ଆମର ଦେଶୀ ସାଆନ୍ତମାନଙ୍କ ଦାସତ୍ୱ ବନ୍ଧନ

ରାଜେନ୍ଦ୍ର ନାରାୟଣ ଦାସ

‘ଆମେ ଆମର ଦେଶୀ ସାଆନ୍ତମାନଙ୍କ ଦାସତ୍ୱରୁ ନିଜକୁ ମୁକ୍ତ କରିବା କେମିତି?’ ପ୍ରାୟ ୧୦ ମାସ ତଳେ (୧୭.୮.୨୦୨୨) ‘ସମାଜ’ର ସମ୍ପାଦକୀୟରୁ ଏପରି ଏକ ଉତ୍ପୀଡ଼କ ପ୍ରଶ୍ନ ମୋ ମନରେ ଗଭୀର ରେଖାପାତ କରିଥିଲା। ମୋର ମନେହୁଏ, ପ୍ରତ୍ୟେକ ସଚେତନ ନାଗରିକ ମଧ୍ୟ ସ୍ୱାଧୀନତାର ୭୫ ବର୍ଷ ପରେ ଏହି ପ୍ରଶ୍ନଟିକୁ ସହଜରେ ଗ୍ରହଣ କରିପାରି ନଥିବେ। ପ୍ରଶ୍ନଟି ନିଶ୍ଚିତ ଭାବରେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିବ। ମୋର ମନେପଡ଼ିଗଲା ସ୍ୱାଧୀନତା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କର ଗୋଟିଏ ବକ୍ତବ୍ୟ। ଗାନ୍ଧୀ କହିଥିଲେ “ଆଜାଦି ତୋ ମିଲଯାଏଗି’ ଲେକିନ୍‍ ଇସକା ଏ ମତଲବ ନେହିଁ କି ଆପ୍‍କୀ ଗୋଲାମୀ ଚଲଯାଏଗୀ। ଅନ୍ତର ସିର୍ଫ ଏ ହୋଗା କି ‘ଗୋରି ଚମଡ଼ି କି ବଦଲେ ଭୁରି ଚମଡ଼ି ଆ ଯାଏଗି। ଔର ଏ ଭୁରି ଚମଡ଼ି ଆପକୋ ଔର ଲୁଟେଗି କ୍ୟୁଁ କି ଏ ବାର ବାର ଆପକୋ ଏ ବାତ କି ଏହସାସ କରାଏଗି କି ଆପକି, ଔର ହମାରି ଚମଡି ତୋ ଏକ ହୈ, ହମ ଆପକୋ ଗୁଲାମ କୈସେ ବନା ସକତେ ହେଁ” (ଓଡ଼ିଆ ମର୍ମାନୁବାଦ : ସ୍ୱାଧୀନତା ତ ମିଳିଯିବ; କିନ୍ତୁ ଏହାର ଅର୍ଥ ନୁହେଁ କି ଆପଣଙ୍କର ଗୋଲାମି (ପରାଧୀନତା) ଚାଲିଯିବ। ପାର୍ଥକ୍ୟ କେବଳ ଏତିକି ହେବ କି ଗୋରା ବଦଳରେ କଳା ଚମ ଆସିଯିବ। ଆଉ ଏହି କଳା ଚମ ଆପଣଙ୍କୁ ଆହୁରି ଲୁଟିବେ କାରଣ ଏମାନେ ବାରମ୍ବାର ବିଶ୍ୱାସ ଜମାଇବେ କି ଆପଣଙ୍କର ଓ ଆମର ଚମ ତ ଗୋଟିଏ ରଙ୍ଗର, ଆମେ ଆପଣଙ୍କୁ କିପରି ଗୋଲାମ ବନେଇ ପାରିବୁ?)। ସେତେବେଳର ସମୟକୁ ଆକଳନ କରି କେହି କେହି “ଭାରତବର୍ଷର ମଙ୍ଗଳ ପାଇଁ ବ୍ରିଟିଶ ଶାସନ ଚାଲୁ ରହିବା ଦରକାର” ବୋଲି ମତବ୍ୟକ୍ତ କରିଥିଲେ। ଜାତୀୟ କବି ବୀରକିଶୋର ଦାସ ମଧ୍ୟ ଲେଖିଥିଲେ –

“ଧଳା ବଦଳରେ କଳା ହେଲେ ଜୋକ / କଟିବ କି କୋଟି ଜନତାଙ୍କ ଦୁଃଖ / ଚାଷୀ ମୂଲିଆଙ୍କ ଖପୁରିକୁ ଚିରି / ଦିଲ୍ଳୀ ଦରବାର ଗଢ଼ିବା କି।”
ଆଜିର ପରିସ୍ଥିତିକୁ ଦେଖି ଏହି ପ୍ରବନ୍ଧକୁ ଲେଖିବାକୁ ଗଲାବେଳେ ଦୀର୍ଘ ୧୦୧ ବର୍ଷ ତଳେ ଜେଲ ଭିତରେ ଥାଇ ପ୍ରବାଦପୁରୁଷ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ତାଙ୍କ ଡାଏରିରେ ଯେଉଁ ଶବ୍ଦଗୁଡ଼ିକ ଲେଖିଥିଲେ, ତାହା ମଧ୍ୟ ମୋର ମନରେ ଗଭୀର ରେଖାପାତ କରୁଛି। ସେ ଲେଖିଥିଲେ “Elections and their corruptions, injustice and the power and tyranny of wealth and the inefficiency of administration will make a hell of life as soon as freedom is given to us’ (24th January 1922)”। ଏହି ଭବିଷ୍ୟବାଣୀ ସଂପ୍ରତି କେତେ ସତ୍ୟ, ତାହା ଯେ କେହି ବ୍ୟକ୍ତି ଅନୁଭବ କରିପାରିବେ।

୧୭ ବର୍ଷ ତଳର କଥା। ଗଣତନ୍ତ୍ରର ଦ୍ୱିତୀୟ ସ୍ତମ୍ଭର ବାବୁମାନଙ୍କ ବାବଦରେ ସତ୍ୟ ଉପରେ ଆଧାରିତ ନିମ୍ନରେ ଗୋଟିଏ ଚମତ୍କାର ଉଦାହରଣ। ସେଦିନ ଥିଲା ୨୦୦୬ ଏପ୍ରିଲ ୨୦ ତାରିଖ। ଦିବଂଗତ କ୍ୟାବିନେଟ୍‍ ସଚିବ ଟି.ଏସ୍‍.ଆର ସୁବ୍ରମଣ୍ୟମ୍‍ଙ୍କ ‘Journeys Through Babudom and Netaland. Governance in India’ ପୁସ୍ତକର ହିନ୍ଦୀ ସଂସ୍କରଣର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆମର ଦେଶୀ ସାମନ୍ତ (ଆଇଏଏସ୍‍) ବାବୁମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ଆପଣମାନେ ଅତ୍ୟନ୍ତ ବିଜ୍ଞ ଏବଂ ଯାହା ଚାହିଁବେ କରିପାରିବେ; କିନ୍ତୁ ନିଜର ସ୍ୱାର୍ଥସିଦ୍ଧି ପାଇଁ ଆପଣମାନେ ମୋ ଭଳି କ୍ଷମତାସୀନ ନେତାଙ୍କ ପାଦ ଛୁଅଁନ୍ତି ଏବଂ ଜୋତା ଚାଟିବାକୁ ମଧ୍ୟ ପ୍ରସ୍ତୁତ। ତେଣୁ ମୁଁ ମଧ୍ୟ ଆପଣମାନଙ୍କ ଜରିଆରେ ନିଜର ଲାଭ ଉଠେଇଥାଏ’। ଅଂଗ୍ରେଜୀ ବହିଟିରେ ଏହା ଲେଖି ତା’ ପରେ ଶ୍ରୀ ସୁବ୍ରମଣ୍ୟମ୍‌ ଆହୁରି ଲେଖିଛନ୍ତି ‘ଏହା ଶୁଣି ମୋ ଲୋମ ଟାଙ୍କୁରି ଉଠିଥିଲା। ମୁଁ (ଶ୍ରୀ ସୁବ୍ରମଣ୍ୟମ୍‍) ଏକଦା ‘ଇସ୍ପାତ ଚରିତ୍ରଯୁକ୍ତ – ‘Steel Frame’ ବୋଲି ଖ୍ୟାତ ଆଇ.ଏ.ଏସ ଅଧିକାରୀମାନଙ୍କ ବାବଦରେ ଏହା ଶୁଣି ଚିନ୍ତିତ ହୋଇପଡ଼ିଲି।

prayash

ପୂର୍ବ କାଳରେ ରାଜକର୍ମଚାରୀମାନେ ରାଜାଙ୍କର ସ୍ତୁତିଗାନ କରୁଥିଲେ। ଏବେ ଲୋକପ୍ରତିନିଧି ଶାସନର ବି ସେଇ ମାନସିକତା ଅନେକ ଦେଶୀ ସାମନ୍ତ ଆଇ.ଏ.ଏସ୍‍ଙ୍କର ରହିଯାଇଛି। ଆଜି ଆନୁଗତ୍ୟ ହିଁ ପ୍ରମୁଖ ଯୋଗ୍ୟତା ପାଲଟିଛି। ଏଇ ବ୍ୟକ୍ତିମାନେ ନିଜ ଚାକିରି ଜୀବନ ଭିତରେ କେତେ ପଦବୀ ମଣ୍ଡନ କରିଥା’ନ୍ତି, କେତେ ଫୁଲମାଳ ପାଇଥା’ନ୍ତି; କିନ୍ତୁ ଯେତେବେଳେ ଅବସର ନିଅନ୍ତି, ଚାରିଦିଗ ତାଙ୍କ ପାଇଁ ଅନ୍ଧାର ହୋଇଯାଏ। ସେମାନେ ନିଜର ଅବସର ଆଗରୁ ପୁନଃନିଯୁକ୍ତିର ସୁଯୋଗ ସୃଷ୍ଟି କରିଥାନ୍ତି। ଆମ ଓଡ଼ିଶାରେ ଏହାର ଉଦାହରଣ ଅନେକ। ଏ ବିଷୟରେ ବିଶେଷ ଆଲୋଚନା ରୁଚିକର ହେବନାହିଁ।

ଗୌରଚନ୍ଦ୍ରିକାରେ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଜାତୀୟ କବି ବୀରକିଶୋର, ରାଜଗୋପାଳଚାରୀ ଓ ମୁଲାୟମ ସିଂ ଯାଦବ ଇତ୍ୟାଦିଙ୍କ ମନ୍ତବ୍ୟ ଉପରେ ଏତେଗୁଡ଼ିଏ କଥା କହିଲାପରେ ଓଡ଼ିଶାର ଏକ ଅଗ୍ରଣୀ ଖବରକାଗଜରେ ସଦ୍ୟ ପ୍ରକାଶିତ (୧୮.୬.୨୦୨୩) ଓଡ଼ିଶାର ଜଣେ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଓଡ଼ିଶାର ଶାସନ ବିଷୟରେ ତାଙ୍କର ମତ ସାମାଜିକ ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। ସେ କହିଛନ୍ତି – “ଅଫିସରମାନଙ୍କ ଶାସକ ଦଳ ପ୍ରୀତିର ଫର୍ଦାଫାସ କରୁ ନାଗରିକ ସମାଜ। ଚାକିରିରେ ଥାଇ ଅଫିସରମାନେ ଶାସକ ଦଳ ପାଇଁ କାମ କରିବା ଆମ ଶାସନ ବ୍ୟବସ୍ଥାର ପରିପନ୍ଥୀ। ସରକାରୀ ଚାକିରିଆ ଶାସକ ଦଳକୁ ସହଯୋଗ କରିବା ଚିନ୍ତାଜନକ। ଏହା ଗଣତନ୍ତ୍ର ପ୍ରତି ଅଶୁଭ ସଙ୍କେତ। ଚାକିରିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ରାଜନୈତିକ କାର୍ଯ୍ୟରେ ଆଦୌ ଯୋଡ଼ି ହୋଇପାରିବ ନାହିିଁ।” ପ୍ରତ୍ୟେକ ସଚେତନ ନାଗରିକ ତାଙ୍କର ଏହି ମନ୍ତବ୍ୟକୁ ସ୍ୱାଗତ କରିବ। ପ୍ରଶ୍ନ ହୁଏ, ମୁଖ୍ୟ ଶାସନ ସଚିବ ପଦରୁ ଅବ୍ୟାହତି ନେବାର ୯ବର୍ଷ ପରେ ଯୁଗଳବାବୁ ହଠାତ୍‍ କାହିଁକି ଏକ ୟୁ-ଟ୍ୟୁବ୍‍ ଚାନେଲ୍‍ରେ ଏପରି ଏକ ବିଷ୍ଫୋରକ ବୟାନ ଦେଲେ? ବୋଧହୁଏ ସେ ତାଙ୍କର ସହଧର୍ମାମାନଙ୍କର କକ୍ଷଚ୍ୟୁତି ଓ କର୍ତ୍ତବ୍ୟରେ ଖିଲାଫକୁ ଆଉ ବରଦାସ୍ତ କରିପାରିଲେ ନାହିଁ। ଏହା ତାଙ୍କ ଭିତରେ ଗ୍ଲାନିର ନିଆଁ ସବୁବେଳେ ଜାଳୁଥିଲା। ତେଣୁ ସେ କହୁ କହୁ କହିଦେଲେ।

ବ୍ରିଟିଶ ସଂସଦକୁ ସିଲେକ୍ଟ କମିଟିର ଲର୍ଡ଼ ମାକଲେଙ୍କ ରିପୋର୍ଟ ପରେ, ୧୮୫୪ ମସିହାରେ ଭାରତୀୟ ସିଭିଲ ସର୍ଭିସ ଗଠନ କରାଯାଇଥିଲା। ସ୍ୱାଧୀନତା ପରେ ସର୍ଦାର ବଲ୍ଲଭଭାଇ ପଟେଲ ଏବଂ ପଣ୍ଡିତ ନେହେରୁ ଭାରତୀୟ ପ୍ରାଶାସନିକ ସେବା ଆକାରରେ ଏହି ସେବା ଜାରି ରଖିଥିଲେ ଯାହା ଏକ ବହୁଭାଷୀ, ବହୁ-ଧର୍ମ ବିଭାଜନକାରୀ ଦେଶକୁ ଏକାଠି ରଖିବା ପାଇଁ ମଜଭୁତି (ଷ୍ଟିଲ ଫ୍ରେମ) ପ୍ରଦାନ କରିବ। ସରକାରୀ କର୍ମଚାରୀଙ୍କ ପ୍ରତି ସର୍ଦାର ପଟେଲଙ୍କ କଠୋର ନି​‌େ​‌ର୍ଦଶ ଥିଲା ଯେ “ଆପଣ ଭାରତର କୌଣସି ସରକାର, କୌଣସି ଦଳ କିମ୍ବା ବିଶେଷ ବ୍ୟକ୍ତିଙ୍କ ପାଇଁ ସେବା କରିବା ଉଚିତ୍‍ ନୁହେଁ।” ଦୁଭାର୍ଗ୍ୟବଶତଃ, ଏହି ସୁବର୍ଣ୍ଣ ନିୟମ ବର୍ତ୍ତମାନ କାର୍ଯ୍ୟକାରୀ ହେବା ଅପେକ୍ଷା ଏହାର ଅଧିକ ଉଲ୍ଲଙ୍ଘନ କରାଯାଉଛି। ବର୍ତ୍ତମାନର ସରକାର ବହୁ ପୂର୍ବତନ ଅମଲାତନ୍ତ୍ରୀଙ୍କୁ ତୋଷାମଦୀ କ୍ୟାବିନେଟ୍‍ ପାହ୍ୟା (ପ୍ଲମ୍‍ କ୍ୟାବିନେଟ୍‍ ବର୍ଥ) ସହିତ ପୁରସ୍କୃତ କରିଛନ୍ତି। ବାସ୍ତବରେ – ବୈଦେଶିକ ବ୍ୟାପାର, ରେଳବାଇ, ଆଇଟି, ସହରାଞ୍ଚଳ ବିକାଶ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପୂର୍ବତନ ଅମଲାତନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅଧ୍ୟକ୍ଷ, ରାଜ୍ୟର ରାଜ୍ୟପାଳ ତଥା ଭାରତୀୟ ମହାଲେଖ ନିରୀକ୍ଷା-ନିୟନ୍ତ୍ରକ (CAG) ଭଳି ଆକର୍ଷଣୀୟ ସାମ୍ବିଧାନିକ ପଦବୀଗୁଡ଼ିକ ମଧ୍ୟ ବାରମ୍ବାର ପରିବର୍ତ୍ତନ ଏବଂ ନିଜ ପସନ୍ଦଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି। ଏହା ଶାସକ ଦଳର ଆଦେଶକୁ ଅନ୍ଧାନୁସରଣ କରି କାର୍ଯ୍ୟ କରିବା ପାଇଁ ଏହି ଅମଲାତନ୍ତ୍ରୀଙ୍କୁ ଉତ୍ସାହିତ କରିଛି।

ଆମ ଓଡ଼ିଶାରେ ବହୁ ବର୍ଷ ହେଲା ‘ଅଫିସର ରାଜ୍‍’ କିପରି ଚାଲିଛି ସେ ବିଷୟରେ ମୂଳ ଗଣମାଧ୍ୟମରେ ଚର୍ଚ୍ଚା ନହେଲେ ମଧ୍ୟ ସୋସିଆଲ୍‍ ମିଡ଼ିଆ ଏ ବିଷୟରେ ପଡୁଛି ଉଠୁଛି। କିଛିଦିନ ହେଲା ଏହି ଚର୍ଚ୍ଚା ମୂଳ ଗଣମାଧ୍ୟମରୁ ମଧ୍ୟ ବାଦ ପଡ଼ିନାହିଁ। ଓଡ଼ିଶାର ତଥାକଥିତ ଦେଶୀ ସାଆନ୍ତ ଆଇ.ଏ.ଏସ୍‍.ମାନେ ଅମେରୁଦଣ୍ଡୀ କ୍ଷମତାଧାରୀଙ୍କ ଚାଟୁକାର ହୋଇ ରହିଛନ୍ତି। ତେଣୁ ବ୍ୟବସ୍ଥାର କୌଣସି ଦୋଷତ୍ରୁଟି ସେମାନଙ୍କ ଆଖିରେ ପଡୁନାହିଁ। ସତ କହିବାକୁ ସେମାନେ ସାହସ ଜୁଟାଇ ପାରୁନାହାନ୍ତି। ନିଜ ବିବେକକୁ ଶୁଆଇ ପକାଇଥିବା ଅମଲାମାନେ ସମାଜର ବିବେକରକ୍ଷକ କିପରି ବା ହେବେ? ଏଇଟା ଜଣାଶୁଣା କଥା ଯେ ଅଧିକାଂଶ ମିଡିଆ ହାଉସ୍‍କୁ କ୍ଷମତା କିଣି ନେଇ ସାରିଛି। ତେଣୁ ଆଗାମୀ ଦିନରେ ଏକଛତ୍ରବାଦର ମୁକାବିଲା କରିବା ପାଇଁ ଆମ ପାଖରେ କୌଣସି ଆଶାର ସଙ୍କେତ ନାହିଁ। ମିଛଟାରେ ଆମେ ଖାଲି ‘ସ୍ୱାଭିମାନୀ ଓଡ଼ିଆ’ ବୋଲି ନିଶ ମୋଡ଼ି ଚାଲିଛୁ।
ଗୋଟିଏ ସୁସ୍ଥ ସମାଜ ପାଇଁ ସୁସ୍ଥ ମାନସିକତାର ନାଗରିକ ଓ ସରକାରର ଆବଶ୍ୟକତା ରହିଛି। ହେଲେ ନାଗରିକ ଭିତରେ ସ୍ଥାଣୁତା, ଆଉ ଅସୁସ୍ଥ ମାନସିକତାର ସରକାର, କେବଳ ଭୁଶୁଡ଼ି ପଡୁଥିବା ସାମାଜିକ ଜୀବନ ନୁହେଁ, ଆମ ଚତୁଃପାର୍ଶ୍ବରେ ଅନେକ ଘଟଣା ଆମକୁ ଆଜି ପ୍ରତିକ୍ରିୟାଶୀଳ କରାଉଛି। ସମ୍ପ୍ରତି ଆମେ ବିକଶିତ ଦେଶ ବୋଲି ଯାହାକୁ କହୁଛୁ, ଜର୍ମାନୀ ଭଳି ସେହି ପାଶ୍ଚାତ୍ୟ ଦେଶମାନଙ୍କରେ ନାଗରିକଙ୍କ ଜୀବନଧାରଣର ମାନ ଉଚ୍ଚ ରହିଥାଏ ଓ ତା ସହିତ ସେଠାରେ ନାଗରିକଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ସମାନତାକୁ ସର୍ବାଧିକ ସମ୍ମାନ ପ୍ରଦାନ କରାଯାଏ। ଆମେମାନେ ହୁଏତ ଦାସତ୍ୱର ବିଦେଶୀ ସଙ୍କେତ ସବୁ ହୁଏତ ହଟେଇ ଦେଇପାରିବା; କିନ୍ତୁ ଆମର ଦେଶୀ ସାମନ୍ତମାନଙ୍କର ଦାସତ୍ୱ ବନ୍ଧନ ସହିତ କିପରି ମୁକାବିଲା କରିବା? ଏଇ ପ୍ରଶ୍ନର ଉତ୍ତର ଦେବ କିଏ?

kalyan agarbati

Comments are closed.