ନଦୀଜଳର ସୁପରିଚାଳନା
ବିଷ୍ଣୁ ପ୍ରସାଦ ଦାସ
କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ’ । ପୃଥିବୀ ପୃଷ୍ଠରେ ବାସ କରୁଥିବା ଲକ୍ଷ ଲକ୍ଷ ଜୀବଜନ୍ତୁ, କୀଟ ପତଙ୍ଗ, ଜଳଚର ପ୍ରାଣୀ, ବୃକ୍ଷଲତା ଠାରୁ ଆରମ୍ଭ କରି ପୃଥିବୀର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ସମସ୍ତେ ଜୀବନ ଧାରଣ କରିବା ପାଇଁ ମୁଖ୍ୟତଃ ଜଳ, ବାୟୁ ଉପରେ ଶତପ୍ରତିଶତ ନିର୍ଭରଶୀଳ। ବାୟୁରେ ଥିବା ଅମ୍ଳଜାନ ଜୀବଜଗତ ଜୀବନଧାରଣ ପାଇଁ ପ୍ରଶ୍ୱାସରେ ନେଇଥାଏ ଏବଂ ଜଳ ପାନୀୟ ରୂପେ ଗ୍ରହଣ କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଏକାଡେମୀ ଅଫ ସାଇନ୍ସ, ଇଞ୍ଜିନିଅରିଂ ଆଣ୍ଡ ମେଡ଼ିସିନ ଦ୍ୱାରା ପରୀକ୍ଷାରୁ ଅନୁମେୟ ଜଣେ ସୁସ୍ଥ ମନୁଷ୍ୟ ପାଇଁ ସର୍ବନିମ୍ନ ୩.୭ ଲି (ପୁରୁଷ) ୨.୭ ଲି (ମହିଳା) ଜଳର ଆବଶ୍ୟକତା ପଡିଥାଏ, ଏହାଛଡା ନିତ୍ୟ ବ୍ୟବହାର ପାଇଁ ମଧ୍ୟ ଜଳର ଆବଶ୍ୟକତାକୁ କେହି ଅସ୍ବୀକାର କରିବେ ନାହିଁ। ପିଲାଦିନେ ସ୍କୁଲରେ ପଢିଥିବା ବିଷୟରୁ ଯଦି କିଛି ମନେ ପକାଇବା ତେବେ ଜାଣିବା ଯେ ପୃଥିବୀରେ ୩ ଭାଗ ଜଳ ଏବଂ ଏକ ଭାଗ ସ୍ଥଳ ଅଛି; କିନ୍ତୁ ଏହି ତିନି ଭାଗ ଜଳ ମଧ୍ୟରୁ ବ୍ୟବହାର ଉପଯୋଗୀ ଜଳର ପରିମାଣ ହେଉଛି ମାତ୍ର ଏକ ପ୍ରତିଶତ, ଯାହାକି ମନୁଷ୍ୟ ପାଇଁ ଉପଯୋଗୀ। ତେବେ ଅନୁମାନ କରନ୍ତୁ ତ’ ଆମେ କେଉଁ ସଙ୍କଟ ଦେଇ ଗତିକରୁଛୁ ଏବଂ ଏହାର ସୁପରିଚାଳନା ଯଦି ନ’ହୁଏ ତେବେ ଆଗାମୀ ଦିନରେ ପୃଥିବୀରେ ବାସ କରୁଥିବା ଆଠଶହ କୋଟି ମନୁଷ୍ୟ ସହିତ ଅନ୍ୟ ଜୀବଜନ୍ତୁ ମଧ୍ୟ ଘୋର ଜଳ ସଙ୍କଟ ମଧ୍ୟଦେଇ ଗତିକରିବେ, ଏଥିରେ କେହି ହୁଏ ତ ଦ୍ବିମତ ହେବେ ନାହିଁ ।
ପୃଥିବୀପୃଷ୍ଠରେ ଜଳର ଉତ୍ସ କ’ଣ?
ଆମେମାନେ ଯଦି ତର୍ଜମା କରିବା ତେବେ ଜାଣିବାକୁ ପାଇବା ଯେ, ପୃଥିବୀର ଗଚ୍ଛିତ ଜଳ ମଧ୍ୟରୁ ୯୬.୫୪ ପ୍ରତିଶତ ବା ୯୭ ପ୍ରତିଶତ ଲଵଣ ଯୁକ୍ତ ସମୁଦ୍ର ଜଳ ଯାହାକି ପାନୀୟ ପାଇଁ ଅନୁପଯୁକ୍ତ। ବରଫ ପାହାଡ଼, ଗ୍ଲସିଆର ଏବଂ ସ୍ଥାୟୀ ବରଫ ୧.୭୪ ଭାଗ , ଭୂତଳ ଜଳ ୧.୬୯ ଭାଗ , ସତେଜ ଜଳ ୦.୭୬ ଭାଗ ତେଣୁ ଅନୁମାନ କରନ୍ତୁ ତିନି ଚତୁର୍ଥାଂଶ ଜଳ ମଧ୍ୟରୁ କେତେ ଭାଗ ଆମେ ବ୍ୟବହାର କରିପାରିବା ? ସାଧାରଣତଃ ଆମେମାନେ ନଦୀଗୁଡିକ ଉପରେ ନିର୍ଭରଶୀଳ, କିଛି ସ୍ଥାନରେ ଭୂତଳ ଜଳର ମଧ୍ୟ ଉପଯୋଗ କରାଯାଇଥାଏ, କିଛି ବିକଶିତ ରାଷ୍ଟ୍ର ଗୁଡିକ ଏବେ ବର୍ଷା ଜଳ ଅମଳ ଉପରେ ଗୁରୁତ୍ୱ ଦେବାକୁ ଚେଷ୍ଟିତ। ଜଳ ସଂରକ୍ଷଣ ନ’ କଲେ ଆଗାମୀ ପିଢ଼ି ଆମକୁ ଆମର ଦାୟିତ୍ୱହୀନତା ପାଇଁ ଦାୟୀ କରିବେ। ସ୍ବଚ୍ଛ ପାନୀୟ ଜଳକୁ ସଞ୍ଚିତ କରି ରଖିବା ତଥା ନିତ୍ୟ ବ୍ୟବହୃତ ଜଳକୁ ବିଶୋଧିତ କରି ପୁନଃ କାର୍ଯ୍ୟରେ ଲଗାଯାଇ ପାରେ। ସଭ୍ୟ ସମାଜରେ ପ୍ରଚାର ପ୍ରସାର ଦ୍ୱାରା ଏହିପରି ଜନସ୍ୱାର୍ଥ ପାଇଁ ଅନେକ କିଛି ବାର୍ତ୍ତା ଦେଇ ସଚେତନତା ବଢାଇବାର ସମୟ ଉପନୀତ। କଥାରେ ଅଛି ‘କଲେ ହେଳା ବୁଡିବ ଭେଳା’ ସରକାର ଏବଂ ଜନସାଧାରଣ ସମସ୍ତେ ଏଥିପ୍ରତି ନିଷ୍ଠାର ସହ ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ।
ଆଦିମ ଯୁଗରୁ ମନୁଷ୍ୟ ତଥା ଗୃହପାଳିତ ଜୀବଜନ୍ତୁ ନଦୀ କୂଳରେ ବସବାସ କରୁଥିଲେ ଏବଂ ଆଜି ମଧ୍ୟ୍ୟ ପୃଥିବୀର ଅଧିକାଂଶ ବଡ଼ ବଡ଼ ସମୃଦ୍ଧଶାଳୀ ନଗର ପୃଥିବୀର ଅନେକ ନଦୀ କୂଳରେ ଅବସ୍ଥିତ। ଏହି ନଗରୀଗୁଡିକ ଶିକ୍ଷା ସଂସ୍କୃତି, କଳା ଭାସ୍କର୍ଯ୍ୟ , ବିଜ୍ଞାନ, ବାଣିଜ୍ୟ ତଥା ଆଧୁନିକ ଜୀବନଶୈଳୀକୁ ବହନ କରି ଶତାବ୍ଦୀ ଶତାବ୍ଦୀ ଧରି ରହି ଆସିଛି, ଏଥିରୁ ଅନୁମେୟ ଆମ ପାଇଁ ନଦୀର ଭୂମିକା ଏବଂ ଜଳ କେତେ ଗୁରୁତ୍ୱପୂର୍ଣ୍ଣ। ନଦୀଗୁଡିକ ଦେଶର ଜୀବନରେଖା କହିଲେ ଅତ୍ୟୁକ୍ତି ହେବନାହିଁ, ଦେଶର କୃଷି, ବାଣିଜ୍ୟ, ଯୋଗାଯୋଗ, ଜଳ, ବିଦ୍ୟୁତ୍ ଉତ୍ପାଦନ ଅର୍ଥନୀତିକୁ ସବଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜଳସେଚନ ଦ୍ୱାରା କୃଷି ଏବଂ ଶିଳ୍ପର ଉନ୍ନତି ସହିତ ଦେଶ ଆତ୍ମନିର୍ଭରଶୀଳ ହୋଇଥାଏ, ଯେଉଁ ଦେଶରେ ନଦୀ ନାହିଁ କିମ୍ବା ନଦୀଜଳ ବ୍ୟବହାର ଅନୁପଯୋଗୀ ସେହି ଦେଶମାନେ ଜଳ ପାଇଁ ପଡୋଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ଯଥା: ସିଙ୍ଗାପୁର ନିଜର ପାନୀୟ ଜଳ ପାଇଁ ମାଲେସିଆ ଉପରେ ନିର୍ଭରଶୀଳ, ସେହିପରି ଅନେକ ଛୋଟ ରାଷ୍ଟ୍ର ଦେଖିବାକୁ ମିଳେ।
ଆମେ ଏଠାରେ ପୃଥିବୀର ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ଗୋଟି ନଦୀ ବିଷୟରେ ଆଲୋକପାତ କରିବା। ଏହି ନଦୀଗୁଡିକ କୂଳରେ ଗଢି ଉଠିଥିବା ବୃହତ୍, ମଧ୍ୟମ, ଛୋଟ ସହର, ଗ୍ରାମ୍ୟ, କଳ କାରଖାନା, ଜନବସତି, ପ୍ରପାତ ସଂଲଗ୍ନ ଜଳ ବିଦ୍ୟୁତ୍ କେନ୍ଦ୍ର, ପ୍ରାକୃତିକ ପରିବେଶ, ଗମନାଗମନ, ନୌବାଣିଜ୍ୟ, କୃଷି, ପାନୀୟ ଜଳ, ଖାଦ୍ୟ, ପ୍ରାକୃତିକ ଜଙ୍ଗଲ ତଥା ମାନବ ଏବଂ ଜୀବ ଜଗତ ପାଇଁ ସୁହାଇଲା ଭଳି ସୁବିଧା ସୁଯୋଗ ଯୋଗାଇ ଆସିବା ସହିତ ସେହି ଦେଶର ଜୀବନରେଖା ପାଲଟି ଯାଇଛି।
୧. ନୀଳ ନଦୀ : ପୃଥିବୀର ଦୀର୍ଘତମ ନଦୀ ‘ନୀଳ’ ଆଫ୍ରିକା ମହାଦେଶରେ ଉତ୍ପତ୍ତି ସ୍ଥଳଠାରୁ ୬୬୫୦ କିଲୋମିଟର ପଥ ଅତିକ୍ରାନ୍ତ କରି ଭୂମଧ୍ୟସାଗରରେ ମିଶିଛି, ଗନ୍ତବ୍ୟ ପଥରେ ଇଥିଓପିଆ, ସୁଦାନ, ଉଗାଣ୍ଡା, ତାଞ୍ଜାନିଆ, କେନିଆ, ରୱାଣ୍ଡା, ବୁରୁଣ୍ଡି, ଇଜିପ୍ଟ, କଙ୍ଗୋ, ସୁଦାନ ଇତ୍ୟାଦି ଦେଶ ମଧରେ ପ୍ରବାହିତ। ଇତିହାସରେ ନୀଳ ନଦୀର ସଭ୍ୟତା ବିଷୟରେ ଅନେକ ବିସ୍ତୃତଭାବେ ବର୍ଣ୍ଣିତ ହୋଇଅଛି।
୨-ଆମାଜନ ନଦୀ : ଏହି ନଦୀ ଦକ୍ଷିଣ ଆମେରିକାର ବ୍ରାଜିଲ, ପେରୁ, ବୋଲିଭିଆ, କଲମ୍ବିଆ, ଇକୁଏଡାର, ଭେନେଜୁଏଲା ଏବଂ ଗୁଆନା ଦେଶ ମଧ୍ୟ ଦେଇ ଦୀର୍ଘ ୬୫୭୫ କିଲୋମିଟର ପଥ ଅତିକ୍ରମ କରି ଆଟଲାଣ୍ଟିକ ସାଗରରେ ପଡିଛି। ଏହାର ପାର୍ଶ୍ୱରେ ଥିବା ଆମାଜନ ଜଙ୍ଗର ପୃଥିବୀର ସବୁଠାରୁ ବଡ଼ ପ୍ରାକୃତିକ ଜଙ୍ଗଲ। ପୃଥିବୀରେ ଆବଶ୍ୟକତା ପଡୁଥିବା ଅମ୍ଳଜାନ ମଧ୍ୟରୁ ଏକ ତୃତୀୟାଂଶ ଆମାଜନ ଜଙ୍ଗଲ ଯୋଗାଇଥାଏ।
୩- ୟଙ୍ଗତେଜ ନଦୀ ଚୀନଦେଶର ସବୁଠାରୁ ଦୀର୍ଘତମ ନଦୀ। ଏହାର ଦୈର୍ଘ୍ୟ ୬୩୦୦ କିଲୋମିଟର, ଏହାର ଉତ୍ପତ୍ତି ସ୍ଥଳ କୁଇନଘାଇରୁ ବାହାରି ଚୀନ ଦେଶର ମୁଖ୍ୟ ସହର ଚଙ୍ଗକୁଇଂ, ଜିଙ୍ଗଝୋଉ, ଇବିନ, ଲୁଜହୋଉ, ପାଞ୍ଜିହଉ ଇତ୍ୟଦି ସହର ଦେଇ ଦକ୍ଷିଣ ଚୀନ ସାଗରରେ ମିଶିଛି। ଏହି ନଦୀ ଚୀନ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଏହାର ପାର୍ଶ୍ବରେ କୃଷି, ବିରାଟ ଶିଳ୍ପ, ବିରାଟ ମାଛ ଚାଷ, ଘୁଷୁରି ଚାଷ ପରି ଲାଭଜନକ ବ୍ୟବସାୟ ଗଢିଉଠିଛି।
୪-ମିସିସିପି ନଦୀ ଯୁକ୍ତରାଷ୍ଟ୍ର ଆମେରିକାର ଏକ ବୃହତ ନଦୀ। ଏହା ମିସୋରି ନଦୀ ସହିତ ମିଳିତ ହୋଇ ମିସୋରି -ମିସିସିପି ନାମରେ ପରିଚିତ, ଦୁଇଟି ନଦୀର ମିଳିତ ଦୈର୍ଘ୍ୟ ୬୨୭୫ କିଲୋମିଟର। ଏହା ଯୁକ୍ତରାଷ୍ଟ୍ର ଆମେରିକାକୁ ନୌବାଣିଜ୍ୟ, କୃଷି, ଶିଳ୍ପ, ପାନୀୟ ଜଳ, ଜଳ ବିଦ୍ୟୁତ୍, ଜଙ୍ଗଲ, ପଶୁସମ୍ପଦ, ମାଛ ଚାଷ ଇତ୍ୟାଦି ଅନେକ କ୍ଷେତ୍ରରେ ଆର୍ଥିକ ଲାଭ ଯୋଗାଇ ଆସୁଛି। ୩୫ ହଜାରରୁ ଅଧିକ ଶିଳ୍ପ ଭିତ୍ତିକ କର୍ମ ସଂସ୍ଥାନ ଏହି ନଦୀ ଦ୍ୱାରା ହୋଇଥାଏ , ୧୨.୬ ବିଲିୟାନର ଛୋଟ ବଡ଼ ସିପିଙ୍ଗ ଇଣ୍ଡଷ୍ଟ୍ରି ଏହି ନଦୀ ଦ୍ୱାରା ସମ୍ଭବ ହୋଇଛି। ମିସିସିପି ନଦୀ ଲେକ ଇଟାସ୍କରୁ ବାହାରି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇ ଶେଷରେ ମେକ୍ସିକୋ ଉପସାଗରରେ ମିଶିଛି। ଦେଶର ଉନ୍ନତି ପାଇଁ ନଦୀର ଅନେକ ଦାନ ରହିଛି ।
୫-ୟେନିସାଇ-ଅଙ୍ଗରା-ସେଲେଙ୍ଗା-ଇଡର୍- ଏହି ନଦୀର ଦୈର୍ଘ୍ୟ ୫୫୩୯ କିଲୋମିଟର , ପୃଥିବୀର ପଞ୍ଚମ ଦୀର୍ଘତମ ନଦୀ। ଏହି ନଦୀ ଉତ୍ତର ମଙ୍ଗୋଲିଆ ଦେଶର ଖଙ୍ଗାଇ ପର୍ବତମାଳାରୁ ଜନ୍ମ ନେଇ ଋଷିଆ ଦେଶର ଦକ୍ଷିଣ ଭାଗରେ ପ୍ରବେଶ କରି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇ ଶେଷରେ ଋଷିଆର ଉତ୍ତର ଦିଗରେ ଆର୍କଟିକ୍ ମହାସାଗରରେ ମିଶିଛି। ଚେକ ଡ୍ୟାମ ଦ୍ୱାରା ତଥା ଜଳ ସମ୍ପଦର ସୁପରିଚାଳନା କରି ଆମେ କିଛି ମାତ୍ରାରେ ବନ୍ୟା ଜଳକୁ ରୋକି ପରିବାରେ ସକ୍ଷମ। ସତ କହିବାକୁ ଗଲେ ପ୍ରକୃତି ଉପରେ କାହାରି ହାତ ନାହିଁ, ସେ ଯେତେବେଳେ ଚାହିଁବ ତାଣ୍ଡବ ରଚାଇ ପାରିବ। ତେବେ ବି ଆମେ ସତର୍କ ରହିବ ଉଚିତ ।
ଭାରତବର୍ଷରେ ମଧ୍ୟ ଅନେକ ଚୀର ସ୍ରୋତା ନଦୀ ରହିଛି। ମୁଖ୍ୟତଃ ଏହା ହିମାଳୟରୁ ବାହାରି ଉତ୍ତର ଭାରତ ଦେଇ ପ୍ରବାହିତ ହୋଇ ଶେଷରେ ସାଗରରେ ମିଶିଛି । ଦକ୍ଷିଣ ଭାରତ ତଥା ମଧ୍ୟ ଭାରତର ନଦୀଗୁଡିକ ଚିରସ୍ରୋତା ନୁହେଁ ତେଣୁ ଅନେକ ସମୟରେ ଏହା ଶୁଷ୍କ ରହିଥାଏ। ଛତିଶ ଗଡ଼ ଏବଂ ଓଡିଶା ପ୍ରଦେଶ ମଧ୍ୟ ଦେଇ ବହିଯାଇଥିବା ମହାନଦୀ ମଧ୍ୟ ଆଜି ଶୁଷ୍କ ହୋଇ ଯାଇଛି। ଦୁଇଟି ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ବିବାଦ ଆଜି ଟ୍ରାବୁନାଲରେ ବିଚାରାଧୀନ ଅବସ୍ଥାରେ ଅଛି। ଅତୀତରେ ସରକାର ଗଙ୍ଗା ନଦୀର ଜଳ କେନାଲ ଦ୍ୱାରା ମହାନଦୀରୁ ଆରମ୍ଭ କରି ଦକ୍ଷିଣ ଭାରତର ଗୋଦାବରୀ ପର୍ଯ୍ୟନ୍ତ ସଂଯୋଗ କରିବାର ଯୋଜନା ଥିଲା; କିନ୍ତୁ ଏ ପଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଚିରସ୍ରୋତା ନଦୀର ବଳକା ଜଳକୁ ଯଦି ବୈଜ୍ଞାନିକ ପ୍ରଣାଳୀ ଦ୍ୱାରା ସାଗରକୁ ନ’ ଛାଡ଼ି ନଦୀ ସଂଯୋଗ ପ୍ରଣାଳୀ ଦ୍ୱାରା ଶୁଷ୍କ ନଦୀରେ ଛଡା ଯାଇପାରନ୍ତା ତେବେ ଦେଶର କୃଷି, ଶିଳ୍ପ ତଥା ନୂତନ ଜଙ୍ଗଲ, ଜଳ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନ ହୋଇ ଭାରତର ଆର୍ଥିକ ଉନ୍ନତି ନିଶ୍ଚିତ ଭାବେ ହୋଇ ପାରନ୍ତା।
Comments are closed.