ଓଡ଼ିଶାର ନିଜସ୍ବ ‘ରଜପର୍ବ’

ମନୀଷା ରାୟ

‘ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ’

ଏ ହେଉଛି ଓଡ଼ିଶାର ନିଜସ୍ବ ପର୍ବ ରଜ ପର୍ବର ଆବାହନୀ ସଙ୍ଗୀତ। ଓଡ଼ିଶାର ଲୋକଗୀତ। ଯେଉଁଥିରେ ସନ୍ନିବେଶିତ ହୋଇ ରହିଛି ଆଧ୍ୟାତ୍ମିକତା ତଥା ସାଂସ୍କୃତିକର ଭାବଧାରା। ତେଣୁ ତ ରଜପର୍ବକୁ ଓଡ଼ିଶାର ନିଜସ୍ବ ପର୍ବ କୁହାଯାଏ। ଏମିତିରେ ଦେଖିବାକୁ ଗଲେ ବିଶାଳ ଓଡ଼ିଶା ପ୍ରଦେଶର ପ୍ରାନ୍ତୀୟ ଅଞ୍ଚଳମାନଙ୍କରେ ଭିନ୍ନଭିନ୍ନ ପ୍ରକାର ପର୍ବ ବା ଉତ୍ସବ ପାଳିତ ହୋଇଥାଏ। ତତ୍‌ ସହିତ ଏହି ସବୁ ଅଞ୍ଚଳର ଲୋକ ସଂସ୍କୃତି ମଧ୍ୟ ଭିନ୍ନ। ଉଦାହରଣ ସ୍ବରୂପ ପଶ୍ଚିମ ଓଡ଼ିଶାର ନୂଆଁଖାଇ ଓ ଶୀତଳଷଷ୍ଠୀ ପର୍ବ। ଓଡ଼ିଶାରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ମକର ପର୍ବ ଇତ୍ୟାଦିଇତ୍ୟାଦି। ତଥାପି ଓଡ଼ିଶା ଭଳି ଏକ ପାର୍ବଣ ବହୁଳ ରାଜ୍ୟରେ ‘ବାର ମାସରେ ତେର ପର୍ବ’ ପାଳିତ ହେବାର ପ୍ରବଚନ ଯଥାର୍ଥରେ ସମ୍ପୂର୍ଣ୍ଣ ଠିକ୍‌। ସୁତରାଂ ଉତ୍କଳୀୟମାନେ ଅଙ୍ଗେ ନିଭାଇଥିବା ଓଷା, ବ୍ରତ, ପର୍ବପର୍ବାଣି ହିଁ ହେଉଛି ଆମ ଲୋକ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶବିଶେଷ। ସେମିତି ଓଡ଼ିଶାର ଆବାଳବୃଦ୍ଧ ବନିତାଙ୍କ ନୈସର୍ଗିକ ଜୀବନଧାରାର ଉତ୍କର୍ଷ ପ୍ରତିପାଦନ କରିବାରେ ​‌େଲାକପର୍ବ ‘ରଜ’ର ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ।

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ। ଏହାର ଅଧିକାଂଶ ଅଧିବାସୀ କୃଷିଜୀବୀ। ଏହି ରାଜ୍ୟର ଗୌରବମୟ ସଭ୍ୟତାରେ ଭରି ରହିଛି ତା’ର ପ୍ରାଚୀନ ଐତିହ୍ୟ, ସର୍ବପୁରାତନ ଲୋକସଂସ୍କୃତି, ପ୍ରଥା, ପରମ୍ପରା। ଏମିତି କାହିଁରେ କେତେ କ’ଣ? ଓଡ଼ିଶାର ଲୋକସଂସ୍କୃତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କେବଳ ଲୋକଧର୍ମ ଓ ଧର୍ମୀୟ ଚେତନା ଉପରେ ଆଧାରିତ। ତାହା ହେଲେ ଯେତେଦୂର ସମ୍ଭବ ଏହା କୁହାଯାଇପାରେ ଯେ, ଏହି ଧର୍ମୀୟ ଚେତନାକୁ ସାମାଜିକତା ପ୍ରଦାନ କରିବାରେ ଓଷାବ୍ରତ ପର୍ବପର୍ବାଣିର ବିଶେଷ ଭୂମିକା ରହିଛି ଏବଂ ଏହାକୁ ଆଧାର କରି କାହିଁ କେଉଁ ପ୍ରାଚୀନ କାଳରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଏହି ଧର୍ମୀୟ ଭାବଧାରାକୁ ଲୋକ ସଂସ୍କୃତି ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରିଆସୁଛି।

ସମୟର ପର୍ଯ୍ୟାପ୍ତ ବିବର୍ତ୍ତନ ସତ୍ତ୍ବେ ଯୁଗାଦିଭିତ୍ତିକ ଏହି ଲୋକସଂସ୍କୃତି ଓ ଲୋକଧର୍ମର ଏ ଯାବତ୍‌ କୌଣସି ଅବକ୍ଷୟ ଘଟିନାହିଁ। ଏଠାରେ ସବୁଠୁ ବେଶ୍‌ ଆଲୋଚ୍ୟର ବିଷୟ ହେଉଛି ଅଷ୍ଟମ ଓ ନବମ ଶତାବ୍ଦୀରୁ ପ୍ରଚଳିତ ହୋଇଆସୁଥିବା ଲୋକପର୍ବ ‘ରଜ’ର ନିଜସ୍ବ ମହିମାରେ ଆଜି ପର୍ଯ୍ୟନ୍ତ ମହିମାନ୍ବିତ। ଐତିହାସିକମାନଙ୍କ ମତାନୁଯାୟୀ ଓଡ଼ିଶାରେ ଶାସନ କରୁଥିବା ଭୌମକର ରାଜତ୍ବରୁ ‘ରଜପର୍ବ’ର ଆରମ୍ଭ ହୋଇଛି। କେବଳ ଓଡ଼ିଶାକୁ ଛାଡ଼ିଦେଲେ ଭାରତରେ ଅନ୍ୟ କୌଣସି ରାଜ୍ୟରେ ‘ରଜପର୍ବ’ ପାଳନ କରାଯାଏ ନାହିଁ। ତେଣୁ ଏହି ରଜପର୍ବ ଓଡ଼ିଶାର ନିଜସ୍ବ ପର୍ବ ଏବଂ ସ୍ବତନ୍ତ୍ର ତଥା ନିଆରା। ଏହି କୃଷିଭିତ୍ତିକ ପର୍ବର ଲୋକପ୍ରିୟତା ଦୃଷ୍ଟିରୁ ଓଡ଼ିଶାର ଜାତୀୟ ପର୍ବ ଭାବେ ‘ରଜପର୍ବ’ କୁ ସ୍ବୀକୃତି ପ୍ରଦାନ କରାଯାଇଛି।

ଆଧ୍ୟାତ୍ମିକ ତଥା ସଂାସ୍କୃତିକ ଦୃଷ୍ଟିକୋଣରୁ ପ୍ରତ୍ୟୟ ହୁଏ ଯେ, ‘ରଜପର୍ବ’ ହେଉଛି ସୃଷ୍ଟିରେ ପ୍ରଥମ ଦିବସର ପଦଧ୍ବନି ଏବଂ ଧରଣୀ ମାଆ ବା ମାଟି ମାଆ ପ୍ରତି ସମ୍ମାନ ତଥା କୃତଜ୍ଞତା ଜଣାଇବା ହେଉଛି ‘ରଜପର୍ବ’ର ମୂଳ ଉଦ୍ଦେଶ୍ୟ। କେବଳ ସମ୍ମାନ ଓ କୃତଜ୍ଞତା ଜଣାଇ ମାଟି ମାଆର ମହିମା ଓ ଗରିମାକୁ ସୀମିତ ରଖାଯାଇନାହିଁ। ଏହାର ତାତ୍ତ୍ବିକତାକୁ ଉପଲବ୍ଧି କରି ଓଡ଼ିଶାର ଜନମାନସ ପ୍ରକୃତି ମାଆକୁ ଦୀର୍ଘ ତିନିଦିନ ବ୍ୟାପୀ ପୂଜାର୍ଚ୍ଚନା କରିଥାଏ। ବୈଦିକ ଯୁଗରୁ ମୁନିଋଷିଗଣ ଗଢ଼ି ତୋଳିଥିବା ଏହି ପାରିମ୍ପରିକ ଧର୍ମଅନୁଷ୍ଠାନକୁ ଆଜି ମଧ୍ୟ ଉତ୍କଳୀୟମାନେ ସଗର୍ବେ ଅନୁସରଣ କରିଆସୁଛନ୍ତି। ସର୍ବଂସହା ପୃଥିବୀ ମାତାକୁ ଆକଣ୍ଠ ଚିତ୍ତରେ ଆତ୍ମୀୟତା ଭାବ ରଖି ସମର୍ପିତ କରନ୍ତି ତିନିଦିନ। ମାଟି ମାଆର ଦିନ ଭାବି କୃଷି କର୍ମରୁ ବିରତ ରହନ୍ତି କୃଷକ ଭାଇମାନେ। ସେମାନେ ହୃଦୟଙ୍ଗମ କରନ୍ତି ଧରଣୀମାତାର କର୍ତ୍ତବ୍ୟବୋଧ। ଯେଉଁଥିପାଇଁ ସୃଷ୍ଟିର ପ୍ରାରମ୍ଭରୁ ସେ ଧାରଣ କରି ଆସୁଛି ନଦୀ, ସମୁଦ୍ର, ସରୋବର, ପାହାଡ, ପର୍ବତ, ଜୀବଜନ୍ତୁ, ଗଛଲତା ଯାହା ପ୍ରଭାବରେ ମାନବ ସନ୍ତାନଗଣ ଧାରଣ କରିବେ ନୀରୋଗ କାୟା। ହେବେ ଦୀର୍ଘାୟୁ, ଅସରନ୍ତି ସୁଖ ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ ମାଟି ଲଗ୍ନା ସନ୍ତାନଗଣଙ୍କ ଜୀବନ କୁସୁମ।

prayash

ଏହି ଗଣପର୍ବ ‘ରଜ’କୁ କୃଷକର ପର୍ବ ବୋଲି ବିବେଚନା କରାଯାଏ। ତିନିଦିନ ପାଇଁ ଯଥା- ପହିଲି ରଜ, ମଝି ରଜ ବା ରଜ ସଂକ୍ରାନ୍ତି ଏବଂ ​‌େ​‌ଶଷ ରଜ ବା ଭୂମି ଦହନରେ କୃଷକମାନଙ୍କୁ କ୍ଷେତିବାଡ଼ି କରିବାକୁ ବାରଣ କରାଯାଏ। ବସୁମତୀ ସ୍ନାନ ପରେ ଭୂମିକୁ ବା ମାଟି ମାଆକୁ ଦହନ କରିବାର ପରମ୍ପରା ଆମ ଲୋକସଂସ୍କୃତିରେ ରହିଆସିଛି। ତିନି ଦିନର ବିରାମ ମଧ୍ୟରେ ସେମାନେ ସମୟ ଅତିବାହିତ କରିବା ପାଇଁ ଖେଳକୁଦ, ମଉଜମଜଲିସରେ ଆଶ୍ରୟ ଲୋଡ଼ିଥାନ୍ତି। କେବଳ କୃଷକ ଭାଇ ଭଉଣୀମାନେ ଯେ ନିଆରା ରଜପର୍ବକୁ ଉପଭୋଗ କରିଥାନ୍ତି ତାହା ନୁହେଁ ; ସମଗ୍ର ଓଡ଼ିଶାବାସୀ ଏହି ସ୍ବତନ୍ତ୍ର ତଥା ନିଆରା ମନୋରଞ୍ଜନଧର୍ମୀ ଗଣପର୍ବରୁ ଅସ୍ତତ୍ବକୁ ମନଭରି ଉପଲବ୍ଧି କରିଥାନ୍ତି। ଖାସ୍‌କରି ପ୍ରତ୍ୟେକ ଓଡ଼ିଆଣୀଙ୍କ ପାଇଁ ପର୍ଯ୍ୟାପ୍ତ ବିଶ୍ରାମ ନେବାର ସୁଯୋଗ ଦିଏ ‘ରଜପର୍ବ’। ପହଲି ରଜଠାରୁ ଆରମ୍ଭ କରି ବସୁମତୀ ଗାଧୁଆ ପର୍ଯ୍ୟନ୍ତ ଝିଅ, ବୋହୂମାନେ ନୂତନ ବସ୍ତ୍ର ତଥା ପାଦରେ ଚପଲ ପରିଧାନ କରି ଚଲାବୁଲା କରନ୍ତି। ଖାଲି ପାଦରେ ଚାଲିବା ଓ ଘରୋଇ କାର୍ଯ୍ୟ କରିବା ସେମାନଙ୍କ ପାଇଁ ବିଧିବଦ୍ଧ ଭାବେ ନିଷେଧ ଥାଏ। କୁମାରୀ କନ୍ୟାମାନେ ପାଦରେ ଅଳତା, ମଥାରେ ବିନ୍ଦି, ହାତରେ ରଙ୍ଗ ବେରଙ୍ଗର ଚୁଡ଼ି ତଥା ବିଭିନ୍ନ ରତ୍ନ ଅଳଙ୍କାର ପିନ୍ଧି ନିଜକୁ ସଜେଇ କରି ରଖିଥା’ନ୍ତି। ତତ୍‌ସହିତ ରଜପର୍ବର ପ୍ରକୃତ ଆଧାର ରଜଦୋଳି ଓ ରଜଗୀତିରେ

ଯେତେବେଳେ ସେମାନେ ମତୁଆଲା ହୋଇଉଠନ୍ତି, ସେତେବେଳେ ସେମାନେ ଅଫୁରନ୍ତ ଊଚ୍ଛ୍ବାସରେ ଗାଇ ଉଠନ୍ତି ରଜଦୋଳି ଗୀତ। ‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ’। ସେମାନେ ଦୋଳି ଖେଳରୁ ହିଁ ପାଇଥାନ୍ତି ଜୀବନର ପ୍ରକୃତ ଆନନ୍ଦ। ସୁତରାଂ ଦୋଳି ହିଁ ପ୍ରତ୍ୟେକ ନାରୀର ସୁଖ, ସ୍ବଚ୍ଛନ୍ଦ୍ୟ ତଥା ଅୟସରେ ଜୀବନ ଜିଇବାର କଳା ଶିଖାଇଥାଏ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ମହାନ୍‌ ଗଣପର୍ବର ତାତ୍ତ୍ବିକତାକୁ ଯଦି ଆମେ ଗୁରୁତର ସହ ପର୍ଯ୍ୟାଲୋଚନା କରିବା ତାହାହେଲେ ଆମକୁ ଧର୍ମଶାସ୍ତ୍ରର ସାହାର ନେବାକୁ ପଡ଼ିବ। ଏହା କହିବାର ତାତ୍ପର୍ଯ୍ୟ ହେଲା- ଶାସ୍ତ୍ରରେ ରଜପର୍ବର ବିଶେଷତ୍ବକୁ ନେଇ କଥିତ ଅଛି ‘ବୃଷାନ୍ତେ ମିଥୁନ ସ୍ୟାଦୌତନ୍ମଧ୍ୟେଽପି ଦିନତ୍ରୟ ରଜସ୍ବଳାସ୍ୟାତ୍‌ ପୃଥବୀ କୃଷି କର୍ମଣିଗର୍ହିତା।’

ଅର୍ଥାତ୍‌ ମାଟିମାଆ ପୃଥିବୀ, ସାଧାରଣ ନାରୀପରି ଋତୁମତୀ ହୋଇଥାଏ। ଠିକ୍‌ ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକାଳରେ ମାନେ ମିଥୁନ ସଂକାନ୍ତି ବା ରଜ ସଂକ୍ରାନ୍ତିର ପୂର୍ବଦିନ ଓ ପରିଦିନ। ଏହି ତିନିଦିନ ପୃଥିବୀ ମାତା ରଜସ୍ବଳା ହୋଇଥାଏ ବୋଲି ଶାସ୍ତ୍ର ପ୍ରମାଣ ଅଛି। ଧାର୍ମିକ ଦୃଷ୍ଟିକୋଣରୁ ଦେଖିଲେ, ଆମ ହିନ୍ଦୁ ଧର୍ମରେ ସ୍ତ୍ରୀ ଲୋକମାନେ ଋତୁମତୀ ହେଲେ ତିନିଦିନ ବ୍ୟାପୀ ରତି ସଂଭୋଗରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଏ। ଠିକ୍‌ ସେହିପରି ରଜସ୍ବଳା ମାଟି ମାଆକୁ ରଜ ତିନିଦିନ ଖନନ, କର୍ଷଣ ଆଦି କାର୍ଯ୍ୟ କରିବାକୁ ନିଷିଦ୍ଧ କରାଯାଇଛି। ଧର୍ମଶାସ୍ତ୍ର ଅନୁସାରେ ରଜ ତିନିଦିନ ଧରଣୀ ମାଆକୁ କଷ୍ଟ ଦେବାଭଳି କାର୍ଯ୍ୟ ବିବର୍ଜିତ ଅଟେ। ତେଣୁ ବୈଦିକ ଯୁଗରୁ ପୃଥିବୀମାତାକୁ ସମ୍ମାନ ଜଣାଇବା ପାଇଁ ରଜପର୍ବ ଆନୁଷ୍ଠାନିକ ଭାବେ ପାଳିତ ହୋଇଆସୁଛି କହିଲେ ଉଚିତ୍‌ ମନେ ହେବ।

ଉତ୍କଳୀୟ ସଂସ୍କୃତିରେ ଏହି ମହାନ୍‌ ପାରମ୍ପରିକ ଗଣପର୍ବର ତିନିଟି ପ୍ରମୁଖ ଆକର୍ଷଣ ହେଲା- ପୋଡପିଠା, ରଜପାନ ଓ ରଜଦୋଳି। ପୋଡ଼ପିଠା ବା ରଜ ପୋଡ଼ପିଠାର ସ୍ବାଦ ତୃପ୍ତିକର। ପ୍ରାଚୀନତା ଦୃଷ୍ଟିକୋଣରୁ ଦେଖିଲେ ଏହି ପିଠା ବେଶ୍‌ ପ୍ରାଚୀନ ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ପିଠା ପୌଷ୍ଟିକତାରେ ଭରପୂର ଏବଂ ଅତ୍ୟନ୍ତ ରୁଚିକର। ‘ ପାନ’ ଉତ୍କଳୀୟମାନଙ୍କର ମୁଖବିନ୍ୟାସର ଶ୍ରେଷ୍ଠ ସମ୍ପଦ। ଯିଏ ଉତ୍କଳୀୟ ସଂସ୍କୃତିରେ ଭାବ ଆଦାନପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ ଏବଂ ଓଡ଼ିଶାର ସାଂସ୍କୃତିକ ବିଭବ ରଜପର୍ବର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ। ସୁଗନ୍ଧିତ ପାନର ମହିମା ଅତୁଳନୀୟ। ଇଏ ମୁଖ ଶୁଦ୍ଧି କରିବାର ଏକ ଅନବଦ୍ୟ ମାଧ୍ୟମ।

ଝିଅବୋହୂମାନେ ପାଟିରେ ପାନ ଖିଲ ଯାକି ଦୋଳି ଖେଳିବାର ଦୃଶ୍ୟ ବେଶ୍‌ ନିଆରା। ପୁରପଲ୍ଲୀଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଉତ୍କଳୀୟମାନଙ୍କର ପାନ ଆଦାନ ପ୍ରଦାନ ପରିବେଶକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ କରିଥାଏ। କୁମାରୀ କନ୍ୟାଙ୍କ ଦୋଳି ଖେଳ ତାଳେତାଳେ ପୁରୁଷମାନଙ୍କର କବାଡ଼ି ଖେଳର ଡୁ-ଡୁ-ନାଦରେ ପ୍ରକମ୍ପିତ ହୋଇଉଠେ ରଜସ୍ବଳା ଧରଣୀ ମାତା। ଏହି ତିନିଦିନର ମେଳି ସମସ୍ତଙ୍କୁ ଅଫୁରନ୍ତ ଉଚ୍ଛ୍ବାସ ପ୍ରଦାନ କରିଥାଏ। ଜୀବନର ପ୍ରକୃତ ଆନନ୍ଦ କ’ଣ ହୃଦୟଙ୍ଗମ କରିଥା’ନ୍ତି ନିରୀହ ଜନସାଧାରଣ।

ଆନନ୍ଦ ଉଲ୍ଲାସ ତଥା ଅସରନ୍ତି ଉସତର ପର୍ଯ୍ୟାୟବାଚୀ ମହୋତ୍ସବ ‘ରଜପର୍ବ’ ହେଉଛି ଉଭୟ ନାରୀ ଓ ପୁରୁଷର ଶକ୍ତି, ସାମର୍ଥ୍ୟ ତଥା ସଂଯମର ସାନ୍ଧ୍ୟ ଦିବସ। ଯେଉଁ ପର୍ବର ମାଧୁର୍ଯ୍ୟରେ ଉତ୍କଳୀୟମାନଙ୍କ ହୃଦୟ ଆନ୍ଦୋଳିତ ହୋଇଉଠେ ଏବଂ ରଜଦୋଳି ଗୀତର ମଧୁ ମୂର୍ଚ୍ଛନାରେ ଗ୍ରାମ୍ୟ ତଥା ସହରର ପରିବେଶ ପ୍ରକମ୍ପିତ ହୁଏ। ପବିତ୍ର ଜ୍ୟେଷ୍ଠ ମାସର ଆଗମନରେ ଯାହାର ସବୁଜ ଓଡ଼ିଶାର ଆବାଳବୃଦ୍ଧ ବନିତାଙ୍କ ପ୍ରାଣରେ ସ୍ପନ୍ଦନ ସୃଷ୍ଟିକରେ। ଓଡ଼ିଶାର ଏହି ମହାନ ନିଜସ୍ବ ପର୍ବ ରଜର ମହାନତା ହେଉଛି ନାରୀ ଜାତିଙ୍କୁ ସମ୍ମାନ ଜଣାଇବା। ସେମାନଙ୍କର ଗୁଣ ଗରିମାର ଜୟଗାନ କରିବା। ମାତୃତୁଲ୍ୟ ଧରିତ୍ରୀର ଉପାସନା କରିବା। ସୁତରାଂ ଉତ୍କଳର ମହାନ୍‌ ସଂସ୍କୃତିର ସ୍ମାରକ ‘ଗଣପର୍ବ ରଜ’ର ଉତ୍କର୍ଷ ପ୍ରତି ଆମ୍ଭେମାନେ ଯତ୍ନଶୀଳ ହେବା ଅତ୍ୟନ୍ତ ବିଧେୟ। ଏହି ଅପୂର୍ବ ତଥା ଅନନ୍ୟ ପର୍ବକୁ ବିଶ୍ବମୁଖୀ କରିବାପାଇଁ ପ୍ରତ୍ୟେକ ଓଡ଼ିଆ ପ୍ରୟାସ କରିବା ଉଚିତ। କାରଣ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଭାବଧାରା ପରିପୂର୍ଣ୍ଣ ଏହି ‘ରଜପର୍ବ’ରେ ଫୁଟିଉଠେ ଉତ୍କଳର ମାଟିରେ ନିଚ୍ଛକ ପ୍ରତିଛବି। ଯାହା ବିଶ୍ବ ଦୃଷ୍ଟି ଆକର୍ଷଣ ଯୋଗ୍ୟ ପାରମ୍ପରିକ ମହୋତ୍ସବ କହିଲେ ଅତ୍ୟୁକ୍ତି ହେବନାହିଁ। ଅତଏବ ମହାନ୍‌ ରଜପର୍ବ ହେଉଛି ଭୂମା ଓ ଭୂମିର ମହାମିଳନ ତଥା ପ୍ରକୃତି ଓ ପୁରୁଷର ସଂଯମତା ରକ୍ଷାର ପ୍ରତୀକାତ୍ମକ ଉତ୍ସବ।

kalyan agarbati

Comments are closed.