ଜାତୀୟ ଶିକ୍ଷା ନୀତିରେ ଦ୍ଵନ୍ଦ
ସୌଭାଗ୍ୟ ସୁନ୍ଦରରାୟ
ଜାତୀୟ ଶିକ୍ଷା ନୀତି -୨୦୨୦ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଶ୍ ତତ୍ପରତା ପ୍ରକାଶ ପାଇଥିବାବେଳେ ଏହି ଶିକ୍ଷା ନୀତିକୁ ନେଇ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ଇତି ମଧ୍ୟରେ ତାମିଲନାଡ଼ୁର ଡିଏମ୍କେ ସରକାର ଏହି ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ନିମନ୍ତେ ମନା କରିଦେଇ ରାଜ୍ୟ ଶିକ୍ଷା ନୀତି ପ୍ରଚଳନ କରିବାକୁ ଘୋଷଣା କରିଛି। କର୍ଣ୍ଣାଟକ ସରକାର ଏହାର ସମୀକ୍ଷା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଶିକ୍ଷା ନୀତିରେ ସମସ୍ତ ପିଲାଙ୍କୁ ବିଦ୍ୟାଳୟ ମଧ୍ୟକୁ ଆଣିବା ନିମନ୍ତେ ଏଥିରେ ଲକ୍ଷ୍ୟ ରଖାଯାଇଛି। ଦେଖିବାକୁ ଗଲେ ଏହା ଏକ ପୁରୁଣା ଲକ୍ଷ୍ୟ। ପୂର୍ବ ଶିକ୍ଷା ନୀତିରେ ଏ ପ୍ରସଙ୍ଗ ରହିଥିଲା। ଅତୀତରେ ଅଣଆନୁଷ୍ଠାନିକ ଶିକ୍ଷା, େପ୍ରୗଢ଼ ଶିକ୍ଷା, କଳାପଟା ଅଭିଯାନ, ସର୍ବଶିକ୍ଷା ଅଭିଯାନ ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତଥାପି ପିଲା ଅଧାରୁ ପାଠ ଛାଡ଼ୁଛନ୍ତି, ଶ୍ରେଣୀଗୃହ ବ୍ୟବସ୍ଥା ମଧ୍ୟକୁ ଆସିପାରୁ ନାହାନ୍ତି।
ଦେଶରେ ଶେଷ ଶିକ୍ଷା ନୀତି ପ୍ରଣୟନ ହୋଇଥିଲା ୧୯୮୬ ମସିହାରେ। ଏହାର ୩୪ ବର୍ଷ ପରେ ଆଉ ଏକ ଶିକ୍ଷା ନୀତି ପ୍ରଣୟନ କରାଗଲା ୨୦୨୦ ମସିହାରେ। ତେବେ ଏହି ୩୪ ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ କି ପ୍ରଗତି ଘଟିଛି ତାହାର କୌଣସି ମୂଲ୍ୟାୟନ ନୂତନ ଶିକ୍ଷା ନୀତି ଇସ୍ତାହାରରେ ଦର୍ଶାଯାଇ ନାହିଁ କି ପୂର୍ବ ଶିକ୍ଷା ନୀତିର କେଉଁ କେଉଁ ଦିଗ ସଫଳ ହୋଇଛି ଓ କେଉଁ ଦିଗଟି ସଫଳ ହୋଇପାରି ନାହିଁ ତାହାର କୌଣସି ପୁଙ୍ଖାନୁପୁଙ୍ଖ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସତ୍ତ୍ବେ ପିଲା କ’ଣ ପାଇଁ ବିଦ୍ୟାଳୟକୁ ଆସିପାରୁ ନାହାନ୍ତି ? ପ୍ରତି ୫ ବର୍ଷରେ ଶିକ୍ଷାନୀତିର ସମୀକ୍ଷା ପାଇଁ ପୂର୍ବ ଶିକ୍ଷାନୀତିରେ ସୁପାରିସ କରାଯାଇଥିଲା। କିନ୍ତୁ ତାହା କରାଗଲା ନାହିଁ। ଏହା ବଦଳରେ ସରକାର ନୂଆ ଶିକ୍ଷାନୀତି ପ୍ରଣୟନ କଲେ। ଆନନ୍ଦଦାୟକ ଶିକ୍ଷା ପୂର୍ବ ଶିକ୍ଷା ନୀତିରେ ରହିଥିଲା, ନୂଆ ଶିକ୍ଷା ନୀତିରେ ମଧ୍ୟ ରହିଛି; କିନ୍ତୁ ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ବିଦ୍ୟା ଅଧ୍ୟୟନ ଆଦୌ ଏକ ଆନନ୍ଦଦାୟକ ବିଷୟ ନୁହେଁ। ଏ କଥା ଶୁଣିବାକୁ ସୁନ୍ଦର ଲାଗିପାରେ; କିନ୍ତୁ ଏଥିରେ ବାସ୍ତବତା ନାହିଁ। ବିଦ୍ୟା ଆନନ୍ଦଦାୟକ ହେଲେ ଏହା ପ୍ରମୋଦ ବା ମନୋରଞ୍ଜନର ବିଷୟ ହୋଇଯିବ। ଆମୋଦପ୍ରମୋଦ ନିମନ୍ତେ କ୍ରୀଡ଼ା ରହିଛି। ଅଧ୍ୟୟନରେ ଚାପ ନେବାକୁ ପଡ଼ିବ, ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ସମୟ ଦେବାକୁ ପଡ଼ିବ। ପାଠ ବୁଝିବାକୁ ପଡ଼ିବ, ମସ୍ତିଷ୍କ ପ୍ରୟୋଗ କରିବାକୁ ପଡ଼ିବ, ସ୍ମରଣ ରଖିବାକୁ ହେବ। ଏଣୁ କଷ୍ଟ ନକରି ଆନନ୍ଦରେ ବିଦ୍ୟାଲାଭ ହୋଇପାରିବ ନାହିଁ। ଆନନ୍ଦ ପାଇଁ ତ କ୍ରୀଡ଼ା ପିରିୟଡ଼ ରହିଥାଏ। ଯଦ୍ଦ୍ବାରା ପିଲା ପାଠ ଚାପରୁ ସାମାନ୍ୟ ମୁକ୍ତି ପାଇପାରିଥାଏ। ଏଣୁ ଶିକ୍ଷା ଆମୋଦପୂର୍ଣ୍ଣ ହେବା ଏକ ଭ୍ରମାତ୍ମକ ତତ୍ତ୍ୱ। ପୂର୍ବରୁ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ ରଙ୍ଗିନ ‘ମୋ ଛବି ବହି’ ପ୍ରଚଳନ ହେବାର ନଜିର ରହିଛି। ଏହା କଣ ଆନନ୍ଦଦାୟକ ଶିକ୍ଷାର ଏକ ଅଂଶ ନୁହେଁ ? ସେହିପରି ଦଣ୍ଡମୁକ୍ତ ଶିକ୍ଷା ସଂପ୍ରତି ପ୍ରଚଳିତ ରହିଛି। ଦଣ୍ଡମୁକ୍ତ ଶିକ୍ଷା ଯୋଗୁଁ ଶିକ୍ଷାନୁଷ୍ଠାନ ପରିସର ଅନୁଶାସନହୀନ ହୋଇପଡ଼ିଛି। ପିଲା ଯାହା କଲେ ମଧ୍ୟ ଶିକ୍ଷକମାନେ ସେଥିରୁ ନିଜକୁ ଦୂରେଇ ରଖିବା ପାଇଁ ଚାହୁଁଛନ୍ତି। ଦଣ୍ଡ, ଅନୁଶାସନ, ନିର୍ଯାତନା ମଧ୍ୟରେ ଫରକ ନିର୍ଦ୍ଧାରଣ କରିବାକୁ ପଡ଼ିବ। ପିଲାକୁ ଶୃଙ୍ଖଳିତ ବା ଅନୁଶାସିତ କରିବା ଉଦ୍ଦେଶ୍ୟରେ ଯଦି ମା ଚାପୁଡ଼ାଟିଏ ମାରେ ତାହାଲେ ତାକୁ ଯଦି ଆମେ ଦଣ୍ଡ ବୋଲି କହିବା, ସେ ଦଣ୍ଡ ଗ୍ରହଣୀୟ ହେବା ଊଚିତ୍। ତେବେ କେତେକ କ୍ଷେତ୍ରରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦଣ୍ଡର ମାତ୍ରା ଅଧିକ ହୋଇଯାଇଥାଏ, ଯାହା ଶରୀରକୁ ପ୍ରଭାବିତ କରିଥାଏ। ଏ ସଂଖ୍ୟା ସୀମିତ। ସୀମିତ ସଂଖ୍ୟାକ ଘଟଣା ପାଇଁ ସମଗ୍ର ବ୍ୟବସ୍ଥାକୁ ଯେଉଁ ଦିନଠାରୁ ଅନୁଶାସନବିହୀନ କରାଗଲା ସେବେଠାରୁ ଶିକ୍ଷକଙ୍କ ପ୍ରତି ବିଦ୍ୟାର୍ଥୀଙ୍କ ଆଉ ଭୟ ରହିଲା ନାହିଁ। ଯେଉଁଠି ଭୟ ନାହିଁ ସେଠି ଶୃଙ୍ଖଳା ବା ଆଉ ଆସିବ କେଉଁଠୁ ?
ଦେଶରେ ଅନେକ ପିତାମାତା, ଅଭିଭାବକ ଅଛନ୍ତି ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଦ୍ୟାଳୟର ଶିକ୍ଷକଙ୍କଠାରୁ ମଧ୍ୟ ଅଧିକ। ତଥାପି ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଯିବାକୁ ପଡ଼ିଥାଏ। କାରଣ ଏହା ଏକ ଆନୁଷ୍ଠାନିକ ବ୍ୟବସ୍ଥା। ପିତାମାତାଙ୍କର ସମସ୍ତ କଥା ଘରେ ପିଲା ଶୁଣିନଥାଏ। ସ୍ନେହମମତାର ଡ଼ୋରିରେ ଅଭିଭାବକମାନେ ପିଲା ଉପରେ ସମସ୍ତ ବିଷୟ ଜାହିର କରିପାରନ୍ତି ନାହିଁ; କିନ୍ତୁ ବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତି ଭୟ ଯୋଗୁଁ ତା’ର ବୁଦ୍ଧିର ବିକାଶ ଘଟିଥାଏ। ସାଙ୍ଗସାଥୀଙ୍କ ମେଳରେ ଖେଳିବା ଓ ପଢ଼ିବା ଦ୍ୱାରା ତାର ସାମାଜିକ ଓ ଗୋଷ୍ଠୀଗତ ଜ୍ଞାନ ପ୍ରସ୍ଫୁଟିତ ହୋଇଥାଏ। ପିଲାଙ୍କ ଦ୍ୱାରା ବିଦ୍ୟାଳୟ ସଫେଇକୁ ବର୍ତ୍ତମାନର ଶିକ୍ଷା ନୀତିରେ ‘ଶାରୀରିକ କାମ’ ବୋଲି କୁହାଯାଉଛି ଏବଂ ଏଥିପାଇଁ ଶିକ୍ଷକଙ୍କୁ ଜବାବ ତଲବ କରାଯାଉଛି। ଏ କି ପ୍ରକାର ଶିକ୍ଷାନୀତି ? ଏହାଦ୍ୱାରା ଶିଶୁର ଚେତନା ସ୍ତର ବାଧାପ୍ରାପ୍ତ ହେଉ ନାହିଁ କି ? ନୂଆ ଶିକ୍ଷାନୀତିର ଢ଼ାଞ୍ଚା ୫+୩+୩+୪ ରଖାଯାଇଛି। ୧ମ, ୨ୟ ଶ୍ରେଣୀ ସହ ପ୍ରାକ୍ ପ୍ରାଥମିକର ୩ ବର୍ଷ ମିଶାଯାଇ ଏହାକୁ ୫ ବର୍ଷ କରାଯାଇଛି। ଏହାକୁ ଫାଉଣ୍ଡେସନ (ଭିତ୍ତି) ସୋପାନ ବୋଲି କୁହାଯାଉଛି। ସେହିପରି ତୃତୀୟ, ଚତୁର୍ଥ,ପଞ୍ଚମ ଶ୍ରେଣୀକୁ ମିଶାଇ ପ୍ରିପାରେଟୋରୀ (ପ୍ରସ୍ତୁତି) କୁହାଯାଇଛି। ୬ଷ୍ଠ,୭ମ ଓ ୮ମକୁ ମିଶାଇ ମିଡ଼ଲ (ମଧ୍ୟମ) ସୋପାନ, ନବମ, ଦଶମ, ଏକାଦଶ ଓ ଦ୍ୱାଦଶକୁ ମାଧ୍ୟମିକ ସୋପାନ ବୋଲି କୁହାଯାଉଛି। ପୂର୍ବ ଶିକ୍ଷା ନୀତିର ଢ଼ାଞ୍ଚା ଥିଲା ୧୦+୨ ଅର୍ଥାତ୍ ସ୍ନାତକ ପୂର୍ବରୁ ୧୨ ବର୍ଷ ଆନୁଷ୍ଠାନିକ ଶିକ୍ଷା ଅଧ୍ୟୟନ। ଚଳିତ ଶିକ୍ଷା ନୀତିରେ ପ୍ରାକ୍ ପ୍ରାଥମିକ ବା ଅଙ୍ଗନବାଡ଼ି ପର୍ଯ୍ୟାୟ ୩ ବର୍ଷକୁ ବାଦ ଦେଲେ ଏହା ମଧ୍ୟ ସେହି ୧୨ ବର୍ଷ ହେଉଛି। ବୟସ ସମାନ, ସମୟ ଏକା । କହିବାକୁ ଗଲେ ନୂଆ ବୋତଲରେ ପୁରୁଣା ମଦ ସଦୃଶ।
ପୂର୍ବରୁ ସ୍ନାତକ ପାଠ୍ୟକ୍ରମ ୩ ବର୍ଷ ଥିବାବେଳେ ଏହାକୁ ଏବେ ୪ ବର୍ଷ ଅବଧି କରାଯିବା ସହ ନମନୀୟ କରାଯାଇଛି। ଅର୍ଥାତ୍ ବିଦ୍ୟାର୍ଥୀ ୨ ବର୍ଷ ଶିକ୍ଷାଲାଭ ପରେ ନିଜକୁ ପାଠ୍ୟକ୍ରମରୁ ପ୍ରତ୍ୟାହାର କରିନେଇ ପାରିବ। ପୁନର୍ବାର ଚାହିଁଲେ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇ ପାରିବ। ନମନୀୟ ଆଳରେ ଏହା ଏକ ସାହାଣ ମେଲା ବ୍ୟବସ୍ଥା ପରି ମନେ ହେଉଛି। ଯିଏ ଯେତେବେଳେ ଚାହିଁଲା ନାମ ଲେଖାଇଲା, ପ୍ରତ୍ୟାହାର କରିନେଲା ଓ ପୁନର୍ବାର ନାମ ଲେଖାଇଲା। ସେହିପରି ମଲଟିଡ଼ିସିପ୍ଲିନାରୀ ବା ବହୁବିଷୟ ପାଠ୍ୟକ୍ରମ ଯୋଗୁଁ ବିଜ୍ଞାନ, କଳା ଓ ବାଣିଜ୍ୟ ଆଦି ପାଠ୍ୟକ୍ରମର ଯେଉଁ ନିଜସ୍ୱ ଗୁରୁତ୍ୱ ରହିଆସିଥିଲା ତାହା ନିଶ୍ଚିତ ହ୍ରାସ ପାଇବ। ନୂଆ ବ୍ୟବସ୍ଥାରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ସହ ରାଜନୀତି ବିଜ୍ଞାନ ପଢ଼ିହେବ। ସମାଜ ବିଜ୍ଞାନ ସହ ଜୀବ ବିଜ୍ଞାନ ବିଷୟ ନିଆଯାଇପାରିବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୃଷି ବିଜ୍ଞାନ, ଦୁଗ୍ଧ ବିଜ୍ଞାନ ପାଠ୍ୟକ୍ରମ ପଢ଼ାଗଲାଣି। ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟିରେ କଳା ବା ସମାଜ ବିଜ୍ଞାନ ପଢ଼ାଗଲାଣି। ଏପରି ପରିସ୍ଥିତି ଲାଗି ରହିଲେ ମେଡ଼ିକାଲ କଲେଜରେ ମେକାନିକାଲ ଇଞ୍ଜିନିୟରିଂ, ବାୟୋଇଞ୍ଜିନୟରିଂ ପାଠ୍ୟକ୍ରମ ପ୍ରଚଳନ ପାଇଁ ବେଶି ସମୟ ଲାଗିବ ନାହିଁ। ଏହି ବ୍ୟବସ୍ଥା ଏକ ବର୍ଣ୍ଣସଙ୍କର ଶିକ୍ଷା ଧାରା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ଦେଶରେ ଉତ୍କୃଷ୍ଟତମ ମାନବସମ୍ବଳ ସୃଷ୍ଟି ହୋଇପାରିବେ ନାହିଁ। ଇଞ୍ଜିନିୟରିଂ ପରି ବୈଷୟିକ ପାଠ ପଢ଼ୁଥିବା ବିଦ୍ୟାର୍ଥୀ କୌଣସି ଉଦ୍ୟୋଗରେ ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବେ।
ନୂଆ ଶିକ୍ଷାନୀତିରେ ଧନ୍ଦାମୂଳକ ଶିକ୍ଷା ଓ ଡ଼ିଜିଟାଲ ପ୍ରଯୁକ୍ତିର ପ୍ରୟୋଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଦେଖିବାକୁ ଗଲେ ଧନ୍ଦାମୂଳକ ଶିକ୍ଷା ମୂଳରୁ ରହିଛି। ୮୦ ଦଶକରେ ଯେଉଁ ବିଦ୍ୟାର୍ଥୀ ମାଧ୍ୟମିକ ସ୍ତରରେ ବିଶେଷ ଭଲ ଫଳାଫଳ କରୁନଥିଲେ ସେମାନେ ପ୍ରାୟତଃ ପରବର୍ତ୍ତୀ ସ୍ତରର ଶିକ୍ଷା ଭାବେ ଧନ୍ଦାମୂଳକ ପାଠ୍ୟକ୍ରମକୁ ଗ୍ରହଣ କରୁଥିଲେ। ଏଥିପାଇଁ ପ୍ରତ୍ୟେକ ରାଜ୍ୟରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ଓ ଡିପ୍ଲୋମା ଶିକ୍ଷାନୁଷ୍ଠାନ ଅନେକ ଦିନରୁ ରହିଆସିଛି। ୧୯୮୦ ମସିହା ପୂର୍ବରୁ ବିଦ୍ୟାଳୟରେ କୃଷି ବିଜ୍ଞାନ ପିରିୟଡ଼ ମଧ୍ୟ ରହିଥିଲା। ତେଣୁ ଏଥିରେ କିଛି ନୂତନତା ନାହିଁ। ଡିଜିଟାଲ ଶିକ୍ଷାଦାନ ଉପରେ ଯେଉଁ ଗୁରୁତ୍ୱ ଦିଆଯାଇଛି ତାହାର ସଫଳତା ଭବିଷ୍ୟତରେ ହିଁ ଜଣାପଡ଼ିଛି। ଗ୍ରାମାଞ୍ଚଳରେ ଟେଲିଯୋଗାଯୋଗ ଓ ଇଣ୍ଟରନେଟ ଆଦିର ଯେଉଁ ସମସ୍ୟା ରହିଛି ସେଥିରେ ଡିଜିଟାଲ ଶିକ୍ଷାଦାନ ଏକ ଦୁରୂହ ବ୍ୟାପାର। ଆଇଆଇଟି ପରି ଦେଶର ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନର ୱେବସାଇଟ ଦୀର୍ଘ ସମୟ ଧରି ଅଚଳ ହୋଇ ପଡ଼ୁଥିବା ଦେଖାଯାଉଛି। ଓଡ଼ିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିସନ ୱେବସାଇଟ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁନାହିଁ। ବର୍ଷା ପବନରେ ୧୨ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ରହୁଛି। ଦେଶର ପ୍ରଥମ ନାଗରିକ ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାରିପଦା ପରି ସହରରେ ବିଦ୍ୟୁତ୍ ତ୍ରୁଟି ଦେଖାଯାଉଛି। ଏଣୁ ଡିଜିଟାଲ ଶିକ୍ଷାଦାନ ପାଇଁ ଭିତ୍ତିଭୂମି ପ୍ରଥମେ ପ୍ରସ୍ତୁତ କରାଯାଉ। କେବଳ ନୂଆ କୋଠା ନିର୍ମାଣ ସହ କିଛି ଇଲେକଟ୍ରୋନିକ୍ସ ସରଞ୍ଜାମ ବିଦ୍ୟାଳୟରେ ରଖିଦେଲେ ଠିକାଦାର ଓ ଯୋଗାଣକାରୀ ସଂସ୍ଥା ଉପକୃତ ହୋଇପାରନ୍ତି; କିନ୍ତୁ ବିଦ୍ୟାର୍ଥୀ ଉପକୃତ ହୋଇପାରିବେ ନାହିଁ। ନିରନ୍ତର ବିଦ୍ୟୁତ୍ ସରବରାହ ନିଶ୍ଚିତ କରିବା ପାଇଁ ବିଦ୍ୟାଳୟକୁ ଡିଜି ସେଟ୍ ଯୋଗାଣ ସହ ଡିଜିଟାଲ ସରଞ୍ଜାମ ରକ୍ଷଣାବେକ୍ଷଣ ତଥା ମରାମତି ପାଇଁ କର୍ମଚାରୀ ନିଯୁକ୍ତ କରାଯିବା ଆବଶ୍ୟକ। ଏବେ ସବୁଆଡ଼େ ଶୁଣିବାକୁ ମିଳୁଛି ସରଭର ଡାଉନ, ନେଟ୍ ନାହିଁ। ନୂଆ ଶିକ୍ଷାନୀତିର ଡିଜିଟାଲ ଦିଗ ଏ ସମସ୍ୟାର ସମାଧାନ କରିବା ଆବଶ୍ୟକ।
ଆଞ୍ଚଳିକ ଭାଷାରେ ଶିକ୍ଷାରେ ନୂଆ ନୀତିର ଅନ୍ୟ ଏକ ଦିଗ। ଏଣୁ ଆଞ୍ଚଳିକ ଭାଷାରେ ଅନୁବାଦକୁ ସୁନିଶ୍ଚିତ କରିବାକୁ ପଡ଼ିବ। ଏବେ ଯେଉଁ କିଛି ପାଠ୍ୟପୁସ୍ତକ ଆଞ୍ଚଳିକ ଭାଷାରେ ଅନୁବାଦ ହୋଇଛି ସେଥିମଧ୍ୟରୁ ଅଧିକାଂଶ ଗୁଗୁଲ ଭାଷାରେ ହୋଇଛି। ଏବେ ଗୁଗୁଲର ଭାଷା ସଂପର୍କରେ ଜାଣିବା। ଓଡ଼ିଶାର ଜଣେ ବ୍ୟକ୍ତିଙ୍କର ନାମ ‘ବିଦେଶୀ ଦାସ’। ଗୁଗୁଲ ଭାଷାରେ ଏହାର ଅନୁବାଦ ହେଲା ‘ଫରେନ ସ୍ଲେଭ’। ଓଡ଼ିଆ ଅନୁବାଦରେ ବ୍ୟାପକ ତ୍ରୁଟି ଯୋଗୁଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କୁ କେତେକ ପରୀକ୍ଷା ଇତିମଧ୍ୟରେ ବାତିଲ କରିବାକୁ ପଡ଼ିଲାଣି। ଅନୁବାଦରେ ଅଜଣା ଅଶୁଣା ଭାଷାର ପ୍ରୟୋଗ ପାଠ୍ୟକ୍ରମ ବୁଝିବାରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।
ଇତିମଧ୍ୟରେ ସରକାର ତରବରିଆ ଭାବେ ଏନ୍ସିଇଆରଟି ଜରିଆରେ ପାଠ୍ୟପୁସ୍ତକରେ ସଂଶୋଧନ ପାଇଁ ପଦକ୍ଷେପ ନେଇଛନ୍ତି। ପାଠ୍ୟକ୍ରମରେ ସନ୍ତୁଳନ ରକ୍ଷା ପାଇଁ ଏହା କରାଯାଉଛି ବୋଲି କୁହାଯାଉଛି। ସନ୍ତୁଳନ ରକ୍ଷା ପାଇଁ ବିବର୍ତ୍ତନବାଦ, ପିରିୟଡ଼ିକ ସାରଣୀ, ମୋଗଲ ଇତିହାସ ପରି ମୌଳିକ ବିଷୟ ବାଦ ଦିଆଯିବା ଉଚିତ୍ ନୁହେଁ। ଏପରି କରାଯିବା ଦ୍ୱାରା ଏକ ନିଶୁଣିରୁ କିଛି ପଗ ବାହାର କରିଦେଲେ ଯେଉଁ ଅବସ୍ଥା ସୃଷ୍ଟି ହୋଇଥାଏ ଶିକ୍ଷା କ୍ଷେତ୍ରରେ ଅନୁରୂପ ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି।
Comments are closed.