୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ୧୧୦୦ ମିଟର ଜାତୀୟ ପତାକା
ମାଥିଲି: ମାଲକାନଗିରି ଜିଲା ମାଥିଲି ସଦରରେ ଗତ ୨୦୧୯ମସିହାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ମହାରଣାଙ୍କ ଉଦ୍ୟମରେ ଶହେ ମିଟର ଜାତୀୟ ପତାକା ନେଇ ଗାଁ ପରିକ୍ରମା କରିବା ଚର୍ଚ୍ଚାର ବିଷୟ ପାଲଟି ଥିଲା। ପୁଣି ଚଳିତ ବର୍ଷ ଶ୍ରୀ ମହାରଣାଙ୍କ ଉଦ୍ୟମ ଓ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା, ମାଥିଲି ସରପଞ୍ଚ କାନାମରାଜୁ ନାୟକ, ସମିତି ସଭ୍ୟ ଵାଲାରାଜୁ କୋପେଙ୍କ ସହଯୋଗରେ ୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ୧୧୦୦ ମିଟର ଜାତୀୟ ପତାକା ତିଆରି କରି ପ୍ରସଂଶା ସାଉଁଟିଛନ୍ତି।
ସୋମବାର ମାଥିଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ଜିଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଜିଲା ପରିଷଦ ସଭ୍ୟ ହିରଣ୍ୟ ମୁଦୁଲି, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ବିଜେଡି ବ୍ଲକ ସଭାପତି ବନ୍ଦୁ ମୁଦୁଲି ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପୂଜାର୍ଚ୍ଚନା କରି ୧୧୦୦ ମିଟର ପତାକା ଧରି ଶୋଭାଯାତ୍ରାରେ ବାହାରି ଥିଲେ। ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ, ଆଇଟିଆଇ, ଏସଏସଡି ବିଦ୍ୟାଳୟର ଶହ ଶହ ଛାତ୍ର ଛାତ୍ରୀ ପଞ୍ଚାୟତ କାର୍ଯ୍ୟାଳୟରୁ ମାଥିଲି ଥାନା ଅଭିମୁଖେ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବାହାରିଥିଲେ। ମାଲକାନଗିରି ଜିଲାରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ହୋଇଥିବାରୁ ଛାତ୍ରଛାତ୍ରୀ, ଅବିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବାଜା ବାଜଣାରେ ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ଡମସା ନୃତ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।
Comments are closed.