ବୟସବାଦକୁ ବିରୋଧ

ପ୍ରଦୀପ ମହାପାତ୍ର

ପାଶ୍ଚାତ୍ୟ ସଭ୍ୟତାଭିତ୍ତିକ ‘ପିତୃ ଦିବସ’ ୧୭ ଜୁନରେ ପାଳନ ଅବ୍ୟବହିତରେ ଦୈନିକ ‘ସମାଜ’ ୧୯ ଜୁନ ୨୦୨୩ ସଂସ୍କରଣରେ ପ୍ରକାଶିତ ସମ୍ପାଦକୀୟ ‘ବାର୍ଦ୍ଧକ୍ୟରେ ନ ଗଡୁ ଲୁହ’ ଓ ତତ୍ ସଂପର୍କିତ ପାଠକୀୟ ପ୍ରତିକ୍ରିୟା ୨୩ ଜୁନ ୨୦୨୩ ସଂସ୍କରଣରେ ସମ୍ପାଦକୀୟ-ସଂଲଗ୍ନ ଲଳିତ ନିବନ୍ଧ ‘ବୃଦ୍ଧାବସ୍ଥା ଓ ସମାଜର ଆଭିମୁଖ୍ୟ’ ଦୁଇଗୋଟି ରଚନାରେ ସମକାଳୀନ ଓଡ଼ିଶୀ ସାମାଜିକ ବ୍ୟବସ୍ଥାରେ ବୃଦ୍ଧଜନଙ୍କୁ ହତାଦର ପ୍ରବାହ ଆଲୋଚନା କରି ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ସମ୍ପାଦକୀୟରେ ପରିବର୍ତ୍ତିତ ପାରିବାରିକ ଆଙ୍ଗିକରେ ବୟସ୍କମାନେ ଅବହେଳିତ ହେଉଥିବା ଏବଂ ଏହାର ସଂଶୋଧନ ନିମନ୍ତେ ନୀତି ଶିକ୍ଷାର ଆବଶ୍ୟକତା ସୂଚାଇ ଦିଆଯାଇଥିଲା। ପାଠକୀୟ ପ୍ରତିକ୍ରିୟାରେ ବୟସ୍କଙ୍କ ଅଭିଜ୍ଞତା ଓ କର୍ମକୁଶଳତାକୁ ଆମ ଦେଶ ଓ ରାଜ୍ୟରେ ନିରୁତ୍ସାହିତ କରାଯାଉଥିବା ବର୍ଣ୍ଣନା କରି ପାରିବାରିକ ଜୀବନଯାତ୍ରାରେ ବୟସ୍କଙ୍କ ଯତ୍ନ ଆୟୋଜନ ସମ୍ଭବ ହୋଇପାରୁନଥିବା ହେତୁ ପାଶ୍ଚାତ୍ୟ ବ୍ୟବସ୍ଥା ଅନୁସରଣ କରିବା ସମୟ ଉପନୀତ ହୋଇଥିବା ସ୍ପଷ୍ଟ କରାଯାଇଛି। ବାର୍ଦ୍ଧକ୍ୟ ଅଧ୍ୟୟନରେ ବୟସ୍କଙ୍କୁ ଅବହେଳା ବୟସବାଦ ‘ଏଜିଜମ’ ଭାବେ ଚିହ୍ନଟ କରାଯାଏ।

ବୟସବାଦ ସଂପର୍କରେ ବିଂଶ ଶତାବ୍ଦୀର ଶେଷ ତିନି ଦଶକରେ ଚ଼େତନା ପ୍ରସାରିତ ହୋଇଥିଲା। ବିଗତ ଅର୍ଦ୍ଧଶତାବ୍ଦୀ ଧରି ଏହି କ୍ଷେତ୍ରରେ ଅଧ୍ୟୟନ, ଗବେଷଣା ଓ କାର୍ଯ୍ୟକ୍ରମ ପ୍ରଯୋଜନା ବଳବତ୍ତର ରହିଛି। ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୧ରୁ ୨୦୩୦ ‘ସୁସ୍ଥ ବାର୍ଦ୍ଧକ୍ୟ ଦଶକ’ ପାଳିତ ହେଉଛି। ବୟସବାଦ ସଂପର୍କରେ ଆଦ୍ୟ ଚିନ୍ତକମାନଙ୍କ ମଧ୍ୟରେ ଆଧୁନିକ ଫରାସୀ ଦାର୍ଶନିକ ସିମନ ଦ ବାଉଭେର ଅନ୍ୟତମ। ଅବହେଳିତ ବାର୍ଦ୍ଧକ୍ୟର ମୁକାବିଲା ଲାଗି ବାଉଭେର ଭଳି ଦାର୍ଶନିକଙ୍କ ବାସ୍ତବବାଦୀ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଆଲୋଚନା ପ୍ରାସଙ୍ଗିକ। ବାଉଭେରଙ୍କ ଜନ୍ମ ୧୯୦୮ ଏବଂ ମୃତ୍ୟୁ ୧୯୮୬। ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ଆଲବର୍ଟ କାମ୍ୟୁ, ଜାଁ-ପଲ-ସାତ୍ରେଙ୍କ ସହ ବାଉଭେର ସମାଜରେ ସ୍ୱାଧୀନତା ଓ ନ୍ୟାୟ ପ୍ରତିଷ୍ଠା ଅଭିପ୍ରାୟରେ ଅସ୍ତିତ୍ୱବାଦ ‘ଏକଜିଷ୍ଟାନସିଆଲିଜମ’ ଦର୍ଶନ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ଜୀବନର ଷାଠିଏ ବର୍ଷ ପୂର୍ତ୍ତି ପରେ ବାର୍ଦ୍ଧକ୍ୟ ବିଷୟବସ୍ତୁକୁ ନେଇ ‘କମିଙ୍ଗ ଅଫ ଏଜ’ ନାମକ ପୁସ୍ତକ ରଚନା କରିଥିଲେ। ଏହାର ମୂଳ ଫରାସୀ ସଂସ୍କରଣ ୧୯୭୦ ଓ ଇଂଲିଶ ଅନୁବାଦ ୧୯୭୨ରେ ପ୍ରକାଶିତ ହୋଇଥିଲା। ବୟସବାଦ ଅଧ୍ୟୟନରେ ଏହାକୁ ଅନ୍ୟତମ ମୂଳ ଉତ୍ସଭାବେ ଗ୍ରହଣ କରାଯାଏ।

‘କମିଙ୍ଗ ଅଫ ଏଜ’ରେ ବାଉଭେର ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବାର୍ଦ୍ଧକ୍ୟ ପ୍ରତି ପ୍ରଚଳିତ ରୀତିନୀତି ଅନୁଶୀଳନ କରିଥିଲେ। ଦୁଇ ଭାଗରେ ବିଭକ୍ତ ୬୫୦ ପୃଷ୍ଠା ପୁସ୍ତକର ପ୍ରଥମ ଭାଗରେ ବିଂଶ ଶତାବ୍ଦୀର ସପ୍ତମ ଦଶକ ସୁଦ୍ଧା ସାମାଜିକ ବ୍ୟବସ୍ଥାରେ ବୃଦ୍ଧଜନଙ୍କ ସ୍ଥାନ ଓ ପ୍ରଚଳିତ ଦାର୍ଶନିକଙ୍କ ଦୃଷ୍ଟିଭଙ୍ଗୀ ସମ୍ୱଳିତ ବାହ୍ୟ ଲକ୍ଷଣ ଆଲୋଚିତ। ଦ୍ୱିତୀୟ ଭାଗରେ ସାଧାରଣ ନାଗରିକ, ଶିକ୍ଷିତ ଓ ଅଶିକ୍ଷିତ, ଧନୀ ଓ ଗରିବଙ୍କ ବାର୍ଦ୍ଧକ୍ୟ ଜୀବନଚ଼ର୍ଯ୍ୟାର ବିବରଣୀ ବର୍ଣ୍ଣିତ। ସାମାଜିକ ବ୍ୟବସ୍ଥାରେ ବାର୍ଦ୍ଧକ୍ୟକୁ ନେଇ ପାରମ୍ପରିକ ବିଶ୍ୱାସ ‘ମିଥ’ ଓ ଜୀବନରେ ବାସ୍ତବତା ‘ରିଆଲିଟିସ ଅଫ ଲାଇଫ’ ବିଭିନ୍ନ ଦିଗରୁ ତର୍ଜମା ସମ୍ୱଳିତ। ବାଉଭେରଙ୍କ ଅଧ୍ୟୟନ ମୁଖ୍ୟତଃ ଫ୍ରାନ୍ସ ଭଳି ବିକଶିତ ରାଷ୍ଟ୍ରର ସାମାଜିକ ପୃଷ୍ଠଭୂମିରେ ପର୍ଯ୍ୟବସିତ।

ବାଉଭେରଙ୍କ ବିଚାରରେ ବୟସବାଦର କେତେଗୋଟି ପ୍ରମୁଖ ଉପଲବ୍ଧି ଉଲ୍ଲେଖନୀୟ। ପ୍ରଥମତଃ, ବୃଦ୍ଧାବସ୍ଥାରେ ମନୁଷ୍ୟ ଶାରୀରିକସ୍ତରରେ ଅବକ୍ଷୟ ସଙ୍ଗେ ସାମାଜିକସ୍ତରରେ ବୟସବାଦୀ ଆଭିମୁଖ୍ୟ କାରଣରୁ ଉପେକ୍ଷିତ। ଲାଭାଂଶକୁ ଲକ୍ଷ୍ୟ ରଖି ସାମାଜିକ ବ୍ୟବସ୍ଥା ଗଢ଼ି ଉଠିଥିବା ସ୍ଥଳେ ମନୁଷ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ଉତ୍ପାଦନକ୍ଷମ ନ ହୋଇପାରୁଥିବା ହେତୁ ଅବହେଳିତ ଓ ସ୍ଥଳବିଶେଷରେ ଲାଞ୍ଛିତ ହୋଇଥାଏ। ଦ୍ୱିତୀୟତଃ, ବାର୍ଦ୍ଧକ୍ୟରେ ମନୁଷ୍ୟ ପରିବାର ଓ ବନ୍ଧୁବର୍ଗଙ୍କ କ୍ରମାଗତ ନିଧନ ହେତୁ ଏକାକୀ ହୋଇପଡ଼େ। ଆର୍ଥିକ ଦୁରବସ୍ଥା, ଶାରୀରିକ ଦୁର୍ବଳତା, ରୋଗ ଓ ପୀଡ଼ାଗ୍ରସ୍ତ ଜୀବନର ତାଡ଼ନାରେ ନିଜସ୍ୱ ସତ୍ତା ‘ଆଇଡ଼େଣ୍ଟି’ ହରାଇ ବସେ। ବହୁ କ୍ଷେତ୍ରରେ ତାହାର ବ୍ୟକ୍ତିତ୍ୱ ମଳିନ ପଡ଼ିଯାଏ। କୁହାଯାଏ ଯେ ମନୁଷ୍ୟ ବାର୍ଦ୍ଧକ୍ୟରେ ସୁଦ୍ଧା ନିଜ ଉଦ୍ୟମରେ ନିଜସ୍ୱ ସ୍ଥିତି ଅକ୍ଷୁଣ୍ଣ ରଖିପାରିବ। ବାଉଭେର ଦର୍ଶାଇଛନ୍ତି ଯେ ସ୍ଥଳବିଶେଷରେ ନିଜକୁ ନିଜେ ସବଳ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେଲେ ସୁଦ୍ଧା ବାହ୍ୟ ପରିବେଶରେ ବୃଦ୍ଧଜନଙ୍କୁ କିପରି ଗ୍ରହଣ କରାଯାଉଛି ତାହା ନିୟନ୍ତ୍ରଣ କରିବା ସଂଭବ ନୁହେଁ।

prayash

ଉଦାହରଣରେ ସାମାଜିକ ବ୍ୟବସ୍ଥାରେ ପ୍ରବୀଣଙ୍କୁ ସମ୍ମାନ ପ୍ରଦାନ ନିମନ୍ତେ ପାରମ୍ପରିକ ଭାବେ ନୀତିବାଣୀ ପ୍ରଚାରିତ ହେଉଥିଲେ ହେଁ ନବୀନବର୍ଗ ପ୍ରବୀଣଙ୍କୁ ଅଣଦେଖା କରିଥାନ୍ତି। ତୃତୀୟତଃ, ବାର୍ଦ୍ଧକ୍ୟରେ ଉପନୀତ ହେବା ପରେ ମନୁଷ୍ୟ ଅନ୍ତଃ-ଅନୁଭବକୁ ବାହ୍ୟ-ଅନୁଭବ ସହ ଯୋଡ଼ିପାରେ ନାହିଁ। ଜୀବନଚ଼କ୍ରରେ ନିଜ ଆଚ଼ରଣ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ହେତୁ ସହଜରେ ବୟସଗତ ପାର୍ଥକ୍ୟ ବାରିପାରୁନଥିବା ସ୍ଥଳେ ବୟସର ଅନ୍ତିମ ସୋପାନରେ ନିଜ ପ୍ରତି ପାରିପାର୍ଶ୍ୱିକ ସାମାଜିକ ଦୃଷ୍ଟିଭଙ୍ଗୀ ସଂପର୍କରେ ସଚ଼େତନ ନଥାଏ। ଫଳରେ ବ୍ୟକ୍ତିଗତସ୍ତରରେ ଅନୁଭୂତ ଚ଼ରିତ୍ର ବାହ୍ୟ ଜଗତରେ ଗୃହୀତ ଚ଼ରିତ୍ର ମଧ୍ୟରେ ତାଳମେଳ ରହେ ନାହିଁ। ଏହି କାରଣରୁ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଚତୁର୍ଥତଃ, ବାର୍ଦ୍ଧକ୍ୟ ଜୀବନ ମୌଳିକତା ପରିସ୍ଫୁଟନ ନିମନ୍ତେ ପ୍ରକୃଷ୍ଟ ସମୟ। ବାଉଭେର ଯଥାର୍ଥ ‘ଅଥେଣ୍ଟିକ’ ଜୀବନଯାପନ ପ୍ରତି ଗୁରୁତ୍ୱାରୋପ କରିଥାନ୍ତି। ଯଥାର୍ଥ ଜୀବନ ନିଜସ୍ୱ ଋଚିରେ ଜୀବନଚର୍ଯ୍ୟାକୁ ବୁଝାଏ। ବାର୍ଦ୍ଧକ୍ୟରେ ସମ୍ମୁଖୀନ ହେଉଥିବା ଅନ୍ତଃ ଓ ବାହ୍ୟ ପରିବର୍ତ୍ତନକୁ ଏଡ଼ାଇ ନଦେଇ ତଥା ବିରୋଧ ନକରି ନିଜ ବ୍ୟକ୍ତିତ୍ୱରେ ମୌଳିକତା ପରିସ୍ପୁଟନ ଉଦ୍ୟମ ଯଥାର୍ଥ ଜୀବନ। ଉଦାହରଣରେ ବାର୍ଦ୍ଧକ୍ୟଜନିତ ଶାରୀରିକ ଲକ୍ଷଣ, ଯଥା ପକ୍ୱ କେଶ, କୁଞ୍ଚିତ ଚର୍ମକୁ ପ୍ରସାଧନ ଦ୍ୱାରା ସଜାଡ଼ି ଯୁବାବସ୍ଥାକୁ ଫେରିଯିବା ନିମନ୍ତେ ଉଦ୍ୟମ ନିରର୍ଥକ। ଏହି ଉଦ୍ୟମ ଅନେକାଂଶରେ ସଫଳ ହୁଏ ନାହିଁ ଏବଂ ଛଳନାର ଅସ୍ତିତ୍ୱ କ୍ଷଣସ୍ଥାୟୀ। ଅପରପକ୍ଷେ ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟଜନିତ ପ୍ରାକୃତିକ ଲକ୍ଷଣଗୁଡ଼ିକ ସହାବସ୍ଥାନରେ ରୂପଚ଼ର୍ଯ୍ୟା ଯଥାର୍ଥ। ପଞ୍ଚମତଃ, ବାର୍ଦ୍ଧକ୍ୟକୁ ଅସ୍ୱୀକାର ବୃଦ୍ଧାବସ୍ଥାରେ ସ୍ପୃହଣୀୟ ନୁହେଁ। ମନୁଷ୍ୟ ବାର୍ଦ୍ଧକ୍ୟକୁ ବିଭିନ୍ନ ଉପାୟରେ ଏଡ଼ାଇ ଦେବା ନିମନ୍ତେ ଉଦ୍ୟମ କରିଥାଏ। ଉଦାହରଣରେ ଏକାଂଶ କଥୋପକଥନରେ ବାରମ୍ୱାର ନିଜ ଯୌବନର ସ୍ମୃତି ବଖାଣିଥାନ୍ତି। ଦିନେ ମୁଁ ବା ଆମେ ଏମିତି ଥିଲୁ, ଏୟା କରିଥିଲୁ ଇତ୍ୟାଦି। ବାଉଭେରଙ୍କ ବିଚାରରେ ସଂପୃକ୍ତ ବ୍ୟକ୍ତି ଯୌବନର ସ୍ମୃତିରେ ବିଚ଼ରଣ ନିମନ୍ତେ ଯତ୍ନବାନ ହେବାର ମୁଖ୍ୟ କାରଣ ବାର୍ଦ୍ଧକ୍ୟକୁ ଅସ୍ୱୀକାରରେ ପର୍ଯ୍ୟବସିତ। ବର୍ତ୍ତମାନ ଓ ଭବିଷ୍ୟତ ବଦଳରେ ମାନସପଟରେ ଅତୀତର ସ୍ମୃତିର ଘେରରେ ବଞ୍ଚିବା ଯଥାର୍ଥ ଜୀବନ ପଦବାଚ୍ୟ ନୁହଁ। ଷଷ୍ଠତଃ, ବାର୍ଦ୍ଧକ୍ୟକୁ ଅସ୍ୱୀକାର ଓ ଯୌବନର ଜୟଗାନ ବୟସବାଦକୁ ସୂଚ଼ିତ କରାଇଥାଏ। ବୃଦ୍ଧଜନ ନିଜେ ନିଜ ଅବସ୍ଥା ପ୍ରତି ଅସୂୟାଭାବ ପ୍ରକାଶ ବୟସବାଦର ଉତ୍ସ ରୂପେ କାର୍ଯ୍ୟ କରେ। ପରବର୍ତ୍ତୀ ପର୍ଯ୍ୟାୟରେ ବୟସବାଦୀ ମନୋଭାବ ପ୍ରସାର ବାର୍ଦ୍ଧକ୍ୟ ଜୀବନ ପ୍ରତି ପାରିବାରିକ ଓ ସାମାଜିକ ଅବହେଳାର କାରଣ ପାଲଟିଥାଏ। ବୃଦ୍ଧଜନ ନିଜେ ବାର୍ଦ୍ଧକ୍ୟକୁ ସମ୍ମାନ ପ୍ରଦାନ, ବାସ୍ତବତାରୁ ଦୂରେଇ ନଯିବା ଏବଂ ବୃଦ୍ଧାବସ୍ଥାରେ ନିଜ ବ୍ୟକ୍ତିତ୍ୱକୁ ଉଭୟ ଶାରୀରିକ, ମାନସିକ ଓ ଆଚରଣ ସ୍ତରରେ ପରିବର୍ତ୍ତିତ ଅବତାରରେ ଗଢ଼ିତୋଳିବା ଯଥାର୍ଥ ଜୀବନ। ସପ୍ତମରେ ବାର୍ଦ୍ଧକ୍ୟର ସକାରାତ୍ମକ ଦିଗ ପ୍ରତି ଧ୍ୟାନ ଆକର୍ଷଣ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାକୁ ସୁଗମ ତଥା ବୟସବାଦର ବିରୋଧ କରିଥାଏ। ମନୁଷ୍ୟ ବୃଦ୍ଧାବସ୍ଥାରେ ପର୍ଯ୍ୟାପ୍ତ ଅନୁଭୂତି, ବିପୁଳ ଜ୍ଞାନ ଓ ଗଭୀର ଆତ୍ମପ୍ରତ୍ୟୟର ଅଧିକାରୀ। ଏହାର ସଦ୍‌ବିନିଯୋଗରେ ଆକର୍ଷଣୀୟ ବ୍ୟକ୍ତିତ୍ୱ ଗଠନ ଅବଶ୍ୟ ସମ୍ଭବ। ମୌଳିକ ଭାବେ ବାର୍ଦ୍ଧକ୍ୟ ଜୀବନରେ ପୂର୍ଣ୍ଣତା ଦିଗରେ ଅଗ୍ରସର ହେଉଥିବା ହେତୁ ବାର୍ଦ୍ଧକ୍ୟର ସମ୍ମାନ ବ୍ୟକ୍ତିଗତ ଓ ସାମାଜିକ ଉଭୟସ୍ତରରେ ହିତକର ସାବ୍ୟସ୍ତ ହୋଇଥାଏ।

ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ଅବସ୍ଥାରେ ଫରାସୀ ଦାର୍ଶନିକମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ଅସ୍ତିତ୍ୱବାଦ ବିଗତ ସାତ ଦଶନ୍ଧି ଧରି ବିଶ୍ୱବ୍ୟାପୀ ସଚ଼େତନବର୍ଗଙ୍କ ମଧ୍ୟରେ ଆଦୃତ ହୋଇଆସିଛି। ଅସ୍ତିତ୍ୱବାଦର ମୂଳ ତତ୍ତ୍ୱ ମନୁଷ୍ୟର ଦୃଷ୍ଟିକୋଣ ତାହାର ବ୍ୟକ୍ତିତ୍ୱ ଗଠନ କରେ ଏବଂ ଏଥି ନିମନ୍ତେ ପଥ ନିର୍ଦ୍ଧାରଣ ତାହାର ଇଚ୍ଛାଧୀନ। ଅସ୍ତିତ୍ୱବାଦ ପ୍ରଭାବିତ ବାଉଭେର ବାର୍ଦ୍ଧକ୍ୟରେ ବ୍ୟକ୍ତିଗତ ଆଗ୍ରହକୁ ଚ଼ରିତାର୍ଥ କରି ଯଥାର୍ଥ ବା ବାସ୍ତବଧର୍ମୀ ବା ବିଶ୍ୱାସଯୋଗ୍ୟ ଜୀବନଚ଼ର୍ଯ୍ୟା ପ୍ରଯୋଜନା ଦିଗରେ ଯତ୍ନବାନ ହେବା ନିମନ୍ତେ ପରାମର୍ଶ ଦେଇଥିଲେ।

ବୟସବାଦ ବିରୋଧରେ ମୁଖ୍ୟତଃ ବାର୍ଦ୍ଧକ୍ୟଗ୍ରସ୍ତ ଯତ୍ନଶୀଳ ହେବା ସମୟ ଉପନୀତ। ଆମ ରାଜ୍ୟରେ ଜନସଂଖ୍ୟାର ପ୍ରାୟ ୧୨ ପ୍ରତିଶତ ୬୦ ବର୍ଷୋତ୍ତର ସୀମାରେ ପହଞ୍ଚି ସାରିଥିବା ବିପୁଳ ଅଭିଜ୍ଞତା ଅଧିକାରୀ ଏହି ବର୍ଗ ନିଜର ସ୍ୱାଧୀନ ଜୀବନଯାତ୍ରା ନିମନ୍ତେ ଭିତ୍ତିଭୂମି ସୃଷ୍ଟିଲାଗି ନିଜେ ଉଦ୍ୟମ କଲେ ବହୁ ବାର୍ଦ୍ଧକ୍ୟଜନିତ ସାମାଜିକ ସମସ୍ୟାର ସମାଧାନ ସଂଭବ। ଓଡ଼ିଶାରେ ସାମୂହିକସ୍ତରରେ ବାର୍ଦ୍ଧକ୍ୟ ଯତ୍ନ ଲାଗି ଅବସର ବିହାର, କେର ହୋମ ଓ ହସପିସ ଭଳି ସୁବିଧା ସୃଷ୍ଟି ଆବଶ୍ୟକ। ଉତ୍ତର-ବାର୍ଦ୍ଧକ୍ୟ, ଅର୍ଥାତ୍‌ ମୃତ୍ୟୁ-ସମୀପ ଜୀବନରେ ସହାୟତାଯୁକ୍ତ ଜୀବନଚର୍ଯ୍ୟା ସୁନିଶ୍ଚିତ କରିବା ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହିଁ ଉପଲବ୍ଧ ବିକଳ୍ପ।

ବିତ୍ତ ଏକତ୍ରିତ କରିପାରିଲେ ସୁଦ୍ଧା ଅକର୍ମଣ୍ୟ ଅବସ୍ଥାରେ ଏହାର ପରିଚାଳନା ନିମନ୍ତେ ଅପର ଉପରେ ନିର୍ଭରଶୀଳ ହେବାକୁ ପଡ଼ିପାରେ। ଚଳନ୍ତି ସାମାଜିକ ବ୍ୟବସ୍ଥାର ବାସ୍ତବତାକୁ ହୃଦୟଙ୍ଗମ କରି ପ୍ରାଥମିକସ୍ତରରେ ନିଜ ସମସ୍ୟା ନିଜେ ସମାଧାନ କରିବା ଦିଗରେ ଅନ୍ତତଃ ମାନସିକସ୍ତରରେ ପ୍ରସ୍ତୁତ ଥିବା ବାର୍ଦ୍ଧକ୍ୟଗ୍ରସ୍ତ ସଂଗଠିତ ହେବା ଆବଶ୍ୟକ। ରାଜ୍ୟରେ ଉତ୍ତର-ବାର୍ଦ୍ଧକ୍ୟ ଯତ୍ନ ନିମନ୍ତେ ବୃତ୍ତିଧାରୀଙ୍କ ସେବା ଆୟୋଜନ ହୋଇପାରିଲେ ବୃଦ୍ଧଜନଙ୍କ ଆତ୍ମବିଶ୍ୱାସ ବୃଦ୍ଧିପ୍ରାପ୍ତ ହେବ। ମଧ୍ୟବିତ୍ତ ପରିବାରରେ ସାଧାରଣ କର୍ମନିଯୁକ୍ତି ଲାଗି ପ୍ରସ୍ତୁତିରେ ଅତି କମରେ ଜୀବନର ଏକ ଚ଼ତୁର୍ଥାଂଶ ସମୟ ବିନିଯୋଗ କରିଥିବା ବ୍ୟକ୍ତିଟିଏ ଜୀବନର ସର୍ବାପେକ୍ଷା କଠିନ ମୃତ୍ୟୁ-ସମୀପ ଜୀବନ ନିମନ୍ତେ ଯଥାଯଥ ପ୍ରସ୍ତୁତ ନହେବା ଭ୍ରମାତ୍ମକ।

kalyan agarbati

Comments are closed.