍ଜ୍ୟବସ୍ତୁକୁ ବିଦ୍ୟାଳୟ ପରିସରକୁ ଫିଙ୍ଗିବା ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ନେଇ ବହୁବାର ଗ୍ରାମବାସୀ ଓ ଅଭିଭାବକଙ୍କ ପକ୍ଷରୁ ଜିଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇନଥିଲା। ଫଳସ୍ୱରୂପ ଆଜି ସକାଳୁ ବାଧ୍ୟହୋଇ ବିଦ୍ୟାଳୟ ମୁଖ୍ୟଫାଟକକୁ ତାଲା ପକାଇ ଛାତ୍ରଛାତ୍ରୀଙ୍କୁ ସଙ୍ଗରେ ଧରି ଜିଲା ପ୍ରଶାସନ ନିକଟରେ ପହଞ୍ଚିଛୁ ବୋଲି ୨୧ନଂ ୱାର୍ଡ କାଉନସିଲର ହେମନ୍ତ କୁମାର ପତି, ପୂର୍ବତନ କାଉନସିଲର ସୁଲୋଚନା ନାଏକ ଓ ଶୈଳବାଳା ନାଏକ ପ୍ରମୁଖ କ୍ଷୋଭର ସହ ଏହା କହିଛନ୍ତି।

prayash

ପ୍ରଶାସନ ପକ୍ଷରୁ ଏଥିରେ ତୁରନ୍ତ ହସ୍ତକ୍ଷେପ କରାଯାଇ ପୌରନିର୍ବାହୀ ଅଧିକାରୀ, ସଦର ତହସିଲଦାର ଓ ସଦର ରାଜସ୍ୱ ନିରୀକ୍ଷକ ଆନ୍ଦୋଳନରତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରି ବିଦ୍ୟାଳୟକୁ ଫେରାଇନେବା ସହ ଅଭିଯୋଗ ସମ୍ପର୍କରେ ପ୍ରାଥମିକ ଅନୁଧ୍ୟାନ କରିଥିବା ଜଣାପଡିଛି। ସ୍ୱାଧିନତା ଦିବସ ପାଳନ ଶେଷ ହେବାପରେ ବୁଧବାର କିମ୍ବା ଗୁରୁବାର ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଜମି ଚିହ୍ନଟ ହେବାସହ ଅଭିଯୋଗର ସ୍ଥାୟୀ ସମାଧାନ ପ୍ରତିଶ୍ରୁତି ମିଳିବା ପରେ ଅଭିଭାବକ ଆନ୍ଦୋଳନରୁ ଓହରିଥିଲେ। ସଦର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟାଳୟରୁ ତାଲା ଖୋଲିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନଭୋଜନକୁ ଗ୍ରହଣ କରାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ବ୍ରାହ୍ମଣଗାଁ, ତୁଳସୀପୁର, ଗମ୍ଭାରିଆ ଓ ବଣିଆପାଟ ଅଞ୍ଚଳର ୯୨ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ବିଦ୍ୟାଳୟର ପାରିପାଶ୍ୱିର୍ିକ ପରିବେଶ ଅତ୍ୟନ୍ତ ପ୍ରଦୁଷିତ ରହୁଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି।

Comments are closed.