ଜଗନ୍ନାଥ ଏକ ଚେତନା ଓ ଦର୍ଶନ
କୁମାରବର ଦାସ
ଈଶ୍ୱର ହିଁ ସତ୍ୟ ଶିବ ସୁନ୍ଦର। ସତ୍ ଚିତ୍ ଆନନ୍ଦ। ସେ ସମ୍ପୂର୍ଣ୍ଣ ସତ୍ୟ ବାକି ସବୁକିଛି ଅସତ୍ୟ ବା ଅର୍ଦ୍ଧସତ୍ୟ। ସତ୍ୟର ସ୍ରଷ୍ଟା କେହି ନୁହେଁ, ଏହା ସନାତନ, ଏହାର ସ୍ୱର ଖୁବ୍ ଗମ୍ଭୀର। ଈଶ୍ୱରଙ୍କ ନାମ ଅନେକ, କିନ୍ତୁ ଗୋଟିଏ ନାମରେ ତାଙ୍କୁ ଖୋଜିବାକୁ ହେଲେ, ତାହା ହେଉଛି ସତ୍ୟ। ଅତଏବ ସତ୍ୟ ହିଁ ଈଶ୍ୱର। ଗୋଟିଏ ରାସ୍ତାରେ ବା ସୂତ୍ରରେ ତାଙ୍କୁ ପାଇବାକୁ ହେଲେ, ତାହା ହେଉଛି ପ୍ରେମ ଓ ଭକ୍ତି। ଆସକ୍ତି ରହିତ ପ୍ରେମ ହିଁ ଦିବ୍ୟ ପ୍ରେମ। ଈଶ୍ୱର ମୁର୍ତ୍ତି ନୁହନ୍ତି କି ମଣିଷ ନୁହନ୍ତି, ସେ ହେଉଛନ୍ତି ମଣିଷ ଭିତରେ ଲୁକ୍କାୟିତ ଥିବା ଦିବ୍ୟ ଚେତନା। ଭଗବାନ ଏକ ଅନୁମାନ କିମ୍ବା କଳ୍ପନା ନୁହେଁ ଏକ ଦିବ୍ୱ୍ୟାନୁଭୁତି। ସେ ଜଡ, ସେ ପ୍ରାଣ,ସେ ମନ ସେ ପୁଣି ଅାତ୍ମା। ତାଙ୍କ ଆନନ୍ଦଠାରୁ ଆନନ୍ଦ ନାହିଁ, ତାଙ୍କ କୃପା ଠାରୁ କୃପା ନାହିଁ। ତାଙ୍କ ପ୍ରେମଠାରୁ ପ୍ରେମ ନାହିଁ। ମନର ବ୍ୟାକୁଳତାରୁ ସେ ଅନୁଭୂତ ହୁଅନ୍ତି। ମିଛ ଦୁନିଆରେ ସେ ଗୋଟିଏ ସତ; ସେ ଜଗତର ନାଥ ଜଗନ୍ନାଥ ସର୍ବମଙ୍ଗଳମୟ ପ୍ରକୃତିକୁ ସୁନ୍ଦର ରୂପରେ ସଜାଇ ସର୍ବଶକ୍ତିମାନ ରୂପରେ ପ୍ରତିଷ୍ଠିତ। ଯିଏ ସର୍ବଶକ୍ତିମାନ, ସର୍ବଗୁଣାଧାର, ସୁଖଦଃୁଖାତୀତ, ମାୟାମମତା ରହିତ, ଚୈତନ୍ୟ ତୃପ୍ତି ସତ୍ତା ଆନନ୍ଦମୟ ଭାବରେ ଅଧିଷ୍ଠିତ ସେ ହିଁ ମଙ୍ଗଳମୟ କଲ୍ୟାଣକାରୀ। ଗୁଣାଧାର ବ୍ରହ୍ମା ବିଷ୍ଣୁ ମହେଶ୍ୱର ରୂପରେ ଯିଏ ବିଦ୍ୟମାନ, ସୃଷ୍ଟି ସ୍ଥିତି ବିଲୟ ରୂପରେ ଯେ ତରଙ୍ଗାୟିତ, ସର୍ବନାମରେ ସେ ଆଖ୍ୟାୟିତ। ସେ ସର୍ବତ୍ର ମନ୍ତ୍ର, ତନ୍ତ୍ର, ଯନ୍ତ୍ରରେ ସର୍ବତ୍ର ଅଧିଷ୍ଠିତ। ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ତ୍ରିଗୁଣାତ୍ମକ ତତ୍ତ୍ବ ଧର୍ମରେ ଯିଏ ବିଶ୍ୱ ମଙ୍ଗଳକାରୀ ପାଳକ ସେ ହିଁ ମଙ୍ଗଳମୟ। କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ। ସେ ଅଚିନ୍ତ୍ୟ, ଅବ୍ୟକ୍ତ, ମନସାନୁଗମ୍ୟ, ସୂକ୍ଷ୍ମାଦପି ସୂକ୍ଷ୍ମ, ପୁଣି ସ୍ଥୂଳାଦପି ସ୍ଥୂଳ ରୂପେ ଯିଏ ଜଗତ କଲ୍ୟାଣ ପାଇଁ ଅତି ନିକଟରେ କଲ୍ୟାଣ ମୁଦ୍ରାରେ ଦଣ୍ଡାୟମାନ। ସେ କେବେ ତ୍ରିଗୁଣାତ୍ମକ ଶକ୍ତି ପୁଣି କେବେ ପଞ୍ଚତତ୍ତ୍ବ ଶରୀରୀ ପୁଣି ଅନିର୍ବଚନୀୟ ଆଧ୍ୟାତ୍ମିକ ଚେତନାର ଉତ୍ସ। ଶରୀର ଭିତରେ ଥାଇ ଶରୀରକୁ ରକ୍ଷା ପାଇଁ ସେହି ଗୁଣାତୀତ ରୂପେ ହୃଦୟ କନ୍ଦରରେ ବସି ଅମୃତର ବାରିଧାରା ବୁହାଇ ଥାନ୍ତି। ସେ ସବୁ ଭିତରେ ଥାଇ ପ୍ରାଣୀର ମଙ୍ଗଳ ପାଇଁ ଅଲୌକିକ ପରାଶକ୍ତି ଅପରାଶକ୍ତିର ନୈପୁଣ୍ୟରେ ଭରପୂର। ସେ ଆଧ୍ୟାତ୍ମିକ ଚେତନାର ସର୍ବୋତ୍ତମ ଶାଶ୍ବତ ଉତ୍ସ।
ଧର୍ମ ହେଉଛି ଉପାସନାର ପୁଞ୍ଜି କିନ୍ତୁ ଆଧ୍ୟାତ୍ମିକତା ଏକ ଦିବ୍ୟ ଚେତନାର ମାର୍ଗ। ଗୀତା, କୋରାନ, ବାଇବେଲର ତତ୍ତ୍ବାର୍ଥ ନିର୍ଯାସର ଊର୍ଦ୍ଧ୍ବରେ ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତା ହେଉଛି ମାନବ କୈନ୍ଦ୍ରିକ ବା ବିଶ୍ୱକୈନ୍ଦ୍ରିକ, ଧର୍ମ ହେଊଛି ଗୋଷ୍ଠୀକୈନ୍ଦ୍ରିକ। ଜଗନ୍ନାଥ ହେଉଛନ୍ତି ସର୍ବ ଧର୍ମର ସମନ୍ୱୟକାରୀ। ସେ ଶାନ୍ତି, ମୈତ୍ରୀ, ପ୍ରେମ, ସାମ୍ୟ , ଏକତା ଓ ଆନନ୍ଦର ଅମୃତ ଧାରା। ବିଭିନ୍ନ ଧର୍ମର ପ୍ରଚାରକ ଅଛନ୍ତି; କିନ୍ତୁ ଜଗନ୍ନାଥ ସଂସ୍କୃତିରେ କେହି ପ୍ରଚାରକ ନାହାନ୍ତି। କାରଣ ସେ ଆଦି ସନାତନ। ବୃହତ୍ତର ଅର୍ଥରେ ସେ ଅବତାର ଭାବେ ଜନ୍ମ ନିଅନ୍ତି ଧର୍ମ ରକ୍ଷା ପାଇଁ ବା ପ୍ରଚାର ପାଇଁ ନୁହେଁ। ଆଜି ଭୌତିକ ଓ ବୌଦ୍ଧିକ ବିକାଶର ପ୍ରହେଳିକାରେ ମଣିଷ ଦିଗହରା। ମାନସିକ ସନ୍ତୁଳନ ହରାଉଥିବା, ଜଞ୍ଜାଳରେ ଅସ୍ତବ୍ୟସ୍ତ ହେଉଥିବା ମଣିଷ ପାଇଁ ଈଶ୍ୱରୀୟ ଚେତନା ହେଉଛି ସର୍ବୋତ୍କୃଷ୍ଟ ମାର୍ଗ। ଭୌତିକ ଓ ବୌଦ୍ଧିକ ଶକ୍ତିର ବିକାଶ ପରମାତ୍ମା ତତ୍ତ୍ବର ଅନୁଭବକୁ ଋଦ୍ଧିମନ୍ତ କରାଏ। ସମୟର ଭୌତିକ ବେଗରେ ମନକୁ ଆୟତ୍ତ କରି ଅନ୍ତର୍ମୁଖୀ କରି ଆତ୍ମବିଶ୍ୱାସ ବୃଦ୍ଧି କରିବାର ପଥ। ଏହା ଦିବ୍ୟ ଭାବମୟ ମାର୍ଗ। ଦିବ୍ୟ ଶକ୍ତି ଓ ଦିବ୍ୟ ଭାବନାରେ ଭାବାୟିତ ମଣିଷ ମନରୁ େଦ୍ବୖତ ଭାବ ଦୂରୀଭୂତ ହୋଇଯାଏ; ସେତେବେଳେ ତା ଚିତ୍ତ ଖୁବ୍ ତନ୍ମୟ ହୋଇ ତଲ୍ଲୀନ ହୋଇଯାଏ। ଚିନ୍ତା ଯେତେବେଳେ ଚିନ୍ମୟ ଚିନ୍ତନରେ ରୂପାନ୍ତରିତ ହୁଏ ସେତେବେଳେ ସ୍ୱୟଂ ପରମାନନ୍ଦ ଲାଭ କରିବାର ତୃପ୍ତି ମିଳେ।
ଚିନ୍ମୟ ଚିନ୍ତନର ବିଶେଷତ୍ୱ ହେଉଛି ଦ୍ୱନ୍ଦ୍ବାତୀତ ଗୁଣ ବର୍ଜିତ ନିର୍ବିକଳ୍ପ ଭଗବାନ। ଈଶ୍ୱର ଚିନ୍ତନ ପ୍ରଭାବ ସମସ୍ତ ସଂକୀର୍ଣ୍ଣ ଧର୍ମ ଭାବନା ଊର୍ଦ୍ଧ୍ବରେ ଥାଇ ଅଜ୍ଞତାର ଅନ୍ଧବିଶ୍ୱାସକୁ ଦୂର କରେ। ବର୍ତ୍ତମାନ ଧାର୍ମିକ ଭାବନା ସ୍ୱାର୍ଥାନ୍ୱେଷୀ ହୋଇ ବ୍ୟକ୍ତି, ବ୍ୟଷ୍ଟି ଓ ସମାଜକୁ କଳୁଷିତ କରୁଛି। ଅନାବିଳ, ନିଷ୍କପଟ, କାମନାମୁକ୍ତ ହୃଦୟ ଆଧ୍ୟାତ୍ମିକତାର ଆଧାର। ନୀତିରୁ ନୈତିକତା, ସତ୍ୟରୁ ସାତ୍ତ୍ବିକତା ଅନୁସୃତ। ବ୍ୟକ୍ତିର କର୍ମ ଆଚରଣ ମନକୁ ପ୍ରଭାବିତ କରେ। ଆଧ୍ୟାତ୍ମିକତା ମାର୍ଗରେ ଅଗ୍ରସର ହେଲେ, ବ୍ୟକ୍ତି ନିଜ ଜୀବନକୁ ବନ୍ଧନ ମୁକ୍ତ, ଭୟମୁକ୍ତ ଏବଂ ଶାନ୍ତି ଯୁକ୍ତ କରି ଗଢ଼ିପାରେ। ବୌଦ୍ଧିକତା ଭିତରେ ଜୀବିକା ଓ ଜୀବନର ପାର୍ଥକ୍ୟ ବୁଝି ହୁଏ ନାହିଁ। ବସ୍ତୁବାଦୀ ଦୁନିଆରେ ଜୀବନ ଶେଷ ହୁଏ ପାଇବାରେ କିଛି ହାସଲ କରିବାରେ; କିନ୍ତୁ ପ୍ରକୃତ ଜୀବନ ଆରମ୍ଭ ହୁଏ ଦେବା, ସେବା ଓ ତ୍ୟାଗରେ। ବିନ୍ଦୁଏ ତ୍ୟାଗରେ ସିନ୍ଧୁଏ ଆନନ୍ଦ ମିଳେ। ବିବେକ ବିହୀନ ଜ୍ଞାନୀ କିମ୍ବା ହୃଦୟ ବିହୀନ ଧନୀ ମଣିଷ ତା ଜୀବନର ପ୍ରଚଣ୍ଡତା ହୃଦୟଙ୍ଗମ କରିପାରେ ନାହିଁ। ସଂସାରରେ ଜୀବନ ଧାରଣ ପାଇଁ କିଛି ପଇସା ରୋଜଗାର ଦରକାର; କିନ୍ତୁ ବିବେକାନୁମୋଦିତ ରୋଜଗାର ମଣିଷକୁ ଦିଏ ଶାନ୍ତି ଏବଂ ପରମ ଆନନ୍ଦ। ବିବେକ ବିରୋଧରେ ସମସ୍ତ ଧନ ସମ୍ପତ୍ତି ଠୁଳ କରିବା ଦୁଃଖ ଦିଏ। ଶେଷ ପରିଣତି ହୁଏ ବିଷାଦପୂର୍ଣ୍ଣ। ସ୍ୱାର୍ଥ ନିହିତ ସମସ୍ତ କର୍ମ ନିନ୍ଦା ଓ କ୍ଳେଶରେ ପରିଣତ ହୁଏ।
ଅନେକ ଜନ୍ମ ପରେ ମାନବ ଦେହ ଧାରଣ କରି ପ୍ରାରବ୍ଧ ଭୋଗ କରେ। ଏ ଜନ୍ମରେ କିଛି ସୁକର୍ମ କଲେ ହୁଏତ ତାହା ପରଜନ୍ମ ପାଇଁ ପ୍ରାରବ୍ଧ ହୁଏ। ଏହି ଧାରାରେ ଜାତି ଗୋଟିଏ- ମଣିଷ ଜାତି, ଗୋଟିଏ ଧର୍ମ ହେଉଛି – ମାନବିକତା (ପ୍ରେମ), ଈଶ୍ୱର ଗୋଟିଏ। ରେ ଆତ୍ମନ, ଜଗନ୍ନାଥଠାରୁ ଆଉ କେହି ଶକ୍ତିଶାଳୀ ନୁହେଁ। ସେ ଅନାଦି, ଅନନ୍ତ, ଅବ୍ୟକ୍ତ, ଅଦମ୍ୟ, ଅସୀମ, ଅଖଣ୍ଡ, ଅଦୃଶ୍ୟ, ଅନାମ, ଅଘଟ, ଅମାପ, ଏବଂ ଅଦ୍ୱିତୀୟ। ସେ ତ୍ରିଗୁଣାତୀତ ସର୍ବବ୍ୟାପକ। ସେ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମଣ୍ଡର ମାଲିକ। ସକଳ ଜୀବର ପ୍ରାଣ କେନ୍ଦ୍ର। କୋଟି ଜଗତର ରାଜରାଜେଶ୍ୱର। ସେ ଭକ୍ତାଧୀନ। ଜଣେ ଭକ୍ତ ପାଇଁ ଯାହାର ହାତ ପ୍ରସାରିତ ହୋଇଯାଏ। ଜଣେ ଅଭିମାନୀ ଭକ୍ତ ପାଇଁ ଯାହାର ବକ୍ଷଦେଶରେ ତାହାର ପଦଚିହ୍ନ ଦେଖାଯାଏ। ଭକ୍ତଟିଏ କେବେ ତା ନିକଟରେ ସମ୍ପୂର୍ଣ୍ଣ ଶରଣାଗତ ହେଲେ ତାହାର ପଦଧୌତ କରିବାକୁ ପଡେ ତ ପୁଣି କେବେ ସରଳ ବିଶ୍ୱାସୀ ବାଳକଟି ପାଇଁ ସେ ଅବତାର ହୋଇ ଜନ୍ମ ନିଅନ୍ତି। କେଉଁଠି ଲଜ୍ଜା ନିବାରଣ କରନ୍ତି ତ ଆଉ କେଉଁଠି ଆରତ ତ୍ରାଣ କରନ୍ତି। କେତେବେଳେ ଉଚ୍ଛିଷ୍ଟ ରୁଚିପୂର୍ଣ୍ଣ ହୁଏତ ପୁଣି କେତେବେଳେ ସ୍ନେହର ଶାକାନ୍ନ। କେତେବେଳେ ଅହଲ୍ୟା କେତେବେଳେ କୁବୁଜା କିମ୍ବା ଗଜକୁ ତାରଣ କରନ୍ତି। ଜଣେ ଭକ୍ତ ପାଇଁ ଯୁଗଳବନ୍ଦୀରେ ସେ ବନ୍ଧା ତ ଆଉ କାହା ପାଇଁ ତାଙ୍କ ରଥ ଅଟକି ଯାଏ।
ମଣିଷ ଶରୀର କ୍ଷଣସ୍ଥାୟୀ। ଦେଖୁଥିବା ସମସ୍ତ ଜିନିଷର ବିଯୋଗ ଘଟେ। ରେ ଆତ୍ମନ, ଏ ଶରୀର, ମନ, ବୁଦ୍ଧି, ବିବେକ, ଜ୍ଞାନ,ଏ ଧନ-ଜନ-ଗୋପ-ଲକ୍ଷ୍ମୀ ଆଦି ତୋର କିଛି ବା କେହି ନୁହେଁ। ଆତଜାତ ପବନଟି ବନ୍ଦ ହେଇ ଗଲେ ସବୁ ଖେଳ ସମାପ୍ତ। ତେଣୁ ସମସ୍ତ ଲୋଭ, ହିଂସା ଅହଂକାର ପରିତ୍ୟାଗ କରିବା ଊଚିତ। ତାଙ୍କ ସୃଷ୍ଟିରେ ସୂର୍ଯ୍ୟ ଗୋଟିଏ, ଚନ୍ଦ୍ର ଗୋଟିଏ, ମଣିଷ ଗୋଟିଏ। ଏହିପରି ସମସ୍ତ ଭୂତ ଆଉ ପ୍ରକୃତି। କେବଳ ପ୍ରକାର ଭେଦ ଅଲଗା। ତେଣୁ ନିଜ ମନକୁ ସଂଯତ କରିବା ଉଚିତ। ଘୋଡ଼ାରୂପୀ ମନକୁ ବିବେକ ରୂପୀ ଚାବୁକ ଦ୍ୱାରା ଶାସନ କରିବା ବିଧେୟ। ସାରା ଜଗତ କଲ୍ୟାଣ ନିମନ୍ତେ ନଶ୍ୱର ଶରୀର ବିନିଯୋଗ କରିବା ଉଚିତ। ସାରା ଜଗତ ଦ୍ୱାରା ଓ ଜଗତ ପାଇଁ ଆମେ ବଞ୍ଚିଛୁ। ସମସ୍ତେ ଆମର, ଆମେ ସମସ୍ତଙ୍କର। ତେଣୁ ତ୍ୟାଗ, ସେବା, ଦାନ କରିବାରେ ଜୀବନର ସାର୍ଥକତା। ପ୍ରେମ, ଭକ୍ତି, ଜ୍ଞାନର ପିପାସୁ ବନିବା ଜୀବନର ଶ୍ରେଷ୍ଠ ଧର୍ମ। ପ୍ରତ୍ୟେକ ମଣିଷ ପ୍ରକୃତିର ଉପାସକ ସାଜିବା ଉଚିତ। ଈଶ୍ୱରଙ୍କ ସୃଷ୍ଟିକୁ ନେଇ ମଣିଷର ସମସ୍ତ ଜ୍ଞାନ-ବିଜ୍ଞାନ; କିନ୍ତୁ ସେ ବିଜ୍ଞାନ ଅଧୀନ ନୁହନ୍ତି। ପ୍ରକୃତି ତାଙ୍କର ଅଧୀନ, ସେ ପ୍ରକୃତି ଅଧୀନ ନୁହନ୍ତି। ମହାବାତ୍ୟା, ମହାବନ୍ୟା, ମହାପ୍ରଳୟ, ମହାସମର ଇତ୍ୟାଦି ଈଶ୍ୱରଙ୍କ ଅଧୀନରେ। ଆଗନ୍ତୁକ ସବୁ ମହାପ୍ରଳୟକୁ ମଣିଷ କେବେ ରୋକି ପାରିବ ନାହିଁ। ତାଙ୍କର ବିନା ନିର୍ଦେଶରେ ଦୂବଘାସ ବି ହଲେ ନାହିଁ।
ସେ ନିରବ କିନ୍ତୁ ଭାବଗ୍ରାହୀ। ଆମେ ଯେମିତି ଭାବିବା ସେମିତି ହେବା। ଯେମିତି ଆମେ ସଜେଇବା ତାଙ୍କର ସେମିତିକା ଦର୍ଶନ ପାଇବା। ସେ ସମସ୍ତଙ୍କ ରୂପ ନେଇପାରିବେ କିନ୍ତୁ ସେ ଅନ୍ୟ କୌଣସି ଦେବଦେବୀ ତାଙ୍କ ରୂପରେ ପ୍ରକାଶିତ ହୋଇ ପାରିବେ ନାହିଁ। କୌଣସି ଦେବଦେବୀ କଥା କୁହନ୍ତି ନାହିଁ। ଯେ ଯାହାର ଭାବ ନେଇ ସେ ପୂଜିତ ଓ ସେବିତ। ଆମ ମନର ଇଚ୍ଛାଶକ୍ତି ବଳରେ ଜଗନ୍ନାଥଙ୍କର ନିକଟତର ହେଉ ଏବଂ ସାନ୍ନିଧ୍ୟ ମଧ୍ୟ ଲାଭ କରୁ। ଭକ୍ତ ଆଉ ସେ ଏକାକାର ହୋଇ ଯାଆନ୍ତି। ସବୁ ଜଳ କେବଳ ସମୁଦ୍ରରେ ହିଁ ମିଶିଯାଏ, ଅନ୍ୟଥା ନୁହେଁ। ନଦୀର ଇଚ୍ଛା ନଥିଲେ ମଧ୍ୟ ସମୁଦ୍ରରେ ମିଶି ଲୀନ ହେଇଯାଏ। ଏହା ନଦୀର ଧର୍ମ। ନିଜର ସତ୍ତା ହଜାଇବାରେ ହିଁ ନଦୀର ଶ୍ରେଷ୍ଠ ପ୍ରାପ୍ତି ଓ ପରିତୃପ୍ତି। ଆତ୍ମା ପରମାତ୍ମାରେ ବିଲୀନ ହେବାରେ ଜୀବନର ପରମ ଲକ୍ଷ୍ୟ। ସେହିପରି ସ୍ଥୂଳ ଜଗତର ସସୀମ ଶରୀରଧାରୀ ଆତ୍ମା ପରମାତ୍ମ ସାଙ୍ଗେ ବିଲୀନ ହେବା ହେଉଛି ଶ୍ରେଷ୍ଠ ପ୍ରାର୍ଥନ। ସ୍ୱଧର୍ମ ନିହିତ ଜୀବନ ଯାତ୍ରାର ମୂଳ ପ୍ରବଣତା ହେଉଛି ସ୍ୱଧାମକୁ ଫେରିବା। ଜୀବନର ଅର୍ଥ ପୁଣ୍ୟ ଅର୍ଜନ ନୁହେଁ; କିଛି କରୁଣା ପ୍ରାପ୍ତି ନୁହେଁ। ସସୀମତା ହରାଇ ଅସୀମତାର ଅଂଶ ହେବା ହେଉଛି ମଣିଷ ଜୀବନର ପ୍ରଚଣ୍ଡତା। ପ୍ରାର୍ଥନା କରାଯାଏନି କିଛି ମାଗିବା ବା କିଛି ପାଇବା ପାଇଁ, ନିଜକୁ ସମର୍ପଣ କରି ଆଧ୍ୟାତ୍ମିକ ଲୋକଟି ଈଶ୍ୱରଙ୍କଠାରେ ବିଲୀନ ହେଇ ଯିବା ପାଇଁ ଭିକ୍ଷା କରିଥାଏ। ଏହା ସବୁ ମଣିଷର ଦିବ୍ୟ ପ୍ରବଣତା। ଆମମାନଙ୍କର ସୁଖ ଦଃଖର ସାଥୀ ହେଉଛନ୍ତି ପୃଥିବୀର ଆରାଧ୍ୟ ଦେବତା ଜଗତର ନାଥ। ସେ ସୀମାବଦ୍ଧ ନୁହନ୍ତି, ସେ ସୀମାହୀନ। ସେ ବେଦ, ବେଦାନ୍ତ, ପୁରାଣ ପୁରୁଷ ପୁରୁଷୋତ୍ତମ ରୂପେ ବିଶ୍ୱପ୍ରସିଦ୍ଧ। ତାଙ୍କୁ କିଏ କହେ କୋଟି ବ୍ରହ୍ମାଣ୍ଡର ପାଳନକର୍ତ୍ତା ଆନନ୍ଦବ୍ରହ୍ମ। ଅସଂଖ୍ୟ ଅବତାରର ଜନକ, ପତିତପାବନ। ଅଗତିର ଗତି ଆଉ କାହା ଦୃଷ୍ଟିରେ ସେ ନୀଳାଦ୍ରିନାଥ, ପ୍ରବଳ ମତ୍ତବାରଣ, ପୁରୁଷ ପୁଙ୍ଗବ ଏବଂ ରହସ୍ୟମୟ ଦାରୁ ଦେବତା। ସେ ଏକ ମୂର୍ତ୍ତି ନୁହନ୍ତି କିମ୍ବା ଧର୍ମ ନୁହନ୍ତି। ସେ ସମଗ୍ରତା ଓ ସମ୍ପୂର୍ଣ୍ଣତାର ବିଗ୍ରହ। ସେ ବିଶ୍ୱମୈତ୍ରୀର ଦେବତା।
ସାମ୍ୟବାଦର ଏକ ଅଟଳ ମହାମେରୁ। ସନାତନ ଧର୍ମରେ ମୂଳନୀତି ହେଉଛି, ବସୁଧୈବ କୁଟୁମ୍ବକମ୍। ଏ ବସୁଧା ମାଆର ସକଳ ପ୍ରାଣୀ ଏକ କୁଟୁମ୍ବର ଅନ୍ତର୍ଭୁକ୍ତ ବୋଲି ଶ୍ରୀମଦ୍ ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି। ବେଦ ବେଦାନ୍ତରେ ସେହି ସମାନ ଚିନ୍ତାଧାରା ପ୍ରକଟିତ। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା। ଭାଗବତ କହେ ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ। ସବୁ ମଣିଷ ମଧ୍ୟରେ ଈଶ୍ୱର ସତ୍ତା ବିଦ୍ୟମାନ। ଆଜିର ମଣିଷ ସମ୍ପୂର୍ଣ୍ଣ ମୋହ ମାୟାଗ୍ରସ୍ତ। ହିଂସା, ଦ୍ୱେଷ, ଅହଂକାର ପରିପୂର୍ଣ୍ଣ ମଣିଷର ମନ ଓ ହୃଦୟ। ବସ୍ତୁବାଦୀ ଭିତରେ ଉବୁଟୁବୁ ହୋଇ ସେ ଦିଗହରା। ନିଜକୁ ବଡ ମଣିବାରେ ସେ ଆନନ୍ଦିତ। ସାରା ଜୀବନ ଅହଂ ଚାଳିତ। ତେଣୁ ସବୁ ଭେଦଭାବ, ଉଚ୍ଚ, ନୀଚ, ଧନୀ, ଦରିଦ୍ର ସମସ୍ତ ସଂକୀର୍ଣ୍ଣ ମନୋଭାବ ଦୂରକରି ଜାତି ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ। ଆସନ୍ତୁ ଜଗନ୍ନାଥ ଦର୍ଶନର ସାମ୍ୟ ମୈତ୍ରୀ ଭାବକୁ ବଜାୟ ରଖିବା ପାଇଁ ଶପଥ ନେବା ଓ ସାରା ବିଶ୍ୱରେ ମାନବିକତା ପ୍ରଚାର ପ୍ରସାର କରିବା।
Comments are closed.