ଜରୁରୀ ସ୍ଥିତିରୁ ଶିକ୍ଷା- ସବୁରି ଉପରେ ମଣିଷ ବଡ଼
ଚିତ୍ତରଞ୍ଜନ ମହାନ୍ତି
ବିଶ୍ୱର ବିଭିନ୍ନ ସାହିତ୍ୟ ସାଧାରଣ ମଣିଷକୁ ହିଁ ଦେଶ ଓ ସମାଜର କେନ୍ଦ୍ର ବିନ୍ଦୁ କରିଛି। କବିଗୁରୁଙ୍କ ଭାଷାରେ ସବୁରି ଉପରେ ମଣିଷ ବଡ; ତା’ଉପରେ କେହି ନାହିଁ। ଆମ ବିପ୍ଳବୀ କବି ଲେଖିଛନ୍ତି –
“ମଣିଷକୁ ଥରେ ପଢ଼ ପଢ଼, ମଣିଷଠାରୁ କେ ଅଛି ବଡ଼,
ମଣିଷ ତ ବଡ଼ ଗ୍ରନ୍ଥ କିତାବ, ସାରା ଦୁନିଆର କାରିଗର।”
ନର ଭିତରେ ନାରାୟଣ ଥିବା ଏକ ସାର୍ବଜନୀନ ମାନ୍ୟତା। ବ୍ୟକ୍ତିକୁ ନେଇ ଓ ବ୍ୟକ୍ତିର ସୁରକ୍ଷା ପାଇଁ ସମାଜ ଗଠିତ ହୋଇଛି। ତାକୁ ଶୃଙ୍ଖଳିତ କରିବା ପାଇଁ ଶାସନ। ରାଜତନ୍ତ୍ର ବିଫଳ ଓ ଅମାନୁଷିକ ହେବାରେ ଆଧୁନିକ ଦୁନିଆ ଗଣତନ୍ତ୍ରକୁ ଶ୍ରେଷ୍ଠ ଶାସନ ବ୍ୟବସ୍ଥା ଭାବେ ଆପଣେଇ ନେଲା। ଆମ ଦେଶ ୧୯୪୭ ମସିହାରେ ସ୍ୱାଧୀନ ହେଲାପରେ ପୂର୍ବରୁ ଗଠିତ ସମ୍ବିଧାନ ପ୍ରଣୟନ ସଭା ଆମକୁ ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଏକ ଗଣତାନ୍ତ୍ରିକ ସମ୍ବିଧାନ ଦେଲା ଯାହା ୧୯୫୦ ଜାନିଆରୀ ୨୬ ଠାରୁ ଲାଗୁ ହୋଇ ଅଦ୍ୟାବଧି ରହିଛି।
୧୯୭୫ ଜୁନ ୨୫ ମଧ୍ୟରାତ୍ରିରେ ପ୍ରଥମଥର ପାଇଁ ସମ୍ବିଧାନର ଆତ୍ମା ଗଣତନ୍ତ୍ର ଉପରେ ମରଣାତ୍ମକ ପ୍ରହାର ହେଲା। ଦୀର୍ଘ ଦେଢ ବର୍ଷ କାଳ ସାରା ଦେଶ ମୂକ ସାଜି ମଣିଷ ଉପରେ ଶାସନତନ୍ତ୍ରର ନିରଙ୍କୁଶ ବଳ ପ୍ରୟୋଗ ଓ ଅବିଚାରକୁ ଦେଖିଲା। ୧୯୭୭ ମସିହା ନିର୍ବାଚନରେ ଜନଗଣ ଭୋଟ ମାଧ୍ୟମରେ ସରକାର ବଦଳାଇ ଗଣତନ୍ତ୍ରକୁ ପୁନର୍ଜିବିତ କଲେ।
ଆଜି ଭଳି ୧୯୭୪ ମସିହାରେ ଦରବୃଦ୍ଧି ଫଳରେ ଜନଜୀବନ ଅତିଷ୍ଠ ହୋଇ ପଡିଲା। ଛାତ୍ରମାନଙ୍କ ହଷ୍ଟେଲ ଖର୍ଚ୍ଚ ବଢିବା ଫଳରେ ସାଧାରଣ ଘରର ଛାତ୍ରଛାତ୍ରୀ ପାଠରେ ଡୋରି ବାନ୍ଧିବା ପରିସ୍ଥିତି ଉପୁଜିଲା। ପ୍ରଥମେ ଗୁଜରାଟ ଓ ପରେ ବିହାରରେ ତୀବ୍ର ଛାତ୍ର ଆନ୍ଦୋଳନ ହେଲା। ଗୁଜରାଟ ବିଧାନସଭା ଭାଙ୍ଗି ସାନି ନିର୍ବାଚନ କରାଗଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ‘ଭାରତ ଛାଡ’ ଆନ୍ଦୋଳନର ନାୟକ ଜୟପ୍ରକାଶଙ୍କ ତତ୍ତ୍ବାବଧାନରେ ଛାତ୍ର ଆନ୍ଦୋଳନ ଜନ ଆନ୍ଦୋଳନର ରୂପ ନେଲା। ଏହାକୁ ସଂପୂର୍ଣ୍ଣ କ୍ରାନ୍ତିର ଆଖ୍ୟା ଦିଆଗଲା। ମନ୍ତ୍ର ହେଲା- ‘ସଂପୂର୍ଣ୍ଣକ୍ରାନ୍ତି ଅବ ନାରା ହୈ, ଭାବୀ ଇତିହାସ ହମାରା ହୈ’।
ଜୟପ୍ରକାଶ ପ୍ରାମାଣିକ ବିଶ୍ଳେଷଣ କରି କହିଲେ, “ରାଜନୈତିକ ଭ୍ରଷ୍ଟାଚାର ସବୁ ଭ୍ରଷ୍ଟାଚାରର ଜନନୀ ଓ ଦରବୃଦ୍ଧିର ପ୍ରମୁଖ କାରଣ।”
୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ ‘ଗରିବୀ’ ହଟାଇବେ କହି ବିପୁଳ ଭୋଟରେ କେନ୍ଦ୍ରରେ ସରକାର ଗଢିଥିଲେ। ଉତ୍ତର ପ୍ରଦେଶ ରାଏବରେଲି ଲୋକସଭା ଆସନରୁ ସେ ନିଜେ ବିପୁଳ ଭୋଟରେ ଜିଣିଥିଲେ। ପରାଜିତ ପ୍ରାର୍ଥୀ ସମାଜବାଦୀ ନେତା ରାଜନାରାୟଣ ନିର୍ବାଚନରେ ଭ୍ରଷ୍ଟାଚାର ଅଭିଯୋଗରେ ଇନ୍ଦିରାଙ୍କ ନାଁରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ନିର୍ବାଚନ ମାମଲା ଦାଏର କଲେ। ୧୯୭୫ ମସିହା ଜୁନ୍ ୧୨ ତାରିଖରେ ରାୟ ଘୋଷଣା ହେଲା। ସାରା ଦୁନିଆକୁ ଚକିତ କରି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ଜଗମୋହନ ଲାଲ ସିହ୍ନା ଐତିହାସିକ ରାୟ ଦେଇ ଇନ୍ଦିରାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ। ସରକାରୀ କଳ ଓ ସରକାରୀ ଅଫିସର(ଯଶପାଲ କପୁର)ଙ୍କୁ ଇନ୍ଦିରା ଗାନ୍ଧୀ ନିର୍ବାଚନରେ ବ୍ୟବହାର କରିଥିବା ପ୍ରମାଣିତ ହେଲା। ସାମ୍ବିଧାନିକ ସଂକଟ ଉପୁଜିବା ସମ୍ଭାବନା କଥା କହି ରାୟକୁ ୨୦ଦିନ ପାଇଁ ସ୍ଥଗିତ ରଖିବା ଆବେଦନକୁ ବିଚାରପତି ଗ୍ରହଣକଲେ; କିନ୍ତୁ ଇନ୍ଦିରା ଗାନ୍ଧୀ ଓ ତାଙ୍କ ସମର୍ଥକମାନେ ସେ ଦିନଗୁଡିକୁ ଜନମତ ଯୋଗାଡରେ ଲଗାଇଲେ। ଲୋକବୁହା ବିକ୍ଷୋଭମାନ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେଲା। ନ୍ୟାୟ ପାଳିକାର କ୍ଷମତା, ଚରିତ୍ର ଓ ଲକ୍ଷ୍ମଣ ରେଖା ଉପରେ ଲେଖା ପ୍ରକାଶ କରାଗଲା। କିଛି ଫଳପ୍ରଦ ହେଲା ନାହିଁ।
ସେହି ୧୨ ତାରିଖରେ ଗୁଜରାଟ ବିଧାନସଭାର ମଧ୍ୟବର୍ତ୍ତୀ ନିର୍ବାଚନର ଫଳ ପ୍ରକାଶ ହେଲା। କଂଗ୍ରେସ ଦୟନୀୟ ଭାବେ ହାରିଲା ଓ ମିଳିତ ବିରୋଧୀ ଦଳ ଜନପକ୍ଷ ନାଁରେ ଭାବୁଭାଇ ପଟେଲଙ୍କ ନେତୃତ୍ୱରେ ସରକାର ଗଢିଲା। ଉଚ୍ଚ ନ୍ୟାୟାଳୟର ରାୟକୁ ଉଚ୍ଚତମ ନ୍ୟାୟାଳୟର ସ୍ୱନାମ ଧନ୍ୟ ନ୍ୟାୟମୂର୍ତ୍ତି ଜଷ୍ଟିସ କୃଷ୍ଣ ଆୟାର ଊଣା ଅଧିକେ କାଏମ ରଖିଲେ।
ନ୍ୟାୟପାଳିକାକୁ ଜବତ କରିବାପାଇଁ ଓ ନିଜ ଲୋକଙ୍କୁ ସୁବିଧା ଦେବାପାଇଁ ତିନିଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଜେ.ସେଲହଟ, ଜଷ୍ଟିସ କେ.ଏସ୍.ହେଗଡେ ଓ ଜଷ୍ଟିସ ଏ.ଏନ୍.ଗ୍ରୋଭରଙ୍କୁ ଟପାଇ କନିଷ୍ଠ ଜଷ୍ଟିସ ଏ.ଏନ୍. ରାୟଙ୍କୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି କରାଗଲା। ତିନିଜଣଯାକ ସ୍ୱାଭିମାନୀ ଥିଲେ ଓ ଇସ୍ତଫା ଦେଇ ସଂପୂର୍ଣ୍ଣ ଚାପମୁକ୍ତ ହୋଇ ଦେଶସେବା କଲେ। ସେମାନଙ୍କ ନୀତିନିଷ୍ଠ ଚରିତ୍ରପାଇଁ ସେମାନଙ୍କୁ ଏ ମୂଲ୍ୟ ଦେବାକୁ ପଡିଲା। ଐତିହାସିକ କେଶବାନନ୍ଦ ଭାରତୀ ମାମଲାରେ ସେମାନେ ସ୍ପଷ୍ଟ ରାୟ ଦେଇଥିଲେ ଯେ ସାମୟିକ ସରକାର(ସଂସଦକୁ ବ୍ୟବହାର କରି) ସମ୍ବିଧାନର ଶାଶ୍ୱତ ଚରିତ୍ର (ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା ଆଦି) ବଦଳାଇ ପାରିବେ ନାହିଁ।
ମନ୍ତ୍ରିମଣ୍ଡଳ ନ ବସାଇ ଇନ୍ଦିରା ୨୫ଜୁନ ମଧ୍ୟ ରାତ୍ରିରେ ରାଷ୍ଟ୍ରପତି ଫକିରୁଦ୍ଦିନ ଅହମ୍ମଦଙ୍କ ମାଧ୍ୟମରେ ଦେଶରେ ଆଭ୍ୟନ୍ତରୀଣ ଜରୁରୀ ସ୍ଥିତି ଜାରି କଲେ। ୨୬ତାରିଖ ଭୋରରୁ ବ୍ୟାପକ ଗିରଫଦାରୀ ସାରା ଦେଶରେ ଆରମ୍ଭ ହୋଇଗଲା। ସ୍ୱୟଂ ଜୟପ୍ରକାଶ, ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରୁ ଗିରଫ ହେଲେ। କ୍ଷୋଭରେ ସେ କହିଲେ- ବିନାଶ କାଳେ ବିପରୀତ ବୁଦ୍ଧି। ପୂର୍ବଦିନ ସନ୍ଧ୍ୟାରେ ଦିଲ୍ଲୀରେ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ଘୋଷଣା କରିଥିଲେ- ଯେଉଁ ସରକାର ନ୍ୟାୟାଳୟର ଆଦେଶ ମାନିବ ନାହିଁ ସେ ସରକାରକୁ ସତ୍ୟାଗ୍ରହ ବଳରେ ଅଚଳ କରିଦିଆଯିବ। ଜୟପ୍ରକାଶଙ୍କୁ ଭେଟିବାକୁ ଆସିଥିବା କଂଗ୍ରେସ ନେତା ଚନ୍ଦ୍ର ଶେଖରଙ୍କୁ ମଧ୍ୟ ଗିରଫ କରାଗଲା। ପରେ ସେ ଜନତା ପାର୍ଟିର ସଭାପତି ଓ ପ୍ରଧାନମନ୍ତ୍ରୀ ଭାବେ ପ୍ରତିଦାନ ପାଇଲେ।
ସାନ, ବଡ, ନମ୍ର, ଉଗ୍ର କୌଣସି ରାଜନେତା ବାଦ ପଡିଲେ ନାହିଁ। ଅଟଳ ବିହାରୀ ବାଜପେୟୀ, ବିଜୁ ପଟ୍ଟନାୟକ, ଲାଲକୃଷ୍ଣ ଆଡଭାନୀ, ମଧୁଲିମାୟେ, ରାଜନାରାୟଣ, ରବି ରାୟ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ପ୍ରମୁଖ ଗିରଫ ହେଲେ। ଲେଖକ ଭଳି ସାଧାରଣ ଛାତ୍ର ମଧ୍ୟ ବିନା ବିଚାରରେ ମିଶା ଆଇନ ବଳରେ ଦୀର୍ଘ ଅଠର ମାସ ଜେଲ ଯନ୍ତ୍ରଣା ପାଇଲେ।
ଓଡିଶାର ଚୌଧୁରୀ ପରିବାର ଓ ପଞ୍ଜାବର ସାଚାର ପରିବାର ଭଳି ଯାହାଙ୍କ କ୍ଷମତା ରାଜନୀତି ସହ ଆଉ ସଂପର୍କ ନଥିଲା, ସେମାନେ ବି ନିଜର ମତବ୍ୟକ୍ତ ଅଧିକାର ସାବ୍ୟସ୍ତ କରିବାକୁ ଯାଇ କାରାକଷଣ ଭୋଗିବା ଗଣତନ୍ତ୍ରପାଇଁ ତୀବ୍ର କଷାଘାତ ଥିଲା। ଭୀମସେନ ସାଚାର ଅଖଣ୍ଡ ଭାରତରେ ମିଳିତ ପଞ୍ଜାବର ଅର୍ଥମନ୍ତ୍ରୀ ଥିଲେ। ବିଭାଜନ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେଲେ। ଏକଦା ଓଡିଶାର ରାଜ୍ୟପାଳ ଥିଲେ। ସେ ଓ ଲୋକସେବକ ମଣ୍ଡଳର କେତେକ ବରିଷ୍ଠ ସଭ୍ୟ ଇନ୍ଦିରାଙ୍କୁ ଚିଠି ଲେଖିଲେ ଯେ ଗଣତନ୍ତ୍ରର ପୁରୋଧା ପଣ୍ଡିତ ଜବାହରଲାଲ ନେହେରୁଙ୍କ କନ୍ୟା ଏକଛତ୍ରବାଦୀ ହେବା ଶୋଭନୀୟ କି ଗ୍ରହଣୀୟ ନୁହେଁ। ବାସ୍ ସେଇଥିରେ ସେ ରାଷ୍ଟ୍ର ବିରୋଧୀ ହୋଇଗଲେ। ତାଙ୍କ ଗିରଫ ବେଳକୁ ତାଙ୍କ ପୁଅ ଜଷ୍ଟିସ ରାଜେନ୍ଦ୍ର ସାଚାର ଦିଲ୍ଲୀ ଉଚ୍ଚନ୍ୟାୟାଳୟର ବିଚାରପତି ଥିଲେ। ଭୀମସେନ ସାଚାରଙ୍କ ଜ୍ୱାଇଁ ପ୍ରଖ୍ୟାତ ସାମ୍ବାଦିକ କୁଳଦୀପ ନାୟାର, ଯିଏ ଶାସ୍ତ୍ରୀଜୀଙ୍କ ପ୍ରଚାର ସଚିବ ଥିଲେ, ସିଏ ମଧ୍ୟ ଅକାରଣେ ଗିରଫ ହେଲେ। ନ୍ୟାୟାଳୟ ଉଭୟ ମାମଲାରେ ନୋଟିସ ଜାରି କରିବାରେ ଉଭୟ ଅନ୍ୟମାନଙ୍କ ପୂର୍ବରୁ ଖଲାସ ହୋଇ ପାରିଲେ। ସେମାନଙ୍କ ପାଇଁ ଭି.ଏମ୍. ତାରକୁଣ୍ଡେ ଓ ସଲି ସୋରାବଜୀ ଭଳି ସ୍ୱାଭିମାନୀ ଆଇନଜ୍ଞ ଲଢୁଥିଲେ।
ପୁଞ୍ଜିବାଦୀ ଗଣତନ୍ତ୍ର ହେଉ କିମ୍ବା ସମାଜବାଦୀ ଗଣତନ୍ତ୍ର ହେଉ ବ୍ୟକ୍ତିର କହିବାର ଅଧିକାର ସେ ବ୍ୟବସ୍ଥାର ମୂଳଭିତ୍ତି। ଜରୁରୀସ୍ଥିତିରେ ସେ ଶାଶ୍ୱତ ଅଧିକାର ଭାରତର ନାଗରିକର ରହିଲା ନାହିଁ। ବେଆଇନ୍ ଗିରଫଦାରୀ ବିରୁଦ୍ଧରେ ଦେଶର ନଅଟି ପ୍ରଖ୍ୟାତ ଉଚ୍ଚନ୍ୟାୟାଳୟ ରାୟ ଦେବାରେ କେନ୍ଦ୍ର ସରକାର ଅଡୁଆରେ ପଡିଲେ। ନିଜକୁ ନିରଙ୍କୁଶ କରିବାକୁ ସେ ମାମଲାକୁ ସୁପ୍ରିମ କୋର୍ଟକୁ ନେଲେ। ଦୁର୍ଭାଗ୍ୟକୁ ସୁପ୍ରିମ୍ କୋର୍ଟ ସମ୍ବିଧାନର ୧୯ଧାରା ସହ ୨୧ ଧାରାକୁ ଏକାକାର କରି ବହୁ(୪-୧)ମତରେ ନାଗରିକ ଅଧିକାର ଓ ବଞ୍ଚିବାର ଅଧିକାର ସମାନ ବୋଲି ନିର୍ଣ୍ଣୟ କଲା। କେବଳ ଜଷ୍ଟିସ୍ ଏଚ୍.ଆର. ଖାନ୍ନା ଭିନ୍ନ ମତ ଦେଇ କହିଲେ- ଯେ କୌଣସି ପ୍ରକାର ଶାସନରେ ବଞ୍ଚିବାର ଅଧିକାର ଏକ ପବିତ୍ର ଓ ଚିରନ୍ତନ ଅଧିକାର। ଆଇନ୍ର ଅନୁମୋଦନ ବିନା କାହାରି ଜୀବନ ଓ ସ୍ୱାଧୀନତା ଛଡାଇ ନିଆଯାଇ ପାରିବ ନାହିଁ। ଏକୁଟିଆ ଜଷ୍ଟିସ ଖାନ୍ନା ଭିନ୍ନମତ ଦେଲେ ବି ସେ ସାରା ଦୁନିଆରେ ପୂଜ୍ୟ ହୋଇଗଲେ। ଅବଶ୍ୟ ଏଥିପାଇଁ ତାଙ୍କୁ ମୂଲ୍ୟ ଦେବା ପଡିଲା। ବରିଷ୍ଠତମ ବିଚାରପତି ହୋଇଥିଲେ ମଧ୍ୟ ସେ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ପଦରୁ ବଞ୍ଚିତ ହେଲେ ନିଜ ନିର୍ଭୀକ ନ୍ୟାୟ ଯୋଗୁଁ।
ଖୁସିର କଥା ନିଜ ପିତାଙ୍କ ବାଟରେ ନ ଯାଇ ଆଜିର ମୁଖ୍ୟବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ଜଷ୍ଟିସ ଖାନ୍ନାଙ୍କ ବଞ୍ଚିବାର ଅଧିକାର ତତ୍ତ୍ୱକୁ ସୁପ୍ରିମ କୋର୍ଟ ମାଧ୍ୟମରେ ସାବ୍ୟସ୍ତ କରିଛନ୍ତି। ଅବଶ୍ୟ ବରିଷ୍ଠ ଜଷ୍ଟିସ୍ ଚନ୍ଦ୍ରଚୂଡ ଦୀର୍ଘ ୭ବର୍ଷ ମୁଖ୍ୟ ବିଚାରପତି ଥିବାବେଳେ ଅନୁଶୋଚନାରେ ୨୧ଧାରାକୁ ମହତ୍ତ୍ବପୂର୍ଣ୍ଣ କରି ଦେଇଯାଇଛନ୍ତି ଯାହା ଫଳରେ ବ୍ୟାପକ ଜନସ୍ୱାର୍ଥ ମାମଲା ସମ୍ଭବ ହେଉଛି। ବରିଷ୍ଠ ଚନ୍ଦ୍ରଚୂଡଙ୍କ ସାଥୀ ଜଷ୍ଟିସ ଭଗବତୀ ମଧ୍ୟ ଅନୁରୂପ ରାୟ ଦେଇ ଗଣତନ୍ତ୍ରରେ ବ୍ୟକ୍ତିକୁ ପ୍ରାଧାନ୍ୟ ଦେଇଛନ୍ତି। ଗଣତନ୍ତ୍ରରେ ଆମେ ଦେଶବାସୀ ସମୂହ ଭାବେ ଦେଶର ମାଲିକ। ତା’ର ଅର୍ଥନୁହେଁ ନିରୀହ ନାଗରିକ ଭିଡର ଶିକାର ହେବ। କୌଣସି ବ୍ୟକ୍ତି ଆଇନ ବିରୁଦ୍ଧରେ ନ ଗଲେ କେହି ତା ଅଧିକାର ଛଡାଇ ପାରିବ ନାହିଁ। ରାଷ୍ଟ୍ର ତାକୁ ସମସ୍ତ ସୁରକ୍ଷା ଦେବ ନ ହେଲେ ଜଙ୍ଗଲରାଜ ଚିରସ୍ଥାୟୀ ହୋଇଯିବ।
ଗଣତନ୍ତ୍ରର ୪ଟି ଯାକ ସ୍ତମ୍ଭ ଆଜି ଦୋଦୁଲ୍ୟମାନ। ୧୯୭୫ରେ ଯେତେବେଳେ ୪ଟି ସ୍ତମ୍ଭ ଦୋହଲିଲା, ଦେଶର ଜନତା ମାଲିକ ଭାବେ ତା’ର ପ୍ରତିକାର କଲେ। ୧୯୭୭ ନିର୍ବାଚନ ପ୍ରମାଣିତ କଲା ଯେ, ସବୁ ତ୍ରୁଟି ବିଚ୍ୟୁତିକୁ ସୁଧାରିବା ଶକ୍ତି ଜନତାର ଅଛି। ଆମକୁ ନିଜ ଦେଶର ସମ୍ବିଧାନ, ଗଣତନ୍ତ୍ର ଏକତା ଓ ଅଖଣ୍ଡତା ସର୍ବୋପରି ସ୍ୱାଧୀନତା ରକ୍ଷା କରିବାକୁ ହେଲେ ସଚେତନ ଓ ସକ୍ରିୟ ହେବାକୁ ପଡିବ। ପତନମୁଖୀ ବ୍ୟବସ୍ଥା ଓ ତନ୍ତ୍ର ଆମକୁ ଖାଇ ଭିତରକୁ ଟାଣୁଛି। ଆମେ ହାତ ଛିଞ୍ଚାଡି ଭାଇ-ବନ୍ଧୁ, ସାଥୀ-ସହଯୋଗୀ ପରସ୍ପର ଛନ୍ଦାଛନ୍ଦି ହୋଇ ଉଠିବା ପ୍ରୟାସ କଲେ, ଅଚିରେ ସଫଳ ହେବା। ଦେଶ ଓ ସମାଜ ସୁସ୍ଥ ସବଳ ହେବ ଓ ଆମେ ସାଧାରଣ ମଣିଷ ସୁନାଗରିକ ଭାବେ ସୁରକ୍ଷିତ ରହିବା। ସତ କହିବା ଯଦି ବିଦ୍ରୋହ ତେବେ ମୁଁ ଜଣେ ବିଦ୍ରୋହୀ – ଜୟପ୍ରକାଶ।
Comments are closed.