ସମ୍ବଲପୁରରେ ସିରିଜ ଛୁରା ମାଡ : ୧ ମୃତ, ୨ ଆହତ

ସମ୍ବଲପୁର : ସମ୍ବଲପୁର ସହରରେ ପୁଲିସ ଓ ଆଇନ ବ୍ୟବସ୍ଥାର କୌଣସି ଭୟ ନ ଥିବାରୁ ଅପରାଧି ମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରି ରବିବାର ରାତ୍ରିରେ ଟାଉନ ଥାନା ଅର୍ନ୍ତଗତ ଅଞ୍ଚଳରେ ୩ଟି ସ୍ଥାନରେ ସିରିଜ ଛୁରା ମାଡ ଘଟଣା ଘଟିଯାଇଛି। ଛୁରା ମାଡ ଘଟଣାରେ ୩ ଜଣ ଯୁବକ ଗମ୍ଭୀର ରୂପେ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳେ ମୃତ୍ୟୁବରଣ କରିଛନ୍ତି। ଅପରପକ୍ଷରେ ଏହି ସିରିଜ ଛୁରା ମାଡ ଘଟଣା ପରେ ପୁଲିସ ଭାବମୂର୍ତ୍ତି ସୁଧାର ଅଭିଯାନ କ୍ରମରେ ୪ ଜଣ ଅଭିଯୁକ୍ତଙ୍କୁ ହେପାଜତରେ ନେଇ ପଚରାଉଚୁରା କରୁଛି। ପ୍ରାପ୍ତସୂଚନାନୁଯାୟୀ, ପ୍ରଥମ ଘଟଣା ରାତ୍ର ପ୍ରାୟ ୭ଟା ସମୟରେ ମହାନ୍ତିପଡ଼ା ଅର୍ନ୍ତଗତ ଚିତ୍ରଗୁପ୍ତ ଛକରେ ନନ୍ଦପଡ଼ା ନିବାସୀ ଶାଶ୍ୱତ ନନ୍ଦ (୩୨)ଙ୍କୁ ପୁରୁଣା ଶତ୍ରୁତା ଯୋଗୁଁ ବେକରେ ଜଣେ ଯୁବକ ଛୁରା ମାଡ କରି ଫେରାର ହୋଇଯାଇଥିଲା। ଆହତ ଯୁବକ ଶାଶ୍ୱତଙ୍କୁ ଗମ୍ଭୀର ଅବସ୍ଥାରେ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ଭିମସାରକୁ ନେଇ ଚିକିତ୍ସା କରାଯାଉଛି। ସେହିଭଳି ଦ୍ୱିତୀୟ ଘଟଣାରେ, କୁମ୍ଭାରପଡ଼ା ଠାରେ ଏକ ମୋବାଇଲ ଫୋନର କିଣାବିକାକୁ ନେଇ ଟଙ୍କା ନେଣଦେଣକୁ ନେଇ ଛୁରା ମାଡ ହୋଇଛି। କୁମ୍ଭାରପଡ଼ା ଅଞ୍ଚଳର ଅଭିଷେକ କ୍ଷେତିଙ୍କୁ ସେହି ଅଞ୍ଚଳର ୨ ଜଣ ଯୁବକ ଛୁରା ମାଡ କରିବାରୁ ତାଙ୍କର ପେଟର ଅନ୍ତବୁଜୁଳା ବାହାରକୁ ଆସି ଯାଇଛି। ତାଙ୍କୁ ମଧ୍ୟ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ବୁର୍ଲା ଭିମସାର ଠାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତୃତୀୟ ଘଟଣାରେ, ମୁଦିପଡ଼ାର ଚାୱଲା ଗଳି ଅଞ୍ଚଳରେ ରାତ୍ର ପ୍ରାୟ ସାଢ଼େ ୯ଟା ସମୟରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ତଅଁଳାପଡ଼ା ନିବାସୀ ଜିତୁ ମାଝୀଙ୍କୁ ସ୍ୱାଧିନ ମିର୍ଦ୍ଧା ନାମକ ଜଣେ ଯୁବକ ଛୁରା ମାଡ କରି ଫେରାର ମାରିଥିଲା। ଫଳରେ ଗୁରୁତର ଆହତ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ବୁର୍ଲା ଭିମସାର ଠାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ସୋମବାର ପୂର୍ବାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ଆହତ ଜିତୁ ମାଝୀଙ୍କ ମୃତ୍ୟୁ ହୋଇଯାଇଛି। ଏ ସମ୍ପର୍କରେ ଟାଉନ ଥାନାରେ ୩ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ତଦନ୍ତ ପୁଲିସ କରୁଛି।

Comments are closed.