ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ପୀଠରେ ସ୍ନାନ ପର୍ବ ନେଇ ପ୍ରସ୍ତୁତି ବୈଠକ
ଭୁବନେଶ୍ବର : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଭକ୍ତ ଦାସିଆ ସ୍ମୃତି କମିଟିରେ ଆଲୋଚିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ଶହୀଦନଗର ବିଷ୍ଣୁମନ୍ଦିରର ସାଂସ୍କୃତିକ ଭବନ କକ୍ଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ଼ାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ଆଇନଜିବୀ ସରୋଜ କୁମାର ସାହୁ ବିଗତ ବର୍ଷର ସ୍ନାନ ପୂର୍ଣ୍ଣିମା, ଶ୍ରୀ ଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଆୟବ୍ୟୟ ଉପସ୍ଥାପନ କରିବା ସହ ଚଳିତ ବର୍ଷର ଖର୍ଚ୍ଚ ଆକଳନର ବିବରଣୀ ପସ୍ଥାପନ କରିଥିଲେ। ସାଧାରଣ ସଂପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁ ଏହି ଆର୍ଥିକ ଆବଶ୍ୟକତାକୁ ସଦସ୍ୟମାନଙ୍କ ଯଥାଶକ୍ତି ସହଯୋଗରେ ପୂରଣ କରାଯାଇ ନିଜ ନିଜ ମଧ୍ୟରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ । ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ନାରାୟଣ ମହାପାତ୍ର , ଦିବ୍ୟଦିଗନ୍ତର ସଭାପତି ଜୟ ପ୍ରକାଶ ମିଶ୍ର, ରୋଟାରିଆନ ଅବନୀ କାନ୍ତ ପଟ୍ଟଯୋଶୀ, ଡ଼ଃ ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗହଣ କରିଥିଲେ । ପୁରୀ ଶ୍ରୀମନ୍ଦିରର କାର୍ଯ୍ୟ ନିର୍ଘଣ୍ଟ ପରେ ଭକ୍ତ ଦାସିଆଙ୍କ ପୀଠରେ ଉପରୋକ୍ତ ସମସ୍ତ କାର୍ଯ୍ୟ ଧାରା ନିର୍ଦ୍ଧିଷ୍ଟ ସମୟରେ କରାଯିବା ପାଇଁ ସ୍ଥିର କରାଯାଇଥିଲା। ସଭା ଆରମ୍ଭରେ ନୂତନ ସଭ୍ୟ ଅର୍ଜ୍ଜୁନୀ ଚରଣ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Comments are closed.