ଧନୀ ଭାରତୀୟଙ୍କ ବିଦେଶ ପ୍ରୀତି

ନଳୀନିକାନ୍ତ ଧର

ଭାରତୀୟମାନେ ବହୁ ସଂଖ୍ୟାରେ କର୍ମସଂସ୍ଥାନ, ବ୍ୟବସାୟ, ପରିଭ୍ରମଣ ଅଥବା ଉଚ୍ଚ ଶିକ୍ଷା ଲାଭ ପାଇଁ ବିଦେଶ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସ୍ଥାୟୀ ବସତି ସ୍ଥାପନ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥାନ୍ତି। ବର୍ତ୍ତମାନ ୨ କୋଟିରୁ ଊର୍ଦ୍ଧ୍ବ ଭାରତୀୟ ବିଦେଶରେ ଅଛନ୍ତି, ଯାହା ଅଷ୍ଟ୍ରେଲିଆର ଜନସଂଖ୍ୟା ସହ ସମାନ ଓ ପୃଥିବୀରେ କୌଣସି ଦେଶ ତୁଳନାରେ ସର୍ବାଧିକ। ସ୍ଥାନାନ୍ତରିତ ସାଧାରଣତଃ ଦୁଇ ପ୍ରକାର କାରଣରୁ ହୋଇଥାଏ। ପ୍ରଥମତଃ ଅବସ୍ଥାଚକ୍ରରେ ବାଧ୍ୟ ହୋଇ ଯାହାକି ଯୁଦ୍ଧ, ପ୍ରାକୃତିକ ଦୁର୍ବିପାକ, ନିରାପତ୍ତା, ଗୃହଯୁଦ୍ଧ ଇତ୍ୟାଦି ପାଇଁ ଓ ଦ୍ୱିତୀୟତଃ ଅନ୍ୟ ଦେଶରେ ଅଧିକ ସୁଖ-ସ୍ୱାଚ୍ଛନ୍ଦ୍ୟ, ସୁବିଧା ସୁଯୋଗ ଓ ସାମଗ୍ରିକ ଭାବରେ ଉତ୍ତମ ବାତାବରଣ ଯୋଗୁଁ ଅନେକ ଆକୃଷ୍ଟ ହୋଇ ସ୍ୱଇଚ୍ଛାରେ ସେ ଦେଶର ନାଗରିକତ୍ୱ ଗ୍ରହଣ କରିଥାନ୍ତି। ଲଣ୍ଡନ ସ୍ଥିତ ହେନ୍‍ଲି ଓ ପାର୍ଟନରର ୱେଲ୍‍ଥ ମାଇଗ୍ରେସନ ରିପୋର୍ଟ ଅନୁଯାୟୀ ୨୦୨୨ରେ ୬୫୦୦ ମିଲିଓନାରି ଅର୍ଥାତ୍‌ ଯାହାର ନେଟ୍‍ ସଂପତ୍ତି ୮.୨ କୋଟି ଟଙ୍କ।ରୁ ଅଧିକ ସେମାନେ ଭାରତ ଛାଡ଼ି ଚାଲିଯାଇଛନ୍ତି ଓ ଏହି ମର୍ମରେ ଚୀନ ତଳେ ଆମେ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର। ଅବଶ୍ୟ ବିଲିଓନାରି ଅର୍ଥାତ ୮୦୦ କୋଟି ନେଟ୍‍ ସଂପତ୍ତିର ଅଧକାରୀ ମଧ୍ୟ ଏହି ତାଲିକାରେ ବହୁସଂଖ୍ୟାରେ ଅଛନ୍ତି।

ବିଦେଶରେ ନାଗରିକତ୍ୱ ଗ୍ରହଣ କରିଥିବା ସମସ୍ତଙ୍କୁ ଯଦି ତାଲିକାଭୁକ୍ତ କରାଯାଏ ତାହାହେଲେ ଗତବର୍ଷ ଏହା ୨ ଲକ୍ଷରୁ ଊର୍ଦ୍ଧ୍ବ ହେବ। ଏମାନେ ମୁଖ୍ୟତଃ ଆମେରିକା, କାନାଡ଼ା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗ।ପୁର, ୟୁଏଇ, ଇତ୍ୟାଦି ଦେଶ ପ୍ରଥମ ପସନ୍ଦ କରିଥାନ୍ତି। ଏଠାରେ ପ୍ରଶ୍ନଉଠେ ଏତେ ସଂଖ୍ୟକ ଭାରତୀୟ କାହିଁକି ନିଜ ଦେଶ ଛାଡ଼ି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରୁଛନ୍ତି। ବିଭିନ୍ନ ସାମାଜିକ, ଅର୍ଥନୈତିକ, ରାଜନୈତିକ, ଭୌଗୋଳିକ କାରଣ ଥିଲେ ମଧ୍ୟ ଧନିକ ଶ୍ରେଣୀଙ୍କ ମଧ୍ୟରେ ପୃଥିକରଣ ମାନସିକତା ଉଦ୍ରେକ ହେବା ଫଳରେ ଦେଶ ଛାଡ଼ିବା ମନୋବୃତ୍ତି କ୍ରମଶଃ ବୃଦ୍ଧି ପାଇବା ଦେଖାଯାଉଛି ଯାହାକି ପରିତାପର ବିଷୟ। ମୁଳତଃ ବିଦେଶରେ ଅନ୍ୟତ୍ର ଅର୍ଥନୈତିକ ଦୃଷ୍ଟିକୋଣରୁ ସୁବିଧା-ସୁଯୋଗ, ଉନ୍ନତମାନର ଜୀବନଶୈଳୀ, ଅପେକ୍ଷାକୃତ କମ ପ୍ରଦୂଷଣ ଓ ୟୁଏଇ, ସିଙ୍ଗାପୁର ଇତ୍ୟାଦି କେତେକ ଦେଶର କମ୍‍ କର ବ୍ୟବସ୍ଥା କେତେକ ମୁଖ୍ୟ କାରଣ ଅଟେ। ଏହାଛଡ଼ା ବିଦେଶରେ ଉନ୍ନତମାନର ଶିକ୍ଷାଲାଭ କରି ଚାକିରି ପାଇ ଅଧିକ ରୋଜଗାରର ସୁଯୋଗ ଯୁଗଗୋଷ୍ଠୀକୁ ଆକୃଷ୍ଟ କରୁଛି।

ଭାରତର ରାଜନୈତିକ ବାତାବରଣ ନ ସୁହାଇବା, ଟଙ୍କାର କ୍ରୟ କ୍ଷମତାର ଅବକ୍ଷୟ, ଅଧିକ ମୁଦ୍ରାସ୍ଫୀତି, ଉନ୍ନତମାନର ସ୍ୱାସ୍ଥ୍ୟ ସେବାର ଅଭାବ, ସହରଗୁଡ଼ିକ ଅତିମାତ୍ରାରେ ଜନାକୀର୍ଣ୍ଣ ଓ ମୌଳିକ ଉତ୍ତମ ଭିତ୍ତିଭୂମିର ଅଭାବ, ଖାଦ୍ୟରେ ଗୁଣବତ୍ତା ବଜାୟ ନ ରହିବା, ନାରୀ ନିରାପତ୍ତା, କ୍ରମବର୍ଦ୍ଧିଷ୍ଣୁ ଦୈନନ୍ଦିନ ଜୀବନଯାପନରେ ଖର୍ଚ୍ଚର ବୃଦ୍ଧି ଇତ୍ୟାଦି ମଧ୍ୟ ଅନେକ କାରଣ ଦର୍ଶାଇଥାନ୍ତି। କଳାଧନକୁ ଠାବ କରିବା ଉଦ୍ଦେଶ୍ୟରେ ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ପାଇଁ ଏହାକୁ ଘୋଡ଼ାଇବା ପାଇଁ ମଧ୍ୟ ପରିବାରର ଜଣେ ସଦସ୍ୟକୁ ଅନ୍ୟ ଦେଶରେ ବର୍ଷକ ମଧ୍ୟରେ ଅନ୍ୟୂନ ୧୮୨ ଦିନ ବାହାରେ ରଖି ବିଦେଶୀ ଭାରତୀୟ ଭାବେ ବିବେଚିତ କରାଉଛନ୍ତି। ସାମଗ୍ରିକ ଭାବରେ ଭାରତ ଏକ ବୃହତ୍ ଅର୍ଥନୀତି ଆଡ଼େ ଅଗ୍ରସର ହେଲେ ମଧ୍ୟ ଉନ୍ନତମାନର ଜୀବନ ଶୈଳୀ ପାଇଁ କେତେକ ମାନଦଣ୍ଡରେ ଆମେ ଦକ୍ଷିଣ ଏସିଆ ଭଳି ପୃଥିବୀର ଏକ ଅନୁନ୍ନତ ଅଞ୍ଚଳ ଓ ଏପରିକି ଆମର ବିଭିନ୍ନ ପଡ଼ୋଶୀ ଦେଶ ଯଥା ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ, ଇତ୍ୟାଦି ଦେଶରୁ ଆମେ ପଛରେ ଅଛୁ, ଉଦାହରଣ ସ୍ୱରୂପ ଅନ୍ତର୍ଜାତୀୟ ସ୍ତରରେ ଖୁସି ରହିବାର ସୂଚକାଙ୍କ ୧୩୬, ଶାନ୍ତିରେ ୧୩୧, ଏଚ୍‍ଡି.ଆଇ. ୧୨୮ ଓ ପାସ୍‍ପୋର୍ଟର ମହତ୍ତ୍ୱ ସୂଚକାଙ୍କରେ ୮୭ତମ ସ୍ଥାନରେ ଅଛୁ।

prayash

ଆମ ଦେଶରେ ଦ୍ୱୈତ ନାଗରିକତ୍ୱ ବ୍ୟବସ୍ଥା ନାହିଁ। ଅବଶ୍ୟ ୨୦୦୫ରେ ପ୍ରଚଳିତ ଓ.ସି.ଆଇ. ନିୟମ ଅନୁଯାୟୀ ସରକାର ପ୍ରବାସୀ ଭାରତୀୟଙ୍କ ପାଇଁ ଅନେକ ନିୟମ କୋହଳ କରିଛନ୍ତି। ସେମାନଙ୍କର ଆମ ଦେଶରେ ଭୋଟ୍‍ ଦେବାର ଅଧିକାର, ସରକାରୀ ଚାକିରି କରିବାର ଅଧିକାର ତଥା ଚାଷ ଜମି କିଣାବିକା କରିବାର ଅଧିକାର ନ ଥାଇ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ସେମାନେ ଆମ ଦେଶରେ ପାଇ ପାରିବେ ଓ ତାଙ୍କର ଭାରତକୁ ଆସିବା ଯିବାରେ କୌଣସି କଟକଣା ନ ଥାଏ। ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ବର୍ଷକୁ ଜଣେ ଭାରତୀୟ ବିଦେଶକୁ ବାର୍ଷିକ ୨.୫ ଲକ୍ଷ ଡଲାର ଅର୍ଥାତ୍‌ ହାରାହାରି ୨ କୋଟି ଟଙ୍କା ପ୍ରେରଣ କରିପାରିବ। ପୃଥିବୀର ଅନେକ ଦେଶ ଏପରିକି ଗ୍ରୀସ୍‍, ପର୍ତ୍ତୁଗାଲ, ନେଦରଲ୍ୟାଠ, ବେଲଜିୟମ, ମରିସସ୍‍, ମାଲଟା, ତୁର୍କୀ, ସେଣ୍ଟକିଟ୍‍ସ ଇଦ୍ୟାଦି ତାଙ୍କ ଦେଶରେ ବ୍ୟବସାୟ ବାଣିଜ୍ୟରେ ସ୍ଥାୟୀ ବିନିଯୋଗ କରି ଅଥବା ସ୍ଥାବର ସଂପତ୍ତିରେ ସ୍ଥାୟୀ ବିନିଯୋଗ କରି ନାଗରିକତ୍ୱ ପ୍ରଦାନ କରିଥାନ୍ତି ଓ ଅନେକ ଧନିକ ଶ୍ରେଣୀକୁ ଏହି ମାଧ୍ୟମ ବହୁମାତ୍ରାରେ ସୁହାଇଥାଏ।

ବର୍ତ୍ତମାନ ପ୍ରଶ୍ନଉଠେ ଯଦିଓ କୌଣସି ବ୍ୟକ୍ତି ନିଜର ଗଣତାନ୍ତ୍ରିକ ଓ ବ୍ୟକ୍ତି ସ୍ୱାଧୀନତା ଆଳରେ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରୁଛି, ତାହା କେତେ ଯୁକ୍ତିଯୁକ୍ତ, ପ୍ରାସଙ୍ଗିକ, ସମୟୋପଯୋଗୀ ଓ ବାସ୍ତବଧର୍ମୀ ଅର୍ଥନୈତିକ କାରଣ ଯଦି ପ୍ରମୁଖ କାରଣ ଧରାଯାଏ ତାହାହେଲେ ଆମେରିକା ଭଳି ସବୁଠାରୁ ସମୃଦ୍ଧଶାଳୀ ଦେଶ ୨୫ ଟ୍ରିଲିୟନ ଡଲାର ଜିଡିପିରେ ୦.୫ ରୁ ୧ ପ୍ରତିଶତ ଜିଡ଼ିପି ବୃଦ୍ଧିପାଇ ଯେତିକି ଅଭିବୃଦ୍ଧି ଘଟିବ ଭାରତ ୩.୭୫ ଟ୍ରିଲିୟନ୍‍ ଡଲାର ଜିଡିପିରେ ୬.୫ ପ୍ରତିଶତ ବୃଦ୍ଧି କରି ତାହାଠାରୁ ଅଧିକ ଅଭିବୃଦ୍ଧି ଘଟାଇବ। ଡିଜିଟାଇଜେସନ୍‍ ଯାହାକି ଆଗାମୀ ଦିନରେ ଆର୍ଥିକ ବିକାଶର ପ୍ରମୁଖ ଭୂମିକା ଗ୍ରହଣ କରିବ ଏହାର ଆର୍ଥିକ କାରବାର କ୍ଷେତ୍ରରେ ଆମେ ଏପରି କି ଆମେରିକା ଓ ଚୀନ୍‍ କୁ ମଧ୍ୟ ପଛରେ ପକାଇ ପାରିଛୁ। ଭାରତରେ ନୂତନ ପିଢିର ଯୁବ ବର୍ଗ ଷ୍ଟାର୍ଟ ଅଫ୍‍ ଅର୍ଥନୀତି ଯେଉଁଠିକି ନିଜସ୍ୱ ପୁଞ୍ଜି ନଥିଲେ ମଧ୍ୟ ବାହ୍ୟ ସୂତ୍ରରୁ ଅକ୍ଲେଶରେ ପୁଞ୍ଜି ଜୁଟାଇ ବୈଷୟିକ ଜ୍ଞାନ ମାଧ୍ୟମରେ ଊଣାଅଧିକେ ଅର୍ଥନୀତିର ସମସ୍ତ କ୍ଷେତ୍ରରେ ନୂତନ କଂପାନୀ ସୃଷ୍ଟି କରି ଆର୍ଥିକ ପ୍ରଗତି ତ୍ୱରାନ୍ୱିତ କରୁଛନ୍ତି ତାହା ପ୍ରଶଂସନୀୟ ଓ ଆଗାମୀ ଦିନରେ ଏହା ଆହୁରି କାୟାବିସ୍ତାର କରିବ। ଉଦାହରଣ ସହ ଆମେ ଗତବର୍ଷ ଆମେରିକାଠାରୁ ସବୁଠାରୁ ବେଶୀ ୟୁନିକର୍ଣ୍ଣ ୨୩ଟି ସୃଷ୍ଟିକରି ଦ୍ୱିତୀୟ ସ୍ଥାନରେ ଅଛୁ। ଭାରତରେ ବିତ୍ତୀୟ ଶୃଙ୍ଖଳା, ଜିଏସ୍‍ଟିର ପ୍ରଚଳନ, ଭିତ୍ତିଭୂମିର ବିକାଶ ସହ ଅନେକ ସଂସ୍କାରମୂଳକ କାର୍ଯ୍ୟ ଯାହା ବିଭିନ୍ନ କ୍ଷେତ୍ରରେ ହୋଇଛି ଓ ଆଗାମୀ ଦିନରେ ଏହି ଧାରା ବଳବତ୍ତର ରହିବ ବୋଲି ଆଶା କରାଯାଏ।

ବଦେଶୀ ଭାରତୀୟଙ୍କ ଅବଦାନ ଅତୁଳନୀୟ। ଗତବର୍ଷ ୧୧୧ ବିଲିୟନ ଡଲାର ଭାରତକୁ ବିଦେଶୀ ମୁଦ୍ରା ପ୍ରେରଣ କରିଛନ୍ତି ଯାହାକି ପୃଥିବୀରେ ସର୍ବାଧିକ। ନୂତନ ଜ୍ଞାନ କୌଶଳ ଅଭିଜ୍ଞତା, ଆଣିବା ସହ ବିଶ୍ୱସ୍ତରରେ ଦେଶ ତଥା ଭାରତୀୟଙ୍କ ମାନ ବଢାଇବା ସହ ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି। ସ୍ଥଳ ବିଶେଷରେ ଉଚ୍ଚଶିକ୍ଷା ରୋଜଗାର ବ୍ୟବସାୟ ପାଇଁ ଯିବା କ୍ଷତି କାରକ ନୁହେଁ କିନ୍ତୁ ଦର୍ଶାଇଥିବା ବିଭିନ୍ନ କାରଣ ପାଇଁ ମା, ମାଟି ପ୍ରତି ବୀତସ୍ପୃହ ହୋଇ ଦେଶ ଛାଡ଼ିବା କେତେଦୂର ଯୁକ୍ତିଯୁକ୍ତ। ଉଚ୍ଚ ଶିକ୍ଷିତ ଓ ଧନିକ ଶ୍ରେଣୀ ଦେଶ ଛାଡ଼ିଲେ ଗରିବ ଶ୍ରେଣୀ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବେ। ବିକଶିତ ଦେଶ ଯଥା ଆମେରିକା ସମଗ୍ର ଇଉରୋପ, ଜାପାନ ଇତ୍ୟାଦି ଦେଶରେ ବିକାଶ ଦର ଖୁବ୍‍ ନଗଣ୍ୟ ଓ ଅର୍ଥନୈତିକ, ରାଜନୈତିକ ସମସ୍ୟା ବି ଅନେକ. ଯାହାଫଳରେ ବିକଶିତ ଦେଶରୁ ଅନେକ ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ଭାରତକୁ ବର୍ତ୍ତମାନ ବହୁମାତ୍ରାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।
ଏକବିଂଶ ଶତାବ୍ଦୀରେ ବସ୍ତୁବାଦୀ ମଣିଷ ଅନେକ ମାନବିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟ ତଥା ନିଜସ୍ୱ ଆତ୍ମକୈନ୍ଦ୍ରିକ ଉଚ୍ଚ ଆକାଂକ୍ଷାକୁ ଚରିତାର୍ଥ କରିବାପାଇଁ ବିଦେଶ ନାଗରିକତ୍ୱ ଗ୍ରହଣ କରୁଛନ୍ତି ହେଲେ ସାମଗ୍ରିକ ଭାବରେ ସରକାରୀ ସ୍ତରରେ କେଉଁ ପଦକ୍ଷେପ ନେଲେ ଏହି ଧାରାକୁ ପ୍ରତିହତ କରାଯାଇପାରିବ ବର୍ତ୍ତମାନ ମୁଖ୍ୟ ବିଚାର୍ଯ୍ୟ ବିଷୟ। ଭାରତରେ ସରକାରୀ ଚାକିରି କ୍ଷେତ୍ରରେ ଅଧିକ ସୁଯୋଗ, କର୍ପୋରେଟ ସେକ୍ଟରରେ ଗବେଷଣାର ଅଧିକ ବ୍ୟୟବରାଦ, କରରେ ସ୍ଥାୟିତ୍ୱ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସଂସ୍କାର, ବାଣିଜ୍ୟ ଓ ବ୍ୟବସାୟରେ ସରଳୀକରଣ ଓ ସର୍ବୋପରି ଜୀବନଧାରଣର ମାନକୁ ଉନ୍ନତି କରିବା, ଇତ୍ୟାଦିରେ ଅଧିକ ଧ୍ୟାନ ଦେଲେ ଅନ୍ୟ ଦେଶର ନାଗରିକତାକୁ ଗ୍ରହଣ କରିବାର ମାନସିକତାର ପରିବର୍ତ୍ତନ ଆସିବ।

ସମୟୋପଯୋଗୀ ଉଚିତ ପଦକ୍ଷେପ ନ ନେବା ତଥା ସମସ୍ତଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ନ କରିପାରିବା ସରକାରଙ୍କ ପାଇଁ ବଡ଼ ବିଫଳତା ହେବ। କେବଳ ଗୋଟିଏ ପକ୍ଷକୁ ଆମେ ଦୋଷ ଦେଇ ପାରିବା ନାହିଁ। ଏହି ସମସ୍ୟା ଯେପରି ଏକ ବ୍ୟାଧି ହୋଇ ଗମ୍ଭୀର ରୂପ ନ ନିଏ ବର୍ତ୍ତମାନ ଠାରୁ ଏହାକୁ ଏକ ଜାତୀୟ ସମସ୍ୟା ରୂପେ ସରକାର ଗ୍ରହଣ କରି ସମ​‌େ​‌ୟାପଯୋଗୀ ନୀତି ନିୟମ ପୂର୍ବକ ପ୍ରଣୟନ କରି ଆବଶ୍ୟକୀୟ ପଦକ୍ଷେପ ନେବା ବାଞ୍ଛନୀୟ।

kalyan agarbati

Comments are closed.