ଗଜପତି କପିଳେନ୍ଦ୍ର ଓ ଶ୍ରୀଜଗନ୍ନାଥଙ୍କ ସୁନାବେଶ
ଅମ୍ବରୀଶ ଶତପଥୀ
ମାଦଳାପାଞ୍ଜିର ବର୍ଣ୍ଣନାନୁସାରେ “୧ମ ପାଞ୍ଜିମତେ- ଏ ଉତ୍ତାରୁ ମତ୍ତଭାନୁ ଦେବ ରାଜା ହେଲେ। ମତ୍ତଭୋଳ ହୋଇ ରାଜା ଭୋଗ କଲେ ବ୨୩୬ମାସ। ମତ୍ତଭାନୁ ଦେବ ଦିନେ ପରମେଶ୍ୱରଙ୍କୁ ଜଣାଇଲେ ମୋର ଉତ୍ତାରୁ କାହାକୁ କରିଅଛ ଗୋସାଇଁ। ଏଥକୁ ସପନେ ଆଗ୍ୟାଂ ହୋଇଲେ କାଲି ଦରଶନବେଳେ ବିମ୍ବଳାଇଙ୍କ ଆଗେ ଖପରା ଖଣ୍ଡେ କୋରୁଥିବ, ତତେ ଦେଖି ପଳାଇଯିବ, ସେହି ତାକୁ କରିଅଛୁଁ। ଏମନ୍ତକୁ ସୂର୍ଯ୍ୟବଂଶୀ ରାଉତ କପିଳି ବ୍ରାହ୍ମଣଘରେ ବାଛୁରୀ ରଖିଥାନ୍ତି। ଏକ ଦିନକରେ ବ୍ରାହ୍ମଣ ଦେଖିଲା ବାଛୁରୀ ଚରୁଅଛନ୍ତି। କପିଳି ଗଛମୂଳେ ଶୋଇଅଛନ୍ତି। ମୁହଁରେ ଖରା ପଡ଼ିଲାକୁ ନାଗସାପ ଫେଣ ଟେକିଅଛି। ଏମନ୍ତ ଦେଖି କପିଳିକି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ। (ବାଦ ନାହିଁ) ସେଦିନୁ ବ୍ରାହ୍ମଣ କପିଳିଠାରେ ବଡ଼ ସୁଖ କରିଥାଇ। ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣଘରୁ କପିଳି ବାହାର ହୋଇ ତେରଟିଆଙ୍କ ସାଙ୍ଗେ ସାଙ୍ଗ ହୋଇ ଚୋରି କଲେ। ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରୀ ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାଗି ଖାଆନ୍ତି। ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ। କପିଳି କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ। ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ। ଏଥକୁ କପିଳି ରାଉତ ଚାକର ରହିଲେ ଥୋକାଏ ଦିନ ଉତ୍ତାରୁ ପରମେଶ୍ୱର କପିଳି ରାଉତକୁ ରାଜା କରି ଶାଢ଼ି ଆଗ୍ୟାଂ ଦେଲେ xxx (ପୃ.୩୦)।’’
ସୂର୍ଯ୍ୟବଂଶୀ ରାଜା ଗଜପତି କପିଳେନ୍ଦ୍ର ଖ୍ରୀ.ଅ.୧୪୩୫ରୁ ୧୪୬୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। କପିଳେନ୍ଦ୍ର ଜଣେ ପ୍ରତିଭାବାନ୍ ସମ୍ରାଟ ଥିଲେ। ସେ ସମୟରେ ଭାରତର ବିଭିନ୍ନ ଅଞ୍ଚଳରେ ମୁସଲମାନ ଶାସନ ପ୍ରତିଷ୍ଠିତ ହୋଇଥିବାବେଳେ ଓଡ଼ିଶା ସ୍ୱାଧୀନ ହିନ୍ଦୁ ରାଜ୍ୟ ଥିଲା। ଖ୍ରୀ.୧୪୫୫ରେ କପିଳେନ୍ଦ୍ର ଦାକ୍ଷିଣାତ୍ୟର ବିଖ୍ୟାତ ‘ଚନ୍ଦ୍ରଗିରି’ ଓ ‘ଉଦୟଗିରି’ ଦୁର୍ଗକୁ ଅଧିକାର କରିଥିଲେ। ୧୪୫୭ ଖ୍ରୀଷ୍ଟାବ୍ଦରେ ଶକ୍ତିଶାଳୀ ‘ବିଜୟ ନଗର’ ରାଜ୍ୟ କପିଳେନ୍ଦ୍ରଙ୍କ ଅଧୀନତା ସ୍ୱୀକାର କରିଥିଲା। ୧୪୪୬ ଖ୍ରୀଷ୍ଟାବ୍ଦରେ ବାହମନୀ ରାଜ୍ୟର ‘ଦେବରକୋଣ୍ଡା’ ଦୁର୍ଗକୁ କପିଳେନ୍ଦ୍ର ଅଧିକାର କରିଥିଲେ। ତତ୍ସହିତ ବିଦର ରାଜ୍ୟକୁ ମଧ୍ୟ ପୁନଃ ଅଧିକାର କରିଥିଲେ। ଆଲୋଚକ ପ୍ରାଣନାଥ ମହାନ୍ତି କପିଳେନ୍ଦ୍ରଙ୍କୁ ସମଗ୍ର ଦକ୍ଷିଣ ଭାରତର ସମ୍ରାଟ ଥିଲେ ବୋଲି କହି ତାଙ୍କୁ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ମହାବୀର ନେପୋଲିୟନଙ୍କ ସହିତ ତୁଳନା କରିଛନ୍ତି। ମାତ୍ର ନେପୋଲିୟନଙ୍କ ଜୀବନକାଳରେ ତାଙ୍କର ଅଭିଯାନ ବ୍ୟର୍ଥ ହୋଇଯାଇଥିବା ବେଳେ ମହାବୀର କପିଳେନ୍ଦ୍ର ଯେଉଁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ତାହା ଦୀର୍ଘ ଏକଶତ ବର୍ଷ କାଳ ଅକ୍ଷୁଣ୍ଣ ରହିଥିଲା। କପିଳେନ୍ଦ୍ରଙ୍କ ସାମ୍ରାଜ୍ୟ ଗଙ୍ଗାଠାରୁ କାବେରୀ ପର୍ଯ୍ୟନ୍ତ ଥିଲା ବୋଲି ସମସ୍ତେ କହନ୍ତି ମାତ୍ର ତାଙ୍କ ସାମ୍ରାଜ୍ୟ ଗଙ୍ଗାଠାରୁ ପେନାର ନଦୀ ପର୍ଯ୍ୟନ୍ତ ଥିଲା। ଏହା ଗବେଷକ ଡଃ. ଆର୍. ସୁବ୍ରମଣ୍ୟମ୍ଙ୍କର ମତ। ଖ୍ରୀ.୧୪୫୦ରେ ବଙ୍ଗର ସୁଲତାନ୍ ନାସିରୁଦ୍ଦିନ୍ଙ୍କୁ ପରାସ୍ତ କରି ‘ଗୌଡ଼େଶ୍ୱର’ ଉପାଧିରେ ଭୂଷିତ ହୋଇଥିଲେ। ପରାଜିତ ବାହମନୀର ସମ୍ରାଟ ତାଙ୍କୁ ‘କାଲବର୍ଗ’ ଅଞ୍ଚଳ ପ୍ରଦାନ କରିଥିବାରୁ ତାଙ୍କୁ ‘କଳବର୍ଗେଶ୍ୱର’ କୁହାଗଲା।
ବିଭିନ୍ନ ରାଜ୍ୟ ଜୟ କରି ତାଙ୍କର ଉପାଧି ଥିଲା ‘ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ କଳବର୍ଗେଶ୍ୱର ବୀରାଧି ବୀରବର ପ୍ରତାପୀ ଶ୍ରୀ କପିଳେନ୍ଦ୍ର ଦେବ।’ ତାଙ୍କ ସାମ୍ରାଜ୍ୟରେ ପ୍ରଜାମାନେ ସୁଖଶାନ୍ତିରେ ବାସ କରୁଥିଲେ। ସେ ଜଣେ ସୁପଣ୍ଡିତ ଓ କବି ମଧ୍ୟ ଥିଲେ। କପିଳେନ୍ଦ୍ର ଜଣେ ସାହିତ୍ୟାନୁରାଗୀ ସମ୍ରାଟ ଥିଲେ। ସେ ମଧ୍ୟ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ। ସେ ଶ୍ରୀମନ୍ଦିରର ମେଘନାଦ ପାଚେରି, ସ୍ନାନମଣ୍ଡପ ଇତ୍ୟାଦି ନିର୍ମାଣ କରିଥିଲେ। ତାଙ୍କ ପୂର୍ବରୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମଦେବ ୧୨୩୨ଖ୍ରୀ.ରେ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ସମ୍ରାଟ ତଥା ରାଷ୍ଟ୍ରଦେବତା ରୂପେ ଘୋଷଣା କରିବା ସହ ନିଜେ ତାଙ୍କର ରାଉତ ବା ପ୍ରତିନଧି ବୋଲି ଘୋଷଣା କରିଥିଲେ। ସେହି ସମୟରୁ ମହାପ୍ରଭୁଙ୍କ ସୁନାବେଶ ହୋଇଆସୁଛି ବୋଲି ଗବେଷକମାନଙ୍କର ମତ। ଅନ୍ୟ ଏକ ମତ ଅନୁଯାୟୀ ୧୪୬୦ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦାକ୍ଷିଣାତ୍ୟ ଜୟ କରି ଷୋହଳଟି ହାତୀରେ ବିପୁଳ ଧନରତ୍ନ ଆଣି ସେହିଥିରେ ଅଳଙ୍କାର ତିଆରି କରି ସୁନାବେଶ କରାଇଥିଲେ। ରାଜା କପିଳେନ୍ଦ୍ର ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ବଡ଼ ଏକାଦଶୀ ତିଥିରେ ପିନ୍ଧାଇଥିଲେ। ସବୁ ରାଜାବେଶ ସୁନାବେଶ ମାତ୍ର ସବୁ ସୁନାବେଶ ରାଜା ବେଶ ନୁହେଁ। ଯେହେତୁ ଦୋଳ ପୂର୍ଣ୍ଣିମାରେ ହେଉଥିବା ସୁନାବେଶ ରାଜାବେଶ ନୁହେଁ। ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢଉ ବେଶ ମଧ୍ୟ କୁହାଯାଏ। ସମୁଦାୟ ପାଞ୍ଚଥର ଏହି ବେଶ ହୋଇଥାଏ।
ଉତ୍କଳର ସମ୍ରାଟମାନେ ରାଜ୍ୟ ଜୟକରି ବିପୁଳ ଧନରତ୍ନ (ଶ୍ରୀଜଗନ୍ନାଥଙ୍କୁ) ଅର୍ପଣ କରୁଥିଲେ। କପିଳେନ୍ଦ୍ରଙ୍କ ପୂର୍ବରୁ ଅନଙ୍ଗ ଭୀମଦେବ, ଲାଙ୍ଗୁଳା ନରସିଂହଦେବ, ତୃତୀୟ ଭାନୁଦେବ। ପରବର୍ତ୍ତୀ ସମୟରେ କାଞ୍ଚିବିଜୟ କରି ଗଜପତି ପୁରୁଷୋତ୍ତମ ଦେବ ଇତ୍ୟାଦି ବହୁ ଧନରତ୍ନ ମହାପ୍ରଭୁଙ୍କୁ ଅର୍ପଣ କରିଯାଇଛନ୍ତି। ପଣ୍ଡିତ ନୀଳକଣ୍ଠଙ୍କ ମତରେ ଖ୍ରୀ ୧୪୫୦ରେ ଗଜପତି କପିଳେନ୍ଦ୍ରଦେବ ଦାକ୍ଷିଣାତ୍ୟ ବିଜୟରୁ ଫେରିଆସି ସେହିଆଡୁ ଆଣିଥିବା ଅତି ମୂଲ୍ୟବାନ ‘ପୁଣ୍ଡରୀକ-ଗୋପ’ ଶାଢ଼ି ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରିଥିଲେ। ପରିଣତ ବୟସରେ ୧୪୬୬ଖ୍ରୀ.ରେ ଏକ ଶିଳାଲେଖରେ କପିଳେନ୍ଦ୍ର କହିଛନ୍ତି- “ଶ୍ରୀଜଗନ୍ନାଥ ମୋର ବାହ୍ୟ ଆଭ୍ୟନ୍ତର ଜାଣୁ ମୋହର ଯେତେ ଅଛି ମୁଇଁ ବ୍ରାହ୍ମଣ ହାତରେ ଦେଇପାରେ ତାହା ଦେବି ଏ ଭୂମିଖଣ୍ଡ ଓ ନାହାକୁ ଅନୁଗ୍ରହ କରିଥା ମୋହର ସେ କେବେ ନୁହେଁ।” (ଖ୍ରୀ.୧୪୬୬ର ଲିପି, ସୂର୍ଯ୍ୟନାରାୟଣ ଦାସ, ଓଡ଼ିଆ ସାହିତ୍ୟର ପରିଚୟ, ପ୍ରଥମ ଭାଗ, ଦ୍ୱିତୀୟ ସଂସ୍କରଣ, ପୃ.୧୬୧)
ଓଡ଼ିଶାର ଗଜପତି ମହାରାଜାମାନଙ୍କ ମଧ୍ୟରେ କପିଳେନ୍ଦ୍ର ଅତ୍ୟନ୍ତ ବୀର, ସାହସୀ, ଯୁଦ୍ଧପ୍ରିୟ ଓ ରାଷ୍ଟ୍ରନୀତିରେ ବିଚକ୍ଷଣ ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମଭକ୍ତ କପିଳେନ୍ଦ୍ରଙ୍କର ଯୁଦ୍ଧ ବିଜୟ ପରେ ଫେରୁଥିବା ସମୟରେ କୃଷ୍ଣାନଦୀ କୂଳରେ ଦେହତ୍ୟାଗ କରିଥିଲେ। ତାଙ୍କ ରାଜତ୍ୱ ସମୟରୁ ଏକ ଅବ୍ଦ ଗଣନା ଆରମ୍ଭ ହୋଇଥିଲା, ଯାହାକି କପିଳାବ୍ଦ ବା ‘କପିଳେନ୍ଦ୍ରାବ୍ଦ’ ନାମରେ ଏଯାବତ୍ ଚାଲିଛି। ଗଜପତି କପିଳେନ୍ଦ୍ର ନାହାନ୍ତି ସତ ମାତ୍ର ପ୍ରତି ବର୍ଷ ମହାପ୍ରଭୁଙ୍କ ସୁନାବେଶ ତାଙ୍କ ସ୍ମୃତିକୁ ଜାଗ୍ରତ କରେ।
Comments are closed.