ଈଶ୍ୱରଙ୍କ କୃପା ପ୍ରାପ୍ତି ବିନା ଜୀବନ ନିରର୍ଥକ
ରାଇଚରଣ ବିଶ୍ବାଳ
ଈଶ୍ୱରଙ୍କ ସୃଷ୍ଟିରେ ମନୁଷ୍ୟ ହେଉଛି ସର୍ବଶ୍ରେଷ୍ଠ ଜୀବ। ଆମେ ସମସ୍ତେ ପ୍ରାରବ୍ଧ କର୍ମଫଳକୁ ଭୋଗ କରିବା ପାଇଁ ଜନ୍ମ ଗ୍ରହଣ କରିଛେ। ଇହ ଜନ୍ମରେ ଯେଉଁମାନେ ପରମେଶ୍ବରଙ୍କ ଦର୍ଶନ ଲାଭ କରନ୍ତି, ସେହିମାନେ ହିଁ କେବଳ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ’ଥାନ୍ତି । ସତରେ ମନୁଷ୍ୟ ଜୀବନର ଚରମ ଲକ୍ଷ୍ୟ ହେଉଛି ମୋକ୍ଷ ପ୍ରାପ୍ତି; ନଚେତ୍ ଆମକୁ କୃତ ପାପପୁଣ୍ୟର କର୍ମଫଳ ଭୋଗ କରିବା ନିମିତ୍ତ ବାରମ୍ବାର ବିଭିନ୍ନ ଯୋନିରେ ଜନ୍ମଲାଭ କରିବାକୁ ପଡିବ। ୮୪ ଲକ୍ଷ ପ୍ରକାରର ଜୀବ ଯୋନି ରହିଛି। ଯଦି ଆମେ ଇହ ଜନ୍ମରେ ପାପ କରିବା, ତେବେ ଆମକୁ ନିଶ୍ଚିତ ଭାବେ ସେହି ଅପକର୍ମର ଫଳ ଜନ୍ମଜନ୍ମାନ୍ତରେ ଭୋଗ କରିବାକୁ ପଡିବ। ହୁଏତ ଆମକୁ ଶ୍ବାନ ଓ ଶୁକର ପରି ହୀନ ଯୋନି ଲାଭ ହୋଇପାରେ। ଏପରି ହେଲେ ଦୁର୍ଲଭ ମାନବ ଜନ୍ମ ନିରର୍ଥକ ହୋଇଯିବ।
ଯଦି ଆମେ ସାଧନ ଓ ଭଜନ ବଳରେ ପରମେଶ୍ବରଙ୍କ ଦର୍ଶନ ଲାଭ କରିପାରିବା, ତେବେ ଆମକୁ ଅଷ୍ଟ ସିଦ୍ଧି ଓ ନବ ନିଧି ପ୍ରାପ୍ତ ହୋଇପାରିବ। ଅଷ୍ଟ ସିଦ୍ଧି ହେଉଛି- ଅଣିମା, ମହିମା, ଲଘିମା, ଗରିମା, ପ୍ରାପ୍ତି, ପ୍ରକମ୍ୟା- ପରକାୟା ପ୍ରବେଶ, ବଶୀଭୂତ କରିବା ଓ ନିର୍ବିକଳ୍ପ ସମାଧିରେ ରହିବାର ଶକ୍ତି (ଈଶ୍ବରତ୍ବ ପ୍ରାପ୍ତି) । ସେହିପରି ନବ ନିଧିଗୁଡିକ ହେଉଛି- ପଦ୍ମ ନିଧି, ମହାପଦ୍ମ ନିଧି, ନୀଳ ନିଧି, ମୁକୁଟ ନିଧି ,ନନ୍ଦ ନିଧି, ମକର ନିଧି, କଚ୍ଛପ ନିଧି, ଶଙ୍ଖ ନିଧି ଓ ଖର୍ବ ନିଧି। ଯଦି ଆମେ ଅତୁଟ ଭକ୍ତି ଓ ବିଶ୍ବାସର ସହିତ ଈଶ୍ବରଙ୍କ କୃପାପ୍ରାପ୍ତି ପାଇଁ ନିରନ୍ତର ତାଙ୍କର ଭଜନ ଓ କୀର୍ତ୍ତନ କରିବା ଓ ସାତ୍ତ୍ବିକ ଜୀବନ ଯାପନ କରିବା, ତେବେ ଆମ ମାନବ ଜନ୍ମ ସାର୍ଥକ ହେବ; ଅନ୍ୟଥା ଆମ ଜୀବନ ପଶୁ ତୁଲ୍ୟ ହୋଇଯିବ। ଆମେ ମହାପୁରୁଷଙ୍କ ପରି ଦିବ୍ୟ ଅଲୌକିକ ଲୀଳାଖେଳା ପ୍ରଦର୍ଶନ କରିପାରିବାନାହିଁ। ଭବିଷ୍ୟତରେ କାହାର କ’ଣ ହେବ, ସେଇ କଥା କହିପାରିବାନାହିଁ।
ଏହି କଳିଯୁଗରେ ନଣ୍ଡାବାବା, ରାମକୃଷ୍ଣ ପରମହଂସ, ନିଗମାନନ୍ଦ ପ୍ରମୁଖ ମହାପୁରୁଷଗଣ ଜନ୍ମଜନ୍ମାନ୍ତରର ସାଧନ ଓ ଭଜନ ହେତୁ ପରମେଶ୍ବରଙ୍କ କୃପାପ୍ରାପ୍ତ ହେବା ସହିତ ଅଷ୍ଟ ସିଦ୍ଧି ଓ ନବ ନିଧି ପ୍ରାପ୍ତ ହୋଇଥିଲେ। ଏମାନେ ନିଜର ଭକ୍ତ ତଥା ଅନ୍ୟ ଜୀବଗଣଙ୍କୁ ମଧ୍ୟ ଅନେକ ବିପଦ ଓ ରୋଗବ୍ୟାଧିରୁ ରକ୍ଷା କରୁଥିଲେ। ଏମାନେ ଅଣିମା ସିଦ୍ଧି ବଳରେ ନିଜକୁ ଅଣୁପରମାଣୁ ଠାରୁ ଆହୁରି କ୍ଷୁଦ୍ର କରି ଈଶ୍ବରଙ୍କ ତୁଲ୍ୟ ସର୍ବବ୍ୟାପୀ ହୋଇ ନିଜର ଭକ୍ତ ତଥା ଆର୍ତ୍ତଜନଙ୍କ ନିକଟରେ ଆବିର୍ଭୂତ ହୋଇ ସେମାନଙ୍କୁ ବିପଦଆପଦରୁ ରକ୍ଷା କରୁଥିଲେ । ଆଜିର ବିଜ୍ଞାନ ଅଥବା ବୈଜ୍ଞାନିକ ଏ କଥା କରିପାରିବେ କି? କିନ୍ତୁ ମୋର ପୂଜ୍ୟ ଗୁରୁଦେବ ନଣ୍ଡାବାବା ଏ କଥା କରୁଥିଲେ। ସେହିପରି ମହିମା ସିଦ୍ଧି ବଳରେ ଆମେ ନିଜ କଳେବରକୁ ଇଚ୍ଛାମୁତାବକ ବୃଦ୍ଧି କରିପାରିବା। ଲଘିମା ସିଦ୍ଧି ବଳରେ ଆମେ ସଂପୂର୍ଣ୍ଣ ଓଜନ ଶୂନ୍ୟ ହୋଇ ନିମିଷକ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡ ପରିଭ୍ରମଣ କରିପାରିବା। ଗରିମା ସିଦ୍ଧି ପ୍ରାପ୍ତ ସାଧୁ ଅଚଳ ମେରୁ ପର୍ବତ ତୁଲ୍ୟ ହୋଇଯିବ। ପ୍ରାପ୍ତି ସିଦ୍ଧି ବଳରେ ସାଧକ ବିଭିନ୍ନ ନକ୍ଷତ୍ର ଲୋକକୁ ନିମିଷକ ମଧ୍ୟରେ ଗମନ କରିପାରିବେ। ଅନ୍ୟର ଯେ କୌଣସି ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିପାରିବେ ।
ସବୁ ଜୀବଜନ୍ତୁଙ୍କ ଭାଷା ବୁଝିପାରିବେ ଓ ନିର୍ଭୁଲ ଭବିଷ୍ୟବାଣୀ ମଧ୍ୟ କରିପାରିବେ। ସମସ୍ତଙ୍କ ମନର ଭାବ ବୁଝି ଟେଲିପାଥି କରିପାରିବେ। ପରକାୟା ପ୍ରବେଶ ସିଦ୍ଧି ବଳରେ ସାଧକ ସମସ୍ତଙ୍କ ଶରୀର ମଧ୍ୟରେ ପ୍ରବେଶ କରିପାରିବେ। ସମସ୍ତ ପ୍ରକାରର ଘଟଣାକୁ ଜାଣିପାରିବେ ଓ ଚିର ଯୌବନ ପ୍ରାପ୍ତ ହୋଇ ରହିପାରିବେ। ବଶୀକରଣ ସିଦ୍ଧି ବଳରେ ଭୟଙ୍କର ହିଂସ୍ର ଜୀବଙ୍କ ସହିତ ସମସ୍ତଙ୍କୁ ଇଚ୍ଛାମୁତାବକ ବଶୀଭୂତ କରିପାରିବେ। ଈଶ୍ବ ସିଦ୍ଧି ବଳରେ ଏମାନେ ନିର୍ବିକଳ୍ପ ସମାଧିରେ ରହି ଇଚ୍ଛା ଅନୁସାରେ ପରମେଶ୍ବରଙ୍କ ଦର୍ଶନ ଲାଭ କରିପାରିବେ। ଅର୍ଥାତ୍ ଏହି ଅଷ୍ଟ ସିଦ୍ଧି ବଳରେ ଆମେ ସମସ୍ତ ପ୍ରକାରର ଈଶ୍ବରୀୟ ଶକ୍ତିର ଅଧିକାରୀ ହୋଇ ମୋକ୍ଷ ଲାଭ କରିବା ସହିତ ଜଗତ କଲ୍ୟାଣ କରିପାରିବା।
ଇହ ଜନ୍ମରେ ଆମେ ଭଗବତ୍ ଦର୍ଶନ କରିନପାରିଲେ ଆମ ଜୀବନ ନିରର୍ଥକ ହୋଇଯିବ। ଆମେ ପଶୁ ଭଳି କିଛିଦିନ ବଞ୍ଚି ଇହଲୀଳା ସମ୍ବରଣ କରିବା; ହୁଏତ ଆମକୁ ପୁନଃ ମାନବ ଜନ୍ମ ପ୍ରାପ୍ତ ହୋଇନପାରେ। ସୁତରାଂ, ଆମେ ସମସ୍ତେ ଷଡ ରିପୁକୁ ଦମନ କରି ଆଧ୍ୟାତ୍ମିକମାର୍ଗୀ ହେବା ଉଚିତ୍। ଧ୍ରୁବ ଓ ପ୍ରହ୍ଲାଦଙ୍କ ପରି ଅତୁଟ ଭକ୍ତି ଓ ବିଶ୍ବାସର ସହିତ ଆବାଲ୍ୟରୁ ପରମେଶ୍ବରଙ୍କ କୃପାପ୍ରାପ୍ତି ପାଇଁ ନିରନ୍ତର ସାଧନ ଓ ଭଜନ କରିବା ଉଚିତ୍। ଇନ୍ଦ୍ରିୟ ସୁଖରୁ ସତତ ନିବୃତ୍ତ ରହିବା ଉଚିତ୍। ପ୍ରତିଦିନ ଆୟୁଷ କ୍ଷୀଣ ହେଉଥିବାରୁ ଆମେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସାଧନ ଓ ଭଜନରେ ଉପଯୋଗ କରିବା ଉଚିତ୍। ଦ୍ରୌପଦୀଙ୍କ ପରି ଆମେ ନିଜକୁ ପରମେଶ୍ବରଙ୍କ ନିକଟରେ ସଂପୂର୍ଣ୍ଣ ସମର୍ପଣ କରିଦେବା ଉଚିତ୍। ଯେହେତୁ ‘ଜାତସ୍ୟ ହି ଧୃେବା ମୃତ୍ୟୁର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ’, ଆମେ ଇହଜନ୍ମରେ ଜନ୍ମମୃତ୍ୟୁ ଚକ୍ରରୁ ମୁକ୍ତ ହେବା ପାଇଁ ନିଜ ଜୀବନକୁ ଈଶ୍ବରୀୟ ସାଧନ ଓ ଭଜନରେ ସର୍ବଦା ଯୁକ୍ତ ରଖିବା ଉଚିତ୍।
Comments are closed.