ଓଇସି କଲେଜରୁ ଚୋରି ଅଭିଯୋଗ, ୨ ଗିରଫ
ପିପିଲି:ପିପିଲି ଥାନା ଅନ୍ତର୍ଗତ ନିଜିଗଡକୁରୁକି ସ୍ଥିତ ଓଡିଶା ଇଞ୍ଜିନିୟରିଂ କଲେଜ ପରିସରରୁ ଲୁହା ଚୌକି ସମେତ ଅନ୍ୟାନ୍ୟ ଲୁହାସାମଗ୍ରୀ ଚୋରି କରୁଥିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ପିପିଲି ପୁଲିସ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବିପିନ ରାଥୋଡ ଓ ନବାବ ଅହମ୍ମଦ। ଉଭୟଙ୍କ ଘର ଉତ୍ତରପ୍ରଦେଶ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ଭୁବନେଶ୍ୱରରେ ରହୁଥିବା ସୂଚନା ମିଳିଛି। ଏମାନେ ଅନ୍ୟ ଥାନା ଅଞ୍ଚଳରେ ଅନ୍ୟ କେଉଁ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେ ନେଇ ଅନୁସନ୍ଧାନ ଜାରି ରହିଥିବା ସଂପର୍କରେ ପିପିଲି ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।
ଓଡିଶା ଇଞ୍ଜିନିୟରିଂ କଲେଜ ଗତ କିଛି ବର୍ଷ ଧରି ବନ୍ଦ ରହିଥିବା ବେଳେ ଏହାର ସୁଯୋଗ ନେଇ କଲେଜ ମଧ୍ୟରୁ ବହୁ ମୂଲ୍ୟବାନ ଜିନିଷପତ୍ର ଚୋରି ହେଉଥିବା ଅଭିଯୋଗ ହୋଇଛି। ଗତ ୨୯ ତାରିଖ ରାତିରେ ପାଚେରୀ ଡେଇଁ ଦୁଇ ଜଣ ଦୁର୍ବୁତ୍ତ କଲେଜ ମଧ୍ୟରେ ପଶି ଏକ ଘର ମଧ୍ୟରେ ଥିବା ଲୁହା ଟେବୁଲ ଓ ଚେୟାର ଫ୍ରେମ୍ ଗୁଡିକୁ ଚୋରି କରିଥିଲେ। ସେମାନେ ଚୋରୀ ସାମଗ୍ରୀକୁ କଲେଜ ବାହାରେ ଏକ ଡାଲା ଅଟୋରେ ଲଦି ନେଇଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଉକ୍ତ କଲେଜର ବରିଷ୍ଠ ସହକାରୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିବା ହରିରାଜପୁର ଗ୍ରାମର ଅଶୋକ ସାମନ୍ତରା ଏହା ଦେଖି ଓଇସି ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ଫାଣ୍ଡି ପୁଲିସ ଓ ଶ୍ରୀ ସାମନ୍ତରା ଉକ୍ତ ଅଟୋକୁ ସେହି ରାତିରେ ପିପିଲି ପୁଲିସରେ ଜିମା ଦେଇଥିଲେ। ଏନେଇ ଶ୍ରୀ ସାମନ୍ତରାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି।
Comments are closed.