ନୀଳାଦ୍ରିବିଜେର ଲୀଳା ବୈଶିଷ୍ଟ୍ୟ
ଶରତ ଚନ୍ଦ୍ର ପରିଡ଼ା
ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ। ପ୍ରିୟ ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦୀ ମହୋତ୍ସବ ଲୀଳା ଭିଆଇ ବାହୁଡ଼ାଦଶମୀରେ ନୀଳାଦ୍ରିକୁ ଫେରନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ନୀଳାଦ୍ରିବିହାରୀ ନୀଳାଦ୍ରୀଶ ନୀଳଶୈଳଶିରୋମଣି। ଦାରୁବ୍ରହ୍ମ ସ୍ୱୟଂ ବିଜେ କରିଥିବାରୁ ନୀଳାଦ୍ରି ମର୍ତ୍ତ୍ୟବୈକୁଣ୍ଠ ଓ ରତ୍ନସିଂହାସନ ନୀଳାଦ୍ରିବୈକୁଣ୍ଠ ଅଟେ। ନୀଳାଦ୍ରିବୈକୁଣ୍ଠ ସମ୍ମୁଖରେ ଗରୁଡ଼ସ୍ତମ୍ଭ ଠାରୁ ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ଜଗମୋହନକୁ ଲୀଳାବୈକୁଣ୍ଠ କୁହାଯାଏ। ସର୍ବରୂପମୟ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଅର୍ଚ୍ଚା ବିଗ୍ରହମାନେ ଏହିଠାରେ ଲୀଳା କରିଥା’ନ୍ତି। ଘୋଷଯାତ୍ରାରେ ଆଡ଼ପମଣ୍ଡପରୁ ଆସିଲା ବେଳେ ଏହି ବୈକୁଣ୍ଠରେ ଦାରୁବ୍ରହ୍ମ ବନ୍ଦାପନା ଲୀଳା ହୋଇଥାଏ। ଭାବମୟ ଏହି ବୈକୁଣ୍ଠରେ ଭକ୍ତଙ୍କ ମାନସିକ ପରିବର୍ତ୍ତନ ଘଟିଥାଏ। ସେ ଅନେକ କିଛି ମାଗିବାକୁ ଆସି କିଛି ମାଗିପାରେ ନାହିଁ।
ଆଷାଢ ତ୍ରୟୋଦଶୀରେ ସଂଧ୍ୟାଧୂପ ସମାପନା ପରେ ମହାପ୍ରଭୁଙ୍କର ନୀଳାଦ୍ରିବିଜେ ଆରମ୍ଭ ହୁଏ। ଡୋରଲାଗି ଓ ପୁଷ୍ପ ଟାହିଆରେ ଶ୍ରୀଜୀଉମାନଙ୍କର ଦେବଦୁର୍ଲଭ ପହଣ୍ଡି ବିଜେ ଆରମ୍ଭ ହୁଏ। ହରିବୋଲ, ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥାଏ ସିଂହଦୁଆର। ଶ୍ରୀନଅର ନିକଟରେ ଅଟକିଥିବା ରଥରୁ ଶ୍ରୀଜଗନ୍ନାଥଙ୍କୁ ଓହ୍ଲାଇବାର ଦେଖି ଲକ୍ଷ୍ମୀ ଠାକୁରାଣୀ ଚାହାଣି ମଣ୍ଡପକୁ ବିଜେ କରନ୍ତି। ଚାରମାଳ ଉପରେ ଅବସ୍ଥାପିତ ପ୍ରାଣପ୍ରିୟ ଶ୍ରୀଜଗନ୍ନାଥଙ୍କ ସହିତ ମହାଲକ୍ଷ୍ମୀଙ୍କ ଚାରିଚକ୍ଷୁର ମିଳନ ଘଟେ। ଉଭୟଙ୍କ ଅଲଗା ଆଳତି ଓ ବନ୍ଦାପନା ବେଶ୍ ଉପଭୋଗ୍ୟ। ଆନନ୍ଦ ବିଭୋର ଲକ୍ଷ୍ମୀ ପ୍ରାଣନାଥଙ୍କୁ ପାଛୋଟି ଆଣିବାକୁ ସୁସଜ୍ଜିତ ପାଲିଙ୍କିରେ ବାହାରନ୍ତି। ଶ୍ରୀବଳଭଦ୍ର ଦେଢଶୁର ହୋଇଥିବାରୁ ସମ୍ମୁଖରେ ଘେର ପକାଯାଏ। ଗଜପତି ମହାରାଜା ଲକ୍ଷ୍ମୀ-ନାରାୟଣଙ୍କୁ ଭେଟ କରାନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମିଳନ ଜନିତ ପୁଲକ ଦେଖି ଚଞ୍ଚଳ ହୋଇ ଉଠନ୍ତି ଘଣ୍ଟା ଓ କାହାଳୀ। ମୁଖରିତ ହୋଇ ଉଠେ ଶଙ୍ଖ ଓ ହୁଳହୁଳିର ମଙ୍ଗଳ ଧ୍ୱନି। ମହାରାଜା ଆଳତି ଦ୍ୱାରା ଉଭୟଙ୍କ ‘ଭେଟଧୂପ’ ବନ୍ଦାପନା ଓ ସ୍ୱାଗତ ସମ୍ବର୍ଦ୍ଧନା ଜଣାନ୍ତି। ପନ୍ତି ଭୋଗ ଲାଗେ। ଦହିପଟି ମଣୋହି ହୁଏ। ବିମାନବଡ଼ୁମାନେ ଲକ୍ଷ୍ମୀଙ୍କ ବିମାନ କାନ୍ଧେଇ ଶ୍ରୀଜଗନ୍ନାଥଙ୍କ ରଥ ଚାରିପଟେ ପରିକ୍ରମା କରନ୍ତି। ଏହି ଦୃଶ୍ୟ ଦେଖିବା ପାଇଁ ସ୍ୱର୍ଗରୁ ସେବତାମାନେ ଓହ୍ଲାଇ ଆସନ୍ତି। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଫୁଲର ଆଜ୍ଞାମାଳ ଆଣି ସେବକମାନେ ମହାଲକ୍ଷ୍ମୀଙ୍କୁ ଲାଗି କରନ୍ତି। ମା’ପ୍ରୀତି ଉପହାର ଭାବେ ଏହାକୁ ପାଇ କିଞ୍ଚିତ୍ ଆଶ୍ୱସ୍ତ ହୋଇ ଶ୍ରୀମନ୍ଦିର ଫେରନ୍ତି।
ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି ଭଉଣୀକୁ ସାଥିରେ ଧରି ଘୋଷଯାତ୍ରାରେ ଶ୍ରୀଜଗନ୍ନାଥ ପଳାଇଥିବାରୁ ସେ ଦୋଷୀ। ଅଭିମାନିନୀ ଲକ୍ଷ୍ମୀ ନୀଳାଦ୍ରୀଶଙ୍କୁ ନୀଳାଦ୍ରି ପ୍ରବେଶ ନିଷେଧ କରି ଦିଅନ୍ତି। ସିଂହଦ୍ୱାର ଦରଜାର କଂସା କବାଟ ବନ୍ଦ ଅର୍ଥାତ୍ ‘କବାଟକିଳା’ ନୀତି ଅନୁଷ୍ଠିତ ହୁଏ। ଲକ୍ଷ୍ମୀଙ୍କ ପ୍ରାର୍ଥନାରେ ଇନ୍ଦ୍ର ପ୍ରବଳ ବର୍ଷାରେ ଭିଜାଇ ଦେବାରୁ ଶ୍ରୀଜଗନ୍ନାଥ ତିନ୍ତି ତିନ୍ତି ଥରିବାକୁ ଲାଗନ୍ତି। ଜଗତର ନାଥ ନିଜର ଅନିଚ୍ଛାକୃତ ଦୋଷ ସ୍ୱୀକାର କରି କ୍ଷମା ମାଗିବାର ସମ୍ବାଦ ଲକ୍ଷ୍ମୀ ଠାକୁରାଣୀଙ୍କ ପାଖରେ ପହଞ୍ଚେ। ଜଗଜ୍ଜନନୀଙ୍କ କ୍ରୋଧର ନିଆଁ ଶୀତଳ ହେବାରୁ ପତିଦେବତାଙ୍କୁ ଝିଙ୍ଗାସ ବଚନ କହିଥିବାରୁ ତାଙ୍କ ଛାତି ଫାଟିଗଲା ପରି ଲାଗେ। ଦ୍ୱାର ଖୋଲି ଦେବାକୁ କହି କାନ୍ଦିବାକୁ ଲାଗନ୍ତି।
ସିଂହଦ୍ୱାର ସିନା ଖୋଲିଗଲା, ହେଲେ ଜୟବିଜୟ ଦ୍ୱାର ବନ୍ଦ। ସେଠାରେ ଚିତ୍ତାକର୍ଷକ ଲକ୍ଷ୍ମୀନାରାୟଣ ବଚନିକା ପର୍ଯ୍ୟାୟ ଆରମ୍ଭ ହୁଏ। ମହାପ୍ରଭୁଙ୍କ ସାମାନ୍ୟ ଅବର୍ତ୍ତମାନରେ ବିରହବିଧୁରା ଲକ୍ଷ୍ମୀଙ୍କର ଧୈର୍ଯ୍ୟଚ୍ୟୁତି ଘଟେ। ସ୍ୱାମୀ ସୁହାଗରୁ ବଞ୍ଚିତ ହୋଇ ସେ ପ୍ରତିକ୍ରିୟାଶୀଳ ହୋଇ ଉଠିବା ସ୍ବାଭାବିକ। ଗରୁଡ଼ ସ୍ତମ୍ଭ ପାର୍ଶ୍ବରେ ବିଭୀଷଣଙ୍କ ବନ୍ଦାପନା ଗ୍ରହଣରେ ଦଣ୍ଡେ ଅଟକି ଯାଉ ଯାଉ ଲୀଳାମୟଙ୍କର ପହଣ୍ଡି ବିଜେ ଆହୁରି ବିଳମ୍ବ। ଅନ୍ତର୍ଯ୍ୟାମୀ ଜଗନ୍ନାଥ ଲକ୍ଷ୍ମୀଙ୍କର ବେଦନାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୁଏ। ପ୍ରଥମେ ମହାଲକ୍ଷ୍ମୀଙ୍କ ମନ ମୋହିବା ପାଇଁ ଶ୍ରୀଜଗନ୍ନାଥ ପୁରୁଷ ସୁଲଭ ଚାଟୁ ବାକ୍ୟ କହନ୍ତି: “ନବ ଦିନ ମୋତେ ନବଯୁଗ ହେଲା ଶ୍ରୀମୁଖ ନଦେଖି ତୋର / ଝୁଲି ଝୁଲି ଦେହ ଦୁର୍ବଳ ହେଲାଣି ପାଦ ନଚଳଇ ମୋର।ା” ଏତକ କହି ଆଉ ରୋଷ ନକରି ତାଙ୍କୁ କ୍ଷମା କରିଦେବା ପାଇଁ ପତ୍ନୀପ୍ରିୟଙ୍କ ପ୍ରାର୍ଥନା। ଅନ୍ୟ ପକ୍ଷରେ ଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥଙ୍କ ଚାଟୁବାକ୍ୟ ଶୁଣି କଟୁ ବାକ୍ୟ ପ୍ରୟୋଗ କରିଛନ୍ତି:“ଯାଅ ଯାଅ ଫେରି ନୀଳାଦ୍ରି ବିହାରୀ ଭଉଣୀକି ସଙ୍ଗେ ନିଅ/ ଛାଡ଼ି କରି ଗଲେ ଦୁଃଖ କରିବଟି ନନ୍ଦରାଜାର ଝିଅ।ା” ଶ୍ରୀଜଗନ୍ନାଥ କୈଫିୟତ୍ ଦେଇ ଯୁକ୍ତି ବାଢନ୍ତି : “ଜ୍ୟେଷ୍ଠ ସହୋଦର ତୋର ଦେଢଶୁର ସେ ସଙ୍ଗତେ ଥିଲେ ଯେଣୁ/ ଏ କଥା ଚିତ୍ତେ ବିଚାରିଣ ତୋତେ ସଙ୍ଗତେ ନନେଲି ତେଣୁ।”
ନାରୀମାନଙ୍କର ବସ୍ତ୍ରଆଭୂଷଣ ପ୍ରତି ଅହେତୁକ ଦୁର୍ବଳତା ଥିବା ଜଗତର ନାଥ ଭଲ ଭାବରେ ଜାଣି ମହାଲକ୍ଷ୍ମୀଙ୍କ ମନ ମୋହିବା ପାଇଁ ମନଲୋଭା ଉପହାର ସବୁ ଆଣିଛନ୍ତି। ପ୍ରାଣପ୍ରିୟା ପତ୍ନୀଙ୍କ ପାଇଁ ଦୁଦୁରା, ତାଡ଼କୀ, ଯବଦଣ୍ଡୀ, ସମ୍ବଲପୁରିଆ ବାଙ୍କ ଡ଼େଉଁରିଆ, ଶୁଆବସା ନାକଗୁଣା, ଚିନାମାଳ, ହୃଦୟକୁ ପଦକ, ପାଦକୁ ବାଜେଣି, ହାତକୁ ବଳା, ମରକତ ଚୁଡ଼ି ଆଦି ନାନା ରତ୍ନ ଅଳଙ୍କାର ଓ କଳାମେଘୀ ଶାଢି ଭେଟି ଦେଇ କହନ୍ତି : “ଫେଡ଼ ଫେଡ଼ କମଳିନୀ ଗୋ ଫେଡ଼ ଗୋ କବାଟ/ ତୁମ ପାଇଁ ଆଣିଛି ମୁଁ ଚିତ୍ରମେଘୀ ପାଟ।ା” ରତ୍ନାକର ସୁତା ଐଶ୍ୱର୍ଯ୍ୟଦାତ୍ରୀ ଲୋଭନୀୟ ବସ୍ତ୍ରାଳଙ୍କାରରେ ପ୍ରଲୁବ୍ଧ ନହୋଇ ବାପଘରର ବଡ଼ପଣ କଥା ମନେ ପକାନ୍ତି। ନିଜ ଭାଗ୍ୟକୁ ନିନ୍ଦନ୍ତି : “ଧିକ ମୋ ଜୀବନ ମୋ ବାପା ବରୁଣ, କାହିଁ ଦେଲା ଏଠି ବାହା/ ଗେରସ୍ତ ବୋଲି ମୁଁ ଯା ହାତ ଧରିଲି, କହେ ନାହିଁ ସିଏ ଆହା।ା” ଲକ୍ଷ୍ମୀ ଜଗନ୍ନାଥଙ୍କୁ ତାଚ୍ଛଲ୍ୟ କରି ସେସବୁ ଉପହାର ଗୋପୀମାନଙ୍କ ମନୋରଞ୍ଜନ ପାଇଁ ଦେବା ପାଇଁ କହନ୍ତି। ରାଗରେ ମଣିଷର ମର୍ମ କଥା କହି ହୋଇଯାଏ। ଗୁପ୍ତ ବୃନ୍ଦାବନ ଗୁଣ୍ଡିଚାମନ୍ଦିରର ରାସଲୀଳା ଏ କଥା ଲକ୍ଷ୍ମୀ ଭଲ ଭାବରେ ଜାଣନ୍ତି। ତାହା ମାଧୁର୍ଯ୍ୟଲୀଳାର ପୀଠସ୍ଥଳୀ ହୋଇଥିବାରୁ ସେଠାରେ ଐଶ୍ୱର୍ଯ୍ୟର ଦେବୀ ମହାଲକ୍ଷ୍ମୀଙ୍କ ପ୍ରବେଶ ନିଷେଧ। ମହାପ୍ରଭୁଙ୍କ ସକଳ ଅନୁନୟ ବିନୟ ଲକ୍ଷ୍ମୀ ନବୁଝିବାରୁ ସେ କଠୋର ହୋଇ ଚରମ ନିଷ୍ପତ୍ତି ଶୁଣାଇଛନ୍ତି: “ମୁଁ ହିଁ ବୋଲି ତୋର ଦାଉ ସମ୍ଭାଳିଛି ଆଉ କେ ପାରନ୍ତା ସହି/ ଘର ଛାଡ଼ି କରି କଉପୀନ ମାରି ଯାଆନ୍ତାଣି ଯୋଗୀ ହୋଇ।ା ତୁମ୍ଭେ ଗୋ ଇନ୍ଦିରେ ସର୍ବଜନେ କୃପା କର/ ଚାଣ୍ଡାଳୁ ଦ୍ୱିଜଙ୍କ ସେବା କର ଅଙ୍ଗୀକାର।ା ସେହି ମହାଭାବ ମୁହିଁ ରଥେ ପ୍ରଚାରିବି/ ନବଦିନ ଯାତ୍ରା ରଚି ଜଗତେ ତାରିବି।ା ଭକତ ବତ୍ସଳ ନାମ ମୋର ଏଣୁ ଖ୍ୟାତ/ଏଥକୁ ଗୋ ପଦ୍ମାଳୟା ଭାବ ତୁ ଉଚିତ।ା” ଏପରି ଭାଇବୋହୂ ଓ ସାନଭାଇଙ୍କ ଦାମ୍ପତ୍ୟ କଳହକୁ ଘରର ଗୁରୁଜନ ବଡ଼ଭାଇ ବଳରାମ ଶୁଣି କଡ଼ା ଅନୁଶାସନ ଶୁଣାଇଛନ୍ତି-ଏପରି ଖଡ଼ବଡ଼ ଆଉ ଥରେ ଶୁଣିଲେ ସେ ନିଶ୍ଛୟ ଜଗନ୍ନାଥଙ୍କୁ ଭିନ୍ନ କରିଦେବେ।
ଉଭୟଙ୍କ ଚେତା ପଶେ। କବାଟ ଉନ୍ମୋଚିତ ହୁଏ। ଲୀଳାମୟ ଶ୍ରୀଜଗନ୍ନାଥ ‘ଭିତିରି ବିଜେ’ କରନ୍ତି। ବିରହ ଅନଳରେ ଦଗ୍ଧୀଭୂତା ଲକ୍ଷ୍ମୀ ପ୍ରାଣପ୍ରିୟଙ୍କୁ ଦେଖି ଭାବପ୍ରବଣତାରେ ଲୁହ ଝରାଇ କ୍ଷମା ମାଗନ୍ତି। ଅନୁଷ୍ଠିତ ହୁଏ ପ୍ରତୀକ୍ଷିତ ମହାମିଳନ। ମୁଣ୍ଡ ସାଉଁଳେଇ ଗାଢ ଆଲିଙ୍ଗନରେ ଚନ୍ଦ୍ରବଦନରେ ଚୁମା ଦିଅନ୍ତି। ଅନୁରାଗରେ ମିଳନର ମଧୁର ମୂର୍ଚ୍ଛନା ସୃଷ୍ଟି ହୁଏ। ଶଙ୍ଖ ହୁଳହୁଳି ମଧ୍ୟରେ ଗଇଁଠାଳ ଫିଟାଯାଇ ମହାସ୍ନାନ ମଙ୍ଗଳ ଆଳତି ପରେ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ମିଷ୍ଟନୈବେଦ୍ୟ ରସଗୋଲା ଖୁଆଇ ଦିଅନ୍ତି। ଘଷା ବିଡ଼ିଆ ମଣୋହି ପରେ ଶ୍ରୀଜଗନ୍ନାଥ ରତ୍ନସିଂହାସନରେ ବିଜେ କରନ୍ତି।
ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀ ଅର୍ଥାତ୍ ପ୍ରକୃତି ଓ ପୁରୁଷ ହେଉଛନ୍ତି କୋଟି କୋଟି ଦମ୍ପତିଙ୍କ ସାର୍ଥକ ପ୍ରତିନିଧି। ଏହି ଲୀଳା ପବିତ୍ର ପ୍ରେମପୂର୍ଣ୍ଣ ଓ ପ୍ରଗତିଶୀଳ ଦାମ୍ପତ୍ୟ ଜୀବନ ଧାରା। ରାଗ ଅନୁରାଗର ଏକ ମିଶ୍ରରାଗ। ଦାମ୍ପତ୍ୟ ଜୀବନରେ ସାମୟିକ ବିଚ୍ଛେଦର ଏହା ଏକ ଚମତ୍କାର ମାନବିକ ମୂଲ୍ୟାୟନ। ଗାର୍ହସ୍ଥ୍ୟ ଜୀବନରେ ଖଟାମିଠା, ବାଦବିବାଦ ଓ ରାଗରୁଷା ଅନ୍ତରାଳରେ ବହୁଥାଏ ସ୍ନେହ ମମତାର ଝର। ଅବୁଝାପଣକୁ ଆତ୍ମୀୟତାର ପୁଟ ଦେଇ ପାରିଲେ ତାହା ହର୍ଷୋଲାସରେ ରୂପାନ୍ତରିତ ହୁଏ। ମାନବୀୟ ଜଗନ୍ନାଥ ଧର୍ମର ଏହା ହିଁ ଆଦର୍ଶ ଓ ଆଚରଣ। ମସସ୍ତ ଦାମ୍ପତ୍ୟ ଜୀବନ ପ୍ରୀତିଝରା, ମଧୁଭରା ଓ ଅପାସୋରା ହେଉ। କଳହ ଥିଲେ ‘ବହ୍ୱାରମ୍ଭେ ଲଘୁକ୍ରିୟା’ରେ ପରିଣତ ହେଉ।
Comments are closed.