ବର୍ଷାଜନିତ କ୍ଷୟକ୍ଷତି ଆକଳନ, କାନ୍ଥପଡ଼ି ବୃଦ୍ଧା ମୃତ : ୭୨ପଞ୍ଚାୟତ ଓ ୨୫ ୱାର୍ଡ ପ୍ରଭାବିତ,୨୦୮ ଘର ଭାଙ୍ଗିଲା
କେନ୍ଦୁଝରଗଡ଼: ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ କେନ୍ଦୁଝର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜିଲା ପ୍ରଶାସନ ସୂଚନା ଅନୁଯାୟୀ ଲଗାଣବର୍ଷାଜନିତ କାରଣରୁ କାନ୍ଥ ପଡ଼ି ଝୁମ୍ପୁରା ବ୍ଲକ ଘୁଣ୍ଟିପଶି ଗ୍ରାମର ୬୭ବର୍ଷର ବୃଦ୍ଧା ଶ୍ରୀମତୀ ଲୋହାରଙ୍କ ପ୍ରାଣହାନୀ ଘଟିଥିବା ବେଳେ ଗୋଟିଏ ଗୃହପାଳିତ ପଶୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଜିଲାର ସମସ୍ତ ୧୩ଟି ବ୍ଲକ, ୪ଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୭୨ଟି ପଞ୍ଚାୟତ ଏବଂ ୫ଟି ସହରାଞ୍ଚଳର ୨୫ଟି ୱାର୍ଡରେ ବିଶେଷ କ୍ଷୟକ୍ଷତି ଘଟିଛି। ବର୍ଷା ଯୋଗୁଁ ଜିଲାରେ ମୋଟ ୨୦୧୧ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୦୮ଟି ଘର ଭାଙ୍ଗିଛି। ୧୦୬ଜଣ ଗର୍ଭବତୀଙ୍କୁ ମିଶାଇ ମୋଟ ୩୧୩ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ୪୯୫ଜଣଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ଯୋଗୁଁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଆନନ୍ଦପୁର ଉପଖଣ୍ଡ ଅଧିନ ହାଟଡିହି ବ୍ଲକରେ ୩ଟି ଆଶ୍ରୟସ୍ଥଳୀରେ ୫୬ଜଣଙ୍କୁ ଏବଂ ଆନନ୍ଦପୁର ପୌରପାଳିକାରେ ୩ଟି ଆଶ୍ରୟସ୍ଥଳୀରେ ୧୦୮ଜଣଙ୍କୁ ପ୍ରଶାସନ ପକ୍ଷରୁ ବୁଧବାର ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ କହିଛନ୍ତି।
Comments are closed.