ମାନବବାଦ ଓ ବିଶ୍ୱମୈତ୍ରୀର ଠାକୁର

ମୀରା ବେଉରା

ସଂସ୍କୃତି ଗୋଟିଏ ଜାତିର ପରିଚୟ ଦେଇଥାଏ। ମାନବ ସଭ୍ୟତାର ପ୍ରାଣକେନ୍ଦ୍ର ହେଉଛି ସଂସ୍କୃତି। ଓଡ଼ିଶାରେ ପ୍ରଭୁ ଜଗନ୍ନାଥଙ୍କୁ ବାଦ ଦେଲେ କୌଣସି ସଂସ୍କୃତି, ସାହିତ୍ୟ, ଐତିହ୍ୟ, ଧର୍ମବିଶ୍ୱାସ, ପ୍ରଜ୍ଞା, ଭିକ୍ଷା, ଜ୍ଞାନ, ଦୀକ୍ଷା, କୃଷି, ବାଣିଜ୍ୟ, ମାଙ୍ଗଳିକ କାର୍ଯ୍ୟ ପରମ୍ପରା ଆଦି ଓଡ଼ିଆ ଜାତିର କୌଣସି ପରିଚୟର କଳ୍ପନା କରାଯାଇପାରେନା। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଭାଷା, ଧନୀ, ନିର୍ଦ୍ଧନ ଏସବୁ ଚିନ୍ତନର ବହୁ ଊର୍ଦ୍ଧ୍ବରେ ପ୍ରଭୁ ଶ୍ରୀଜଗନ୍ନାଥ। ଜାତିର ଚିନ୍ତା, ଚେତନା, ଭାବ, ଅନୁଭବ, ଆବେଗ, ମୂଲ୍ୟବୋଧ, ବୃତ୍ତି, ପ୍ରବୃତ୍ତି, ସାଫଲ୍ୟ, ବିକାଶଧାରା ହିଁ ଓଡ଼ିଶାର ସଂସ୍କୃତି। ପ୍ରଭୁ ଜଗନ୍ନାଥ ସମଗ୍ର ମାନବଜାତିର ପ୍ରାଣର ଅଧୀଶ୍ୱର। ସେ ମୁକ୍ତି, ସାମ୍ୟ, ମୈତ୍ରୀ ପ୍ରୀତିର ପ୍ରତୀକ। ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରାର ଦିବ୍ୟ ସନ୍ଦେଶ ହେଉଛି ବିଶ୍ୱମୈତ୍ରୀ। ଏହି ରଥଯାତ୍ରା ଐତିହ୍ୟରେ ଶୀର୍ଷସ୍ଥାନ ଅଧିକାର କରି ବିଶ୍ୱ ସଂସ୍କୃତିକୁ ସେ ଦିନ ସ୍ପନ୍ଦିତ କରୁଥିଲା ଆଜି ବି କରୁଛି। ଆଗାମୀ ଦିନରେ ମଧ୍ୟ କରିବ। ଏହି ଯାତ୍ରା ବିଶ୍ୱାତ୍ମା ଚେତନା ସୃଷ୍ଟି କରେ। “ବସୁଧୈବ କୁଟୁମ୍ବକମ୍”ର ଚେତନାରେ ସମଗ୍ର ମାନବ ସମାଜକୁ ଦ୍ରବୀଭୂତ କରେ ଘୋଷଯାତ୍ରା। ଏ ଜଗନ୍ନାଥ ସଂସ୍କୃତି ସାର୍ବଜନୀନ ସଂସ୍କୃତି, ବିଶ୍ୱହିତୈଷୀ ସଂସ୍କୃତି। ସର୍ବପ୍ରାଚୀନ ସଂସ୍କୃତି ଯାହା ବିଭିନ୍ନତା ମଧ୍ୟରେ ମଧ୍ୟ ଏକତା ଆଣି ସମଗ୍ର ମାନବ ସମାଜର ମଙ୍ଗଳସାଧନା କରି ସଂହତି ସ୍ଥାପନ କରିଥାଏ। ଏହି ଘୋଷଯାତ୍ରା ମାନବ ସମାଜକୁ ଶିକ୍ଷା ଦିଏ- ବୁଦ୍ଧି ହେଉଛି ସାରଥି ମନ ହେଉଛି ଘୋଡ଼ା, ତେଣୁ ମଣିଷ ଯଦି ବୁଦ୍ଧିର ଶକ୍ତିରେ ପଞ୍ଚମନ ପଚିଶ ପ୍ରକୃତିକୁ ସ୍ୱନିୟନ୍ତ୍ରିତ କରେ, ମାନବର ଭାବ ଦୂର ହୋଇ ଆତ୍ମବଳଶାଳୀ ହୋଇ ମାନବ ବିବେକର ଶକ୍ତିରେ ପରିଚାଳିତ ହୋଇ ସମାଜର ତଥା ରାଷ୍ଟ୍ରର ଏବଂ ସମଗ୍ର ବିଶ୍ୱର କଲ୍ୟାଣ ସାଧନ କରିବାକୁ ସମର୍ଥ ହେବ।

ପ୍ରକୃତରେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ମାନବବାଦର ଠାକୁର, ବିଶ୍ୱମୈତ୍ରୀର ଠାକୁର। ସେ ସବୁବେଳେ ଚେତାଇ ଦିଅନ୍ତି ମଣିଷ ବଡ଼ ନୁହେଁ ମଣିଷପଣିଆ ବଡ଼। ଜାତି ବଡ଼ ନୁହେଁ, ଧର୍ମ ବଡ଼ ନୁହେଁ, ଜଗତ ବଡ଼। ଆଜି ଯଦି ମଣିଷ ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ନିଜର ବିବେକ, ଜ୍ଞାନ, ପ୍ରଜ୍ଞା, ବିଚାର, ବୁଦ୍ଧି, ପାପପୁଣ୍ୟ, ନୀତି ଅନୀତି, ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମ ଏ ସବୁକୁ ବିଚାର କରି ନିଜର ମଣିଷପଣିଆକୁ ବିଶ୍ୱ ଦରବାରରେ ପ୍ରତିପାଦନ କରିବ, ତେବେ ମଣିଷ ଦିବ୍ୟ ମାନବରେ ପରିଣତ ହୋଇପାରିବ। ପ୍ରଭୁ ଜଗନ୍ନାଥ ଚାହାନ୍ତି ଆଜିର ମଣିଷ ତା’ର ଆତ୍ମଘାତୀ ଚିନ୍ତାଧାରାକୁ ଦୂରେଇଦେଇ ନିଜର ଦୃଢ଼ ଇଚ୍ଛାଶକ୍ତି, ଶାରୀରିକ ଶକ୍ତି, ଐଶ୍ୱରିକତାକୁ ପ୍ରୟୋଗ କରି ନିଜ ଭିତରେ ସତ୍‌ଚିନ୍ତା, ସତ୍‌ଚେତନା, ସତ୍‌କର୍ମ, ସତ୍‌ଭାବନା ଉଦ୍ରେକ କରି ଆତ୍ମାର ସନ୍ଧାନ କରୁ। ଏହି ଆତ୍ମସନ୍ଧାନ ହିଁ ତା’ ଆଧ୍ୟାତ୍ମିକ ଚତେନାର ମୂଳଭିତ୍ତି।

ସମଗ୍ର ପୃଥିବୀରେ ଏମିତି ଠାକୁର ବିରଳ ଯାହାର ହାତ ନାହିଁ କିନ୍ତୁ ଭକ୍ତ ଦାସିଆ ବାଉରିର ନଡ଼ିଆକୁ ହାତ ବଢ଼ାଇ ନିଅନ୍ତି, ଗୋଡ଼ ନାହିଁ କିନ୍ତୁ ଚାଲି ଚାଲି ଆସି ଭକ୍ତ ବଳରାମ ଦାସଙ୍କ ବାଲି ରଥରେ ବସନ୍ତି। ପୁଣି ପାଟି ନଥାଇ କଥା କୁହନ୍ତି। କାନ ନଥାଇ ଭକ୍ତର ଗୁହାରି ଶୁଣନ୍ତି। ତାଙ୍କ ଚିନ୍ତାଚେତନାକୁ ଓ ତତ୍ତ୍ୱକୁ ଭକ୍ତ ଅତି ସହଜରେ ବୁଝିପାରିଥାଏ। ପ୍ରିୟ ଭକ୍ତର ଆସିବା ବିଳମ୍ବ ହେଲେ ପ୍ରଭୁ ଛଳନା କରି ରଥକୁ ଅଟକାଇ ଦିଅନ୍ତି। ସତରେ ତାଙ୍କର ମହିମା ଅବର୍ଣ୍ଣନୀୟ। ସେଇଥିପାଇଁ ତ ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କୁ ସୃଷ୍ଟିର ଅଲୌକିକ ଦେବତା ବୋଲି ଅଭିହିତ କରିଛନ୍ତି।

ପାଦ ନାହିଁ ସେ ଯେ ଗଗନ କରଇ
କର୍ଣ୍ଣ ନାହିଁ ସବୁ ଶୁଣେ
ଜିହ୍ୱା ନାହିଁ ସ୍ୱାଦ ମଣେ।

prayash

ଶ୍ରୀଜଗନ୍ନାଥଙ୍କ ବିନା ଓଡ଼ିଆ ସାହିତ୍ୟ, କାବ୍ୟ, କବିତା, ମଧ୍ୟ ଅପୂରଣୀୟ ଏବଂ ଶ୍ରୀହୀନ। ଭକ୍ତ ସାଲବେଗଠାରୁ ଆରମ୍ଭ କରି ସାରଳା ଦାସ, ବଳରାମ ଦାସ, ବନମାଳୀ ଦାସ, ବୈଷ୍ଣବ ପାଣି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, କବି କାଳିଚରଣ ପଟ୍ଟନାୟକଙ୍କ କବିତା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଓଡ଼ିଆ ସାହିତ୍ୟର ଏକ ସ୍ୱତନ୍ତ୍ର ପରିଚୟ। ପୁଣି ଉତ୍କଳମଣି ଗୋପବନ୍ଧୁ ଲେଖିଲେ–

“ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ନିଜେ ନାରାୟଣ”।

ଜୈନ ସାହିତ୍ୟରେ ମହାବୀରଙ୍କୁ ଜଗନ୍ନାଥ, ବୌଦ୍ଧ ସାହିତ୍ୟରେ ବୁଦ୍ଧଦେବଙ୍କୁ ଜଗନ୍ନାଥ ରୂପରେ, ବିଷ୍ଣୁ ପୁରାଣରେ କୃଷ୍ଣଙ୍କୁ, ସାରଳା ମହାଭାରତରେ କୃଷ୍ଣଙ୍କୁ ଜଗନ୍ନାଥ ରୂପରେ ବର୍ଣ୍ଣନା କରାଯାଇଛି।

ଭକ୍ତ ସହ ଏକାକାର ହୋଇଯିବା ପାଇଁ। ଭକ୍ତ ବି ଅଧୀର। ଭକ୍ତ ଅଭିମାନ କରେ ପ୍ରଭୁ ପାଖରେ, ପ୍ରଭୁ କିଛି ଦେଲନାହିଁ। ପ୍ରଭୁ କିନ୍ତୁ ଯାହା ତା’ ପାଇଁ ଚିର ମଙ୍ଗଳ ତାହା ହିଁ କରନ୍ତି। ପ୍ରଭୁଙ୍କ ଲୀଳା ବଡ଼ ବିଚିତ୍ର। ବେଳେବେଳେ ଭକ୍ତକୁ ପରୀକ୍ଷା କରନ୍ତି। ସୃଷ୍ଟିରେ ବିଚିତ୍ର ଲୀଳା କରନ୍ତି। ତାଙ୍କ ଲୀଳାକୁ ସାଧାରଣ ଭକ୍ତ ବୁଝିପାରେନି। ତାଙ୍କ ଇଚ୍ଛା ସବୁବେଳେ ମଙ୍ଗଳମୟ। ତାଙ୍କ ଲୀଳା ଜାଣିବାକୁ ହେଲେ ଧୈର୍ଯ୍ୟ ଦରକାର। ଥରେ ହାତ ଟେକି ତାଙ୍କୁ ସମର୍ପିତ ହେଲେ ସବୁ ସେ କୃପା ବର୍ଷା କରିଦିଅନ୍ତି।

ଆଜିର ମଣିଷ ଆଧୁନିକୀକରଣ, ପାଶ୍ଚାତ୍ୟକରଣ, ସହରୀକରଣ ଆଳରେ ଯେତେବେଳେ ଗର୍ବ ଅହଙ୍କାରରେ ଫାଟି ପଡ଼ୁଛି ତା’ ମନରେ ଶାନ୍ତି ନାହିଁ। ମନରେ ଶ୍ରଦ୍ଧା, ପ୍ରେମ, ତ୍ୟାଗ ସେ ସବୁ ଭୁଲିଯାଇ ଚନ୍ଦ୍ରପୃଷ୍ଠରେ ଘର କରିବାକୁ ସ୍ଥିର କରୁଛି। ଅତି ସୂକ୍ଷ୍ମ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଜୀବନଜୀବିକାକୁ ନେଇ ସଂଘର୍ଷ କରି ନିଇତି ମୃତ୍ୟୁ ସହ ଲଢୁଛି। ସମଗ୍ର ବିଶ୍ୱ କରୋନାବ୍ୟାଧିରେ ଆତଙ୍କିତ ହୋଇପଡ଼ିଛି, ଠିକ୍ ସେତିକିବେଳେ ସେହି ସର୍ବଶକ୍ତିମାନ୍‌ ସାର୍ବଜନୀନ, ସର୍ବଧର୍ମ ସମନ୍ୱୟର ଠାକୁରଙ୍କ ପାଖେ ନିଜକୁ ଆତ୍ମସମର୍ପଣ କରିଦେଇଛି। ସେଠି ପ୍ରଭୁ ହିଁ ଏହି ବିପଜ୍ଜନକ ମହାମାରୀରୁ ଭକ୍ତକୁ ଉଦ୍ଧାର କରିବେ, ଏଥିରେ ସନ୍ଦେହ ନାହିଁ। ନିଜକୁ ପ୍ରଭୁଙ୍କ ପାଖେ ସମର୍ପି ଦେଲେ ଆମେ ସଂକୀର୍ଣ୍ଣତାରୁ ମହାନତା, ବିଶାଳତା, ଗୌରବ, ବିଶ୍ୱାତ୍ମଭାବ, ବିଭବ, ଆଦର୍ଶ ପରିବାର, ଆଦର୍ଶ ବ୍ୟକ୍ତିତ୍ୱ, ସମୃଦ୍ଧ ସମାଜ ଏବଂ ଗୌର​‌େ​‌ବାଜ୍ଜ୍ୱଳ ରାଷ୍ଟ୍ର, କଲ୍ୟାଣମୟ ବିଶ୍ୱ ଗଠନ କରିବାକୁ ସମର୍ଥ ହେବୁ। ଯଦି ଅନ୍ତରାତ୍ମାରେ ପ୍ରଭୁଙ୍କ ଦର୍ଶନ କରି ସମସ୍ତ ନକାରାତ୍ମକ ମନୋଭାବକୁ ଦୂରେଇ ଦେଇ ସାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ଭାବ ଜାଗ୍ରତ କରି ନିଜ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ତାହା ହିଁ ହେବ ଘୋଷଯାତ୍ରାର ପ୍ରକୃତ ଉଦ୍ଦେଶ୍ୟ। ପ୍ରଭୁଙ୍କୁ ଭକ୍ତର ଛୁଇଁବାର ଆବଶ୍ୟକତା ନାହିଁ। ସେହି ଅନ୍ତର୍ଯ୍ୟାମୀ ଠାକୁର ଭକ୍ତର ଆବଶ୍ୟକତାକୁ ଉତ୍ତମ ରୂପେ ବୁଝିପାରନ୍ତି। ସେ ହିଁ ଓଡ଼ିଶାର ଗର୍ବ, ଅଭିମାନ, ଗୌରବ ଏବଂ ଓଡ଼ିଆ ଜାତିର ଅସ୍ମିତା। ଏହା ହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆମର ଶ୍ରଦ୍ଧା, ଭଲପାଇବା ଏବଂ ପ୍ରକୃତ ଭକ୍ତି।

kalyan agarbati

Comments are closed.